ଲକ୍ଷହରା

 

 

 

 

 

 

 

 

 

 

 

ଲକ୍ଷ୍ୟହରା

ଶ୍ରୀ ବ୍ରଜକିଶୋର ମିଶ୍ର

 

ଅଭିମତ

 

ଆଖି ଥିଲେ ଯେପରି ଦେଖିହୁଏ, ହାତ ଥିଲେ ସେପରି ଲେଖି ହୁଏ ନାଇଁ । ଲେଖା ସାଧନାସାପେକ୍ଷ, ସେଥିପାଇଁ ଲୋଡ଼ା ଲେଖକଙ୍କର ଦିବ୍ୟ ଦୃଷ୍ଟି । ସାଧାରଣ ଦୃଷ୍ଟିଠାରୁ ଲେଖକଙ୍କର ଦୃଷ୍ଟି ଭିନ୍ନ ନହେଲେ ଲେଖା ପାଠକ ମନକୁ ଆକୃଷ୍ଟ କରି ପାରେ ନାହିଁ ।

 

‘ଲକ୍ଷ୍ୟହରା’ ଛାପା ଫର୍ମା ପଢ଼ି ମୁଁ ଅନୁଭବ କରିଛି, ଯେଉଁ ଅନ୍ତର୍ଦୃଷ୍ଟି ଥିଲେ ଲେଖକ ପାଠକ ଦୃଦୟକୁ ସ୍ପର୍ଶ କରିପାରେ, ଶ୍ରୀ ବ୍ରଜକିଶୋର ମିଶ୍ରଙ୍କର ସେ ଭିନ୍ନ ଦୃଷ୍ଟି ରହିଛି । ସେଥିପାଇଁ ‘ଲକ୍ଷହରା’ ତାଙ୍କର ପ୍ରଥମ ଉପନ୍ୟାସ ହେଲେ ମଧ୍ୟ ସାଧାରଣ ପାଠକ ମନକୁ ଆକୃଷ୍ଟ କରିବାର ଉପାଦାନ ଏଥିରେ ଯଥେଷ୍ଟ ।

 

‘ଲକ୍ଷ୍ୟହରା’ର ଭାଷା ସରଳ, କାହାଣୀର ଗତି ମଧ୍ୟ ବେଶ୍‍ ସାବଲୀଳ । କଥାବସ୍ତୁ ନିର୍ବାଚନରେ ଲେଖକ ଗତାନୁଗତିକ ତ୍ରିକୋଣୀ-ପ୍ରେମର ପରମ୍ପରାଠାରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରିଛନ୍ତି । ଅଯଥା ଅଶ୍ଳୀଳତା ବଦଳରେ ଏକ ଶାନ୍ତ, ସ୍ନିଗ୍‍ଧ ଆନ୍ତରିକତା ‘ଲକ୍ଷ୍ୟହରା’ର ପୃଷ୍ଠାରେ ମୁଁ ଅନୁଭବ କରିଚି । ବେଳେ ବେଳେ ବର୍ଣ୍ଣନାବାହୁଲ୍ୟରେ ଉପନ୍ୟାସର କେତେକ ପୃଷ୍ଠା ଭାରାକ୍ରାନ୍ତ ହୋଇଥିଲେ ସୁଦ୍ଧା ଲେଖକଙ୍କର ନିରାଡ଼ମ୍ୱର ପ୍ରକାଶ ଭଙ୍ଗୀ ଯୋଗୁଁ ଉପନ୍ୟାସଟି ସୁଖପାଠ୍ୟ ହୋଇଚି ।

 

ଓଡ଼ିଶାରେ କ୍ରମବର୍ଦ୍ଧମାନ ଉପନ୍ୟାସ ପାଠକମାନଙ୍କ ପାଇଁ ପ୍ରଚୁର ପଠନୋପଯୋଗୀ ଉପନ୍ୟାସ ପ୍ରକାଶ ପାଇ ନାହିଁ ବୋଲି ଯେଉଁମାନେ ଅଭିଯୋଗ କରନ୍ତି, ‘ଲକ୍ଷ୍ୟହରା’ ସେମାନଙ୍କୁ ଅନେକ ପରିମାଣରେ ଆଶ୍ୱସ୍ତ କରିବ । ଶ୍ରୀ ମିଶ୍ର ସାହିତ୍ୟ କ୍ଷେତ୍ରରେ ନୂତନ ଆଗନ୍ତୁକ, ତେଣୁ ତ୍ରୁଟି ସ୍ୱାଭାବିକ । କିନ୍ତୁ ସେଇ ତ୍ରୁଟି, ବିଚ୍ୟୁତିର ଅନ୍ତରାଳରେ ରହିଚି ପ୍ରତିଭାର ଉଜ୍ଜ୍ୱଳ ସ୍ୱାକ୍ଷର । ସାଧନା ଅବ୍ୟାହତ ରଖିଲେ ଶ୍ରୀ ମିଶ୍ର ଯେ ଆମ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିପାରିବେ, ଏଥିରେ ମୁଁ ନିଃସନ୍ଦେହ ।

 

ତା ୧ । ୩ । ୬୩

ବିଭୂତି ପଟ୍ଟନାୟକ

କାଳିଗଳି, କଟକ–୨

 

Image

 

 

 

 

ମୋର ଯେଉଁ ସହକର୍ମୀ ଓ ବନ୍ଧୁମାନେ ଉପନ୍ୟାସଟିର ପ୍ରକାଶନରେ ସାହାଯ୍ୟ, ସହାନୁଭୂତି ଓ ଅଯାଚିତ ପ୍ରେରଣା ଦେଇଛନ୍ତି ସେମାନଙ୍କ ନିକଟରେ ମୁଁ ଚିରକୃତଜ୍ଞ ଏବଂ ଓଡ଼ିଶାର ବିଖ୍ୟାତ କଥାଶିଳ୍ପୀ ଶ୍ରୀ ବିଭୂତି ପଟ୍ଟନାୟକ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ଅଭିମତ ଲେଖି ଦେଇ ଥିବାରୁ ତାଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

 

ଲେଖକ

Image

 

 

 

 

 

 

 

 

 

 

 

 

ମୋର

ବୁଢ଼ୀମା’ଙ୍କୁ–

ବ୍ରଜ

 

ତାରକାଖଚିତ ନିର୍ମଳ ନୀଳଆକାଶ ହାଟରେ ପୂର୍ଣ୍ଣଚନ୍ଦ୍ର ଶୋଭାର ପସରା ଖୋଲି ବସିଛନ୍ତି । ପୃଥିବୀ ବକ୍ଷରେ ଶୀତଳ ଜ୍ୟୋତ୍ସ୍ନାର ଜୁଆର–ଭାଦ୍ରପୂର୍ଣ୍ଣମୀ । ରାତି ଆସି ଅଧ ହେଲାଣି-। ବଣବିଲ ବୁଦାତଳୁ ବିଲୁଆ ଡାକ ଛାଡ଼ୁଛି ହୁକେ–ହୋ । ମଫସଲ ଗାଁ–ସଞ୍ଜ ବଳିତା ଲାଗିବା ପରେ ପରେ ସଭିଙ୍କର ତାଟିକବାଟ ବନ୍ଦ ହେଇଯାଏ–କେବଳ ବିରଜାର ପାନଦୋକାନ ପାଖରେ ସାମାନ୍ୟ ଗହଳି ବ୍ୟତୀତ । ତେବେ ଏତେ ରାତିରେ କିଏ ବା କାହିଁକି ଜାଗ୍ରତ ରହିବ-! ସମସ୍ତେ ସୁପ୍ତ–ପାଞ୍ଚଶହ ଘର ବିଶିଷ୍ଟ ଏଇ ମଫସଲ ଗାଁଟି ନୀରବ ନିସ୍ତବ୍ଧ ହୋଇ ପଡ଼ିଛି-। ହୁଁ ହାଁଟିଏ ଗାଁମୁଣ୍ଡ ଆମ୍ୱଗଛରେ ବସି ତା’ର ବିକଟାଳ ସ୍ୱର ପବନ ଲହରୀରେ ଭସେଇ ଦେଇଛି । ଜ୍ୟେତ୍ସ୍ନାର ଜୁଆରରେ ପରିଷ୍କାର ରୂପେ ଦେଖାଯାଉଛି–ପ୍ରତି ଘରର ଛାତଗୁଡ଼ାକ ଗୋଟିଏ ଗୋଟିଏ ଭୂତପରି-

 

ସରଳା କିନ୍ତୁ ନିଜ କୋଠରିଟିରେ ଉଜାଗର ହୋଇ ବସି ରହିଛି । ହାତରେ କଲମ, ମୁହଁ ପାଖରେ ଡିବି ଆଲୁଅଟିଏ ଦିକି ଦିକି ହୋଇ ଜଳି ଘରଟିରୁ ଅନ୍ଧକାରକୁ ଦୂରେଇ ଦେଉଛି । ନିଷ୍ପ୍ରଭ ଆଲୋକ ଭିତରେ ହାତର କଲମ ଚାଲିଛି ଗୋଟିଏ ଧଳା କାଗଜ ଉପରେ । ମୁଣ୍ଡ ପୋତି ସରଳା ଲେଖୁଛି ଚିଠି । କ’ଣ ଯେ ଲେଖୁଛି, କାହା ପାଖକୁ ଲେଖୁଛି କେବଳ ତାକୁଇ ଜଣା । ମନର ଶତ ପୁଞ୍ଜିଭୂତ ବେଦନା ଅଶ୍ରୁ ଆକାରରେ ଛୁଟିଚାଲିଛି ଆଖି ଦୁଇଟିରୁ । ଦୁଃଖର ଢେଉ ବାଧା ମାନୁନି । କେତୋଟି ଦିନର ସ୍ନେହ ମମତା ସବୁ ତୁଟେଇ ଦେବାକୁ ଯାଉଛି । ସବୁ ତୁଟିଯାଉ, ସବୁ ଜଳିପୋଡ଼ି ପାଉଁଶ ହେଇଯାଉ । ଆଉ କାହିଁକି ଏତେ ମମତା ? କାହା ପାଇଁ ? ଚିଠି ଉପରୁ ମୁହଁ ଉଠେଇ ଚାହିଁଲା ସରଳା । ପାଖରେ ମସିଣାଟା ଉପରେ ଶୋଇଚି ଅନିମା । ଗୋରା ତକ୍‍ତକ୍ ଆଠ ବରଷର ଝିଅଟି । ଠିକ୍‍ ତାରି ପରି, କେହିହେଲେ ବାରିପାରିବେନି ଇଏ ଦୁଇ ଭଉଣୀ ଗୋଟିଏ ପେଟର ନୁହଁ ବୋଲି । ସେଇଥିପାଇଁ ବୋଧହୁଏ ତା’ର ମମତା ଏଇ ଛୋଟିଆ ଝିଅଟି ପ୍ରତି ଏତେ ବେଶି । କେତୋଟି ଦିନ ପାଇଁ ମୋହ ଲଗାଇ ଦେଇଥିଲା ଅନିମା–ଦାଦାଙ୍କର ଏକମାତ୍ର କନ୍ୟା–ସେଇ ପୁଅ, ସେଇ ଝିଅ । ଖୁଡ଼ୀଙ୍କର ଏତେ କର୍କଶ କଟୁ କଥା, ମାଡ଼ରେ ବି ସରଳା ଦୁଃଖ ପାଏନା, ଯେତେବେଳେ ଏଇ ଝିଅଟି ଆସି ତା ଆଗରେ ଦୁଃଖରେ ଲୁହ ଟଳମଳ ଆଖିରେ ଠିଆହୋଇ କହେ, ‘‘ଅପା, ତୁ କାନ୍ଦୁଛୁ ? ତତେ ମୋ ରାଣ ଅପା ! କାନ୍ଦେନା । ବୋଉ ତତେ ମାରୁଛି, ମୁଁ ଆଜି ନିଶ୍ଚେ ବାବାଙ୍କୁ କହିଦେବି–ତତେ ମୋ ରାଣ ଅପା ! କାନ୍ଦେନା ।’’ ଏଇ ଛୋଟିଆ ହୃଦୟଟିରୁ କେତେ ଆଶ୍ୱାସନା, କେତେ ସାନ୍ତ୍ୱନା ପାଏ ସରଳା । ଖୁଡ଼ୀଙ୍କର ସବୁ ଅତ୍ୟାଚାର କ୍ଷଣକରେ ଭୁଲିଯାଏ, ଭୁଲିହୋଇଯାଏ । ଅନିମାକୁ କୋଳକୁ ଟାଣିନେଇ ଲୁହ ପୋଛିଦିଏ ସିନା, କିନ୍ତୁ ମନର କପୋତୀ ମନେ ମନେ ତା’ର ବାହୁନି ଉଠେ ନୀରବରେ; ଅକାତରେ ଅଶ୍ରୁ ମୋଚନ କରେ । ସେଇ ଅନିମାକୁ ଆଜି ଛାଡ଼ିଯିବ ସରଳା–ସବୁଦିନ ପାଇଁ ହୁଏ ତ ଛାଡ଼ି ଦେଇପାରେ–କିଏ କହିପାରିବ ?

 

ଚିଠିଟି ଲେଖି ଛୋଟ ମଇଳା କଳା ତକିଆଟି ତଳେ ରଖିଦେଲା । ନିଜର ବ୍ୟାଗଟିରେ ଦୁଇଖଣ୍ଡ ଶାଢ଼ି ଭର୍ତ୍ତି କଲା । ସେତିକି ତା’ର ସମ୍ପତ୍ତି । ହାତରେ ପାଞ୍ଚୋଟି ଟଙ୍କା । କେବଠାରୁ ଏ ପାଞ୍ଚୋଟି ଟଙ୍କା ଲୁଚେଇ ରଖିଛି । ଏତେ ଦିନ ପରେ ସେ ଟଙ୍କାତକ କାମରେ ଆସିଲା । ନିଶ୍ୱାସ ମାରିଲା ସରଳା । ସେଇ ରାତିପିନ୍ଧା ଲୁଗାଖଣ୍ଡିକ ପିନ୍ଧି ବାରଣ୍ଡାକୁ ଆସିଲା । ଆକାଶକୁ ଚାହିଁଲା, ଅଗଣିତ ତାରକା ଆଖି ମିଟିମିଟି କରି ଅନେଇରହିଛନ୍ତି ତାକୁ । ସେମାନଙ୍କର ଇଙ୍ଗିତ ବୁଝିପାରୁନି ସରଳା । ରୋଷେଇଘର ଚାଳରେ ମାଡ଼ିଛି କଖାରୁ ଗଛଟିଏ । କଳା କିଟିକିଟି ପତ୍ରଗୁଡ଼ାକ ଉପରେ କାକରଗୁଡ଼ାକ ଚକ୍‍ଚକ୍‍ କରୁଛି ଜ୍ୟୋତ୍ସ୍ନାରେ । ଅଗଣା ମଝିରେ ଗଙ୍ଗଶିଉଳି ଗଛଟି ଫୁଲର ଭାର ସହି ନପାରି ନଇଁପଡ଼ିଛି ତଳକୁ । ଫୁଲର ସୁନ୍ଦର ମନଲୋଭା ଗନ୍ଧ ଖେଳିବୁଲୁଛି ଅଗଣାସାରା ପବନରେ । ପାଖଘରୁ ଖୁଡ଼ୀଙ୍କର ଘୁଙ୍ଗୁଡ଼ି ଶୁଭୁଛି । ଆସ୍ତେ ନିଜର ଶୋଇବା ଘରର ଦୁଆରଟି ବନ୍ଦକରି ଆଣିଲା ସରଳା । ପଛେଇ ପଛେଇ ଅଗଣା ତଳକୁ ଓହ୍ଲାଇଲା । ଏଇ ସମୟରେ ଗାଡ଼ିର ଘଡ଼ଘଡ଼ ଶବ୍ଦ ଶୁଭିଲା, ମାଡ୍ରାସ ମେଲ୍‍ ଆସିଲା, ରାତି ଗୋଟେ ବାଜିଲା–ଆଉ ମୋଟେ ତିନିଘଣ୍ଟା ପରେ ଜନତା ଆସି ପହଞ୍ଚିଯିବ । ତାକୁ ଯିବାକୁ ହେବ । ଏଇ ଘରୁ ସବୁଦିନ ପାଇଁ ଚାଲିଯିବ ସେ । କାହିଁକି ବା ରହିବ, କେଉଁ ସୁଖପାଇଁ ରହିବ ସେ ?

 

ଏଇ ଘରେ ସେ ଜନ୍ମ ହେଇଥିଲା–ଏଇ ଘରେ ତା’ର ବାଲ୍ୟାବସ୍ଥା, କୈଶୋର କଟେଇଛି । ସେତେବେଳେ କିନ୍ତୁ ଏ ଘରର ଅବସ୍ଥା ଆଜିପରି ନଥିଲା । ଅତି ପୁରୁଣା ନାମଜାଦା ଘର । ପଟ୍ଟନାୟକ ଘର ବୋଲି କାହାରି ଅଜଣା ନଥିଲା । ସମସ୍ତ ଗୌରବ ଗାରିମା ସମ୍ପଦ ଲୁଚି ହଜିଗଲେ ମଧ୍ୟ ଆଜି ବି ପଟ୍ଟନାୟକ ବଂଶର ଖ୍ୟାତି ଆଖପାଖ ଦଶକୋଶ ଭିତରେ ସମସ୍ତଙ୍କୁ ଜଣା । ଘରର ଚାରିପଟେ ଦୁଇ ତିନି ପୁରୁଷ ଉଚ୍ଚରେ ବିରାଟ ପଥର ପାଚେରି । ଘରର ସାମନାରେ ଲୁହାର ଫାଟକ । ମଜଭୁତ୍‍ ପଥର ଘର, ତଳେ କଳାମୁଗୁନି ପଥରର ଚଟାଣ । ଫାଟକ ପାଖରୁ ଛୋଟିଆ ଇଟା ତିଆରି ରାସ୍ତାଟିଏ ତାଙ୍କର ଦାଣ୍ଡ ବାରଣ୍ଡାର ପାହାଚ ପାଖକୁ ଲମ୍ୱି ଆସିଥିଲା । ତା’ର ଦୁଇ ପାଖରେ ଥିବା ବିଭିନ୍ନ ରଙ୍ଗର, ବିଭିନ୍ନ କିସମର ସୁନ୍ଦର ଫୁଲର ସୁବାସିତ ଗନ୍ଧରେ ଭରପୂର ହେଇଯାଉଥିଲା । ଆଗନ୍ତୁକ, ଅଭ୍ୟାଗତମାନେ ପ୍ରଶଂସା କରୁଥିଲେ ବଗିଚାଟିକୁ-। ଫୁଲ ଫଳ ବାବାଙ୍କର ଅତି ପ୍ରିୟ, ସେଥିପାଇଁ ଦାଦା ବଗିଚାଟିର ବିଶେଷ ଯତ୍ନ ନେଉଥିଲେ-। ସେତେବେଳେ ଦାସଦାସୀଙ୍କର ପାଟି ତୁଣ୍ଡରେ ଘର ଉଛୁଳି ପଡ଼ୁଥିଲା । ଭାଟ, ଭିକାରି ଶୂନ୍ୟ ହାତରେ ଦୁଆରୁ ଫେରିଯାଉ ନଥିଲେ । ଆଜି କିନ୍ତୁ ସବୁ ଯେମିତି ଓଲଟ ପାଲଟ ହେଇଯାଇଛି-। ସେ ଘର ଅଛି, ପଥର କାନ୍ଥ ଅଛି, କିନ୍ତୁ ତା’ର ଭୂଷଣ ଛାତ ନାହିଁ । ପଥର ପାଚେରି ଅଛି ସତ କିନ୍ତୁ ସେଥିରେ ନାହିଁ ଜୀବନ, ଭାଙ୍ଗିରୁଜି ଗଲାଣି । ପାଚେରି ଦେହରେ ଠାଏ ଠାଏ ବଣୁଆ ଘାସ, ବରଗଛ ଉଠିଲାଣି । ସେ ଫୁଲବଗିଚା ନାହିଁ, ଲୁହାର ଫାଟକ ନାହିଁ, ସବୁ ଯେମିତି ଏଇ କେତେଟା ବର୍ଷ ଭିତରେ ମୂକ ପାଲଟି ଯାଇଛନ୍ତି ! ବଗିଚାରେ ଫୁଲଗଛ ନାହିଁ କି ଗନ୍ଧ ନାହିଁ । ଏହାରି ସଙ୍ଗେ ସଙ୍ଗେ ଘରର ଲୋକମାନେ ବି ମରିହଜି ଗଲେଣି । କେତେଟା ବରଷ-! ମନେପଡ଼ୁଛି ସରଳାର, ପରିଷ୍କାରରୂପେ ସବୁ ମନେପଡ଼ିଯାଉଛି । ତା’ର ବୋଉ ମରିଯିବା ପରେ ପରେ ଏ ଘରର ଅବସ୍ଥା ଅତି ଶୋଚନୀୟ ହେଇପଡ଼ିଛି । ବୋଉ ମଲା ବର୍ଷ, ସାମାନ୍ୟ କଥା ନେଇ ଗଣ୍ଡଗୋଳ ହେଲା ଦାଦା ଆଉ ତାଙ୍କ ଗାଁ ପାଖର ସେଇ ଅରକ୍ଷିତ ଜେନା ସହିତ । ତାଙ୍କର ଏତେ ଜମିରୁ ଅଧେ ଜମି କେବଳ ସେଇ ଚାଷ କରୁଥିଲା । ତା’ର ବାପା ମଧୁ ଜେନା ବଡ଼ ଅମାୟିକ ଲୋକ, ଯେମିତି ବିଶ୍ୱସ୍ତ ସେମିତି ସଚ୍ଚୋଟ । କିନ୍ତୁ ତା’ର ପୁଅ ଅରକ୍ଷିତ ଧାନ ଦେବାରେ ଗଣ୍ଡଗୋଳ ଆରମ୍ଭ କରିଦେଲା-। ସରକାରଙ୍କର ଆଇନ ହେଇଛି ମାଲିକର ଛପଣ ଆଉ ଚାଷୀର ଦଶପଣ । ସେଇ କଥା ନେଇ ଗଣ୍ଡଗୋଳ, ମାଡ଼, ଫୌଜଦାରୀ । ମକଦ୍ଦମା ହେଲା । ସୁଅ ମୁହଁରେ ପାଣି ଗଲା ପରି ଘରୁ ଟଙ୍କା ସରିବାକୁ ଲାଗିଲା । ଜମି ବିକା ହେଲା, ଆମ୍ୱତୋଟା, ନଡ଼ିଆତୋଟା ସବୁ ବିକ୍ରି ହେଲା । ଘରୁ ସୁନା ରୁପା ସବୁ ଗଲା–ଚାକର, ଚାକରାଣୀ ସମସ୍ତେ ଯେଝା ପଥ ଅନୁସରି ଘରୁ ବାହାରିଗଲେ-। କେବଳ ମୂକ ସାକ୍ଷୀରୂପେ ପଡ଼ିରହିଲା ପଥର ପାଚେରି ଘେରା ପଥର ଘର ଗୋଟିକ । ଯତ୍ନ ଅଭାବରୁ କ୍ରମେ କ୍ରମେ ଆଠ ଦଶବରଷ ପରେ ଘରର ପକ୍‍କା କାନ୍ଥ ଫାଟିଲା–ଶେଷରେ ଭିତର ଖଞ୍ଜାଟାରୁ ବାବା ପକ୍‍କା ଛାତ ଉଠାଇ ଛଣ ଛାତ କରିଦେଇଥିଲେ-। ସେଇ ସବୁଠାରୁ ଭଲ-। କାଳେ ଯଦି କେତେବେଳେ ଛାତ ଭୁଷୁଡ଼ି ପଡ଼େ, ତେବେ କାହାର ଯେ କି ଅନିଷ୍ଟ ହେବ କିଏ କହିପାରିବ ? ଆଉ ସବୁ ଘରଗୁଡ଼ାକ ଖୋଲା । ଦିନରାତି ସୂର୍ଯ୍ୟ, ଚନ୍ଦ୍ର, ତାରାମାନେ ପହରା ଦେବାକୁ ଲାଗିଲେ ।

 

ମା ମରିଯାଇଥିଲେ । ବାବା ତାକୁ ଆଉ ତା’ର ସାନ ଭାଇଟିକୁ ନେଇ କଟକ ଚାଲିଆସିଲେ । ଚାକିରି କରୁଥିଲେ ସେ; ବେଶ୍‍ ମୋଟା ଟଙ୍କା ଘରକୁ ଆସୁଥିଲା, ବଡ଼ ଚାକିରି । ସେଇ କେତୋଟି ବର୍ଷ ସରଳା ପାଠପଢ଼ି ମାଟ୍ରିକ ପାସ୍‍କରି କଲେଜରେ ନାଁ ଲେଖେଇଥିଲା । ଭଲ ପଢ଼ୁଥିଲା ବୋଲି ବାବା ତାକୁ ଖୁବ୍‍ ସ୍ନେହ କରୁଥିଲେ । ତାଙ୍କର ଇଚ୍ଛା–ଝିଅ ତ ପାଠ ପଢ଼ୁଚି ପଢ଼ୁ । ଯେତେବେଳେ ସେ ନିଶା ଛାଡ଼ିବ, ସେତେବେଳେ ତାରି ଇଚ୍ଛା ଅନୁସାରେ ବିବାହ ଦେବେ । କିନ୍ତୁ ବାବାଙ୍କର ଇଚ୍ଛା ପୂରଣ ହେଇପାରିଲାନି, ଆଉ ତା’ର ବି । ଯେକୌଣସିମତେ ବାବାଙ୍କର ଡିପୋଜିଟ୍‍ ଟଙ୍କା ଖର୍ଚ୍ଚ କରି ସେ ଆଇ. ଏସ୍‍ସି. ଟା ପାସ୍‍କଲା ଫାଷ୍ଟ ଡିଭିଜନ୍‍ରେ, କିନ୍ତୁ ଆଉ ପଢ଼ି ପାରିଲାନି । ଇଚ୍ଛା ଥିଲେ ବି ଧନ କାହିଁ, ସାହସ କାହିଁ ? ଭାଇଟି ତ ପୁଣି ପଢ଼ିବ ? ଏବେ ସରଳା ଚାକିରି କରିବାକୁ ଯିବ । ବାବା ଥିଲେ ତାହା କ’ଣ ତା ପକ୍ଷରେ ସମ୍ଭବ ହୁଅନ୍ତା ? ଆଖି ଛଳ ଛଳ ହେଲା ସରଳାର । ତା’ ଅପେକ୍ଷା ବରଂ ଭଲ ହେଇଥାନ୍ତା ବାବା ଯଦି ବାଧ୍ୟ କରି ତାକୁ ବିହାହ କରାଇଦେଇ ଥାଆନ୍ତେ ।

 

ଜୀବନରେ ତା’ର କିଛି ଗୋଟେ କୂଳକିନାରା ହେଇପାରିଲାନି । ବାବାଙ୍କ ମୃତ୍ୟୁପରେ ବର୍ଷଟିଏ କଟକରେ ରହି ଗାଁକୁ ଫେରିଲା । ସହରର ଚାକଚକ୍ୟ, ସହରର ଆବହାଓ୍ୱା ଭୁଲିଯିବାକୁ ଲାଗିଲା ଏଇ ଚିରପରିଚିତ ଆମ୍ୱ, ପଣସ, ଧାନକ୍ଷେତଘେରା ଛୋଟ ମଫସଲ ଗାଁଟିକୁ ଆସି । ଘରର ଶ୍ରୀହୀନତା ରୁକ୍ଷତା ତା’ର ହୃଦୟକୁ ଯେତେ କ୍ଷତବିକ୍ଷତ କଲେ ମଧ୍ୟ ଯେତେବେଳେ ସେ ବାଡ଼ିପାଖ ପାଚେରି ଉପରେ ଦୂର ନେଳିଆ ପାହାଡ଼କୁ ଚାହିଁରହୁଥିଲା, ତାରି କୋଳରେ ଛୋଟ ଛୋଟ ଧଳା ମେଘର ସଞ୍ଚାର ହେଉଥିଲା, ପାହାଡ଼ ଆରପାଖ ଆକାଶରେ ଯେତେବେଳେ ପ୍ରକୃତି ତୂଳି ଧରି ଆଙ୍କିଦେଉଥିଲା ପାହାଡ଼, ବନପର୍ବତ, ସମୁଦ୍ର–ନାଲି, କଳା, ଧଳା, ପାଉଁଶିଆ ପ୍ରଭୃତି ବିଭିନ୍ନ ରଙ୍ଗରେ ରଞ୍ଜିତ କରି ଆକାଶ ବକ୍ଷ, ସେତେବେଳେ ସରଳା ମୁଗ୍‍ଧ ହେଉଥିଲା, ଭୁଲିଯାଉଥିଲା ଖୁଡ଼ୀଙ୍କର କଟକ୍ତି ଅଉ ଅପମାନ । ଆଜି କିନ୍ତୁ ସବୁ ସରିଯିବ । ରାତି ପାହିଲା ବେଳକୁ ସେ ଏଇ ଗାଁଠାରୁ ଦୂରରେ ଥିବ । ମନେହେଉ–ଥିବ ଗୋଟିଏ ସ୍ୱପ୍ନଘେରା ରାତିପରି । କୁଆଁତାରା ଉଇଁଲାବେଳକୁ ତା’ର ନୂତନ ଜୀବନକୁ ନୂତନ ସମ୍ଭାଷଣ ଜଣେଇ ଉଇଁଆସିବ ସୂର୍ଯ୍ୟ । ପୁରୁଣା ହେଲେ ବି ସେଇ ସୂର୍ଯ୍ୟହିଁ ତାକୁ ଲାଗିବ ନୂଆପରି; ସତେ ଯେମିତି ନୂଆକରି ତା’ର ଏଇ କୋଡ଼ିଏ ବରଷ ବୟସରେ ଦେଖୁଚି ପ୍ରଥମେ ।

 

ରାତ୍ରୀଚରଟିଏ ଫଡ଼ଫଡ଼ ହେଇ ମୁଣ୍ଡ ଉପର ଦେଇ ଉଡ଼ିଗଲା । ଚମକି ପଡ଼ିଲା ସରଳା-। ସମସ୍ତ ଭାବନା ଗୋଳମାଳିଆ ହେଉଗଲା । ମୁଣ୍ଡଟା ଅସମ୍ଭବ ଭାବରେ ଭାରି ଲାଗୁଛି । କେତେ ସମୟ ଧରି ଏମିତି ସେ ଠିଆହୋଇଛି କେଜାଣି ? ଅନାୟାସରେ, ବୃଥାଟାରେ କାହିଁକି ସେ ପଛ କଥାଗୁଡ଼ାକ ତା’ର ମନକୁ ଆସୁଛି ? ଆକାଶକୁ ପୁଣିଥରେ ଚାହିଁଲା । ଗୋଲାକୃତି ଚନ୍ଦ୍ର ଆକାଶର ପଶ୍ଚିମ ପଟକୁ ଢଳି ଢଳି ପଡ଼ୁଛନ୍ତି । ଚଞ୍ଚଳ ହେଲା ସରଳା । ହାତର ବ୍ୟାଗ୍‍ଟାକୁ ଜୋରରେ ଧରିପକାଇଲା । କାନ ପାରିଲା । ଖୁଡ଼ୀଙ୍କର ଘୁଙ୍ଗୁଡ଼ି ଖୁବ୍‍ ଜୋରରେ ଶୁଭୁଛି । କାହିଁକି କେଜାଣି ଓଦା ଆଖିରେ ପୁଣି ଅଶ୍ରୁର ସଞ୍ଚାର ହେଲା । ନାଁ, ନାଁ, ଭୁଲିଯିବାକୁ ହେବ, ଭୁଲିଯିବାକୁ ହେବ ସବୁ ବନ୍ଧନ, ସବୁ ମୋହ । ଏଇ ଛୋଟିଆ ସଂସାରଟିରେ ତା’ର ସ୍ଥାନ ନାହିଁ । ପ୍ରକାଶ୍ୟରେ ନ ହେଲେ ବି ପ୍ରକାରାନ୍ତରେ ଖୁଡ଼ୀ ତାକୁ କହିଦେଇଛନ୍ତି । ଏ ଘର ତା’ର ନୁହେଁ, ଏ ଘରର ସେ କେହି ନୁହେଁ-। ସେମାନେ ତା’ର କେହି ନୁହନ୍ତି । ସେ ତାଙ୍କର କେହି ନୁହେଁ । ସମସ୍ତେ ତା’ର ପର । ଆଉ ଏହି ଘରେ ତା’ର ଯେଉଁମାନେ ଥିଲେ ସେମାନେ ଆଉ ନାହାନ୍ତି କିମ୍ୱା ଆଉ ଆସିବେନି-। ତେବେ କାହାପାଇଁ ମନର ଡାକ ? କାହାପାଇଁ ମନର ମାୟା ? ନା, ନା, ଅସମ୍ଭବ । ଗୋଟିଏ ଝୁଙ୍କରେ ସରଳା ଦାଣ୍ଡଘରେ ଆସି ଠିଆ ହେଲା, ଅଜାଣତରେ ହାତଟା ତା’ର ଦୁଆରର ଶିକୁଳି ଛୁଇଁଲା-। କିଛି ଶବ୍ଦ ହେଲାନି । ମେସିନ୍‍ପରି ଅଜ୍ଞାତରେ ସରଳା ଆଉଜେଇ ଆଣିଲା ଦାଣ୍ଡ ଦୁଆରଟାକୁ-। ଲଥ୍‍କିନି ବସିପଡ଼ିଲା ଦୁଆରବନ୍ଧ ପାଖରେ । ତା’ର ବସିବା ଶବ୍ଦ ଶୁଣି ବାରଣ୍ଡା ଉପରୁ କୁକୁରଟାଏ ତଳକୁ ଡେଇଁପଡ଼ିଲା ଭୋ ଭୋ ଡକାପାରି । ଚମକିପଡ଼ିଲା ସରଳା । ମନର ଭୟ ମନକୁ ହିଁ ଡରେଇଲା । ଚଞ୍ଚଳ ଆଖିର ଲୁହରେ ଭସେଇ ମୁଣ୍ଡିଆଟିଏ ମାରି ଖସିଲା ଦାଣ୍ଡକୁ । ଚନ୍ଦ୍ରକିରଣରେ ପରିଷ୍କାର ବାରି ହେଇଯାଉଛି ସବୁ–ସତେ ଯେମିତି ଦିନ । ସରଳା ଛାତିରେ ଅନୁଭବ କଲା ମୁଗୁରର ପାହାର । ଆଖି ବୁଜି ଚଞ୍ଚଳ ପାଦ ପକେଇଲା ଆଗକୁ । ପେଟ ଭିତରଟା କ’ଣ ହେଇଯାଉଛି । ଆଜି ତା’ର ବାପ, ମା ବଞ୍ଚି ରହିଥାନ୍ତେ, ସେ କାହିଁକି ଆଜି ଲୁଚି ଲୁଚି ପରଦୁଆରରେ ଚାକିରି କରିବାକୁ ଯାଆନ୍ତା ?

 

ଦୁଇ ଚାରିଟା ବୁଲା କୁକୁର ଏକସଙ୍ଗେ ଭୋ ଭୋ ହେଇ ରଡ଼ି ଛାଡ଼ିଲେ । ନୀରବ ନିଶୂନ ଗାଁ ଦାଣ୍ଡଟା କମ୍ପିଉଠିଲା । ସରଳା ମନରେ ଭୟକ୍ରାନ୍ତି କିଛି ଯେମିତି ନାହିଁ–ସବୁ ଦୂରେଇ ଯାଇଛି । ଗାଁ ମୁଣ୍ଡ ବୁଢ଼ୀଠାକୁରାଣୀଙ୍କର ମନ୍ଦିରଟି ଦୂରେଇ ଗଲା–ଆଗରେ ଧାନକ୍ଷେତ–ଦୁଇ ପାଖରେ ବଡ଼ ବଡ଼ ଆମ୍ବଗଛଗୁଡ଼ାକ ରାସ୍ତାରେ ଜଗୁଆଳ ପରି ଠିଆହୋଇ ରହିଛନ୍ତି । ଗାଁ କ୍ରମେ ପଛରେ ପଡ଼ି ରହିଲା । ସରଳା ପଣତ କାନିରେ ଆଖିର ଲୁହକୁ ପୋଛି ଆଣିଲା । ଆଗେଇଲା ଆଗକୁ–ମନ ଭିତରେ ଲୁଚିଛପି ରହିଲେ ଅତୀତ ଜୀବନର ସମସ୍ତ ଘଟଣାବଳୀ ।

 

ଗାଁରୁ ଷ୍ଟେସନଟା ଦୁଇ ମାଇଲ ରାସ୍ତା । ତାରି ମଧ୍ୟରେ ଦୁଇଟି ଆମ୍ବତୋଟା ଆଉ ବିଲମାଳ । ସେସବୁ ପାରିହେଲେ ଯାଇ ଷ୍ଟେସନ । ଆଗପଛ କୌଣସି ଆଡ଼କୁ ନଜର ନ ଦେଇ ଖିଆଲି ମନ ନେଇ ଚାଲିଛି ସରଳା । ଚାରିପଟର ଚନ୍ଦ୍ରଲୋକର ଜୁଆର ତାକୁ ବାଟ କଢ଼େଇ ନେଉଛି । ଆଖିରେ ଅଶ୍ରୁ, ଛାତିରେ ଚମକ, ପାଦ ଚଞ୍ଚଳ–ଅଶ୍ରୁପୂର୍ଣ୍ଣ ଆଖି ସାମନାରେ ଦେଖିପାରୁଛି ରାଜ ବାଟୀର ଅପରୂପ ଶୋଭା–ଆଉ ତାରି ଭିତରେ ସେ ବନ୍ଦିନୀ ।

 

ଦୂରରୁ ଷ୍ଟେସନ ଦେଖାଗଲା–ନିଶୂନ ରାତିରେ ଏକମାତ୍ର ଯାତ୍ରୀ । ଷ୍ଟେସନର ଇଲେକ୍‍ଟ୍ରିକ୍‍ ବଲ୍‍ବ ଗୁଡ଼ାକ ଦୀପପରି ମିଞ୍ଜି ମିଞ୍ଜି ଦେଖାଯାଉଛନ୍ତି ଦୂରରୁ । ଗାଡ଼ି ଆସିନି–ଟାଇମ୍‍ ହେଇନି ବୋଧହୁଏ । ଷ୍ଟେସନ ଯେତିକି ପାଖେଇ ଆସୁଛି, ମନଟା କାହିଁକି ତା’ର ସେତିକି ଦବି ଦବି ଯାଉଛି । ପୁଣି ଘରକୁ ଫେରିଯିବ ? – ପ୍ରଶ୍ନ ଉଠୁଛି ମନରେ । ଆଖି ଆଗରେ ନାଚି ଯାଉଚି ଖୁଡ଼ୀଙ୍କର ରୋଷକଷାୟିତ ନୟନ; ଶୁଣିପାରୁଛି ଅପମାନ, କଟୁକ୍ତି । ଥରେ ଯେତେବେଳେ ଘରୁ ପାଦ କାଢ଼ିଲାଣି, ଆଉ କେଉଁ ସାହସରେ ସେ ପୁଣି ଫେରିଯିବ ଘରକୁ ? କେଉଁ ସୁଖ ଆଶାରେ ? ନା, ତା ହେବନି–ଯିବାକୁ ହିଁ ହେବ । ସରଳାକୁ ନିଜର ରାସ୍ତା ବାଛିନେବାକୁ ହେବ ।

 

ଷ୍ଟେସନକୁ ଗାଡ଼ି ଆସିବାର ପ୍ରଥମ ଘଣ୍ଟା ବାଜିଲା । ସମସ୍ତ ଅବସାଦ ଭୁଲି ସରଳା ପାଦକୁ ଟିକିଏ ଚଞ୍ଚଳ କଲା । ଦୁଇମାଇଲ ରାସ୍ତା ଚାଲି ଚାଲି ରାତିରେ ଏକା ଆସିଛି–ତେବେ ବି ମନରେ ଭୟର ଉଦ୍ରେକ ହେଇନି; ପଥରେ ସାପ କି ଭାଲୁ କେହି ହାବୁଡ଼ି ଯାଇନାହାନ୍ତି । ପିଲାଦିନୁ ଅନେକ ଥର ଶୁଣିଛି, ଏଇ ରାସ୍ତାରେ ଅନେକେ ଭାଲୁଦ୍ୱାରା ଆକ୍ରାନ୍ତ ହେଇଛନ୍ତି, ସର୍ପ ଦଂଶନରେ ମୃତ୍ୟୁମୁଖରେ ପଡ଼ିଛନ୍ତି; କିନ୍ତୁ ତା’ର ରାସ୍ତା ସାମନାକୁ କେହି ଆସିନାହାନ୍ତି । ସବୁ ଯେମିତି ଭଗବାନଙ୍କର ଦୟା ! ଭଗବାନଙ୍କର ଅନୁକମ୍ପା !

 

ଛୋଟିଆ ଷ୍ଟେସନଟିଏ–ଯାତ୍ରୀ ମୋଟେ ଦଶବାରଜଣ ଥିଲେ । ସରଳାକୁ ଦେଖି ସେମାନଙ୍କ ଆଖିରେ ଆଖିଏ ପ୍ରଶ୍ନ । କାହାରି ପ୍ରଶ୍ନର ସମାଧାନ ହେଇ ପାରିନି । ସରଳା ଟିକେଟ୍‍ଆଣିଲା । କେତୋଟି ମିନିଟ୍‍ଭିତରେ ଝଡ଼ ବେଗରେ ଷ୍ଟେସନରେ ଆସି ଠିଆହେଲା ଜନତା ଏକ୍‍ସପ୍ରେସ୍‍ । କେତେ ଲୋକ ଓହ୍ଲାଇଲେ, କେତେକ ଗାଡ଼ି ଭିତରେ ପଶିଲେ । ଅଳ୍ପ ସମୟ ପାଇଁ ସେଇ ନୀରବ ଷ୍ଟେସନଟି ଲୋକାରଣ୍ୟ ହେଲା–ହୋ–ହୋ ଘୋ–ଘୋରେ କମ୍ପିଉଠିଲା ସ୍ଥାନଟି । ସରଳା ସମସ୍ତଙ୍କ ଆଖରୁ ଅଦୃଶ୍ୟ ହୋଇଗଲା ସେଇ ଜନଗହଳି ଭିତରେ–ଲେଡ଼ିଜ୍‍ କମ୍ପାର୍ଟମେଣ୍ଟର ଦୁଆର ଖୋଲି ଭିତରକୁ ପଶିଲା–ମୋଟେ ଚାରିଜଣ ଭଦ୍ରମହିଳା ଉଜାଗରରେ ବସିରହିଛନ୍ତି । ପଛେ ପଛେ ଦରଜାଟିକୁ ଆଉଜେଇ ଆଣିଲା । ସିଟ୍‍ର ଗୋଟିଏ କୋଣକୁ ବସିପଡ଼ି ନିଶ୍ୱାସ ମାରିଲା ସରଳା–ଦେହ ମନକୁ ହାଲୁକା କରି, ଛାତି ଥରାଇ ବାହାରି ଆସିଲା ଗରମ ପବନ । ପୁଣି ଆଖିରେ ଅଶ୍ରୁର ପ୍ଳାବନ ।

 

ଗାଡ଼ି ଛାଡ଼ିବାର ଘଣ୍ଟା ବାଜିଲା–ଗାର୍ଡ଼ ହୁଇସିଲ୍‍ ଦେଲା–ଆସ୍ତେ ଆସ୍ତେ ଗାଡ଼ିର ଚକାଗୁଡ଼ାକ ଘୂରିବାକୁ ଲାଗିଲେ । ଗାଡ଼ି ଷ୍ଟେସନ ଛାଡ଼ିଲା–ଗତି କ୍ରମେ ବଢ଼ିଲା । ସରଳା କାଚଝରକାରେ ମୁହଁ ଗଳେଇ ବାହାରକୁ ଚାହିଁ ରହିଲା–ଅତି ପରିଚିତ, ଅତି ଆପଣାର ଗାଁ, ଭୂଇଁ, ବିଲ, ବଣ, ଆମ୍ବତୋଟା ପଛକୁ ପଛକୁ ଚାଲିଯାଉଛି–ଦୌଡ଼ି ଚାଲିଛି ଗାଡ଼ିଟା ଆଗକୁ । ଅତିପ୍ରିୟ ଜନ୍ମମାଟି, ଗାଁର ଆମ୍ବତୋଟା ଉହାଡ଼ରେ ଲୁଚିଗଲାଣି । ସୁଲୁ ଲୁସୁ ପାହାନ୍ତି ପବନଟା ଦେହରେ ଲାଗି କ୍ରମେ ଘୋଟି ଆସୁଛି ତନ୍ଦ୍ରା । ପଣତ କାନିଟାରେ ମୁହଁ ପୋଛିନେଲା ସରଳା । ଆଖି ଦୁଇଟି ସଜଳ । ପକ୍ଷୀମାନଙ୍କର ପାହାନ୍ତିକାକଳି ଶୁଣାଗଲା । ଏ ତ ନିତିଦିନିଆ କଥା । କିନ୍ତୁ ଆଜିର ଏ କାକଳି, ଆଜିର ଏ ଉଦିତ ସୂର୍ଯ୍ୟ ତା’ ପକ୍ଷରେ କ’ଣ ନୂଆ ନୁହେଁ ? ତା’ର ନୂତନ ଜୀବନର ଆରମ୍ଭରେ ଏସବୁ କ’ଣ ନୂତନପରି ଲାଗୁନି ସରଳାକୁ ? କେଜାଣି ? ଏହି ନୂତନ ଜୀବନର ଆରମ୍ଭରେ ଏହି ସୂର୍ଯ୍ୟ, ଏହି କାକଳି କେଉଁ ବାର୍ତ୍ତା ନେଇ ଆସୁଛନ୍ତି ସରଳାପାଇଁ ? ଶୁଭ ନା ଅଶୁଭ-? ଶିହରି ଉଠିଲା ସରଳା ।

 

ପୂର୍ବାକାଶରେ ରଜନୀ ଶେଷ ପ୍ରହର ଜାଣି ତୂଳିଧରି ଆଙ୍କିଦେଲା ନାଲିଆ ରଙ୍ଗର ବିଭିନ୍ନ କିସମର ପାହାଡ଼, ପର୍ବତ, ହ୍ରଦ, ନଦୀ ଆଉ ସମୁଦ୍ର । ତାରି ଭିତରୁ ଉଇଁ ଆସିଲେ ଦିନମଣି, ନିଜର ରକ୍ତରଞ୍ଜିତ କଳେବର ନେଇ–ଉଲସି ଉଠିଲା ସାଗରର ବକ୍ଷ, ବକ୍ଷର ଅଗ୍ରଭାଗ ଝଲସି ଉଠିଲା, ଆଉ ଆଖି ଝଲସେଇ ଦେଲା ଦୁନିଆର ଜୀବନ୍ତ ଓ ଜଡ଼ପ୍ରତିମାକୁ । ହସି ଉଠିଲା ଦୁନିଆ, ହସିଉଠିଲେ ପଶୁପକ୍ଷୀ, ସାଗର, ନରନାରୀ ସମସ୍ତେ । କାହାପାଇଁ ସୁଖନେଇ ଆସିଛି ଏଇ ବାଳସୂର୍ଯ୍ୟ, ଆଉ କାହାପାଇଁ ଦୁଃଖ କଷ୍ଟ, ଅପମାନ । ଦୁନିଆର ନୀତି ଏ । କିନ୍ତୁ ସରଳା ପାଇଁ କ’ଣ ନେଇ ଆସିଛି ? ଦୁଃଖଦୈନ୍ୟଭରା ଅନ୍ଧକାର କିମ୍ୱା ସୁଖଶାନ୍ତିର ସାଗର ? ହଠାତ୍ ସଜଳ ନେତ୍ରରୁ ଝରି ଝରି ଗାଲ ସିକ୍ତ କଲା ଅଶ୍ରୁରେଖା । ସରଳା ପଣତରେ ମୁହଁ ପୋଛିଲା ।

 

ଆଖିର ପଲକ ମାତ୍ରେ ହିଁ ଏହାରି ଭିତରେ ତିନୋଟି ମାସ କେମିତି ଯେ ବିତିଯାଇଛି ସରଳା ଜାଣିପାରିନି । ତା’ର ଜୀବନରେ ବି ଜାଣିବା ଦରକାର ପଡ଼ିନାହିଁ । ଏହି ପଥର ପାଚେରିଘେରା ବିରାଟ ରାଜବାଟୀ ଭିତରେ ବନ୍ଦିନୀ ହେଉ ରହିବା ହିଁ ସବୁଠାରୁ ଭଲ, ସବୁଠାରୁ ମଂଗଳଦାୟକ ବୁଝିଛି । ଆସିବାଦିନଠାରୁ ଆଜିପର୍ଯ୍ୟନ୍ତ ବେଶ୍‍ ସୁରୁଖୁରୁରେ ନିଦଗୁଡ଼ିକ ବିତିଯାଇଛି-। ପ୍ରଥମଦିନ ଯେଉଁଦିନ ସେ ନିରାଭରଣ ନିରାଡ଼ମ୍ୱର ବେଶପୋଷାକରେ ଆସି ରାଜବାଟୀର ସିଂହଦ୍ୱାରରେ ପହଞ୍ଚିଥିଲା, ସେତେବେଳେ କ’ଣ ତା’ର ବିଶ୍ୱାସ ଥିଲା ଯେ, ଏଇ ରାଜବାଟୀର ଏମିତି ଗୁରୁଦାୟିତ୍ୱ ବହନ କରି ସାରାଜୀବନ କଟେଇଦେବ ବୋଲି ? ରାଣୀମା’ ଅନଙ୍ଗମଞ୍ଜରୀ, ବିକ୍ରମପୁରର ରାଣୀ, ପ୍ରଥମେ ତା’ର ମଳିନ ବେଶ ଦେଖି ଘଡ଼ିଏ କାଳ ପାଦଠାରୁ ମୁଣ୍ଡପର୍ଯ୍ୟନ୍ତ ତନ୍ନ ତନ୍ନ କରି ଆଖି ବୁଲାଇ ନେଇଥିଲେ । ତା’ପରେ ସାମାନ୍ୟ କେଇଟି ପ୍ରଶ୍ନ ଆଉ ଉତ୍ତର-। ଶେଷରେ ରାଣୀମା’ନଙ୍କଦ୍ୱାରା ସବୁଦିନ ପାଇଁ ଚାକିରି ପାଇଲା ଏଠି ।

 

ଠିକ୍‍ ଘଡ଼ିର କଣ୍ଟାପରି ତା’ର କାମ ବି ସେଇ ଅନୁସାରେ ବାଣ୍ଟି ଦିଆଯାଇଛି । ସକାଳ ଆଠଟାରୁ ରାଜବାଟୀର ଦୈନନ୍ଦିନ ଖର୍ଚ୍ଚର ହିସାବପତ୍ର ଦେଖିବ, ତା’ପରେ ରାଣୀମା’ନଙ୍କଦ୍ୱାରା ଲିଖିତ କିଛି ଚିଠି କିମ୍ୱା ଦରକାରୀ ସରକାରଙ୍କ ନୋଟିସ୍‍ର ନକଲ କେତୋଟି ଟାଇପ୍‍ କରିବାକୁ ହୁଏ । ଘଣ୍ଟାରେ ଦଶଟା ବାଜିଲେ ତାକୁ ଆସିବାକୁ ହୁଏ ଲାଇବ୍ରେରିଘରକୁ । ରାଣୀମା’ଙ୍କୁ ଇଂରାଜୀ, ଓଡ଼ିଆ ଖବର କାଗଜସବୁ ପଢ଼ି ଶୁଣାଏ । ତା’ପରେ ତାଙ୍କ ଆଗରେ ଟିପିରଖେ ଆସନ୍ତାକାଲି ପାଇଁ ଖର୍ଚ୍ଚର ତାଲିକା, ବାଢ଼ି ବସେ ଗତକାଲିର ଖର୍ଚ୍ଚର ହିସାବ । ପ୍ରାୟ ବାରଟା ବାଜିଯାଏ ସେଠାରେ । ରାଜବାଟୀର ଏତେଗୁଡ଼ାଏ ଚାକର, ଚାକରାଣୀଙ୍କର ଭଲ ମନ୍ଦ, ଖାଇବା ପିନ୍ଧିବା ଦେଖିବା ସବୁ ତାରି କାମ । ରୋଷେଇ ଘରକୁ ଯାଇ ରନ୍ଧାକାମ ଦେଖିବା ବି ତା’ର କାମ । ଏତେଗୁଡ଼ିଏ ପୋଇଲି ପରିବାରୀଙ୍କ ମଧ୍ୟରେ ସମୟେ ସମୟେ ଯେଉଁସବୁ ମନୋମାଳିନ୍ୟ, ରଗାରଗି, ଗାଳିମନ୍ଦ ହୁଏ, ସବୁ ବୁଝି ଜଜ୍‍ଓକିଲଙ୍କ ପରି, ମୁଦାଲାମାନଙ୍କ ପରି ସେମାନଙ୍କଠାରୁ ସମସ୍ତ କଥା ଓ ଗଣ୍ଡଗୋଳର କାରଣ ବୁଝି ରାୟ ଦେବାକୁ ହୁଏ ତାକୁ । କାହାରି ଅନିଷ୍ଟ କରେନି, କାହାରି ଅମଙ୍ଗଳ ତା’ର କାମନା ନୁହେଁ । ମୁଦାଲାମାନଙ୍କୁ ଏକାଠି କରେ, ସେମାନଙ୍କୁ ହସଖୁସିରେ ହାତ ଧରାଧରି ହେଇ ତା’ରି ଆଖି ଆଗରେ ଚାଲିଯିବାକୁ ଦିଏ । ଏଇ ତା’ର ଶେଷ ରାୟ ।

 

ଏଇ ତିନୋଟି ମାସ ଭିତରେ ସମସ୍ତେ ତା’ର ଆପଣାର ହୋଇ ସାରିଛନ୍ତି । ସମସ୍ତେ ତାକୁ ଭଲ ପାଆନ୍ତି ଏବଂ ସେ ବି ସମସ୍ତଙ୍କୁ ଭଲପାଏ । ରାଣୀମା’ଙ୍କ କାନକୁ ଯାଏନି ରାଜବାଟୀର ନିତ୍ୟନୈମିତ୍ତିକ ଏଇସବୁ ଘଟଣାବଳୀ ।

 

ପୁଷମାସର ଧୂଆଁଳିଆ ଖରା ବିଛାଡ଼ି ହେଇ ପଡ଼ିଛି ଝରକା ଆର ପାଖ ଲନ୍‍ ଉପରେ । ଆକାଶର ବକ୍ଷ ଉପର ଦେଇ ଭାସିଯାଉଚନ୍ତି ଖଣ୍ଡ ଖଣ୍ଡ ଧଳାମେଘ । ଶୀତଦିନ । ଥଣ୍ଡା ହେମାଳିଆ ପବନ ସୁଲୁସୁଲୁ ହେଇ ବହିଆସୁଛି କୋଠରି ଭିତରକୁ ଝରକାଦେଇ । ଝରକା ଆର ପାଖ ବିରାଟ ସବୁଜ ଲନ୍‍ଉପରେ ଟୋପି ଟୋପି କାକର ବିନ୍ଦୁ ଏ ପର୍ଯ୍ୟନ୍ତ ବି ଲାଖିରହିଛି ପ୍ରତି ଘାସର ଅଗ୍ରଭାଗରେ । ଦେହଟା ଶିରି ଶିରି ଲାଗୁଛି, ଦେହର ଲୋମକୃତ ଟାଙ୍କୁରି ଉଠୁଛି । ଆସୁଛି ତନ୍ଦ୍ରା ।

 

ବିକ୍ରମପୁରର ରାଜବାଟୀର ଅଫିସରୁମରେ ସରଳା ବସିଛି–ଆଗରେ ଟାଇପ୍‍ ମେସିନ୍‍ । ହାତର ଆଙ୍ଗୁଠିଗୁଡ଼ାକ ଟାଇପ୍‍ ମେସିନ୍‍ ଉପରେ ରହିରହିକା ଚାଲିଛନ୍ତି ଅବିରାମଗତିରେ । ଟାଇପର ଟପ୍‍ଟପ୍‍ ଶବ୍ଦ ଘରଭିତରେ ସୃଷ୍ଟି କରୁଛି ମୃଦୁ କମ୍ପନ । ଧଳା କାଗଜ ଉପରେ ଛାପିହୋଇଯାଉଛି କେତେ ଅଙ୍କାବଙ୍କା ଅକ୍ଷର । ତଳକୁ ତଳକୁ ଆସ୍ତେ ଆସ୍ତେ ଖସିଆସୁଛି କାଗଜଟା । ମନରେ ତନ୍ଦ୍ରା, ଦେହର ଭାରାରେ ଅବଶ ହେଇ ଆସୁଛି ଆଙ୍ଗୁଠିଗୁଡ଼ାକ । କୌଣସି ଆଡ଼େ ତା’ର ନଜର ନାହିଁ । ଘରଟିର ଚାରିପାଖେ ଉଚ୍ଚ ସିମେଣ୍ଟ କଂକ୍ରିଟ ଦିଆ ଧଳାକାନ୍ଥଗୁଡ଼ାକୁ ଲାଗି ରହିଛି ବଡ଼ ବଡ଼ କାଚ ଆଲମାରି । ତାରି ଭିତରେ ରହିଛି ରାଜଉଆସର କେଉଁ ଯୁଗର ହିସାବ ଖର୍ଚ୍ଚର ନଥିସବୁ । ସେସବୁ ଖବର ରଖିନି ସରଳା, ରଖିବାକୁ ବି ଚାହିଁନି । ଦରକାର ନାହିଁ, ସମୟ ବି ନାହିଁ ।

 

ଅଫିସ୍‍ ଘଣ୍ଟାରେ ଠନ୍‍ଠନ୍‍ ହେଇ ବାଜିଲା ଦଶଟା । ମେସିନ୍‍ ଉପରୁ ମୁହଁ ଉଠେଇ ଚାହିଁଲା ସରଳା । ମସ୍ତବଡ଼ ବେଲଜିୟମ୍‍ ଘଡ଼ି । ଘଣ୍ଟାର ପେଣ୍ଡୁଲମ୍‍ଟା ହଲି ଦୋହଲି ଟିକ୍‍ଟିକ୍‍ ଶବ୍ଦ କରୁଛି ଅନବରତ; ତା’ ସହିତ ତାଳରଖି ମିନିଟ୍‍କଣ୍ଟା ଏବଂ ଘଣ୍ଟାକଣ୍ଟା ଆଗେଇ ଯାଉଛନ୍ତି ଆଗକୁ । ସେମାନଙ୍କ ସହିତ ତାଳଦେଇ ସରଳାର କାମ ଆଗେଇ ଚାଲିଛି ଅସରନ୍ତି ହେଇ । ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ, ଆଉ ମାସ ପରେ ମାସ ହେଇ ତିନୋଟି ମାସ ବିତିଗଲାଣି ଏବଂ ଆହୁରି ବି ଏମିତି କେତେ ମାସ, କେତେ ବର୍ଷ ବିତିଯିବ କିଏ କହିପାରିବ ?

 

ଚମକି ପଡ଼ିଲା ସରଳା । ଦଶଟା ତାହାହେଲେ ବାଜିଗଲା । କାମଟା କିନ୍ତୁ ତା’ର ଏପର୍ଯ୍ୟନ୍ତ ସରିଲାନି । ରାଣୀମା’’ ତେଣେ ଅପେକ୍ଷା କରିଥିବେ ତାକୁ ଲାଇବ୍ରେରୀଘରେ । ତିନିମାସ ହେଲା କୌଣସି ଦିନ ହେଲେ ତା’ର କାମରେ ତ୍ରୁଟି ହେଇନି । ଆଜି କିନ୍ତୁ ମନଟା ଖରାପ ହେଇଗଲା । ଆଉରି କେତେ ମିନିଟ୍‍ ଲାଗିଯିବ । ରାଣୀମା’ କିଛି କହିବେନି ତ ? ରାଜପୁରୀ ଏ । ଶୁଣିଛି–ରାଜବାଟୀର କୁକୁର ବିଲେଇ ବି ନିୟମାନୁସାରେ ଚଳନ୍ତି । ଶୁଣିଛି ସିନା, ଭୁକ୍ତଭୋଗୀ ସେ ହେଇନି । ମୋଟେ ତିନିଟା ମାସ ହେଲା ଆସି ଏଇ ପରିସ୍ଥିତିରେ ନିଜକୁ ଚଳେଇନେବାକୁ ଚେଷ୍ଟା କରିଛି, ପାରିଛି ମଧ୍ୟ । ରାଜପୁରୀର ସମସ୍ତ ନିୟମକାନୁନ ସମୟାନୁବର୍ତ୍ତିତା ସବୁ ଯେମିତି ପାଳିବାକୁ ହେବ ତାକୁ । ପାଳିଆସିଛି ମଧ୍ୟ । କେହି ତାକୁ ଶିଖେଇନି, କେହି ତାକୁ ବତେଇନି । ନିଜେ ନିଜେ ଶିଖିଛି ସେ । ନିଜ ବୁଦ୍ଧିରୁ ଶିଖିଛି । ମନରେ ଭୟ, ହାତପାଖରେ କାମ, ଏଣେ ଘଣ୍ଟାକଣ୍ଟା ଯେ ତାକୁ ଭ୍ରୂକ୍ଷେପ ନ କରି ଆଗେଇ ଚାଲିଛି ଆଗକୁ । କ’ଣ କରିବ ସେ ? ଆଗେ ରାଣୀମା’’ଙ୍କ ପାଖକୁ ଯିବ ନା କାମଟା ଆଗେ ସାରିଦେବ ? କେଉଁଟି ତା’ର ପ୍ରଥମ କରଣୀୟ ? ଅବଶ ଦେହଟାକୁ ଭିଡ଼ିମୋଡ଼ି ନିଜ କାମରେ ମନ ଦେଲା ସରଳା । ଆଗେ ଏ କାମଟା ସରୁ ।

 

‘‘ସରଳା’’–କାହାର ମୃଦୁ–କୋମଳ ସ୍ୱର ଶୁଣି ଚମକି ପଛକୁ ଚାହିଁଲା । ଯାହା ଦେଖିଲା, ନିଜ ଆଖିକୁ ବି ବିଶ୍ୱାସ କରିପାରିଲାନି । ନିଜ କାମରେ ବ୍ୟସ୍ତ ଥିଲା ସରଳା । କେତେବେଳେ ଯେ ରାଣୀମା’ ଆସି ପାଖରେ ତା’ର ଠିଆହୋଇ ରହିଛନ୍ତି, ତାହା ସେ ଜାଣିପାରିଲାନି । ଏଣେ ଟାଇପର ଟପ୍‍ଟପ୍‍ ଶବ୍ଦ ମତୁଆଳ କରି ତୋଳିଛି ଘରଟିର ବାୟୁମଣ୍ଡଳକୁ । ଦୋଷୀଟିଏ ପରି ତରତରରେ ଚୌକି ଛାଡ଼ି ଠିଆହୋଇଗଲା । ମୁହଁଟା ତା’ର ଝାଉଁଳି ପଡ଼ିଲା, ଛାତି ଭିତରଟା ଥରିଉଠିଲା । କାହିଁ କେଉଁଦିନ ହେଲେ ତ ଆସିନାହାନ୍ତି ରାଣୀମା’ ଏ ଘରକୁ ! ଆଜି ତେବେ କାହିଁକି ଆସିଛନ୍ତି ? କାହିଁକି ? କ’ଣ ତ୍ରୁଟି ଦେଖିଲେ ତା’ର କାମରେ ?

 

ଆଉ ଆଖିଆଗରେ ଲବଣୀପିତୁଳାପରି, ସଖୀକଣ୍ଢେଇଟିଏ ପରି ମୁଣ୍ଡପୋତି ଠିଆହୋଇଛି ସରଳା । ରାଣୀମା’ ତା’ର ଭାବଭଙ୍ଗୀ ସବୁ ଲକ୍ଷ୍ୟକଲେ । ଏଇ ଦୁଇ ଚାରି ମିନିଟ ହେଲା ମୋଟେ ଠିଆହୋଇଛନ୍ତି ବିକ୍ରମପୁରର ରାଣୀ ଅନଙ୍ଗମଞ୍ଜରୀ । ସ୍ୱାମୀ ବିକ୍ରମକେଶରୀଙ୍କର ମୃତ୍ୟୁ ପରଠାରୁ ସେ ନିଜର ଛୋଟିଆ ରାଜ୍ୟଟିକୁ ପାଳିଆସିଛନ୍ତି ଆଜି ପର୍ଯ୍ୟନ୍ତ–ପ୍ରାୟ କୋଡ଼ିଏ ବର୍ଷ । ସ୍ୱାମୀଙ୍କର ମୃତ୍ୟୁବେଳକୁ ତାଙ୍କୁ ହୋଇଥିଲା ମୋଟେ ଅଠେଇଶ ବର୍ଷ । ରାଜାଙ୍କ ମୃତ୍ୟୁ ପରେ ପରେ ଦେବାନ୍‍ବାହାଦୂର ବି ଚାଲିଯାଇଛନ୍ତି ତାଙ୍କର ଦେଶକୁ; ଆଉ ତା’ ସହିତ ଯାଇଛି ନିଜର ଶାସନାଧୀନ ଛୋଟିଆ ରାଜ୍ୟଖଣ୍ଡକ–ଯାହାକି ପୂର୍ବପୁରୁଷରୁ, କେଉଁ ଯୁଗରୁ ତାଙ୍କର ଶାସନାଧୀନ ଥିଲା । ରାଜ୍ୟ ଚାଲିଗଲେ, ରାଜାମାନଙ୍କର ଆୟର ପନ୍ଥା କମିଗଲେ ମଧ୍ୟ ନିଜର ମାନସମ୍ମାନ ଓ ରାଜୋଚିତ ସମସ୍ତ ଆଡ଼୍‍ଡ଼ା ଆଡ଼ମ୍ବର ତ ପୁଣି ଅଛି ! ନଅରରେ ପୁଣି ଚାକର–ଚାକରାଣୀ, ପୂଜାରୀ, ଦରଓ୍ୱାନ ତ ଅଛନ୍ତି । ଏସବୁ ତ ଛାଡ଼ିହେବନି । ନିଜର ଚାକଚକ୍ୟ, ଆଡ଼ମ୍ବର ତ କମିବନି । ରାଣୀ ଅନଙ୍ଗମଞ୍ଜରୀ ଆଜି ପର୍ଯ୍ୟନ୍ତ ବୃଦ୍ଧ ନରହରି ପଟ୍ଟନାୟକଙ୍କର ସାହାଯ୍ୟରେ ସବୁ ସୁବିଧା ଅସୁବିଧା, ରାଜବାଟୀର ସମ୍ମାନ ପୂର୍ବପରି ତାଳଦେଇ ଚଳେଇ ଆସିଛନ୍ତି । ଏହି ନରହରି ପଟ୍ଟନାୟକ ତାଙ୍କ ସ୍ୱାମୀ ବିକ୍ରମକେଶରୀଙ୍କର ପିଲାଦିନର ବନ୍ଧୁ, ଶିକ୍ଷକ, ଗୁରୁଜନ ସବୁ କିଛି ଆଉ ଶ୍ୱଶୁର ପ୍ରତାପକେଶରୀଙ୍କର ଅନ୍ତରଙ୍ଗ ବନ୍ଧୁ । ଅନଙ୍ଗମଞ୍ଜରୀ ରାଣୀ ହୋଇ ବିକ୍ରମପୁର ଉଆସରେ ପାଦଦେବା ଦିନଠାରୁ ତାଙ୍କୁ ଦେଖିଆସୁଛନ୍ତି–ତାଙ୍କରି ସାହାଯ୍ୟରେ, ତାଙ୍କରି ପ୍ରରୋଚନାରେ ସେ ପୁତ୍ର ମଦନମୋହନ ଆଉ ସ୍ନେହାଙ୍ଗିନୀଙ୍କୁ ନେଇ ଦୀର୍ଘ କୋଡ଼ିଏ ବର୍ଷ ସୁରୁଖୁରୁରେ କଟେଇ ଆସିଛନ୍ତି–ଚଳେଇ ଆସିଛନ୍ତି ଏତେବଡ଼ ସଂସାର । ମଦନମୋହନ ବର୍ତ୍ତମାନ ବନାରସ ୟୁନିଭର୍ସିଟିରୁ ଏମ୍‍. ଏ. ପାଶ୍‍କରି ଲ’ ପଢ଼ୁଛନ୍ତି । ଏଇଟା ହେଲା ଦ୍ୱିତୀୟ ବର୍ଷ । ଏଇ ବର୍ଷ ଲ’ଶେଷ ହେବ । ଆଉ କନ୍ୟା ସ୍ନେହାଙ୍ଗିନୀ ବିବାହ କରି ବର୍ତ୍ତମାନ ଶ୍ୱଶୁରାଳୟରେ । ଦିନ ଗଡ଼ିଚାଲିଛି ଆଗକୁ–ଗୋଟିକ ପରେ ଗୋଟିଏ କାମ ସୁରୁଖରୁରେ ଶେଷ କରିବାରେ ଲାଗିଛନ୍ତି । ପ୍ରତି କ୍ଷେତ୍ରରେ ସେ ଅନୁଭବ କରିପାରୁଛନ୍ତି ସ୍ୱାମୀଙ୍କର ଅନୁପସ୍ଥିତି । ସମୟେ ସମୟେ ମନଟା ଅସ୍ଥିର ହୋଇଉଠେ । ସ୍ୱାମୀଙ୍କର ଅନୁପସ୍ଥିତି ଅନୁଭବ କରନ୍ତି, ନାରୀର ଶ୍ରେଷ୍ଠ ଭୂଷଣ ଆଖିରେ ଆସେ ଅଶ୍ରୁ–କିନ୍ତୁ ପରମୁହୂର୍ତ୍ତରେ ନିଜକୁ ନିଜର ଆୟତ୍ତକୁ ଆଣନ୍ତି । ସେ ଯେ ଗୋଟିଏ ଦେଶର ରାଣୀ, ଏତେ ବଡ଼ ରାଜବାଟୀର ଅଧିକାରିଣୀ, ତାଙ୍କ ଆଖିରେ ଲୁହ ଦେଖିଲେ ଚାକର–ଚାକରାଣୀମା’ନେ କ’ଣ ଭାବିବେ ? ତାହାହିଁ ତାଙ୍କ ମନକୁ ଆଶ୍ୱାସନା ଦିଏ । ଆଜି ବି ମନଟା କାହିଁକି ଭଲ ଲାଗିଲାନି–ଚାଲ ଚାଲ ହେଇ ଚାଲିଆସିଲେ ରାଜଉଆସର ଅଫିସ୍‍ଘରକୁ । ବହୁତ ଦିନ ହେଲା ସେ ଆସିନାହାନ୍ତି ଉଆସର ଏ ପାଖକୁ । ଆଜି ସବୁ ବୁଲି ବୁଲି ଦେଖୁଛନ୍ତି–ସବୁ ନୂଆ ନୂଆ ଲାଗୁଛି ତାଙ୍କୁ । ଅତି ସନ୍ତର୍ପଣରେ କଚେରିଘର ଭିତରକୁ ପଶିଆସିଲେ । ଦେଖିଲେ ସରଳା କାର୍ଯ୍ୟବ୍ୟସ୍ତ । ମନେ ମନେ ଖୁସି ହେଲେ । ଏଇ ତିନୋଟି ମାସ ଭିତରେ ସରଳା ଉଆସର ସମସ୍ତ ପରିଜନମାନଙ୍କର ପ୍ରିୟପାତ୍ରୀ ହୋଇପାରିଛି କେବଳ ତା’ର କର୍ମତତ୍ପରତା ଯୋଗୁଁ । ସେ ବି ତା’ ଉପରେ ସନ୍ତୁଷ୍ଟ । ଏଇ କୋଡ଼ିଏ ବର୍ଷ ଭିତରେ ଦେବାନଙ୍କ ପରେ ପରେ କେତେ ଜଣ ମ୍ୟାନେଜର୍‍ ଆସିନାହାନ୍ତି; କିନ୍ତୁ ଏଇ ଅଳ୍ପବୟସ୍କା ଝିଅଟି ହିଁ ସମସ୍ତଙ୍କୁ ପଛରେ ପକେଇ ଆଗରେ ଆସି ଠିଆହୋଇଛି ରାଣୀମା’’ଙ୍କ ହୃଦୟ ଆଉ ମନରେ । ସରଳାର ଆଚାର–ବ୍ୟବହାର ସବୁ ଭଲ । ଦେଖିବାକୁ ସତେ ଯେମିତି ରୂପରାଇଜର ପରୀଟିଏ । ଥରେ ଦେଖିଲେ ଆଉ ଥରେ ଦେଖିବାକୁ ମନ ହୁଏ । ମୁହଁଟି ସର୍ବଦା ସତେଜ ଆଉ ପ୍ରଫୁଲ୍ଲ । ସତେ ଯେମିତି ଜୀବନରେ ନାହିଁ ଦକା, ଶଙ୍କା, ଦୁଃଖ, ଶୋକ । ସେ ସବୁଠାରୁ ଦୂରରେ ସେ । କେଉଁ ଅଭିଜାତ କୁଳର କନ୍ୟା ପରି ମନେହେଉଛି । ତା’ର ଭାଗ୍ୟଦୋଷରୁ ସେ ଆଜି ତାଙ୍କରି ଆଶ୍ରିତା । ସରଳାର ଭାରୀ ଦେହକୁ ଘୋଡ଼େଇ ରଖିଛି ସାଦା ନାଲିଧଡ଼ିପକା ଧଳା ଶାଢ଼ିଟିଏ, ତା ସାଥିକୁ ନେଳିଆ ବ୍ଳାଉଜ । କାନରେ ଛୋଟ ଛୋଟ ଦୁଇଟି ସୁନାର ଫୁଲ । ହାତରେ ସାଦା ନାଲି କାଚ ଦୁଇପଟିଲେଖା । ମୁଣ୍ଡରୁ ପିଠିଉପରକୁ ଲମ୍ୱି ଆସିଛି କଳାଫଣୀପରି ଦୁଇଟି ବେଣି । ବେଣିର ଅଗ୍ର ଭାଗରେ ନାଲି ସିଲ୍‍କ ସୂତାର ପେନ୍ଥା । ନିରାଭରଣା, ଆଡ଼ମ୍ବରହୀନା ଏଇ ସରଳା ଝିଅଟି ପ୍ରତି ରାଣୀମା’’ଙ୍କର ମନ ନଇଁ ଆସିଲା । ତାଙ୍କରି କନ୍ୟା ସ୍ନେହାଙ୍ଗିନୀର ସମବୟସୀ; ତେବେ ବି ଅବବାହିତା, କାହିଁକି ? ମନଟା ତାଙ୍କର ଭାରାକ୍ରାନ୍ତ ହୋଇ ଉଠିଲା ସରଳା ପାଇଁ । ନାରୀ ହୃଦୟ ନାରୀ ହିଁ ଜାଣିପାରେ । ନାରୀ ପାଇଁ ନାରୀ ହସେ ଆଉ କାନ୍ଦେ ।

 

ରାଣୀମା’ ଚାରିମିନିଟ୍‍ ଖଣ୍ଡେ ଏକଆଖିରେ ଚାହିଁରହିଲେ ସରଳାର କର୍ମତତ୍ପର ଆଙ୍ଗୁଠିଗୁଡ଼ାକୁ ଆଉ ତା’ର ଭାବଭଙ୍ଗୀକୁ । ମୁଗ୍‍ଧ ହେଲେ ସେ । ଅତି ଆବେଗବଶତଃ କହିପକାଇଲେ–‘ସରଳା’; କିନ୍ତୁ ମନ ମାନୁ ନଥିଲା ଏଇ ଝିଅଟିକୁ ବ୍ୟସ୍ତ କରିବାପାଇଁ । ସଙ୍ଗେ ସଙ୍ଗେ ଘଣ୍ଟାରେ ଠନ୍‍କରି ଗୋଟିଏ ଶବ୍ଦ ହେଲା । ଉଭୟେ ସେଇ ଦିଗକୁ ଚାହିଁଲେ–ସାଢ଼େ ଦଶ ।

 

ସରଳା ସେମିତି ଭୀରୁ ଆଉ ଦୋଷୀପରି ଠିଆହୋଇ ରହିଛି । ପାଦର ବୁଢ଼ା ଆଙ୍ଗୁଠିର ନଖକୁ ତଳେ ବିଛାଯାଇଥିବା ନରମ ନାଲି ଗାଲିଚା ଉପରେ ଚାଲିବାକୁ ଲାଗିଲା । ମନରେ ଭୟ, ଛାତି ଥରୁଛି, କାଳେ କ’ଣ ରାଣୀମା’ କହିଦେବେ କି ! ଏତେ ଦିନ ପରେ ଆଶ୍ରା ପାଇଛି ସେ ଏଠି । ଏହା ପରେ ଆଉ କୁଆଡ଼େ ଯିବ ସେ ? ଗାଁ ଦାଣ୍ଡ ସବୁଦିନ ପାଇଁ ତା ପାଇଁ ବନ୍ଦ । ଆଖିରେ ଦେଖାଗଲା ଅଶ୍ରୁର ଝଲକ ।

 

ରାଣୀମା’ ଅଳ୍ପ ହସିଲେ । ଓଷ୍ଠାଧାରରେ ଲାଗିରହିଲା ସେଇ ହସର ଗାର ଅନେକ କ୍ଷଣ ପର୍ଯ୍ୟନ୍ତ । ତା’ ପରେ ଆସ୍ତେ କହିଲେ, ‘‘ବ୍ୟସ୍ତ ହୁଅନି ମା, କାମ ସାରି ଆସ । ମୁଁ ଅପେକ୍ଷା କରିଛି ଲାଇବ୍ରେରି ରୁମରେ ।’’ ତା’ପରେ ଘଣ୍ଟାକୁ ଚାହିଁ କହିଲେ, ‘‘ଆଜି ଅବଶ୍ୟ ସାମାନ୍ୟ ଡେରି ହୋଇଗଲା । ହଉ କାମ ସାରି ଆସ ।’’ ରାଣୀମା’ ଯେମିତି ଅଜଣା ଅଶୁଣା ଭାବେ ଆସିଥିଲେ ସେମିତି ନୀରବରେ ଆସ୍ତେ ଆସ୍ତେ ସେ ଘର ପାର ହୋଇ ବାରଣ୍ଡାକୁ ଆସିଲେ । ନୀରବ ନିସ୍ପନ୍ଦ ରହି ତାଙ୍କରି ଯିବାପଥକୁ ଚାହିଁ ରହିଲା ସରଳା । ତା’ପରେ ପୁଣି ଚୌକି ଉପରେ ବସି ନିଜ କାମରେ ମନ ଦେଲା ସେ । ନୀରବ କୋଠରିଟିକୁ ପୁଣି ସଚେତ କରି ତୋଳିଲା ଟାଇପ୍‍ର ଟପ୍‍ଟପ୍‍ ଶବ୍ଦ ।

 

ଲାଇବ୍ରେରି ଘଣ୍ଟାରେ ବାରଟା ବାଜିଲା । ସରଳା ପରଦା ଆଡ଼େଇ ଲାଇବ୍ରେରି ଘରୁ ବାହାରି ଆସି ବାରଣ୍ଡାରେ ପାଦଦେଲା । ମୁହଁଟା ତା’ର ଈଷତ୍‍ଲାଲ ଦେଖାଯାଉଛି । ଆଖି ଦୁଇଟିରେ ଭାବାନ୍ତର ସ୍ପଷ୍ଟରୂପେ ଫୁଟିଉଠିଛି । ଏଣେ ଭୋକରେ ପେଟ ଜଳିଲାଣି କେତେ ବେଳୁ । କ’ଣ ଦିଟା ଜଳଖିଆ ଖାଇ ଆସିଥିଲା ସକାଳ ଆଠଟା ସମୟରେ । ମନର ଭୋକ ଆଉ ଦେହର ଭୋକ ନେଇ ଆଗେଇ ଚାଲିଲା ସରଳା । ସବୁଦିନ ପରି ତଳକୁ ମୁଣ୍ଡପୋତି ଚାଲିଯାଉଛି । ରାସ୍ତା ମଝିରେ ଚାକର ଚାକରାଣୀମା’ନେ ଆଡ଼େଇ ହେଇ ଯାଉଛନ୍ତି ଜୁହାର ପକେଇ । ଦୁଇପାଖରେ କେତେ ଘର ପଛରେ ରହି ଯାଉଛି । ଧଳା ମାର୍ବଲ ପଥର ଚଟାଣ ଉପରେ ପାଦ ପକେଇ ଚାଲିଛି ସରଳା । ସୁଡ଼ଙ୍ଗ ପରି ରାସ୍ତାଟା ଠାଏ ଠାଏ ଅନ୍ଧକାର, ଠାଏ ଠାଏ ବାହାରୁ ଜାଫ୍ରି ଦେଇ ସୂର୍ଯ୍ୟଙ୍କର ସୁନେଲି ରଶ୍ମି ପଡ଼ିଛି ଧଳା ମାର୍ବଲ ପଥରର ଚଟାଣ ଉପରେ । କୌଣସି ଦିଗକୁ ସରଳାର ନଜର ନାହିଁ ।

 

ଆଜି ଖବରକାଗଜ ପଢ଼ିପାରିନି । ରାଣୀମା’ ତାକୁ ପଢ଼େଇ ଦେଇ ନାହାନ୍ତି । ପଚାରିଛନ୍ତି ଅସଂଖ୍ୟ ପ୍ରଶ୍ନ, ଯେଉଁ ପ୍ରଶ୍ନ କି ସରଳା ପାଖରେ ନିରାଟ କାଳ୍ପନିକ, ଅହେତୁକ । ମୂଲ୍ୟହୀନ ନୁହେଁ କିନ୍ତୁ ମୂଲ୍ୟବାନ୍‍ । ତିନିମାସ ହେଲା ଆସି ସେ ରହିଲାଣି; କିନ୍ତୁ କୌଣସି ଦିନ ଭୁଲ୍‍ରେ ସୁଦ୍ଧ ମୁହୂର୍ତ୍ତକ ପାଇଁ ରାଣୀମା’ ମୁହଁଟେକି ତାକୁ ଚାହିଁନାହାନ୍ତି । ସବୁଦିନ ସରଳା ଦେଖେ ତାଙ୍କ ମୁହଁରେ ଗାମ୍ଭୀର୍ଯ୍ୟର ଛାୟା । ଶଙ୍କିଯାଏ ସରଳା, ମନେ ମନେ ଭୟ ପାଏ ତାଙ୍କ ଆଗକୁ ଯିବାକୁ ।

 

‘‘ଭାବୁଛି, ତୁମେ ନିଶ୍ଚୟ କୌଣସି ଅଭିଜାତ କୁଳର କନ୍ୟା । କାହିଁକି ଯେ ତୁମେ ଜୀବନରେ ଏଇପରି ପଥ ବାଛିନେଲ ଜାଣିପାରୁନି । ପଢ଼ିଥିଲେ ବି ଜୀବନରେ ଅନେକଟା ଉନ୍ନତି ସମ୍ଭବପର ହୋଇଥାଆନ୍ତା । ତୁମପରି ବୁଦ୍ଧିମତୀ, ସୁନ୍ଦରୀ ଝିଅ ପକ୍ଷରେ ଅସମ୍ଭବଟା ହିଁ ସମ୍ଭବ ହୋଇପାରିଥାଆନ୍ତା । ଯେ କେହି ଦେଖୁ ନା କାହିଁକି, ତୁମର ବ୍ୟବହାର କଥାବାର୍ତ୍ତାରେ ସେ ତୁମପ୍ରତି ଆକୃଷ୍ଟ ହେବ ନିଶ୍ଚୟ । କେତେ ଝିଅ ଏ ଜୀବନରେ ଦେଖିଆସିଛି, କିନ୍ତୁ ତୁମପରି କାହିଁ କେଉଁଠି ଦେଖିନି ।’’ ଖବରକାଗଜ ଉପରେ ଆଖି ବୁଲେଇନେଲାବେଳେ ରାଣୀମା’ କହିଥିଲେ । ଆଖି ଦିଟା ତା’ର ଖବରକାଗଜ ଉପରେ ଘୂରି ବୁଲୁଥିଲା, ଆଉ କାନ ଦିଟା ଡେରି ହୋଇଯାଇଥିଲା ରାଣୀମା’ କ’ଣ କହୁଛନ୍ତି ଶୁଣିବାକୁ । ନୀରବ ରହିଚି ସେ । କ’ଣ ବା କହିବ ? କହିବାକୁ ଆଉ ଅଛି ବା କ’ଣ ? ମନରେ ପ୍ରଶ୍ନ ଉଠୁଛି–ରାଣୀମା’ଙ୍କର ଆଜି ହେଇଛି କ’ଣ ? କାହିଁକି ସେ ଆଜି ଏମିତି କଥା କହୁଛନ୍ତି ? ମନର କଥା ମନରେ ହିଁ ରହୁଛି । ଆଖି ଦିଟା କେବଳ ଲାଖିରହିଛି ଖବରକାଗଜ ଉପରେ ।

 

‘‘ଏଇ ତିନୋଟି ମାସ ଭିତରେ ତୁମେ ରାଜଉଆସର ସମସ୍ତ ଭଲମନ୍ଦ, ଦେବାନେବା ଖବର, ହିସାବ ରଖିପାରିଛ । ସୁରୁଖୁରୁରେ ତିନୋଟି ମାସ କଟିଗଲା ଉଆସରେ । କେହି ନ କହିଲେ ମଧ୍ୟ ମୋର ତ ପୁଣି ମନ ଅଛି, ହୃଦୟ ଅଛି, ଆଖି ଅଛି । ତୁମରି ପ୍ରଶଂସା ସବୁରି ମୁହଁରେ, ତୁମରି ଗୁଣକୀର୍ତ୍ତନ ସବୁରି ମୁହଁରେ । ସାବି, ଯେ କି ଉଆସର ସମସ୍ତଙ୍କ ଅପେକ୍ଷା ଉତ୍କଟା ଓ କଳହପ୍ରିୟା, ଦୁଷ୍ଟା, ସେ ବି ଜୋକ ମୁହଁରେ ଲୁଣ ଦେଲା ପରି ତିନି ମାସ ହେଲା ମୁହଁ ବନ୍ଦ କରି ରହିଛି । ତାରି କଥା ନେଇ ବଡ଼ ବ୍ୟସ୍ତ ହୁଏ ମୁଁ । ଏତେ ବଡ଼ ଜଞ୍ଜାଳ ସହିବା ଭଳି ଶକ୍ତି ମୋର କାହିଁ ? କେବଳ ନରହରି ବାବୁଙ୍କ ଯୋଗୁଁ ସବୁ ଅସମ୍ଭବ ସମ୍ଭବ ହେଇପାରିଛି ଏଇ କୋଡ଼ିଏ ବର୍ଷ ଭିତରେ । ନଇଲେ ମୁଁ କ’ଣ ପାରିଥାଆନ୍ତି ଏତେ ବଡ଼ ରାଜ ସମ୍ପଦ ସମ୍ଭାଳିବାକୁ ! ମୁଁ ଯାହା ନପାରିଛି, ତୁମେ ତାକୁ ଏଇ କେତୋଟି ଦିନ ଭିତରେ ପାରିଛ, ସେଥିପାଇଁ ମୁଁ ତୁମ ପ୍ରତି ସନ୍ତୁଷ୍ଟା । ଉପଯୁକ୍ତା ତୁମେ ଏଇ ରାଜପୁରୀର ସମସ୍ତ ଭାର ବହନ କରିବା ପାଇଁ । କିନ୍ତୁ, କିନ୍ତୁ କେତେ ଦିନ ପାଇଁ ?’’ କିଛି ସମୟ ନୀରବ ରହିଲେ ରାଣୀମା’ । ତା’ପରେ ଆଖି ଉଠେଇ ପୁଣି କହିଲେ, ‘‘ମୁଁ ଜାଣେ, ମୋ କର୍ତ୍ତବ୍ୟ ବିରୋଧ କାର୍ଯ୍ୟ କେତେବେଳେ ହେଲେ ମୁଁ କରିପାରେନି; ଏବେ ବା କରିବି କେମିତି ? ହଁ, ଆଉ ଗୋଟିଏ କଥା । ତୁମ ବଂଶର ପରିଚୟ ନ ଦିଅ ପଛେ, ତୁମେ ମତେ ଗୋଟିଏ କଥା ଲୁଚେଇ ରଖିବନି ବୋଲି ମନେକରେ ।’’ସରଳାର ମୁହଁକୁ ଏକଲୟରେ ଚାହିଁ ରହିଲେ ରାଣୀମା’ । ‘‘ମୁଁ ଜାଣିବାକୁ ଚାହେଁ–ତୁମେ ବିବାହ କରିଛ କି ନା ?’’ ଏ ପ୍ରଶ୍ନ ହଠାତ୍‍ ରାଣୀମା’’ଙ୍କଠାରୁ ଶୁଣିବ ଏହା ଆଶା କରି ନ ଥିଲା ସରଳା । ସଙ୍ଗେ ସଙ୍ଗେ ଚମକି ଉଠିଲା ସେ । ଆଖିର ସଜଳ ପତା ଥରିଉଠିଲା, ଆହୁରି ସଜଳ ହେଲା । ମୁହଁର ରଙ୍ଗ ମରିଗଲା ପରି ଜଣାଗଲା-। ରାଣୀମା’ ସରଳାର ମୁହଁର ପରିବର୍ତ୍ତନକୁ ଲକ୍ଷ୍ୟକରି ପୁଣି କହିଲେ, ‘‘ମୋର ଏ ଅହେତୁକ ପ୍ରଶ୍ନପାଇଁ କିଛି ମନେ କରନି । ହଁ, ତୁମର ଯଦି କିଛି ଅସୁବିଧା ହୁଏ, ତେବେ ତୁମେ ନରହରି ବାବୁଙ୍କୁ କହିବ । ସେ ସବୁ ସୁବିଧା କରିଦେବେ । ନଚେତ୍‍ ମତେ ବି କହିପାର । ଏଥିରେ ଭାବିବାର କିଛି ପ୍ରୟୋଜନ ନାହିଁ ।’’ ହାତର ଘଡ଼ିକୁ ଚାହିଁଲେ ରାଣୀମା’–‘‘ଆରେ ବାରଟା ଯେ ବାଜିଲା । ବୃଥାଟାରେ ସମୟଗୁଡ଼ାକ କଟେଇ ଦେଲି; ହଉ ତୁମେ ଚାରିଟା ବେଳଁକୁ ଆସ ।’’କ’ଣ ଭାବିଲେ, ପୁଣ କହିଲେ, ‘‘ନା, ନା, ଆସିବା ଦରକାର ନାହିଁ । ଆଜିର ପେପର୍‍ଟା ମୁଁ ନିଜେ ପଢ଼ି ନେବି । ହଉ ଏଥର ଯାଅ । ବହୁତ ଡେରି ହୋଇଗଲା ଆଜି ।’’

 

ମୂକ ଚଳଚ୍ଚିତ୍ରର ଛବିପରି ସରଳା ଆସ୍ତେ ଚୌକି ଛାଡ଼ି ଠିଆହେଲା । ତା’ପରେ ଧୀରେ ଧୀରେ ସେ ଘର ଛାଡ଼ି ବାହାରକୁ ଆସିଲା ଅଗଣିତ ଭାବନାଭରା ମନ ନେଇ ।

 

ଦୋତାଲାକୁ ଯାଇଥିବା କଳା ମୁଗୁନି ପଥର ପାହାଚ ଉପରେ ପାଦଦେଲା ସରଳା । ଆଜି କିନ୍ତୁ କାହାରି କଥା ବୁଝିପାରିବନି । ଆଉ ଆଗେଇ ଯାଇପାରିବନି ସେ ରୋଷେଇଘରକୁ, ଚାକର ଚାକରାଣୀମା’ଙ୍କର ଭଲମନ୍ଦ ବୁଝିପାରିବନି ସେ ଆଜି । ଆଜି ସେ କ୍ଳାନ୍ତ, ଅସୁସ୍ଥ । ଆଜି ଦିନକ ସେ ବିଶ୍ରାମ ନେବ । ପୂରା ବିଶ୍ରାମ ଚାହେଁ ସେ । ରାଣୀଙ୍କର ହଠାତ୍‍ ଏତେଗୁଡ଼ିଏ ପ୍ରଶ୍ନ ତା’ର ମୁଣ୍ଡ ଭିତରେ ଗୁରୁ ଭାବନା ସୃଷ୍ଟିକରିଛନ୍ତି । ମନଟା ପଛେଇଯିବାକୁ ଚାହୁଁଛି–ଅନେକ ପଛକୁ-। ଅତୀତ ଜୀବନର ସମସ୍ତ ବିଷୟ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଯିବାକୁ ମନ ତାକୁ ଅଥୟ କରିପକାଉଛି ।

 

ଭାବନାଭରା ମସ୍ତିଷ୍କ ନେଇ ସରଳା କେତେବେଳେ ଯେ ତା’ର ନିଜର ଘର ଆଗରେ ଆସି ପହଞ୍ଚି ଯାଇଛି ଜାଣେନି । ହଠାତ୍‍ସମସ୍ତ ଭାବନାରେ ତା’ର ପୂର୍ଣ୍ଣଛେଦ ପଡ଼ିଗଲା ନରହରିବାବୁଙ୍କର ଆଦରବୋଳା ଡାକରେ । ‘‘ମା ! ସଚି ! ଆଜି ଏତେ ଡେରି କାହିଁକି ହେଲା ମା ! ଏତେ ପରିଶ୍ରମ କରୁଛୁ । ଦେଖିଲୁ, ଦର୍ପଣରେ ଯାଇ ମୁହଁ ଦେଖିଲୁ କିମିତି ଦେଖାଯାଉଛି ।’’ ସାମାନ୍ୟ ହସର କ୍ଷୀଣ ଧାରଟିଏ ସରଳାର ଅଧର କୋଣରେ ଉଙ୍କିମାରିଲା । ଭୁଲିଗଲା ଟିକକ ଆଗରୁ ଯାହା ଭାବୁଥିଲା, କେବଳ ଅନୁଭବ କରୁଥିଲା ଗୁରୁବ୍ୟଥା । ‘‘ବୁଢ଼ାସାଆନ୍ତେ ତମକୁ ଅନେଇ ବସିଛନ୍ତି ଦେଈ ! ଏତେବେଳ ଯାଏ ଖାଇନାହାନ୍ତି ।’’ ସତୀ କହିଲା, ଉଆସର ଗୋଟିଏ ଦାସୀ । ସେ ଆସିବା ଦିନଠାରୁ ଏଇ ସତୀ ଆସି ତା’ର ସମସ୍ତ କାମର ଭାର ନେଇଛି । ମଉସାଙ୍କର ବି । ମଉସା, ହଁ ମଉସା ନୁହନ୍ତି ତ ଆଉ କ’ଣ ? ନଇଲେ ଏତେ ଆଦର, ଏତେ ସ୍ନେହ-! ନିଜ ବାପା, ଦାଦାଙ୍କ ବ୍ୟତୀତ ସେ ଆଉ କାହାରିଠାରୁ ପାଇ ନଥିଲା । ଏଠାକୁ ଆସିବା ଦିନଠାରୁ ଏଇ ନରହରିବାବୁଙ୍କୁ ମଉସା ବୋଲି ଡାକି ଆସିଛି । ତାଙ୍କର ସ୍ନେହ ଆଗରେ ମୁଣ୍ଡ ପୋତିହେଇ ଯାଇଛି ତା’ର । ବୃଦ୍ଧ ସେ, ବୟସ ସତୁରୀରୁ ବେଶି ହେବ ସିନା କମ୍‍ନୁହେଁ । ତମ୍ୱା କାଠି ପରି ଦେହ; ସରୁ ହୋଇ ଗଲାଣି । ମୁହଁର ଓ ଦେହର ଚମ ଲୋଚା କୋଚା ହୋଇ ଗଲାଣି-। ମୁଣ୍ଡର ବାଳ ପାଚି ଗଲାଣି । ମୁହଁଟି କିନ୍ତୁ ସତେଜ ଆଉ ପ୍ରଫୁଲ୍ଲ, ଆଖି ଦୁଇଟା ଜଳୁଛି ଯେମିତି ! ନାକଟି ସରୁ ଖଣ୍ଡାଧାର ପରି ଧାରୁଆ । ଘର ଅଛି, କିନ୍ତୁ ସେ ଘର ଘର ହେଇ ଆଉ ନାହିଁ, ବଣ ହେଇ ପଡ଼ିଛି । ଜମିବାଡ଼ି ଅଛି, କିନ୍ତୁ ଦେଖାଶୁଣା କରୁଛନ୍ତି ରୟତମାନେ । କେଉଁଦିନହେଲେ ସେ ସେମାନଙ୍କ ଦୁଆରକୁ ଯାଇ ନାହାନ୍ତି । କାହିଁକି ବା ଯିବେ ? କିଏ ଅଛି ତାଙ୍କର ଭୋଗ ଦଖଲ କରିବାକୁ ? ସ୍ତ୍ରୀ ବୋଲି ଯାହାଙ୍କର ହାତ ଧରି ଘରକୁ ଆଣିଥିଲେ ସେ କେବେଠାରୁ ସେପୁରକୁ ଗଲେଣି । ପଛକୁ ଚାହିଁଲେ ତାଙ୍କର ଆଖି ପାଏନା । ସନ୍ତାନସନ୍ତତି କେହି ନାହାନ୍ତି-। ଆଉ ଦ୍ୱିତୀୟଥର ବି ବିବାହ କରିନାହାନ୍ତି ।

 

ପ୍ରତାପକେଶରୀଙ୍କର ବନ୍ଧୁ ସେ । ଅତି ଘନିଷ୍ଠ, ଅତି ଆପଣାର । ବନ୍ଧୁର ଦୁଃଖରେ ଦୁଃଖିତ ହେଇ ଓ ଏପରି ଯାଯାବର ଜୀବନ ଦେଖି ତାଙ୍କୁ ନିଜ ରାଜବାଟୀ ଭିତରେ ଆଣି ରଖିଥିଲେ । ପଶ୍ଚିମପାଖ ଉଆସଟା ରାଜାମାନଙ୍କର ବିଳାସମନ୍ଦିର । ପ୍ରତାପକେଶରୀଙ୍କ ସମୟରେ ସେଟା ସେମିତି ପଡ଼ିରହିଥିଲା । ସେ ଥିଲେ ବିଳାସ–ବ୍ୟସନରୁ ବହୁତ ଦୂରରେ । ଅତି ନ୍ୟାୟପରାୟଣ ଏବଂ ପ୍ରଜାବତ୍ସଳ ରାଜା ଥିଲେ ସେ । ସେଇ ଘରେ ନରହରିବାବୁଙ୍କର ରହିବାର ବ୍ୟବସ୍ଥା ହେଲା । ଆଉ ଦିନକ ପାଇଁ ସୁଦ୍ଧା ନରହରିବାବୁ ନିଜର ଜନ୍ମସ୍ଥାନକୁ ଯାଇନାହାନ୍ତି, ସେଇ ଗଡ଼ ଭିତରେ ଥିଲେ । ଆଜିପର୍ଯ୍ୟନ୍ତ ଏହି ଉଆସର ସୁଖଦୁଃଖକୁ ନିଜର ସୁଖଦୁଃଖ ଭାବି ରହିଆସିଛନ୍ତି । ଆଜିପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ନାହାନ୍ତି ବୋଲି ବୋଧହୁଏ ପିତୃସ୍ନେହଟା ସରଳା ପ୍ରତି ଏତେ ଗାଢ଼ ହୋଇ ଉଠିଛି । ସରଳା ସତେ ଯେମିତି ତାଙ୍କରି କନ୍ୟା ।

 

ସରଳା ମୁହଁ ଉଠେଇ ନରହରି ବାବୁଙ୍କର ଜୀର୍ଣ୍ଣଶୀର୍ଣ୍ଣ ମୁହଁକୁ ଚାହିଁ ପଚାରିଲା–‘ଖାଇନା ମଉସା !’

 

‘‘ମତେ ଏକୁଟିଆ ଖାଇବାକୁ ଇଚ୍ଛା ହେଲାନି । ତୁ ଆସିଲେ ଏକାଠି ମିଶିକରି ଖାଇବା-।’’

 

ଏଇ ସମୟରେ ସତୀ ଆସି କହିଲା, ‘‘ଆସ ମ ଦେଈ ! ଭାତ ବାଢ଼ି ଦେଲିଣି, ଚାଉଳ ହୋଇଯିବ ନଇଲେ ।’’

 

ସରଳା ତର ତର ହେଇ ଲୁଗା ବଦଳାଇବାକୁ ପଶିଗଲା ଘର ଭିତରକୁ । ଏଇ ତା’ର ସଂସାର, ଏଇ ତା’ର ଘର, ନରହରିବାବୁଙ୍କ ପରି ।

 

ଏଇ ଛୋଟିଆ ଜୀବନଟିରେ ସତେ କେତେ ଦୁଃଖ, କେତେ ଯାତନା ! ଆଜି ବି ଛାତି ତଳ ଗୁମୁରି କାନ୍ଦିଉଠେ ସରଳାର । ହୃଦୟର କୋହକୁ ଚପେଇରଖେ । ଯାହା ଯାଇଛି ଯାଇଛି ତାକୁ ଆଉ ମନେରଖି ଲାଭ ନାହିଁ, କିନ୍ତୁ ଭୁଲିହୁଏନା । ଭୁଲିପାରିବନି । ସରଳା, ଭୁଲିପାରିବନି ଖୁଡ଼ୀଙ୍କର ତାଡ଼ନା, ଦାଦାଙ୍କର ସ୍ନେହ ଆଉ ପ୍ରାଣପ୍ରିୟ ବିଜୟବାବୁଙ୍କର ପ୍ରତି କଥା । ନା, ପାରିବନି ସେ । ସବୁ ଅତୀତ ଅତୀତରେ ହିଁ ଡୁବିଯାଇଛି ସତ, କିନ୍ତୁ ଭୁଲି ପାରିବନି ଅତୀତକୁ । ଏତେ ବଡ଼ ବଡ଼ ପଥର କାନ୍ଥ ଭିତରେ ତା’ର ସାରା ଜୀବନ କଟେଇଦେଇପାରେ ସତ; ନୂତନ ପରିବେଷ୍ଟନୀ ଭିତରେ ନୂତନତ୍ୱ ଅନୁଭବ କଲେ ମଧ୍ୟ ସରଳା ଭୁଲିପାରେନା ଅତୀତକୁ । ଯାହା ଯାଇଛି, ଯାଇଛି; ଆଉ ତ ଫେରି ଆସିବନି । ବର୍ତ୍ତମାନକୁ ହିଁ ଏଇ ରକମ ଚଳେଇ ନେବାକୁ ହେବ । ସୁଖ ତା’ର ଦରକାର ନାହିଁ, ରାଜଭୋଗ ଦରକାର ନାହିଁ, ବିବାହିତ ଜୀବନର ଅମୂଲ୍ୟ ସମ୍ପଦ ଦରକାର ନାହିଁ । ଆଗରେ ବିରାଟ ଭବିଷ୍ୟତ ଚାହିଁ ରହିଛି । କେବଳ ଅଲୋଡ଼ା ଦହଗଞ୍ଜିଆ ଜୀବନରେ ଦରକାର ଟିକିଏ ଶାନ୍ତି । ଏଇ ପଥର କାନ୍ଥ ଭିତରେ ରହି ସେ କ’ଣ ପାଇପାରିବନି ତାହା ? କେଜାଣି କିଏ କହିପାରିବ ? ମନ ଯାହା ଚାହୁଁ ନା କାହିଁକି, ହୃଦୟ ଯାହା ଖୋଜୁନା କାହିଁକି, ବର୍ତ୍ତମାନ ଆଉ ଭବିଷ୍ୟତ ଜୀବନରେ ଯାହା ଚାହୁଁ ନା କାହିଁକି, ସରଳା ଭୁଲିପାରିବନି ଅତୀତକୁ । ମୃତ୍ୟୁ ପରେ ବି ନୁହେ ।

 

ଏବେ ବି ପିଠିରେ ରହିଛି ଖୁଡ଼ୀଙ୍କର ଖଡ଼ିକାମୁଠାର ମାଡ଼ ଚିହ୍ନ । ଏବେ ବି ଶୁଣିପାରୁଛି ଖୁଡ଼ୀଙ୍କର କର୍କଶ କଟୁ କଥା, ଏବେ ବି ପିଠିରେ ରହିଛି ମାଡ଼ର ଦରଜ । ମନେପଡ଼ିଗଲେ ସରଳା ସେଇ ଦରଜ ଅନୁଭବ କରୁଛି ଦେହରେ ଆଉ ମନରେ । ଅଜଣା ଆତଙ୍କରେ ଛାତି ଭିତରଟା ଥରିଉଠୁଛି । ଦେହ ଶୀତେଇ ଉଠୁଛି । ଦାଦାଙ୍କର ପାଟି ଶୁଣିପାରୁଛି ସରଳା–‘‘ଓହୋ କ’ଣ କଲ ତୁମେ ଅନିମା ! ମୋର ଲବଣୀପିତୁଳା ଦେହରେ ହାତ ଦେଲ ? ଏ ରାକ୍ଷସୀ ବୁଦ୍ଧି ତୁମକୁ କିଏ ଶିଖେଇଲା ?’’–କେତେ କ’ଣ । କେତୋଟି ବରଷ ଭିତରର ଗାଁର ଘଟଣାଗୁଡ଼ିକ ଆଖି ଆଗରେ ନାଚିଯାଉଛି ଗୋଟିକ ପରେ ଗୋଟିଏ ।

 

ପାଦ ପାଖରେ ଝର ଝର ହେଇ ଝରଣାଟିଏ ବହିଆସୁଛି ପାହାଡ଼ ଉପରୁ ପାଦଦେଶକୁ-। ସେଇ ଝରଣା କୂଳେ ଗୋଟିଏ ବଡ଼ କଳା ପଥର ଉପରେ ବସିଛି ସରଳା । ଚାହିଁ ରହିଛି ଝରଣାକୁ ଆଉ ତା’ର ନିର୍ମଳ ପାଣିକୁ । ସେଇ ପାଣିପରି ଆଖିରୁ ତା’ର ବହିଯାଉଛି କେତେ ଲୁହର ଧାର । ଅନ୍ଧୁଣୀ ହେଇଯାଇଛି ସେ । ନୀରବରେ ବହିଯାଉଛି ଅଗଣିତ ଅଶ୍ରୁଧାର । ଝରଣା କୁଳୁ କୁଳୁ ହେଇ ବହିଯାଉଛି ନିସ୍ତବ୍ଧ ବନଭୂଇଁକୁ ମୁଖରିତ କରି ଝିଙ୍କାରିଟିଏ ପାଖ ବୁଦାମୂଳେ ଝିଁ ଝିଁ ଶବ୍ଦ କରୁଛି । ସରଳା ଏ ସବୁଥିରୁ କିନ୍ତୁ ଅଲଗା ରଖିଛି ନିଜକୁ । ମନରେ ତା’ର ଅତୀତର ପ୍ରତି ଘଟଣା ନିରାଟ ବାସ୍ତବ ପରି ଠିଆ ହେଇଛନ୍ତି ଦେହଟା ଅବଶ ହେଇଆସୁଛି, ମନ ଦରଜ ଲାଗୁଛି । ଅତ୍ୟନ୍ତ ଭାବନାରେ ସରଳା ଦୁଇ ହାତରେ ମୁଣ୍ଡକୁ ତା’ର ଚିପି ଧରିଲା । ପାଟିରୁ ତା’ର ବାହାରି ଆସିଲା–‘‘ଓହୋ !’’ ଓଠକୁ କାମୁଡ଼ି–ପକେଇଲା ଅତି ବ୍ୟାକୁଳ ହେଇ । କାହିଁକି ଆଉ ସେ କଥା-? କାହିଁକି ଆଉ ସେ ଅବାନ୍ତର ଭାବନା !

 

ଟିକିଏ ଦୂରରେ ସତୀ ତୋଳୁଥିଲା ବଣମଲ୍ଲୀ ଫୁଲ । କି ସୁନ୍ଦର ଗନ୍ଧ ସତେ ! ତୋଳିବାକୁ ମନହେଲା । କେତେ ଦିନ ପରେ ସେ ଦେଖୁଛି ଏଇ ଲତାକୁଞ୍ଜ, ରାଜପ୍ରାସାଦର ସେ ଚୂନ ସିମେଣ୍ଟ ଦିଆ ପଥର କାନ୍ଥ ଭିତରେ କଟେଇ ବହୁଦିନ । ଦୂରରୁ ଦେଖିଛି ସତ, କିନ୍ତୁ ପରଶ ପାଇନି । ଆଜି ପ୍ରଥମ କରି ଆସି ମନଟା ତା’ର ନାଚିଉଠୁଛି । ଏଇ ଲତାକୁଞ୍ଜ, ପଥର କଙ୍କର–ପୂର୍ଣ୍ଣ ଚଲାପଥ, କୁଳୁକୁଳୁନାଦିନୀ ଝରଣା–ସମସ୍ତେ ତାକୁ ଜଣା ଯାଉଛନ୍ତି ଗୋଟିଏ ଗୋଟିଏ ସଜୀବ ମୂର୍ତ୍ତିପରି । ସରଳାକୁ ଝରଣା–କୂଳେ ବସେଇଦେଇ ଏକା ଏକା ଘୂରିବୁଲୁଛି ଲତାକୁଞ୍ଜ ଭିତରେ ସତୀ । ଏଇ ବଣମଲ୍ଲୀ ଲତାଟିକୁ ଦେଖି ତା’ର ବଡ଼ ଲୋଭ ହେଲା । ଅତି ଆଗ୍ରହସହକାରେ ଡଙ୍କଗୁଡ଼ାକୁ ଭିଡ଼ିମୋଡ଼ି ଫୁଲ ତୋଳିବାରେ ଲାଗିଗଲା । ତଳେ ଶ୍ରୀହୀନ ହୋଇ ଝରିପଡ଼ିଲେ ଡଙ୍କଗୁଡ଼ାକ, କିନ୍ତୁ ତା’ର ସେଥିପ୍ରତି ନଜର ନାହିଁ । କେତେ ଦୂରରୁ ଥିରି ଥିରି ଚୋରାପବନ ବହିଆସୁଛି । ପାଖ ଆମ୍ବଗଛ ଗହଳରୁ କୋଇଲିଟିଏ ତା’ର କଣ୍ଠରୁ ଭସେଇ ଦେଇଛି ପଞ୍ଚମତାନ କୁହୁ କୁହୁ । ଏତେ ଫୁଲ ତୋଳାରେ ମନ ଥିଲେ ମଧ୍ୟ ତା’ର କାନ ଦିଟା ଟାଣି ହେଇ ଯାଇଛି କୋଇଲିର ସଂଗୀତ ଶୁଣିବାକୁ । ଅବୁଝା ସଂଗୀତ । କୋଇଲିର ସ୍ୱର ସଙ୍ଗେ ସ୍ୱର ମିଳେଇ ତାକୁ ଥଟାକରି ସତୀ ପାଟିକରି କହୁଛି ‘କୁହୁ–କୁହୁ ।’ କୋଇଲିଟା ନିଜକୁ ଅପମାନିତ ମନେକରି ସ୍ୱରଟାକୁ ଟିକିଏ ଟେକି କୁହୁ କୁହୁ ବୋଲି ଚାରି ପାଞ୍ଚଥର ଡାକୁଛି । ଏଣେ ସତୀ ବି ଅବିକଳ ସ୍ୱରକୁ ଅନୁକରଣ କରି କୁହୁ–କୁହୁ–କୁହୁ, ଗାଉଛି ଉଚ୍ଚସ୍ୱରରେ । ନୀରବ କୋଇଲିଟା, ଅପମାନିତ ମନେକରୁଛି ବୋଧହୁଏ ।

 

ଏତେ ବଡ଼ ସୁମଧୁର ପରିସର ଭିତରେ ନିଜକୁ ବୁଡ଼େଇ ରଖିଛି ସତୀ । ଆତ୍ମବିଭୋର ହୋଇପଡ଼ିଛି ସେ ଏଇ ପରିସ୍ଥିତି ଭିତରେ । କାହିଁକି କେଜାଣି ଚମକିପଡ଼ିଲା ସତୀ । ଚାରିଆଡ଼କୁ ଥରେ ଦେଖିନେଲା, କ’ଣ ଶୁଣିଲା । କାହାର ସ୍ୱର ? ଅଣ୍ଟିକୁ ଦେଖିଲା ଅଣ୍ଟିଏ ଧଳା ଫର୍‍ଫର୍‍ ଗନ୍ଧଯୁକ୍ତ ବଣମଲ୍ଲୀଫୁଲ । ଥାଉ ସେତିକି ହେଇଥାଉ । ଦେଈଙ୍କୁ ଏକା ବସେଇ ଦେଇ ଆସିଛି, ଯଦି ଡରନ୍ତି ! ଫୁଲତକ ପଣତ କାନିରେ ପୂରେଇନେଇ ଝରଣା କୂଳକୁ ଫେରିଲା ସତୀ । ପଛରେ ଆକୁଳ ନୟନରେ ଅନେଇ ରହିଲେ ବଣମଲ୍ଲୀ ଲତାଗୁଡ଼ାକ ।

 

ଆଖିର ଲୁହପୋଛି ସରଳା ନିର୍ଭୟରେ ଚାହିଁ ରହିଛି କୁଳୁକୁଳୁ ନାଦିନୀ ଝରଣାକୁ । ଚାହିଁ ରହିଛି ଲତା–ବୃକ୍ଷ–ଗୁଳ୍ମ ଆଚ୍ଛାଦିତ ବନଭୂଇଁକୁ । ଖୁସିମନରେ ତନ୍ନ ତନ୍ନ କରି ଦେଖିଛଇ ସରଳା ପ୍ରକୃତିର ଶୋଭା ପସରାକୁ । ପଶ୍ଚିମ ଦିଗରେ ଡୁବିଯାଉଛନ୍ତି ଦିନମଣି । ଆକାଶ ପଥରେ ବୁଣିଦେଇ ଯାଉଛନ୍ତି ଲାଲ ଫଗୁ । ସେଇ ଈଷତ୍‍ରକ୍ତିମା ଲେପି ହେଇଯାଇଛି ପାହାଡ଼ ଶିଖରର ପ୍ରତି ବୃକ୍ଷର ମସ୍ତକ ଉପରେ । ପୁଣି ଝରଣା ଜଳକୁ ଚାହିଁଲା ସରଳା । ଝରଝର ହେଉ ବହିଯାଉଛି ତଳକୁ । ଗାଇଯାଉଛି ଅଜଣା ସଂଗୀତ । ନିର୍ମଳ ପରିଷ୍କାର ଜଳରେ ନିଜର ପ୍ରତିବିମ୍ୱ ଦେଖିଲା ସରଳା । ଏକ ଆଖିରେ ଚାହିଁରହିଲା । ମନେ ମନେ ଖୁସିହେଲା । ଭଗବାନ ଯେତେ ଦୁଃଖ, ଯେତେ କଷ୍ଟ ଦେଲେ ମଧ୍ୟ ତାରି ଭିତରେ ଦେଇଛନ୍ତି ସୌନ୍ଦର୍ଯ୍ୟ ଟିକକ, ଯାହା କି ନାରୀର ଶ୍ରେଷ୍ଠ ଭୂଷଣ । ନିଜକୁ ନିଜେ ସାନ୍ତ୍ୱନା ଦେଉଛି ସରଳା ।

 

ଟବ୍‍କରି ଶବ୍ଦଟିଏ ହେଲା । ଝରଣାର ଧୀର ପାଣି ଦୋହଲି ଗଲା । ସରଳାର ପ୍ରତିବିମ୍ୱ ଲୁଚିଗଲା ସେଥିରେ । ଚମକି ପଛକୁ ଚାହିଁଲା ସେ । ପାଖରେ, ଅତି ପାଖରେ ଠିଆହେଇଛି ସତୀ । ‘‘ମଲା, ଏତେ ଡାକି ଡାକି ଥକିଲିଣି ଶୁଣୁନୁ ? କ’ଣ ଭାବୁଥିଲ କି ଦେଈ ?’’ ସରଳା ରାଗରେ ମୁହଁ ବୁଲେଇନେଲା । ରହ ରହ କହିଲା, ‘‘ହଉ ରହ । ମତେ ଏଠି ଏକୁଟିଆ ବସେଇଦେଇ କୁଆଡ଼େ ଯାଇଥିଲୁ ଶୁଣେ ? ପୁଣି ଚୁପ୍‍ଚୁପ୍‍ କରି ଆସି ମୋତେ ଡରେଇଦେଲୁ କାହିଁକି ?’’

 

‘‘ମଲା, କେତେ ତ ଡାକିଲି, ଶୁଣିଲନି । ସେଇଥିପାଇଁ ପାଣି ଭିତରକୁ ଟେକାଟିଏ ଛାଡ଼ିଦେଲି । ରାଗ କରନି ମ ଦେଈ ।’’ ସତୀ ଅଭିମାନ କଲା । ବୟସ ଚବିଶ କିମ୍ୱା ପଚିଶ, ଦେହର ରଙ୍ଗ ସାମାନ୍ୟ ମଇଳା, କିନ୍ତୁ ଦେହର ଗଠନଟି ସୁନ୍ଦର । ମୁହଁଟି ଆକାଶର ଚାନ୍ଦ ପରି ଗୋଲ ଆଉ ସୁନ୍ଦର । ହସ ହସ ମୁହଁ । ବଡ଼ ହସକୁରୀ । କପଟ, ହିଂସା କି ରାଗ ତା’ଠାରେ କେଉଁ ଦିନ ହେଲେ କେହି ଦେଖିନାହାନ୍ତି ।

 

ଚଉଦ ବର୍ଷ ହେଲା ସେ ଆସି ଏଠି ରହିଲାଣି । ସେତେବେଳେ ତାକୁ ଦଶ କି ଏଗାର ମନେନାହିଁ । ମା’ ନିଜେ ଆଣି ଏଠି ଛାଡ଼ିଦେଇ ଯାଇଛି ଯେ ଆଉ ଫେରିନି । ଆଉ ଫେରିବ କି ନା ସେ ଆଶା ସତୀ ରଖିନି । ଘର ବିଷୟରେ ତା’ର କିଛି ମନେ ନାହିଁ । ତା’ର ଗାଁ, ତା’ର ଘର, ତା’ର ବାପ–ମା ମନରୁ ହଜି ଯାଇଛନ୍ତି ଆସ୍ତେ ଆସ୍ତେ । କେବଳ ମନରୁ ତା’ର ଯାଇନି ସେଇ ନଡ଼ିଆତାଟିଲଗା ଘରଟି । ଯେଉଁ ମାଟିରେ ସେ ନୂଆ ଦେହ ନେଇ ପୃଥିବୀ ଉପରକୁ ଆସିଥିଲା, ଯେଉଁ ମାଟି ପ୍ରଥମେ ସେ ସ୍ପର୍ଶକରିଥିଲା, ଯେଉଁ ମାଟି ଉପରେ ତା’ର ପ୍ରଥମ ଡାକ ବାଜିଥିଲା । ପୃଥିବୀ ବକ୍ଷରେ । ସେଇ ଟିକକ ଜନମସ୍ଥାନକୁ ଭୁଲିନି ସେ । ବାପ ମା ମଲେଣି କି ଗଲେଣି ଜାଣିନି । ଜାଣିବାର ଉପାୟ ବା କାହିଁ ? ରାଜଉଆସରେ ଭଲ ଖାଇବ, ଭଲ ପିନ୍ଧିବ ବୋଲି ମା ଛାଡ଼ିଦେଇ ଯାଇଛି ଏଠି । ସେଇଦିନଠାରୁ ମା’ର ସ୍ନେହ ଜାଣିନି, ମାର ପରଶ ପାଇନି । ଉଆସର ଚାକର ଚାକରାଣୀଙ୍କ ସହିତ ଚଳିଆସିଛି । ପିଲାଦିନର ସାମାନ୍ୟ ଭୁଲ୍‍ଭଟକା ଯୋଗେ ସେଇମାନଙ୍କଠାରୁ କେତେ ଗାଳିଖାଇଛି, କେତେ ମାଡ଼ ବି ଖାଇଛି । ଆଖିରୁ ତା’ର ନିରାଶରେ ଅଗଣିତ ଲୁହ ବହି ଆସି ସିକ୍ତ କରିଛି ମୁହଁଟିକୁ, ପୋଛିବାକୁ କେହି ନାହିଁ । ଆହା ବୋଲି ପଦେ କହିବାକୁ କେହି ନାହିଁ । ନିଜକୁ ଏକାକିନୀ ମନେକରିଛି ସେ । ଆଗକୁ କେହି ନାହିଁ କି ପଛକୁ କେହି ନାହିଁ । ଜୀବନଟା ତା’ର ଏକ ଦାସୀ ଚାକରାଣୀ ତଳେ ଗଣାହେଇ ବିତିଯିବ ପରର କାମ କରି, ପରର ମନ ବହଲେଇ ହାକିମି ମାନି । ସେଥିରେ ପୁଣି ଅଛି ମାଡ଼, ଗାଳି, ଅପମାନ, ଭତ୍ସର୍ନା । ବଡ଼ ଦହଗଞ୍ଜିଆ ଜୀବନ ସତେ !

 

ପିଲାଦିନରୁ ଏସବୁ ଦେହଘଷିଆ ହେଇଗଲାଣି । ସବୁ କଥା ଶୁଣି, ନୀରବ ରହି ନିଜର କାମଗୁଡ଼ିକ ସୁରୁଖୁରୁରେ କୌଣସି ଭୁଲ୍‍ ଭଟକା ନରଖି କରିଯାଉଛି । ମନରେ କାହା ପ୍ରତି ରାଗ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ । ସବୁ ମନରୁ ଦୂରେଇ ଦେଇଛି । ଏଇ ଉଆସରୁ ଶିଖିଛି ସ୍ନେହ, କରୁଣା ଓ ମମତା । କେହି ତାକୁ ସ୍ନେହ ନ କରନ୍ତୁ, ଭଲ ନପାଆନ୍ତୁ, ସେ କିନ୍ତ ସମସ୍ତଙ୍କୁ ସ୍ନେହ କରିଛି, ଭଲ ପାଇଛି । କେହି ତାକୁ ଶିଖେଇ ଦେଇ ନାହାନ୍ତି । ନିଜ ମନକୁ ନିଜେ ଶିଖିଛି । ନିଜର ଅନୁଭୂତିହିଁ ସବୁ ଶିଖେଇଦେଇଛି ତାକୁ । ସେଇଥିପାଇଁ ରାଣୀମା’ ତାକୁ ନିଜର ପାଖେ ପାଖେ ରଖୁଥିଲେ । ସେ ରାଣୀମା’ଙ୍କର କରୁଣାର ପାତ୍ରୀ । କିନ୍ତୁ ସରଳା ଏଇ ଉଆସକୁ ଆସିବା ପରଠାରୁ ସତୀର ଜୀବନରେ ଆସିଛି ପରିବର୍ତ୍ତନ । ରାଣୀମା’ ସରଳା ପାଖରେ ତାକୁ ରଖେଇଦେଇଛନ୍ତି ।

 

ଆଗରୁ ସତୀ ସାମାନ୍ୟ ବର୍ଣ୍ଣ ପରିଚୟ ଜାଣିଥିଲା । ଥଙ୍ଗେଇ ଥଙ୍ଗେଇ ଛୋଟ ଛୋଟ ଗୀତ ବହି ପଢ଼ି ପାରୁଥିଲା । ଏବେ କିନ୍ତୁ ସରଳା ତାକୁ ନିଜ ପାଖରେ ଭଲ ଭାବରେ ପଢ଼େଇ ଲେଖେଇ ଶିଖେଇଲାଣି । ଏଇ ତିନିଟା ମାସ ଭିତରେ ସତୀ ରାମାୟଣ, ମହାଭାରତ କୌଣସି ଭୁଲ୍‍ ନରଖି ଅନର୍ଗଳ ଭାବେ ପଢ଼ି ପାରୁଛି । ଉଆସର ଅନ୍ୟାନ୍ୟ ପୋଇଲି ପରିବାରୀମାନେ ସତୀର ଏପରି ବୁଦ୍ଧି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ବଡ଼ ତୀକ୍ଷ୍ଣ ବୁଦ୍ଧି ସତୀର ସତେ ! ଥରେ ଗୋଟିଏ କଥା ବୁଝେଇଦେଲେ କି କହିଦେଲେ ସବୁ ମନେରଖିପକାଏ । ସରଳା ଅନେକ ସମୟରେ ସତୀପ୍ରତି ଖୁସିହୁଏ । ସରଳା ମନେକରିଛି ସତୀ ପାଖରୁ ଅନେକ–ଶିଖିବାର ଜିନିଷ ଅଛି । ସ୍ନେହ, କରୁଣା, ମମତା ସବୁ କିଛି ଭଲଗୁଣ ନେଇ ସତୀ ଜନ୍ମହେଇଛି । ସେ ଅନେକ ବଡ଼ ସରଳା ଆଖିରେ । ବାହାରର ଲୋକଦେଖାଣକୁ ସତୀ ଚାକରାଣୀ; କିନ୍ତୁ ସରଳାର ହୃହୟରେ ସତୀ ହେଉଛି ତା’ର ଭଉଣୀ । ଦୁହେଁ ଏଇ ରାଜପୁରୀର ଆଶ୍ରିତା–ଦୁହିଁଙ୍କର ଜୀବନଧାରା ଗୋଟିଏ ସୁରରେ ବନ୍ଧା । ତା’ପରେ ଦିନେ ମଉସା କହୁଥିଲେ–ସତୀ ଉଚ୍ଚକୁଳସମ୍ଭୂତା । କେବଳ ଦାରିଦ୍ର୍ୟ ଯୋଗୁଁ ଦୁର୍ଭିକ୍ଷ ଦାଉରୁ ରକ୍ଷା ପାଇବା ପାଇଁ ତା’ର ମା ନିଜେ ଆଣି ମଉସାଙ୍କୁ କହି ଏଇଠି ରଖେଇ ଦେଇଯାଇଛି । ସରଳା ଅନେକ ସମୟରେ ଭାବେ ନିଜ ମନର କଥା ସତୀ ଆଗରେ ବ୍ୟକ୍ତ କରିବାକୁ, କିନ୍ତୁ ପାରିନି । ମନର କଥା ମନରେ ରହେ । ସତୀ ବି ଆପଣାର ମା–ପେଟରେ ଭଉଣୀ ପରି ସମସ୍ତ ସେବା ଅକପଟ ହୃଦୟରେ କରିଯାଉଛି ବଡ଼ଭଉଣୀର ଆସନ ଦେଇ । ସତୀ ସରଳା ଆଗରେ ଠିଆହେଇଛି । ନିଜ ମନର କଥା ମନରେ ଚାପିରଖି କର୍ମ ଭିତରେ ମନର କଥାକୁ କେବଳ ରୂପ ଦେଇ ଯାଉଛନ୍ତି ଦୁହେଁ ।

 

ସତୀ ଅଭିମାନ କରୁଛି । ପ୍ରକୃତରେ ତା’ର ଦୋଷ ବା କ’ଣ ? ବୃଥାଟାରେ ସରଳା ରାଗିଲା ତା ଉପରେ । ଦୋଷୀ ମନେକଲା ନିଜକୁ । ଦୁଃଖିତ ହେଲା । ସତୀର ହାତ ଧରି ପାଖରେ ବସେଇଦେଲା । ହସି ହସି ସରଳା କହିଲା–‘‘ରାଗିଲୁ କି ସତୀ ! ଏମିତି ମୁଁ ଥଟ୍ଟାରେ କହିଦେଲି ନା-! ଏ ଜାଗାଟା ସତେ କି ସୁନ୍ଦର ମନେହେଉଛି । ଖୁବ୍‍ଖୁସି ଲାଗୁଛି । ଏଥର ପ୍ରତିଦିନ ସଞ୍ଜବେଳେ ବୁଲିଆସିବା ଏଠାକୁ । କ’ଣ କହୁଛୁ ?’’ପ୍ରଶ୍ନିଳ ଆଖରେ ଚାହିଁଲା ସତୀକୁ । ‘‘ମୁଁ କ’ଣ ମନା କରୁଛି କି ଦେଈ !’’ ସତୀର କଥା ଅଧାରେ ରହିଗଲା । ସ୍ନେହମିଶା ରାଗ ମୁହଁରେ ଫୁଟେଇ ତିଆରିଲା ଭଙ୍ଗୀରେ ସରଳା କହିଲା, ‘‘ଏଥର ମତେ ଆଉ ଦେଈ ଦେଈ ବୋଲି ଡାକିବୁନି । ବଡ଼ ଖରାପ ଶୁଭୁଚି । ଆଉ ଡାକିଲେ ମୁଁ ରାଣୀମା’ଙ୍କ ଉଆସକୁ ପଠେଇଦେବି । ଦେଈ ବୋଲି ନ ଡାକି ମୋ ନାଁ ଧରି ଡାକିଲେ କ୍ଷତିଟା କ’ଣ ହେଇଯିବ ଶୁଣେ ?’’

 

‘‘କି କଥା କହିଲ ? ମୁଁ ପୁଣି ତୁମର ନାଁ ଧରି ଡାକିବି ? ଯେତେହେଲେ ଚାକର ଲୋକ ମୁଁ । ତୁମର ପାଦତଳକୁ କୋଉ ଗୁଣରେ ସରିହେବି କହିଲ ? ହଁ, ମୋ ନାଁରେ ମିଛ କହି ମତେ ରାଣୀମା’ଙ୍କ ଉଆସକୁ ପଠେଇଦେଲେ ତୁମ ମନର କ’ଣ ଦୁଃଖ ହେବନି, କହିଲ ?’’

 

‘‘ସତେମ, ମୁଁ ଆଜିଠାରୁ ତତେ ଆଉ ସତୀ ବୋଲି ଡାକିବିନି । ଅପା ବୋଲି ଡାକିବି । ମୋ ଠାରୁ ତ ତୁ ବୟସରେ ବଡ଼, ବୁଦ୍ଧିରେ ବି ବଡ଼ । ଏଠି ତୁ ଯେମିତି ଚାକରାଣୀ, ମୁଁ ବି ଠିକ୍‍ ସେମିତି । ସେଇ ଖାଇବା, ପିନ୍ଧିବା ଗଣ୍ଡାକ ପାଇଁ ଏତେ କଥା ତୋ କଥା, ତୋର ଘର କଥା ସବୁ ମଉସାଙ୍କଠାରୁ ଶୁଣିଛି । ଯିଏ ଯାହା କହୁ ପଛକେ, ମୁଁ ତତେ ନିଶ୍ଚୟ ଅପା ବୋଲି ଡାକିବି । ଡାକିଲେ ପାପ ହେଇଯିବନି ମ ! ବରଂ ତୁ ମତେ ଦେଈ ଦେଈ ବୋଲି ଡାକିଲେ ମୋରି ପାପ ହେବ ।’’

 

ସତୀ ମୁହଁକୁ ଚାହିଁଲା ସରଳା । ସତୀର ମଖି ସଜଳ ହେଇଉଠିଲା । ସ୍ନେହ ଦେଇ ଯିଏ ସ୍ନେହ ଟିକିଏ ପାଇ ନପାରେ, ତା ପକ୍ଷରେ ଏଇ ଟିକକ ମମତା ଯେ କେତେ ବଡ଼, ସେ କଥା ଅନୁଭବୀ ହିଁ ଜାଣିପାରେ । ସତୀର ଆଖିରୁ ଝରିପଡ଼ିଲା କେତୋଟି ଅଶ୍ରୁବିନ୍ଦୁ । ପରକ୍ଷଣରେ ଆଖି ପୋଛି ଦେଇ କହିଲା, ‘‘ଆଜି–ପର୍ଯ୍ୟନ୍ତ ଏଇ ଉଆସରେ ରହିଆସିଛି ଦଶବରଷ ବୟସ କାଳରୁ । କାହାଠାରୁ ଆହା ପଦିଏ ଶୁଣିନି, ବରଂ ପାଇଛି ଅପମାନ, ଘୃଣା, ମାଡ଼, ଗାଳି । ମା ଛାଡ଼ି ଦେଇ ଯାଇଛି ଏଠି ସୁଖ ପାଇବି ବୋଲି, ଖାଇବି ପିନ୍ଧିବି ବୋଲି ।’’ କିଛି ସମୟ ନୀରବରେ ବିତିଗଲା ପରେ ପୁଣି ସତୀ କହିଲା, ‘‘ତୁମର ଏ ଚାକରାଣୀଟା ପ୍ରତି ଯେ ଏତେ ଦୟା ହେଉଛି, ସେତିକି ମୋର ଜୀବନରେ ଯଥେଷ୍ଟ । ହତଭାଗିନୀ ଜୀବନରେ ତୁମଠାରୁ ପାଇଛି ଟିକିଏ ମମତା ଯାହା କି ମୋର ଆଶାର ବାହାରେ; ସେଇ ମୋର ଭାଗ୍ୟ, ସେଇ ମୋର ଜୀବନରେ ଅମୂଲ୍ୟ ।’’

 

‘‘ତୁ ଜାଣୁ ମୁଁ ଯାହା କହେ ସେଇୟା କରେ । ତୋରି ପରି ମୋର ମଧ୍ୟ ଆଉ କେହି ନାହାନ୍ତି, ଏକମାତ୍ର ଗୋଟିଏ ଭାଇ ବ୍ୟତୀତ । ସେ ତ ପାଠ ପଢ଼ୁଛି । ତା’ର ଏତେ ଚିନ୍ତା କାହିଁ ? ଆଉ ଦାଦା ଖୁଡ଼ୀ–ରକ୍ତର ହେଲେ ବି ପର । ତୋରି ପରି ବାପାବୋଉଙ୍କୁ ହରେଇ ମୁଁ ବି ନିରିମାଖୀ-। ତୋରି ପରି ମୁଁ ବି ଚାହେଁ ସ୍ନେହ, ମମତା, ଶ୍ରଦ୍ଧା–ସବୁ କିଛି । ମୋର ବଡ଼ଭଉଣୀ ନାହିଁ-। ଥିଲେ ବି ଏତେ ଦୁଃଖ ମତେ ଲାଗନ୍ତାନି । ପରସ୍ପରର ଦୁଃଖରେ ଦୁହେଁ ସମଦୁଃଖୀ ହେଉଥାଆନ୍ତୁ-। ଦୁଃଖଟା ନଗଲେ ବି ମନ ଅନ୍ତତଃ ଟିକିଏ ଲାଘବ ହେଇପାରନ୍ତା । ମନାକରେନା, ତତେ ମୁଁ ମୋର ବଡ଼ଭଉଣୀର ଆସନ ଦେବି । ତୁ କେବଳ ମୋର ଭଉଣୀ ହେବାର ଯୋଗ୍ୟ । ଜାଣୁଚି, ପ୍ରଥମେ ପ୍ରଥମେ ଉଆସରେ ସାମାନ୍ୟ ଚାଞ୍ଚଲ୍ୟ ସୃଷ୍ଟି ହେବ, କିନ୍ତୁ ବେଶି କ୍ଷଣ ତାହା ରହିବନି-। ଆପେ ଆପେ ଲୀନ ହୋଇଯିବ ସବୁରି ମନ ଭିତରେ । ମୋର ମନକଥା ତୋ ଆଗରେ କହିଲି, ଏଣିକି ତୋର ଇଚ୍ଛା । ମୁଁ କିନ୍ତୁ ବଡ଼ ଦୁଃଖିତ ହେବି ଯଦି ମତେ ପୁଣି ଦେଈ ବୋଲି ଡାକୁ ।’’

 

‘‘ନା ନା ସରଳା, ତୋରି କଥା ହେଉ । ମୁଁ ତୋର ଏତେ ବଡ଼ ଆଶା ଭାଙ୍ଗିଦେଇ ପାରିବିନି । ଯେତେହେଲେ ମୁଁ ମୂର୍ଖ, ଚାକରାଣୀ । ଏତେ କଥା ବୁଝେନା । ତୋରିପରି ଭଉଣୀଟିଏ ପାଇ ଯେ ମୁଁ କି ସୁଖୀ ସେ କଥା ଅନ୍ତର୍ଯାମୀ କେବଳ ଜାଣନ୍ତି । ମୋର କେବଳ ଡର ଏଇ ଉଆସର ଖଳଲୋକଗୁଡ଼ାଙ୍କୁ । ପିଲାଟିଦିନୁ ଏଠି ବଢ଼ି ଆସିଛି, ସେମାନଙ୍କ ଗୁଣ କ’ଣ ଜାଣିନି ? କାହାରି ଭଲ ସହିପାରିବେନି, ଦେଖିପାରିବେନି, ତାକୁ ଦୁଃଖ ଦେଲା ପର୍ଯ୍ୟନ୍ତ ତା’ର ପିଛାରେ ଲାଗିଥିବେ ।’’

 

‘‘ବୁଝିଲି, ଏଇଥିପାଇଁ ଏତେ ଡର ? ସେତେବେଳର ଉଆସ ଆଉ ଆଜିକାର ଉଆସ ଭିତରେ କେତେ ତଫାତ୍‍ଦେଖିପାରୁଛୁ ? ମଉସା ଅଛନ୍ତି, ମୁଁ ଅଛି, ତୋର ଦୁଃଖ କ’ଣ ? ମୁଁ ଆଜି ମଉସାଙ୍କୁ ସାଙ୍ଗେ ସାଙ୍ଗେ ଯାଇ ଏସବୁ କଥା କହିଦେବି । ଦେଖିବୁ ମଉସା କି ଖୁସି ହେବେ । ସେଦିନ ମତେ କହୁଥିଲେ ପରା–‘‘ସତୀଟିର ଭାଗ୍ୟ ମନ୍ଦ, ନଇଲେ କେଉଁ ରାଜରାଣୀ ତା ସାଙ୍ଗରେ ସମସରି ହେବେ ?’’

 

ଲାଜ ପାଇଲା ସତୀ । ଶୁଣୁ ଶୁଣୁ ଆଖିରୁ ତା’ର ଝରିପଡ଼ିଲା ଦିଟୋପା ଲୁହ । ମନର ସମସ୍ତ ଅଭୀଷ୍ଟ କାମନା ପଥର ମୂର୍ତ୍ତିଙ୍କ ଚରଣତଳେ ଅଜାଡ଼ି ଦେଲା ମନେ ମନେ ।

 

ପାଖ ବେତବୁଦା ମୂଳରୁ ବିଲୁଆଟିଏ ରଡ଼ିଛାଡ଼ିଲା ହୁକେ–ହୋ ହୁକେ–ହୋ । ଦୁହେଁ ଚମକି ସେଇ ଆଡ଼କୁ ଚାହିଁଲେ । ସେଇ ବୁଦାମୂଳରୁ ଘୋଟିଆସୁଛି ଅନ୍ଧକାର । ଆଖିପିଛଡ଼ାକେ ସାରା ବନଭୂଇଁ ଥରହର ହେଇ ଉଠିବ ଅନ୍ଧକାରର ଆଗମନରେ । ହିଂସ୍ରଜନ୍ତୁ ରାତିରେ ଖେଦିବୁଲିବେ ବନସାରା ।

 

ପଶ୍ଚିମାକାଶରେ ଡୁବିଗଲେଣି ରବି । କେବଳ ପୃଥିବୀକୁ ପୁଣି ଫେରି ଆସିବାକୁ ଆଶ୍ୱାସନା ଦେଇ ଅସ୍ତ ହେବା ପଛେ ପଛେ ବୁଣି ଯାଇଛନ୍ତି କେତେ ମୁଠା ଲାଲ ଅବିର । ସଂଧ୍ୟା ହେଇଆସିଲାଣି, କାହାରି ନଜର ନାହିଁ ସେଥିପ୍ରତି । ପରସ୍ପରର ଭାବନାରେ ଦୁହେଁ ବୁଡ଼ିରହିଥିଲେ । ସତୀ ଚମକିପଡ଼ିଲା । ଅନ୍ଧାର ଘୋଟି ଆସିଲାଣି । ଏ ଦୁର୍ଗମ ପଥ ଆଉ ଦେଖାଯିବନି ଅନ୍ଧକାର ଭିତରେ । ସେ ଚଞ୍ଚଳ ହୋଇ ଠିଆହେଇଗଲା । ହାତମୁଠାରୁ ଖସିଗଲା ପଣତଟା । ବଣମଲ୍ଲୀଫୁଲଗୁଡ଼ାକ ବୁଣିହେଇଗଲା ପାଦପାଖରେ । ତା’ର ସୌରଭ ଖେଳିଗଲା ଚତୁର୍ଦ୍ଦିଗରେ । ସରଳା ନାକରେ ବାଜିଲା ତା’ର ମହକ । ମୁହଁ ବୁଲେଇ ଦେଖିଲା ସତୀ ଆହା–ହା ଚୁ ଚୁ କରି ଫୁଲଗୁଡ଼ାକ ପୁଣି ସାଉଁଟି ପାଉଁଟି ପଣତ କାନିରେ ବାନ୍ଧିରଖୁଛି ।

 

‘‘ଏତେ ଫୁଲ କେଉଁଠାରୁ ତୋଳିଲୁ ମ, ମତେ ଲୁଚେଇ ରଖିଥିଲୁ ?’’ ‘‘ତୋରି ପାଇଁ ତ ତୋଳିଛି, ତତେ ଲୁଚେଇବିନି ତ ଆଉ ଲୁଚେଇବି କାହାକୁ ?’’ ସରଳାର ହାତ ଧରି ଭିଡ଼ିଲା ସତୀ–‘‘ଆସେ ଚଞ୍ଚଳ ଚାଲିଯିବା ଏଠୁ । ବଣଜାଗାଟା, ସଂଧ୍ୟା ହେଇଆସୁଛି । କେଉଁଠୁ ଯଦି ବଣଜନ୍ତୁଟାଏ ବାହାରିପଡ଼ିବ, ତେବେ ମଜା ବାହାରି ଯିବ । ତେଣେ ପୁଣି ବୁଢ଼ାବାବୁ ଆମକୁ ନ ଦେଖି ବ୍ୟସ୍ତ ହେବେଣି ।’’

 

ସରଳାର ଯିବାକୁ ଇଚ୍ଛା ନଥିଲା ଏପରି ଶାନ୍ତ ନିର୍ମଳ ପରିବେଷ୍ଟନୀକୁ ଛାଡ଼ି । ‘‘ପ୍ରକୃତିର ଶାନ୍ତ ରୂପ ସିନା ଦେଖିଛୁ ସରଳା, ତା’ର ରଣତାଣ୍ଡବ ମୂର୍ତ୍ତି ଦେଖିନୁ କେବେ, ଜାଣିନୁ କେବେ । ଆସେ, ଚଞ୍ଚଳ ଚାଲିଯିବା ଏଠୁ । ଏତିକି ଜାଣିଥା, ଯେ ଯେତିକି ଶାନ୍ତ ଓ କୋମଳ, ଯିଏ ସେତିକି ଉଗ୍ର ଆଉ ଭୟଙ୍କର । ପ୍ରକୃତିର ଶାନ୍ତରୂପ ସିନା ଦେଖିଛୁ, କିନ୍ତୁ ରାତିରେ ଏଇ ବନଭୂଇଁର ଭୟଙ୍କର ରୂପ ଦେଖିନୁ । ଚାଲିଆସେ ଏଥର, ବିଳମ୍ୱ କଲେ ବିପଦ ।’’ ସତୀର କଥା ଶୁଣି ସରଳା ତା’ର ହାତ ଧରିଲା । ଝରଣାର ଧାରେ ଧାରେ ଆଗପଛ ହେଇ ଦୁହେଁ ଚାଲିଲେ ଆଗକୁ । ରାଜପ୍ରାସାଦର ବିରାଟ ପାଚେରି ଦେଖାଯାଉଛି ପରିଷ୍କାର ରୂପେ । ବହଳ ଅନ୍ଧକାର ଘୋଟି ଆସୁଛି ବଣଭୂଇଁର ପ୍ରତି ଲତା, ବୃକ୍ଷ, ବୁଦା ଅନ୍ତରାଳରୁ । ଏଇଲାଗେ ସେଇ ବହଳ ଅନ୍ଧକାରରେ ମିଶିଯିବ ଏଡ଼େ ବଡ଼ ପ୍ରାସାଦଟା । ସରଳା ବି ଏତିକି ଟିକିଏ ଛୋଟିଆ ଦେହ ନେଇ ମିଶିଯିବ ସେଇ ପ୍ରାସାଦର କେଉଁ କୋଠରିରେ । ତା’ପରେ ପୃଥିବୀରେ ରାଜୁତି କରିବ ଘନ ଅନ୍ଧକାର ।

 

ପ୍ରାସାଦର ପଶ୍ଚିମପାଖ କୋଠାର ପାଦଦେଶରେ ଛୋଟିଆ ବଗିଚାଟିଏ, କେବଳ ବିଭିନ୍ନ ରଙ୍ଗର ସୁଗନ୍ଧ ଗୋଲାପ ଗଛରେ ପୂର୍ଣ୍ଣ । ପାହାଡ଼ ଉପରୁ ସମତଳ ଭୂଇଁକୁ ବହିଆସିଛି ଝରଣାଟିଏ ସେଇ ବଗିଚା ଭିତର ଦେଇ । ଠିକ୍‍ ଝରଣାର ଧାରକୁ ଲାଗି ତିଆରିହେଇଛି ସିମେଣ୍ଟରେ ଛୋଟିଆ କୁଣ୍ଡଟିଏ । ଝରଣାର ପାଣି କୁଣ୍ଡ ଭିତରକୁ ଯାଉଛି ଏବଂ ନିଷ୍କାସନ ସକାଶେ ଛୋଟିଆ ପଥର ନଳାଟିଏ ତିଆରିହୋଇଛି କୁଣ୍ଡ ପାଖରୁ । ପୁଣି ଯାଇ ଝରଣାଟି ସହିତ ମିଶିଯାଇଛି କିଛି ଦୂରରେ । କୁଣ୍ଡଟିର ଚାରିପାଖ କଳା ପଥରରେ ବନ୍ଧାହୋଇଛି । ସେଇ କୁଣ୍ଡକୁ ଲାଗି ଚାରିପାଖରେ ଚାରୋଟି ଧଳା ମାର୍ବଲ ପଥରର ଚାରିଟି ବେଞ୍ଚ ବସିବାପାଇଁ ନିର୍ମିତ । କୁଣ୍ଡ ଭିତରେ ଦୁଇଟି ନାଲି କଇଁ ଚାହିଁରହିଛନ୍ତି ଆକାଶକୁ । ରାଜକୁମାରଙ୍କ ଅତି ପ୍ରିୟ ଏ ସ୍ଥାନଟି । ଯେତେବେଳେ ସେ ଉଆସକୁ ଆସନ୍ତି ସେ ଏଇ ବଗିଚାଟିରେ ନିଜର ସମୟ କଟେଇ ଦିଅନ୍ତି । ଗୋଲାପ ରାଜକୁମାରଙ୍କର ଅତି ପ୍ରିୟବସ୍ତୁ । ସେଇଥିପାଇଁ ନରହରିବାବୁ ବଗିଚାଟିର ବିଶେଷ ଯତ୍ନ ନିଅନ୍ତି ।

 

ପଶ୍ଚିମାକାଶରେ ଅସ୍ତ ରବିର ପାଟଳିମା ନିଭି ନିଭି ଆସିଲାଣି । ଆକାଶ ବକ୍ଷରେ ଶୋଭା ପାଇଲେଣି କେତୋଟି ଉଜ୍ୱଳ ତାରକା । ପୂର୍ବାକାଶରୁ ଲାଲହୋଇ ଉଇଁ ଆସୁଛି ଥାଳିପଟ ପରି ପୂନେଇ ଜହ୍ନ । କେତେ ପାହାଡ଼ ପର୍ବତ ଡେଇଁ ସୁଲୁ ସୁଲୁ ବହି ଆସୁଛି ଦକ୍ଷିଣା ପବନ । ପାହାଡ଼ ଉପରେ କେଉଁ ନିଭୃତ ବୃକ୍ଷ ଅନ୍ତରାଳରେ ବସି କୋଇଲିଟିଏ ଭସେଇଦେଇଛି ତା’ର ସଙ୍ଗୀତ ପବନରେ । ପାହାଡ଼ ଉପରେ ସାଥୀହରା ହରିଣୀର କରୁଣ ବିରହୀ ସ୍ୱର ବନର ନୀରବତାକୁ ପ୍ରତିଧ୍ୱନିତ କରି ତୋଳୁଛି । ସାମନାକୁ ଚାହିଁଲେ ଦେଖାଯାଉଛି ପ୍ରକୃତିର ଅସରନ୍ତି ସୌନ୍ଦର୍ଯ୍ୟର ଭଣ୍ଡାର । ନୀଳ ଆକାଶ ସହିତ ମିଶିଯାଇଛି ନୀଳ ବନାନୀ । ଆଉ ଏ ପାଖକୁ ଚାହିଁଲେ ଦେଖାଯାଉଛି ମଣିଷ ହାତର ଗଢ଼ା ବିରାଟ ରାଜପ୍ରାସାଦ । ଧୋବ ଫର୍‍ଫର୍‍ ଡାହାଣୀ ପରି ବିରାଟ କାୟା ଧରି ଆକାଶକୁ ମଥାଟେକି ନିର୍ଭୀକଭାବେ ଠିଆହେଇଛି କେବଠାରୁ । ଆଶ୍ଚର୍ଯ୍ୟ ହେଲା ସରଳା–କେଉଁ ଯୁଗରୁ ଅବା କେଉଁ ପୁରୁଷରୁ ଏଇ ପ୍ରାସାଦ ତିଆରି ହେଇଛି ଏଠି । ଠିକ୍‍ପାହାଡ଼ ତଳେ ଏତେ ବଡ଼ ରାପ୍ରାସାଦ କାହିଁକି ? ଆଉ କ’ଣ ସୁନ୍ଦର ଜାଗା ମିଳିଲାନି ? ସେ କଥା କିଏ କହିପାରିବ ? ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ, ଅଥବା କେଉଁ ରାଜାଙ୍କର ଏଇ ସୁନ୍ଦର ନୀଳ ବନାନୀ ସହିତ ଘନିଷ୍ଠତା ବଢ଼େଇବା ସକାଶେ ଏ ରାଜପ୍ରାସାଦ ତିଆରିହୋଇଥିଲା । ସେ କଥା କିଏ କହିପାରିବ ? ଯେ କେହି ତିଆରି କରନ୍ତୁ ନା କାହିଁକି, ସରଳା କିନ୍ତୁ ତାଙ୍କୁ ଯଥେଷ୍ଟ ପ୍ରଶଂସା ନକରି ରହିପାରୁନି ।

 

ରାଜପ୍ରାସାଦରେ ଆଜି ଗୋଟିଏ ପର୍ବର ଦିନ । ଅଧିଷ୍ଠାତ୍ରୀ ଦେବୀ କନକଦୁର୍ଗାଙ୍କ ମନ୍ଦିର ଆଡ଼ୁ ଶୁଭୁଛି ଘଣ୍ଟାମର୍ଦ୍ଦଳର ଧ୍ୱନି । ସନ୍ଧ୍ୟା ଆରତି ହେଉଛି । ପ୍ରତିଦିନ ସରଳା ଦର୍ଶନ କରିବାକୁ ଯାଏ, ଏଇଟା ତା’ର ନିତିଦିନିଆ କାମ ସହିତ ସଂଯୁକ୍ତ । ଆଜି କିନ୍ତୁ ଯାଇନି । ମନଟା କାହିଁକି ଆନମନା ହେଇଉଠୁଛି । ସତୀକୁ ଫୁଲହାର ଦେଇ ପଠେଇଦେଇଛି, ଆଉ ନିଜେ ଆସି ବସିଛି ସେଇ ଗୋଲାପଗଛପୂର୍ଣ୍ଣ ବଗିଚାଟିର କୁଣ୍ଡ ପାଖରେ ଗୋଟିଏ ବେଞ୍ଚ ଉପରେ । ରୁପେଲି ଚାନ୍ଦର ଶୀତଳ ଜ୍ୟୋତ୍ସ୍ନାର ଜୁଆର ଛୁଟିଛି । ପାଦ ପାଖର କୁଣ୍ଡଟି ଝିଲିମିଲି ହେଇ ନାଚିଉଠୁଛି । ଧ୍ୟାନମଗ୍ନା ଋଷିକୁମାରୀ ପରି ନାଲି କଇଁ ଦୁଇଟି ହଲି ହଲି ଚାହିଁ ରହିଚନ୍ତି ଆକାଶକୁ । ଚାନ୍ଦକୁ ଅଭିନନ୍ଦନ କରୁଛନ୍ତି ସେମାନେ । ସତୀ ପାଖରେ ନାହିଁ । ମୁଣ୍ଡ ଭିତରେ ପୁରୁଣା ଦିନର ଅନୁଭୂତିଗୁଡ଼ାକ ମୁଣ୍ଡଟେକି ଠିଆହେଉଛନ୍ତି । ଆଖି ଆଗରେ ନାଚିଯାଉଛନ୍ତି ସେଇ ଘର, ସେଇ ବଗିଚା ଆଉ ତାହାରି ଭିତରର ବାସିନ୍ଦା କେତେଗୁଡ଼ିଏ ଆତ୍ମୀୟଙ୍କର ଜୀବନ୍ତ ପ୍ରତିମୂର୍ତ୍ତି ।

 

ସେଇ ଘର, ସେଇ ଦୁଆର ହସିଉଠୁଥିଲା ଯେତେବେଳେ ସେ ଥିଲା ପିଲା, ଥିଲେ ତା’ର ବାପା ଆଉ ମା । ସେମାନଙ୍କ ପରେ ପରେ ସବୁ ସୁଖ, ସୌଭାଗ୍ୟ ଯାଇଛି । ଆଜି ସେ ପର ଦୁଆରେ ଚାକରାଣୀ । କାହା ପାଇଁ ? କାହାରି ପାଇଁ ନୁହେଁ, କେବଳ ନିଜ ପାଇଁ । ଛାତି କୋରିହେଇ ଦେହ ମନକୁ ହାଲୁକା କରି ବାହାରି ଆସିଲା ଗରମ ପବନ । ଅବୁଝା ମନଟା କେତେବେଳେ ହେଲେ ବୁଝୁନି । ସେଇ ଅତୀତ ଦିନର ଗୋଟିଏ ଗୋଟିଏ ସ୍ମୃତି ମନକୁ ଆସୁଛି । ଭୁଲିପାରୁନି ଯେତେ ଚେଷ୍ଟା କଲେ ବି । ଆଖିରେ ଅଶ୍ରୁର ସଞ୍ଚାର ହେଲା ।

 

ଆକାଶକୁ ଚାହିଁଲା ସରଳା । ଆକାଶ ଅଙ୍ଗନରେ ଅଗଣିତ ତାରକା ଗହଣରେ ଶୋଭାପାଉଛନ୍ତି ପୂର୍ଣ୍ଣଚନ୍ଦ୍ର–ଚଇତି ପୂନେଇ ଚାନ୍ଦ । ମନଟା ତତ୍‍କ୍ଷଣାତ୍‍ ଘୂରିଗଲା ଅତୀତକୁ । ତା ଜୀବନରେ କେତୋଟି ପୂନେଇ ବିତି ଯାଇଛି । ସବୁ ସେ କ’ଣ ଜାଣି ପାରିଛି ? ଯେତୋଟି ଜାଣିପାରିଛି ସବୁଠାରୁ ବେଶି ମର୍ମନ୍ତୁଦ, ବେଶି ହୃଦୟ–ବିଦାରକ ହେଉଛି ଗଲାବର୍ଷ ପୂନେଇଁଟି । ତା ଜୀବନରେ ନୂତନ ଅଧ୍ୟାୟର ସୂତ୍ରପାତ ହୋଇଥିଲା କେବଳ ଖୁଡ଼ୀଙ୍କ ଯୋଗୁ । ଆଖି ଆଗରେ ନାଚିଯାଉଛି । ବର୍ଷେ ହେଇଗଲାଣି; କିନ୍ତୁ ହେଇଟି କାଲି ପରି ଲାଗୁଛି । ଦୁଇ ବର୍ଷ କି ତିନି ବର୍ଷ ଖଣ୍ଡେ ଗାଁରେ ରହିଥିଲା ସେ, କିନ୍ତୁ ମିନିଟିକ ପାଇଁ ସୁଦ୍ଧା ଖୁଡ଼ୀଙ୍କଠାରୁ ଭଲ ବ୍ୟବହାର ପାଇନି କିମ୍ୱା ଭଲ କଥା ପଦେ ଶୁଣିନି । ତାହା କିନ୍ତୁ ସମ୍ଭବ ହେଇପାରିଥିଲା ଗଲାବର୍ଷ ପୂନେଇ ଦିନ ।

 

ସନ୍ଧ୍ୟା ହେଇଆସିଥିଲା । ସରଳା ଦିନସାରା କାମ କରି ଥକିପଡ଼ିଥିଲା । ଖୁଡ଼ୀ ଆଦର କରି ପାଖକୁ ଡାକି ମୁଣ୍ଡ ତା’ର କୁଣ୍ଡେଇଦେଇଥିଲେ । ବାକ୍ସରୁ ବାହାର କରି ତାରି ଶାଢ଼ି ତାକୁ ପିନ୍ଧିବାକୁ ଦେଇଥିଲେ । କେତେ ଶାଢ଼ି ତା’ର ଥିଲା, ଗାଁକୁ ଆସିବା ପରେ ଖୁଡ଼ୀ କିନ୍ତୁ ଗୋଟିକ ପରେ ଗୋଟିଏ କରି ଶାଢ଼ି ନେଇ ନିଜ ବାକ୍ସରେ ରଖିଦିଅନ୍ତି । ସରଳା ମାଗିପାରେନା, ଖୁଡ଼ୀ ବି ଦିଅନ୍ତିନି । କେତେ ଦୁଃଖ ପାଏ ସରଳା, ସେ କଥା ବୁଝେ କିଏ ? ସେଦିନ କିନ୍ତୁ ତାକୁ ଶାଢ଼ି ଖଣ୍ଡେ ପିନ୍ଧିବାକୁ ଦେଇଥିଲେ । ସରଳା ଜାଣିପାରିନଥିଲା କାହିଁକି ? ପରେ ଜାଣିପାରିଲା ଏତେ ସ୍ନେହ–ଶ୍ରଦ୍ଧାର କାରଣ କ’ଣ ।

 

କଟକରୁ ଆସିବା ଦିନଠାରୁ କେଉଁ ଦିନ ହେଲେ ଖୁଡ଼ୀଙ୍କ ମୁହଁରୁ ପଦିଏ ଭଲଭାବରେ କଥା ଶୁଣିନି । ଘରର ପ୍ରତ୍ୟେକ କାମ କରେ । ପ୍ରଥମେ ଏତେ କାମ କରିବାକୁ ସରଳା ବଡ଼ ଅସୁବିଧା ମନେକରୁଥିଲା । ଗୁହାଳପୋଛାଠାରୁ ଆରମ୍ଭ କରି ରୋଷେଇ, ବାସନମଜା ଘରର ସବୁ କାମ କରୁଥିଲା ସେ । ପ୍ରଥମେ ପ୍ରଥମେ ମନ ଧାଇଁଯାଉଥିଲା କଟକ ଫେରିଯିବାକୁ; କିନ୍ତୁ କଟକରେ କିଏ ତା’ର ଅଛି ? ଏଇ ତା’ର ଘର, ଏଇ ତା’ର ସବୁ । ଆଉ ଯିବ କେଉଁଠିକୁ ? ବାପା ମା ଅଛନ୍ତି ଯେ ତା’ର ମନସାଧ ପୂରଣ କରିବେ ? ମନକୁ ସେଇ କାମ ଭିତରେ ବୁଡ଼େଇରଖି ଭୁଲିଯିବାକୁ ଚାହିଁଛି ଅତୀତକୁ । ଏଇ ଘର, ଏଇ ଜିନିଷ । ମା’ର କେତୋଟି ବର୍ଷ ଏଠି କଟିଯାଇଛି-। ପ୍ରତି ଜିନିଷରେ ମା’ର ହାତ ବାଜିଛି । କାମ କଲାବେଳେ ମା’ କଥା ମନେପଡ଼ିଛି-। ମା ପାଇଁ କାନ୍ଦିଛି, କେତେ ଲୁହ ଗଡ଼େଇଛି । ସେଇ କାମ ଭିତରେ ମା’ର ପରଶ ପାଇଛି ସେ-। ଖୁଡ଼ୀଙ୍କର ଅସହ୍ୟ ଗାଳିମାଡ଼ ବି ସହିଛି । ଏବେ ବି କାନରେ ଶୁଣିପାରୁଛି ସେ କଟୁକଥା । ମନରେ ତାଙ୍କର ଦୟାମାୟା କିଛି ନାହିଁ । ପାଠୋଇ ଝିଅ ସରଳା । ସହରର ପାଣିପବନରେ ଚଳିଆସିଛି-। ଏତେ କାମ କରି, ଗାଳି ମାଡ଼ ଖାଇ ସୁଦ୍ଧା କେଉଁଦିନ ହେଲେ ଖୁଡ଼ୀଙ୍କ ବିରୁଦ୍ଧରେ ତା’ର ମନ ବିଦ୍ରୋହ କରିନି । ଇଚ୍ଛା କରିଥିଲେ ସେ ଖୁଡ଼ୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇପାରିଥାନ୍ତା । କିନ୍ତୁ ନିଜର ଅବସ୍ଥା, ପରିସ୍ଥିତିକୁ ବିଚାରି ସମସ୍ତ ଯନ୍ତ୍ରଣା ସହିନେଇଛି । ଏଠୁ ଚାଲିଯିବାକୁ ତା’ର ମନ ଧାଇଁ ବୁଲିଛି । ସେଇଥିପାଇଁ ସେ କେତେଆଡ଼େ କେତେ ଦରଖାସ୍ତ କରିଛି । କିନ୍ତୁ କୌଣସିଠାରୁ କିଛି ଉତ୍ତର ପାଇନି । ଶେଷରେ ଏଇଠି ପାଇଛି ଆଶ୍ରା ।

 

‘‘ହଇଲୋ ଏ ପାଠୋଇ ଝିଅ, ଏତେ ପାଠ ପଢ଼ିଛୁ, ଚାକିରି ବାକିରି କରୁନୁ ? ଏଠି କ’ଣ ପୋଲା ଭାତ ଥୁଆହେଇଛି ତିନି ଓଳି ତିନି କଂସା ଗେଫିବାକୁ ? ବାପ କି ଗୋସେଇଁବାପ ହେଲେ ରଖିଯାଇଥାନ୍ତେ ! କେତେ ମନା କଲି ମୁଁ ଅନିବାପାଙ୍କୁ, ସେ କ’ଣ ଶୁଣିଲେ ? କଟକ ଯାଇ ନେଇଆସିଲେ, ଏବେ ସମ୍ଭାଳନ୍ତୁ ।’’ ଏମିତି କେତେ କହନ୍ତି ତା’ର ଖୁଡ଼ୀ ସରଳା କାନରେ ହାତ ଦେଇ, ଆଖି ବନ୍ଦକରି ରହେ । ଆଖିରୁ ତା’ର ବହିଚାଲେ ଅଶ୍ରୁଧାର । ଭାବେ–ଝିଅ କିଏ, ଝିଆରୀ କିଏ ? ଅତି କ’ଣ ତାଙ୍କର ଝିଅ, ସେ କ’ଣ ତାଙ୍କର ଝିଅ ନୁହେଁ ? କହିବ କାହାକୁ ? ଯେଉଁମାନେ ତା’ର ଦୁଃଖ ବୁଝନ୍ତେ, ଯେଉଁମାନେ ତା’ର ଭଲମନ୍ଦ ଦେଖନ୍ତେ, ସେମାନେ ତ ଯାଇ ସେ ପୁରରେ । ଆଉ କାହିଁକି, କାହା ଉପରେ ରାଗ କରିବ ସେ ? କାହା ଉପରେ ମାନ ଅଭିମାନ ମାରିବ ?

 

ଦାଦା କିନ୍ତୁ ତାକୁ ଖୁବ୍‍ ଭଲପାଆନ୍ତି । ଖୁଡ଼ୀଙ୍କର କଟୁକଥା, ଭର୍ତ୍ସନା ଶୁଣନ୍ତି । ମୁହଁ ଉପରେ କିଛି କୁହନ୍ତିନି । କହିଲେ ଖୁଡ଼ୀ ଛୋଟ ଚଷାଭୂଷା ଘରର ସ୍ତ୍ରୀଙ୍କପରି ଦଉଡ଼ିଦେବି, କୂଅକୁ ଡେଇଁପଡ଼ିବି, ବିଷ ଖାଇଦେବି ଇତ୍ୟାଦି କହି ପାଟିରେ ଘର ଫଟେଇବେ । ସମ୍ପତ୍ତି ସିନା ନାହିଁ, ଘରର ମାନ ତ ଅଛି ! ଘରର କଥା ଦାଣ୍ଡରେ ପଡ଼ିବ ଏକଥା ସେ ସହିପାରିବେନି । ଲୋକେ କହିବେ କ’ଣ ? ସେଇଥିପାଇଁ କେବଳ ଖାଇବା ସମୟ ଟିକକ ଛାଡ଼ିଦେଲେ ସେ ସବୁବେଳେ ବାହାରେ ରହନ୍ତି । ସରଳାକୁ ଏକୁଟିଆ ଦେଖିଲେ ତାଙ୍କ ଆଖିରେ ଲୁହ ଆସେ । ତାହା ସରଳାର ଆଖିକି ଏଡ଼େଇ ପାରେନା । କୁହନ୍ତି, ‘‘ଏ ଘରର ଯେ ଯୁଆଡ଼େ ଗଲେ, ମୁଁ କେବଳ ବଞ୍ଚିରହିଛି ତୋର ଏ କଷ୍ଟ ଦେଖିବାକୁ । ଖୁଡ଼ୀ ତୋର ମଣିଷ ନୁହେଁ ଲୋ ମା, ରାକ୍ଷସୀଟେ । ଏ ଘରର କେହି ଏମିତି ନଥିଲେ । ସେ ଏ ଘରକୁ ଯୋଗ୍ୟ ନୁହେଁ ଲୋ ମା, ଯୋଗ୍ୟ ନୁହେଁ ।’’ କପାଳରେ ହାତ ମାରନ୍ତି ଦାଦା । ଦାଦାଙ୍କର ଦୁଃଖ ଅନୁଭବ କରେ ସରଳା । ବେଦନାତୁର ମୁହଁରେ ହସ ଫୁଟେଇ କହେ, ‘‘ଖୁଡ଼ୀ ମୋର ଗୁରୁଜନ । ସେ ଯଦି ଭଲରେ ମନ୍ଦରେ ମତେ ଦୁଇ ଚାରିପଦ କହିବେନି ତେବେ ଆଉ କହିବ କିଏ ? ଆପଣ କାହିଁକି ଏତେ ଦୁଃଖ କରୁଛନ୍ତି ? ମୋର ଘର ଏ, ଏଠି ପୁଣି ଦୁଃଖ ଆସିବ କାହୁଁ ?’’ ‘‘ସତ କହୁଛୁ ମା ?’’ ସଜଳ ଆଖିରେ ସରଳାକୁ ଅନେଇ ରହନ୍ତି ଦାଦା । ଯେମିତି ସରଳାର କଥା ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି । କେବଳ ଏତିକି ତାଙ୍କର ମୁହଁରୁ ବାହାରିଆସେ, ‘ଭଗବାନ ବଡ଼ଲୋକ ଲୋ ମା, ଭଗବାନ ବଡ଼ଲୋକ ।’

 

ସରଳା ଦାଦାଙ୍କର ଦୁଃଖ ବୁଝେ । ଜୀବନରେ ତାଙ୍କର ଶାନ୍ତି ନାହିଁ । ଏତେ ବଡ଼ ସମ୍ପତ୍ତିର ମାଲିକ । ସେଇ ଦେହରେ ସେ ଭୋଗ କରିଛନ୍ତି କେତେ ସୁଖ, ମନରେ କେତେ ଆନନ୍ଦ । ଅଭାବ ବୋଲି କ’ଣ ଜାଣି ନାହାନ୍ତି ପିଲାଦିନୁ । ସେଇ ହାତରେ ଗଣିଛନ୍ତି ଶହ ଶହ, ହଜାର ହଜାର ଟଙ୍କା, ସେଇ ଆଖିରେ ଦେଖିଛନ୍ତି ସୁନା, ରୁପା, ଧାନ–କେତେ କ’ଣ । ସେଇ କାନରେ ଶୁଣିଛନ୍ତି ଘରର ପ୍ରଶଂସା; କିନ୍ତୁ ଆଜି ସେ ସବୁ କାହିଁ ? ସେଇ ଦେହରେ ଆଜି ତେଲ ଟିକିଏ ବାଜୁନି, ପାଟିରେ ମାଛ ଟିକିଏ ଲାଗୁନି, ହାତରେ ଟଙ୍କାଟିଏ ବି କେତେବେଳେ ଯୁଟୁନି । ଭାଗ୍ୟ କାହାକୁ କହନ୍ତି–ଲୋକେ ତାଙ୍କରି ଘରକୁ ଆଙ୍ଗୁଠି ଦେଖେଇ କହୁଛନ୍ତି । ସମସ୍ତ ସମ୍ପତ୍ତି ସରିଯାଇଛି, ଆଉ ଯାହା ସାମାନ୍ୟ କିଛି ଜମି ଅଛି ସେଥିରୁ ଆଦାୟ ଧାନରେ ପ୍ରାୟ ବର୍ଷଟି ଚଳିଯାଉଛନ୍ତି କଷ୍ଟେମଷ୍ଟେ-। ଯେଉଁ ହାତରେ ଘିଅ, ମାଛ, ଦୁଧ ଖାଉଥିଲେ, ସେଇ ହାତରେ ସାଦା ତରକାରି ଟିକିଏ ବି ଖାଇବାକୁ ମିଳୁନି । କମ୍‍ ଦୁଃଖ ଦାଦାଙ୍କ ପାଇଁ ! ମନ ତା’ର କାନ୍ଦିଉଠେ । କେତେ ଦୁଃଖୀ ତା’ର ଦାଦା । ଏତେ ଦୁଃଖରେ, ଏତେ କଷ୍ଟରେ ବି ତାଙ୍କର ଦେହର ରଙ୍ଗ ମଳିନ ପଡ଼ିନି-। ପଚାଶ ଉପରେ ବୟସ ହେଲେ ବି ଦେହରୁ ବଳ ଭାଙ୍ଗିନି ଦାଦାଙ୍କର । ଏତେ ତାକୁ କେତେ ଖୋଜୁଥିବେ-। ନିଜ ଦରମା ପଚାଶ ଟଙ୍କା ଭାଇ ପାଖକୁ ପଠେଇଦିଏ ସେ । ସେଇଥିରୁ କୋଡ଼ିଏଟା ଟଙ୍କା ଦାଦାଙ୍କ ପାଖକୁ ପଠେଇ ଦେବାକୁ ଲେଖେ ସରଳା–ଜିତ ପଠାଏ କି ନପଠାଏ ଜାଣିପାରେନି ସେ ।

ଦାଦାଙ୍କୁ ନକହି ଚାଲିଆସିଛି ସରଳା । ତା’ର କ’ଣ ଏଟା ଭୁଲ୍‍ ନୁହେଁ ? କହିଥିଲେ ଦାଦା କ’ଣ ତାକୁ କଦାପି ଛାଡ଼ିଦେଇ ଥାଆନ୍ତେ ? କହନ୍ତେ, ‘‘ଆମ ଘରର ଝିଅ ପର ଦୁଆରେ ଚାକିରି କରିବ ? ଛି, ଛି, ଲୋକ ନିନ୍ଦା କଥା ।’’ ସେଇ ଭୟରେ ସଚଳ କହିନି, କହିବାକୁ ମନ କରିନି । ତା’ ପାଇଁ ଦାଦା କେତେ ଅନୁତାପ କରୁଥିବେ ! ଏଣେ ଖୁଡ଼ୀ କହୁଥିବେ, ‘‘ଭଲ ହେଲା ମୋ କଥା ଶୁଣୁ ନଥିଲ; ଭାଇର ଝିଅ ବୋଲି ସ୍ନେହ ବଳିପଡ଼ୁଥିଲା । ଏବେ ଗାଲକେ ଚୂନ, ଗାଲକେ କାଳି ଦେଇ ଚାଲିଗଲା । ଠିକ୍‍ହେଇଛି, ତୁମକୁ ସେମିତି ଶିକ୍ଷା ଦରକାର ଆରେ ବାବା, ପାଠୋଇ ଝିଅ ସେ, କେତେ ଘାଟରେ ପାଣି ପିଇଥିବ । ଏଠି ସେ କୁଆଡ଼ୁ ରହିପାରିବ ? ଭଲହେଲା ମନକୁ ଆପେ ଚାଲିଗଲା, କଳଙ୍କ ଗଲା । ମୋର ଅନିର ଗଳଗ୍ରହ ହେଇ ଥିଲା । ଚାଲିଗଲା ଖୁବ୍‍ ଭଲ ହେଲା । ଏମିତି ଝିଅକୁ ଘରେ ରଖିଲେ ପାପ । ହେଇଥାଆନ୍ତା କି ମୋ ଝିଅ-!’’ ସବୁଦିନ ପରି ଏବେ ବି ସେଇ ଗୋଟିଏ କଥାକୁ ବୁଲେଇ ବଙ୍କେଇ ଦାଦାଙ୍କୁ କହୁଥିବେ । ଦାଦା କିନ୍ତୁ ତାକୁ ଖୋଜୁଥିବେ, ତା ପାଇଁ କାନ୍ଦୁଥିବେ । ଯେତେହେଲେ ଏକା ରକ୍ତ–ଆପଣା ରକ୍ତର ଭାଇର ଝିଅ–ଝିଆରୀ । ଭାଇଙ୍କ ପରେ ତା’ର ପିତାର ଆସନ ପାତି ବସିଥିଲେ, କିନ୍ତୁ କିଛି କରିପାରିଲେନି । ଏଇ ଦୁଃଖ ହିଁ ତାଙ୍କୁ ବେଶି ବାଧୁଥିବ, ବେଶି କଷ୍ଟ ଦେଉଥିବ ।

 

ଦିନେ ସଞ୍ଜବେଳେ ଦାଦା ଖୁଡ଼ୀଙ୍କୁ କହୁଥିଲେ, ‘‘କ’ଣ କରିବି କହିଲ ଅନିବୋଉ ? ଭାଇ ଚାଲିଗଲେ । ଏବେ ଜିତ ଆଉ ସଚିର ଆମେ ହେଲେ ମା ବାପ । ସମ୍ପତ୍ତି ତ ସବୁ ସରିଲା । ଭାଇ ଯାହା ଟଙ୍କା ରଖିଯାଇଥିଲେ ସେଥିରୁ ତ ଅଧାଅଧି ଖର୍ଚ୍ଚ ହେଇ ସାରିଲାଣି । ବାକିତକ ଜିତର ପଢ଼ାରେ ଖର୍ଚ୍ଚ ହେବ । ସେଇ ତ ଆମର ଗୋଟିଏ ବୋଲି ଆଖି । ସେ ଟଙ୍କାକୁ ଆଉ ଖର୍ଚ୍ଚ କରିବାନି । ଏବେ ସଚିକୁ ଆମର କୋଡ଼ିଏ ବର୍ଷ ହେଲାଣି । ଭାଇ କିମ୍ୱା ଭାଉଜବୋହୂ ଥିଲେ ସେ କ’ଣ ଆଜିପର୍ଯ୍ୟନ୍ତ ଘରେ ଥାଆନ୍ତା ? ଏବେ କେତେଆଡ଼େ କେତେ ପ୍ରସଙ୍ଗ ପକେଇଲି । କୌଣସି ଜାଗାରେ ଭଲ ପାତ୍ରଟିଏ ମିଳୁନି । ଯେଉଁଠୁ ବା ଆସୁଛି, ସେମାନେ କହୁଛନ୍ତି ୟା ଦିଅ, ତା’ ଦିଅ । ସେଥିକୁ ମୋର ବଳ କାହିଁ ? ସେମାନେ ଭାବୁଛନ୍ତି ଯେ ପୁରୁଣା ଘର, ନାଁ ଅଛି, ନିଶ୍ଚୟ ପୋତାଧନ କିଛି ଅଛି । ନମାଗିଲେ କିଛି ମିଳିବନି । କିନ୍ତୁ କିଏ ଜାଣେ ଆମର ଅବସ୍ଥା ? ଭାଇ ବଞ୍ଚିଥିଲା ସମୟରେ ଘରକୁ ଦିପଇସା ଆସୁଥିଲା । ତାଙ୍କ ପରେ ସେ ପଥ ବି ବନ୍ଦ । ମୁଁ ତ କେଉଁ କୁଳର ହେଲିନି–ଏତିକି ଦୁଃଖ ଲାଗୁଛି ମତେ । ତାକୁ ପରଘରକୁ ନପଠେଇଲା ପର୍ଯ୍ୟନ୍ତ ମନରେ ମୋର ଶାନ୍ତି ନାହିଁ । ଦେଖିବି, ଯଦି ଆଉ କୌଣସି ଜାଗାରେ ନ ହେବ ଶେଷକୁ ଜମିତକ ବିକ୍ରି କରି ତାକୁ ପରଘରକୁ ପଠେଇଦେବି ।’’

 

ଦାଦାଙ୍କର କଥା ସରିଛି କି ନାହିଁ, ଖୁଡ଼ୀ ହାତରୁ ଗୁଆକାତିଟା ଛାଟିଦେଇ ରାଗ ତମତମ ସ୍ୱରରେ କହିଲେ, ‘‘କ’ଣ କହିଲ ? ମୋ ଧାନଗଣ୍ଡାକ ଭାଇର ଝିଅପେଇଁ ବିକିଦବ ? ଦେଖି ଦେଖି ତ କେମିତି ତମେ ବିକିଦବ ? ହେଇଟି, କାଲିକୁ ଭଗବାନେ ଆୟୁଷ ଦେଇଥିଲେ ଅନି ମୋର ଶାଶୁଘରକୁ ଯିବ । ତା କଥା ଟିକିଏ ବିଚାରୁଛ ନା ?’’

 

‘‘ଆହା ! ତୁମେ କାହିଁକି ବ୍ୟସ୍ତ ହେଉଛ, ଅନି ପାଇଁ ଆମର ଭଗବାନ ଅଛନ୍ତି ।’’

 

‘‘ରଖ ମ ସେ ଅଲଣା କଥା ଗୁରାକ । ମୁଁ ତ ମୋର ଧାନ ଜମିକୁ ବିକ୍ରି କରେଇ ଦେବିନି-। ସେ ବାହା ନହେଲେ କ’ଣ ଚଳୁନି ? ସେଇ ତ ନିଜେ କହୁଥିଲା, ଆଜିକାଲି ଝିଅମାନେ ପାଠ ପଢ଼ି ଚାକିରି କରୁଛନ୍ତି । ସେ ତ ଏତେ ପାଠ ପଢ଼ିଛି, ଚାକିରି କରୁନି ? ଦାଦା ଖୁଡ଼ୀଙ୍କର ଦୁଃଖ ଟିକିଏ ହେଲେ ବୁଝନ୍ତା ।’’

 

ସରଳା ଚୁଲୀମୁଣ୍ଡ ପାଖରେ ବସି ସବୁ ଶୁଣିଛି । ଆଖିର ଲୁହରେ ତିନ୍ତେଇ ଦେଇଛି ତା’ର ପଣତକାନି । ତାରି ପାଇଁ ସିନା ଦାଦା କହୁଛନ୍ତି ଧାନଜମି ଖଣ୍ଡିକ ବିକିଦେବାକୁ । ତାଙ୍କୁ କଷ୍ଟଦେଇ ସେ କ’ଣ ସୁଖ ପାଇପାରିବ ? ତା’ର ଆତ୍ମା କ’ଣ ତାକୁ ଦୋଷ ଦେବନି । ନା, ନା, ନା–ଦାଦାଙ୍କୁ ସେ କେବେହେଲେ ଅଶାନ୍ତି ଦେବନି ? ଖୁଡ଼ୀ ଯାହା କହୁଛନ୍ତି ସତ କଥା । ଚାକିରି ସେ କରିବ, ଦାଦା ଖୁଡ଼ୀଙ୍କୁ ପୋଷିବ । ଆଜି ଯଦି ସେ ଝିଅ ନହେଇ ପୁଅ ହେଇଥାଆନ୍ତା ତେବେ ସେ କ’ଣ ଏ ଘରର ଗୁରୁଦାୟିତ୍ୱ ମୁଣ୍ଡେଇ ନିଅନ୍ତା ନାହିଁ ? ତେବେ ଦାଦା କାହିଁକି ତାକୁ ଚାକିରି କରିବାକୁ ଦେଉନାହାନ୍ତି ? ମନର ସମସ୍ତ ଆଶା ମନରେ ରଖିଛି ସରଳା । ସେ ଦିନ ରାତିରେ ସେ ଆଖିର ଲୁହରେ ତକିଆ ଓଦା କରିଦେଇଛି । ମନରେ ତା’ର ଦମ୍ଭ ଆଣିଛି, ଚାକିରି ସେ ନିଶ୍ଚୟ କରିବ । ସେଇ ଆଶାରେ ସେ ଏତେ ଅପମାନ, କଷ୍ଟ ସହି ପଡ଼ିରହିଥିଲା ଗାଁରେ । ଭଗବାନ ନିଶ୍ଚୟ ତା’ର ଦୁଃଖ ବୁଝିବେ ଏଇ ବିଶ୍ୱାସ ତା’ର ଥିଲା ଏବଂ ସେଇ ବିଶ୍ୱାସହିଁ ତା’ର ଫଳବତୀ ହେଇଛି ।

 

ଟିଁ ଟିଁ ଆ ଚଢ଼େଇଟିଏ ମୁଣ୍ଡ ଉପର ଦେଇ ଉଡ଼ିଗଲା । ସରଳା ଅତୀତ ଭାବନାରୁ ନିବୃତ୍ତ ହେଲା । ଥଣ୍ଡା ପବନରେ ଦେହ ତା’ର ଶିରିଶିରେଇ ଉଠୁଛି । ଏଣେ ଚନ୍ଦ୍ରାଲୋକ ଲହଡ଼ା ପିଟୁଛି ପୃଥିବୀ ବକ୍ଷରେ । ମନଟା ତା’ର ଅଥୟ ହେଇ ଉଠିଲା । ଛାତିଟା ଦପ ଦପ ହେଇ ଉଠିଲା ଓ ପଡ଼ିଲା । ପଣତରେ ମୁହଁ ପୋଛି ଆକାଶକୁ ଚାହିଁଲା । ପୂନେଇଁ ଚାନ୍ଦ ହସୁଛି । ତାରି ଉପରେ ଚଲାବଉଦଟିଏ ଭାସିଯାଉଛି । ଚାନ୍ଦ ହସୁଛି–ଅପୂର୍ବ ତା’ର ହସ, ଆଉ ସେଇ ହସର ମୂଲ୍ୟ ପାଏ ପୃଥିବୀ । ନିଜର କୋଠରି ଆଡ଼କୁ ଚାହିଁଲା ସରଳା । ଝରକା ଫାଙ୍କ ଦେଇ ବାହାକୁ ବାହାରି ଆସୁଛି ଲଣ୍ଠନର କ୍ଷୀଣ ଆଲୋକରେଖା ।

 

ଗତ ବର୍ଷର ଠିକ୍‍ ଏଇ ଚଇତ ପୂନେଇ । ଜୀବନରେ ତା’ର ଗୋଟିଏ ଢେଉ ଆସିଥିଲା, କିନ୍ତୁ ଆପେ ଆପେ ଚାଲିଗଲା ଅଜଣା ଅଶୁଣାଭାବେ–ଯେମିତି ଆସିଥିଲା ଠିକ୍‍ ସେମିତି । ଖୁଡ଼ୀଙ୍କ ମୁହଁରୁ ଶୁଣିବାକୁ ପାଇଥିଲା କଅଁଳ କଥା, ସେ ଦିନ କେତେ ଆଦର, କେତେ ସ୍ନେହ ! ଆଶ୍ଚର୍ଯ୍ୟ ହେଇଛି ସରଳା । କାହିଁକି ? ଦୀର୍ଘ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ମନରେ ତାର; କିନ୍ତୁ ମନର ପ୍ରଶ୍ନର ଉତ୍ତର ପାଇଥିଲା ଯେତେବେଳେ ଚାରି ପାଞ୍ଚଜଣ ଲୋକ ଆସିଥିଲେ ତାଙ୍କ ଘରକୁ ସଂଧ୍ୟା ପରେ । ଦାଦା ଘରେ ନଥିଲେ । ସେଦିନ କେଉଁ କାମରେ ଗାଁ ବାହାରକୁ ଯାଇଥିଲେ । ସଂଧ୍ୟା ପରେ ଆସି ସବୁ କଥା ଶୁଣି, ଘରେ ଏତେଗୁଡ଼ିଏ ଲୋକଙ୍କୁ ଦେଖି ରାଗରେ ଅସ୍ଥିର ହେଇପଡ଼ିଥିଲେ । ଖୁଡ଼ୀଙ୍କ ଉପରେ ବିରକ୍ତ ହେଇ କହିଲେ, ‘‘ମୋ ଉପରେ କ’ଣ ତୁମର ଦାଉ ସାଧିବାକୁ ଥିଲା ଅନିବୋଉ ? କାହିଁକି ମତେ ଏମିତି ଲୋକହସା କରୁଛ କହିଲ ?’’ ଖୁଡ଼ୀ ରାଗରେ ନିଆଁ ହୋଇଯାଇଥିଲେ । ଭଦ୍ରଲୋକମାନେ ଚାଲିଗଲେ, ଦାଦା ମନାକରିଦେଲେ ।

 

ସରଳା ଶୁଣିଲା–ତାରି ବିବାହ ପ୍ରସଙ୍ଗ ନେଇ ଆସିଥିଲେ ସେମାନେ । ତାଙ୍କ ଗାଁ ପାଖ ଲାଞ୍ଜିଆପାଟଣାରେ, ବୁଢ଼ା ଅର୍ଜ୍ଜୁନ ପଟ୍ଟନାୟକ ସାଙ୍ଗରେ । ବୟସ ଷାଠିଏ ଉପରେ ହେବ ସିନା, କମ୍‍ନୁହେଁ । ଘରେ ଧନସମ୍ପତ୍ତି ପରିପୂର୍ଣ୍ଣ । ପୁଅ, ବୋହୂ, ନାତିନାତୁଣୀ ଅଛନ୍ତି । ତେବେ ବି ବୁଢ଼ାର ବାହା ହେବାକୁ ମନ । ବିବାହଟା ହେଇଯାଇଥିଲେ ଖୁଡ଼ୀ ହାତରେ ବେଶ୍‍ ପୁଳେ ଟଙ୍କା ପାଇଥାଆନ୍ତେ । ତାଙ୍କର ସମ୍ପତ୍ତି ପାଇବା ଆଶା ମରିଗଲା । ସେଇଦିନଠାରୁ ସରଳା ଉପରେ ବେଶି ପରିମାଣରେ ଗାଳିମାଡ଼ ବର୍ଷଣ ହେବାକୁ ଲାଗିଲା । ଦିନକୁଦିନ ଅତ୍ୟାଚାରର ମାତ୍ରା ବଢ଼ିବାକୁ ଲାଗିଲା । ସରଳା ଭଲକରି ମୁଠିଏ ଖାଇବାକୁ ବି ପାଇଲାନି । ସବୁବେଳେ ଖୁଡ଼ୀ ଆଖିରୁ ନିଆଁ ବର୍ଷିବାକୁ ଲାଗିଲା । ଦେହ ତା’ର ଦୁର୍ବଳ ହେଲା । ଦାଦା କହିଲେ–ତାକୁ କଟକ ନେଇଯିବାକୁ ମନ ପରିବର୍ତ୍ତନ ସକାଶେ; କିନ୍ତୁ ସରଳା ଦାଦାଙ୍କ କଥାରେ ଆପତ୍ତି ଉଠେଇଛି । ଏଇ ହେଉଛି ତା’ର ଘର, ଏଇଠି ତା’ର ମା’ଙ୍କର ହାତର ପରଶ ପାଉଛି ସେ । ଆଉ କୁଆଡ଼େ ସେ ଯିବନି ।

 

ସେତେବେଳର କଥା ଯାଇଛି, ଦୁଃଖ ଯାଇଛି, ଅତ୍ୟାଚାର ଯାଇଛି, ଭବିଷ୍ୟତରେ କ’ଣ ହେବ କହିପାରିବନି ସରଳା । ବର୍ତ୍ତମାନର ପରିବେଷ୍ଟନୀରେ ରହି ଅତୀତକୁ ଭୁଲି ଯିବାକୁ ଚାହୁଁଛି ସେ, କିନ୍ତୁ ପାରୁନି । ଅତୀତ ଜୀବନ ତା’ର ଦୂରେଇଯାଇଛି ସତ, କିନ୍ତୁ ମନରୁ ଯାଇନି । ଏଣେ ପୁଣି ଆଗରେ ଠିଆ ହେଇଛି ବିରାଟ ଭବିଷ୍ୟତ । କିନ୍ତୁ ଭବିଷ୍ୟତରେ କଳ୍ପନାକୁ ମନରୁ ଦୂରେଇ ଦେଇଛି ସେ । କଳ୍ପନା ହିଁ କଳ୍ପନା–ବାସ୍ତବତାର ସେଠି ସ୍ଥାନ କାହିଁ ? କଳ୍ପନା କେବଳ ସ୍ୱପ୍ନପରି ମନକୁ ଆସୁଛି ଏବଂ ପରକ୍ଷଣରେ ଦୂରେଇ ଯାଉଛି । ମନର ସ୍ୱାଦୁ ପୂରୁନି କିମ୍ୱା କଳ୍ପନାର ଝଡ଼ ଜୀବନର ଗତିପଥକୁ ବଦଳେଇଦେଇପାରୁନି । ତା ପାଖରେ ବର୍ତ୍ତମାନ ହିଁ ସର୍ବସ୍ୱ । ବର୍ତ୍ତମାନକୁ ହିଁ ମୂଳଦୁଆ ଦେଇ ଆଖି ଆଗରେ ବିରାଟ ଭବିଷ୍ୟତ । ଚାହିଁ ବସିଲେ ମଧ୍ୟ ମନକୁ ଆସୁନି; କିନ୍ତୁ ଅତୀତ ଅତୀତରେ ହିଁ ହଜିଲେ ମଧ୍ୟ ମନରୁ ଯାଇନି କିମ୍ୱା ଯିବନି ।

 

ଠନ୍‍ଠନ୍‍ ହେଇ ଲାଇବ୍ରେରି ଘଣ୍ଟାରେ ବାଜିଲା ଦଶଟା । ସରଳା ଆସ୍ତେ ନୀଳରଙ୍ଗର ପରଦାଟି ଆଡ଼େଇ ଲାଇବ୍ରେରି ଘରେ ପାଦ ଦେଲା । ଦେଖିଲା ରାଣୀମା’’ ଅସ୍ଥିର ଭାବେ ଘୂରିବୁଲୁଛନ୍ତି ଘରସାରା । ହାତରେ ଟେଲିଗ୍ରାମ୍‍ ଫର୍ମଟିଏ । ପ୍ରଥମେ ସରଳା ପ୍ରଶ୍ନ କଲା ନିଜକୁ–କାହାପାଖରୁ ? କାହିଁକି ? କିଏ ଦେଇଛି ? ତା’ର ମନର ଉତ୍ତରକୁ ଅପେକ୍ଷା ନକରି ରାଣୀମା’ ଆଗେଇ ଆସି ଗଦ୍‍ଗଦ୍‍ ସ୍ୱରରେ କହିପକାଇଲେ, ‘‘ଶୁଣିଲଣି ସରଳା, ଆଜି ରାଜକୁମାର ଆସୁଛନ୍ତି ଉଆସକୁ । ତାଙ୍କରି ଏଇ ଟେଲିଗ୍ରାମ୍‍ । ଆଜି ଆସୁଛନ୍ତି, ଏଇ ଏଗାରଟା ଟ୍ରେନରେ ।’’ ହଠାତ୍‍ଚମକି ଠିଆହେଇଗଲା ସରଳା । ଆଗକୁ ପାଦ ତା’ର ଚଳିଲାନି । ଆଶ୍ଚର୍ଯ୍ୟ ହେଲା, ‘‘ରାଜକୁମାର !’’

 

‘‘ହଁ, ହଁ ସରଳା, ରାଜକୁମାର ମଦନମୋହନ । ବିକ୍ରମପୁର ରାଜବଂଶର ଏକମାତ୍ର ପ୍ରଦୀପ । ତୁମେ ଶୁଣିନାହଁ ତାଙ୍କ କଥା କେମିତି ବା ଶୁଣିବ ? ପିଲାଟିଦିନରୁ ସେ ବିଦେଶରେ । ଉଆସକୁ ଥରେ ଆସି ଆସିଥିଲେ ଚାରିବର୍ଷ ତଳେ । ଏ ମଧ୍ୟରେ ଆଉ ଆସିନାହାନ୍ତି । ଏମ୍‍. ଏ. ପାଶ୍‍କରି ଏଇବର୍ଷ ଲ’ ପରୀକ୍ଷା ଦେଇ ଆସୁଛନ୍ତି । ଚାରିବର୍ଷ ପରେ ଏକମାତ୍ର ପୁତ୍ରର ମୁଖଦର୍ଶନ କରିବାକୁ କେଉଁ ମାର ହୃଦୟ ଅସ୍ଥିର ନହେବ କହିଲ ? ତାଙ୍କର ପିତା ବିକ୍ରମକେଶରୀଙ୍କର ମୃତ୍ୟୁ ପରଠାରୁ ଆଜିକୁ କୋଡ଼ିଏ ବର୍ଷ ହେଲା କେତେ ବାଧାବିଘ୍ନର ସମ୍ମୁଖୀନ ନହେଇଛି ? ଏଇ ଆଶାରଖି ଏକାମାତ୍ର ପୁତ୍ରର ଭବିଷ୍ୟତ ପାଇଁ, ଶିକ୍ଷାଦୀକ୍ଷା ପାଇଁ ବ୍ୟାକୁଳ ହୃଦୟରେ ଚାହିଁବସିଥିଲି ଆଜିର ଦିନକୁ । ରାଜକୁମାର ଆଜି ସେଇ ପାଞ୍ଚବର୍ଷର ଛୁଆ ହେଇ ନାହାନ୍ତି । ସେ ଆଜି ପଚିଶ ବର୍ଷ ବୟସର ଯୁବକ । ଦୁନିଆର ସମସ୍ତ ରୀତିନୀତି, ଚାଲିଚଳନ ଦେଖି ଶିଖି ନିଜକୁ ଦୁନିଆ ଲୋକଙ୍କ ପରି ଚଳେଇ ପାରିବାକୁ ସକ୍ଷମ ।’’

 

ରାଣୀମା’ କିଛି ସମୟ ନୀରବ ରହିଲେ । ସରଳା ଗୋଟିଏ ଚେୟାର ଦଖଲକଲା ରାଣୀମା’ଙ୍କ ଇଙ୍ଗିତରେ । ପାଦ ତଳେ ମୋଟା ଗାଲିଚା–ଚେୟାର ଉପରେ ମୋଟା ସିଲ୍‍କ୍‍ଗଦି । ବେଶ୍ ଆରାମଦାୟକ । ସରଳା ଘରର ଚାରିପାଖକୁ ଦୃଷ୍ଟିନିକ୍ଷେପ କଲା–ଅତି ସରଳ ଚାହାଣୀ । ଲାଇବ୍ରେରି ଘରଟା କେବଳ ଗୋଟିଏ ଛୋଟିଆ ଘର ନୁହେଁ–ବିରାଟ ହଲ୍‍ । ପ୍ରାୟ ଅଶୀଫୁଟ ଲମ୍ୱା ଆଉ ଚଉଡ଼ାଟା ଚାଳିଶ ଫୁଟ ମନେହେଲା ସରଳାର । ଘରର ଚାରିପାଖରେ ଗଣି ଦେଖିଲା ପ୍ରାୟ କୋଡ଼ିଏଟା ଖଣ୍ଡେ ବଡ଼ ବଡ଼ କାଚର ଝରକା । ଝରକାରେ ନୀଳରଙ୍ଗର କାଶ୍ମୀର ସିଲ୍‍କର ପରଦା-। ଘରର ମଝିରେ ବସି ପଢ଼ିବା ପାଇଁ ଚାରୋଟି ମେହଗାନି କାଠ ତିଆରି ଚୌକି । ଚୌକି ଉପରେ ମୋଟା ଗଦି ଦିଆହୋଇଛି ବସିବା ପାଇଁ । ଘରର ଦକ୍ଷିଣପାଖ କାନ୍ଥରୁ ଦୁଇହାତ ଦୂରରେ ଦଶ ବାରଟା ବଡ଼ କାଚ ଆଲମାରି, ଆଉ ତାରି ଭିତରେ ଭର୍ତ୍ତି ହୋଇଛି ବିଭିନ୍ନ ଗ୍ରନ୍ଥାବଳୀ, ବହି, ପୁରାଣ ଇତ୍ୟାଦି । ଆଲମାରିଗୁଡ଼ାକ ବହିରେ ପୂର୍ଣ୍ଣ । ସେଗୁଡ଼ାକୁ କେଉଁଦିନ ହେଲେ ଆଖି ଉଠେଇ ଚାହିଁନି ସରଳା । ଆଜିକୁ ଆଠ ମାସ ହେଲା ନିୟମିତଭାବେ ପ୍ରତିଦିନ ଘଣ୍ଟାକ ପାଇଁ ସେ ଏ ଘରକୁ ଆସେ-। ନୀରବରେ ମୁହଁ ପୋତି ଆସେ, ଆଉ ଠିକ୍‍ ସେଇପରି ଚାଲିଯାଏ । ଘରର ଚାରିପାଖକୁ କେଉଁଦିନ ହେଲେ ସେ ଚାହିଁନି । ଇଚ୍ଛା କରିନି । ରାଣୀମା’ଙ୍କ ଆଗରେ ବସି ଖବର–କାଗଜର ଖବର ପଢ଼ିଶୁଣାଇ ଚାଲିଯାଏ । ମନରେ ଭୟ ଜାତହୁଏ ଥରେ ଘରର ଚାରିଦିଗକୁ ଆଖି ବୁଲେଇ ନେବାପାଇଁ ।

 

ଆଜି କିନ୍ତୁ ସରଳା ପ୍ରଥମ ଥର ପାଇଁ ମନ ପୂରେଇ ଦେଖିନେଲା ଘରଟିର ସାଜସଜ୍ଜା । ଦୁଆର ପାଖକୁ ଲାଗି ଛୋଟ ଟେବୁଲ ଉପରେ ରୁପାର ଫୁଲଦାନିରେ ତଟକା ବିଭିନ୍ନ ରଙ୍ଗର ଫୁଲ–ଗୁଚ୍ଛଟିଏ ଶୋଭାପାଉଛି । ଦକ୍ଷିଣ ପାଖର ମଝି ଝରକାର ପରଦା ସାମାନ୍ୟ ଖୋଲିଯାଇଛି, ଆଉ ସେଇ ଫାଙ୍କ ଦେଇ ଦେଖାଯାଉଛି ମସ୍ତବଡ଼ ଗୋଟିଏ ମାଳତୀଗଛର ଲତା ଉପରକୁ ଲୁହା ଖମ୍ୱ ଦେହରେ ମାଡ଼ିଯାଇଛି । ଦେଖାଯାଉଛି ନାନାରଙ୍ଗର ଫୁଲଗଛ ଗୁଡ଼ିଏ । ମନେହେଲା ତା’ର ବୋଧହୁଏ ଫୁଲବଗିଚାଟିଏ । ରାଣୀମା’ ସେଇଆଡ଼କୁ ଚାହିଁରହିଥିଲେ । ସଙ୍ଗେ ସଙ୍ଗେ ସେଆଡ଼ୁ ଆଖି ଫେରେଇଆଣି ନିବଦ୍ଧ କଲେ ସରଳାର ମୁହଁ ଉପରେ । ସରଳା ଆଖି ତଳକୁ ନୋଇଁଲା ।

 

‘‘ତୁମେ ଜାଣିନି ସରଳା–ରାଜକୁମାର ରାଜରକ୍ତରେ ଗଢ଼ା ହେଲେ ମଧ୍ୟ ମନଟା ତାଙ୍କର ଠିକ୍‍ ଓଲଟା । ରାଜାର ମନ ତାଙ୍କର ନାହିଁ । ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ବିଦେଶରେ ରହିଆସିଛନ୍ତି ଆଜି ପର୍ଯ୍ୟନ୍ତ । ବାହାର ଦୁନିଆ ଲୋକଙ୍କର ସଂସ୍ପର୍ଶରେ ଆସି, ସେମାନଙ୍କର ଚାଲିଚଳନ ଦେଖି ନିଜକୁ ବି ସେହିପରି ଗଢ଼ିବାକୁ ଚେଷ୍ଟା କରିଛନ୍ତି । ରାଜାର ଆଡ଼ମ୍ୱର, ରାଜାର ଆଦବ୍‍କାଇଦା ତାଙ୍କୁ ଭଲଲାଗେନା । ସେଥିପାଇଁ ରାଜପ୍ରାସାଦ ତାଙ୍କୁ ଭଲଲାଗେନା । ଯଦି ଆସନ୍ତି, ତେବେ ମନ ତାଙ୍କର ଛଟପଟ ହୁଏ ବାହାରକୁ ଚାଲିଯିବାକୁ । ଏଥର କିନ୍ତୁ ସେ ସବୁଦିନ ଏଠି ରହିବେ । ପଢ଼ାପଢ଼ି ସରିଲା; ଆଉ ବିଦେଶକୁ ପଠେଇବାକୁ ଇଚ୍ଛା–ହେଉନି । ଏ ପ୍ରାସାଦର ରକ୍ଷଣାବେକ୍ଷଣ କରିବ କିଏ ? ଆଜି ପର୍ଯ୍ୟନ୍ତ ବାହାର ଦୁନିଆ ସହିତ ସମସ୍ତ ରୀତିନୀତି ଦେଖି ଚଳି ଆସିଛନ୍ତି । ବର୍ତ୍ତମାନ ସେ ଏଇ ଉଆସରେ ରହି ରାଜାର ଆଡ଼ମ୍ୱର, ରାଜାର ଆଚାର ବ୍ୟବହାର ଦେଖିବେ, ଜାଣିବେ । ଯେତେହେଲେ ରାଜକୁମାର ସେ । ରାଜରକ୍ତ ତାଙ୍କର ପ୍ରତି ଶିରାପ୍ରଶିରାରେ ପ୍ରବାହିତ । ଆଜି ସିନା ସିଂହାସନ ନାହିଁ, ରାଜ୍ୟ ନାହିଁ, କିନ୍ତୁ ସମ୍ମାନ ତ ଅଛି ! ଆଡ଼ମ୍ୱର ତ ଅଛି ! ତାକୁଇ ଶିକ୍ଷା କରିବେ । ଶେଷରେ ମୁଁ ବି ଏଥିରୁ ଶାନ୍ତି ପାଇବି, ବିଶ୍ରାମ ନେବି । ଦୀର୍ଘ କୋଡ଼ିଏ ବର୍ଷର ପରିଶ୍ରମ ପରେ ବିଶ୍ରାମ ଚାହେଁ ମୁଁ । ବଡ଼ କ୍ଳାନ୍ତ ହେଇପଡ଼ିଛି ମୁଁ ସରଳା, ବଡ଼ କ୍ଳାନ୍ତ ଅନୁଭବ କରୁଛି ।’’ ମୁହଁରେ ଫୁଟିଉଠିଲା କ୍ଳାନ୍ତି, ଅସମ୍ଭବ ଯନ୍ତ୍ରଣା । ବେଦନାଭରା ଆଖିରେ ଚାହିଁ ରହିଲେ ସେ ବିକ୍ରମକେଶରୀଙ୍କର ବିରାଟ ତୈଳଚିତ୍ରଟିକୁ । ରାଣୀମା’ଙ୍କର ଆଖରେ କରୁଣତା । ମନର କଥା ଅଛପା ରହିଲାନି ସରଳା ପାଖରେ ।

 

ସରଳା ବି ଏକଆଖିରେ ଚାହିଁ ରହିଲା ରାଜା ବିକ୍ରମକେଶରୀଙ୍କର ପ୍ରତିଚ୍ଛବିକୁ । ଚିତ୍ରକରର ତୂଳିରେ ଜୀବନ୍ତ ହେଇ ଉଠିଛି ମୂର୍ତ୍ତିଟି । ସାରା ଶରୀର ରାଜକୀୟ ପୋଷାକରେ ଆବୃତ, ମୁଣ୍ଡରେ ରାଜପଗଡ଼ି । ଅଣ୍ଟା ତଳକୁ ନଇଁ ଆସିଛି ବିରାଟ ତରବାରି । ସେଇ ମୁହଁ, ଆଖି, ନାକ ଯେମିତି ସରଳାର ଅତି ପରିଚିତ, ଘନିଷ୍ଠଭାବେ ଜଣାଶୁଣା । ସରଳା ବି ଚାହିଁ ରହିଲା ପ୍ରତିଚ୍ଛବିଟାକୁ । ମନେହେଲା, ସତେ ଯେମିତି ସେ ତାଙ୍କର ଅତି ପରିଚିତ, ଅତି ଆପଣାର ।

 

ଲକ୍ଷହରା

ରାଣୀମା’ଙ୍କ ସ୍ୱରରେ ପୁଣି ତା’ର ଭାବନାର ଖିଅ ଛିଣ୍ଡିଗଲା । ‘‘ମୁଁ ଆଜି ବଡ଼ ଆନନ୍ଦ ଉପଲବ୍ଧି କରୁଛି କାହିଁକି, ତୁମେ ସେ କଥା ବୁଝିପାରିବନି । ପିଲାମନ ତୁମର । ଦୁନିଆର ସମସ୍ତ ରୀତିନୀତି ଜାଣିବାରେ ଅଜ୍ଞ । ଯେତେବେଳେ ମୋର ସ୍ୱାମୀ ରାଜା ବିକ୍ରମକେଶରୀଙ୍କର ମୃତ୍ୟୁ ହେଲା, ସେତେବେଳେ ଆଜିକାର ଯୁବରାଜ ମୋଟେ ପାଞ୍ଚବର୍ଷର । ସେଇ ଦିନ ଓ ମନକୁ ଆଜିର ଦିନ ଆଉ ମନ ସଙ୍ଗେ ତୁଳନା କଲ ସରଳା–କେତେ ତଫାତ୍‍ ! ସେତେବେଳର ପାଞ୍ଚବର୍ଷର ଯୁବରାଜ ଆଜି ଜଣେ ଉଚ୍ଚଶିକ୍ଷିତ ଯୁବକ । ସେତିକି ମୋର କାମନା ଥିଲା ସରଳା । ସେଇଥିପାଇଁ ଯୁବରାଜଙ୍କର ଆଗମନରେ ଆଜି ମୋର ଏତେ ଆନନ୍ଦ ।’’

 

ରାଣୀମା’ଙ୍କର ସ୍ୱର ଗହଳିଆ ଜଣାଗଲା । ସରଳା ପାଦପାଖରୁ ଆଖି ଉଠେଇ ରାଣୀମା’ଙ୍କ ମୁହଁକୁ ନିରୀକ୍ଷଣ କଲା । ମୁହଁ ଗମ୍ଭୀର, ସ୍ୱର ବି ଗମ୍ଭୀର, କେତକୀ ରଙ୍ଗର ଗୋରା ମୁହଁରେ ଦୁଃଖର ଛାପ ପରିସ୍ଫୁଟ । ପ୍ରାୟ ପଚାଶ ବର୍ଷ ହେବଣି ରାଣୀମା’ଙ୍କୁ–ତେବେ ବି ଦେଖିବାକୁ ଅତି ସୁନ୍ଦର, ଅତି ମନୋରମ । ସେଇ ଗୋରା ଧାରୁଆ ମୁହଁରେ କଳା କଳା ଡୋଳା ଆଉ ଘନ ଭ୍ରୂଯୁଗଳ କି ସୁନ୍ଦର ଦେଖଯାଏ ସତେ ! ସରଳା ସେଇ ମୁହଁକୁ ଚାହିଁଦେଲେ ହୃଦୟ ଭିତର ତା’ର ଥରିଯାଏ ସତ, କିନ୍ତୁ ପୁଣି ଥରେ ଦେଖିବାକୁ ଇଚ୍ଛା ହୁଏ । ମୁହଁର ଭାବ ରାଜକୀୟ ଛଟାରେ ଗମ୍ଭୀର ହେଲେ ବି ସୁନ୍ଦର, ହସ ହସ । ‘‘ଆଉ ଗୋଟିଏ କଥା ସରଳା, ରାଜକୁମାରଙ୍କୁ ଏ ରାଜକୀୟ ଆଡ଼ମ୍ୱର ଭଲଲାଗେନା ସତ, କିନ୍ତୁ ତାଙ୍କ ଦେହରେ ଯେ ରାଜରକ୍ତ ପରିପୂର୍ଣ୍ଣ ! ସେଇଥିପାଇଁ ତୁମକୁ ମୁଁ ପ୍ରଥମରୁ ସତର୍କ କରିଦେଉଛି । ରାଜାମାନେ ସୁନ୍ଦର ଜିନିଷଟାକୁ ସବୁବେଳେ ଆଦର କରିଆସିଛନ୍ତି ଏବଂ ତା’ରି ପାଇଁ କେତେ ରାଜକୁମାର ରାକକୁମାରୀ ଇତିହାସ ସୃଷ୍ଟି କରିଛନ୍ତି ଏ ସଂସାରରେ ତାହା ତୁମର ଅବିଦିତ ନଥିବ । ସେଥିପାଇଁ ତୁମୁକୁ ମୋର ଉପଦେଶ । ତୁମେ ଆଦେଶ ବୋଲି ଭାବିପାର, କିଛି ଆପତ୍ତି ନାହିଁ । ରାଜକୁମାର ଏ ଉଆସର ସର୍ବମୟକର୍ତ୍ତା । ତାଙ୍କ ଅଧୀନରେ ତୁମେ ଚାକିରୀ କରୁଛ ଏବଂ କରିବ ସତ; କିନ୍ତୁ ରାଜକୁମାର ରାଜଉଆସର ସମସ୍ତ ହାନିଲାଭ ବୁଝିଲେ ମଧ୍ୟ ତୁମ ସହିତ ତାଙ୍କର ଯେମିତି ସାକ୍ଷାତ୍‍ ନହୁଏ । କାହିଁକି ଏକଥା ମୁଁ ତୁମକୁ ଖୋଲି କହୁଛି ସେ କଥା ତୁମେ ବୁଝି ପାରୁଥିବ । ତୁମର ସମ୍ପର୍କ ପରହରିବାକୁ ଏବଂ ମୋ ସହିତ, ରାଜକୁମାରଙ୍କ ସହିତ ନୁହେଁ । କାଲିଠାରୁ ତୁମର ଯେତେକ ଅଫିସ ସରଞ୍ଜାମ ସବୁ ନରହରିବାବୁ ରହୁଥିବା ଉଆସକୁ ଉଠେଇ ନିଆଯିବ ଦଶଟାବେଳେ; କିନ୍ତୁ ତୁମେ ଯେମିତି ଏ ଲାଇବ୍ରେରି ଘରକୁ ଆସୁଥିଲ ସେପରି ଆସିବ । ମୁଁ ଏଇ ଦୁଇଘଣ୍ଟା ମଧ୍ୟରେ ଆଉ କାହାରି ସହିତ ଦେଖା କରିନାହିଁ, କରିବି ନାହିଁ ମଧ୍ୟ । ଏତିକି ମୋର ଉପଦେଶ ତୁମପାଇଁ, କେବଳ ତୁମର ମଙ୍ଗଳ ପାଇଁ କହିରଖୁଛି-। କାହିଁକି ଜାଣେନା, ପ୍ରଥମରୁ ହିଁ ତୁମର ପ୍ରତି କାମ, ବ୍ୟବହାରରେ ମୁଁ ସନ୍ତୁଷ୍ଟ ।’’

 

ନୀରବ ରହିଛି ସରଳା । ତା’ର କହିବାର କିଛି ନାହିଁ । କ’ଣ ବା ସେ କହିବ ? ରାଣୀମା’ ଯାହାସବୁ କହୁଛନ୍ତି ତା’ର ଛୋଟିଆ ମନରେ ସେ ଜାଣିପାରୁଛି–ସବୁ ସତ କଥା । ରାଜକୁମାର ଆଉ ସେ ! କାହିଁ ମର୍ତ୍ତ୍ୟ କାହିଁ ପାତାଳ, କାହିଁ ସ୍ୱର୍ଗ ଆଉ କାହିଁ ନରକ ! ତାଙ୍କ ସହିତ ତା’ର କି ସମ୍ପର୍କ ? ରାଣୀମା’ଙ୍କ କଥା ହିଁ ସତ । ‘‘ଯାହା ତୁମର ବୁଝିବାର କଥା, ଜାଣିବାର କଥା, ସବୁ ନରହରିବାବୁଙ୍କଠାରୁ ବୁଝିନେବ । ମୁଁ ଏତେ କଥା କହିଲି ବୋଲି ମନରେ କିଛି ଭାବନାହିଁ । କେବଳ ତୁମର ଭଲପାଇଁ, ତୁମରି ମଙ୍ଗଳ ପାଇଁ କହୁଛି । ତୁମେ ଯଦି ଆଜି ଅନ୍ୟର ଝିଅ ନହୋଇ ମୋରି ଝିଅ ହୋଇଥାନ୍ତ–ଛାଡ଼ ସେ କଥା ।’’ ରାଣୀମା’ କଥା ବନ୍ଦ କଲେ । ଚଞ୍ଚଳ ମନରେ ଚୌକି ଉପରୁ ଉଠି ହାତ ଦୁଇଟିକୁ ପଛରେ ରଖି ତଳକୁ ମୁହଁ ପୋତି ଇତଃସ୍ତତ ହୋଇ ଘରଟା ସାରା ଘୂରିବାକୁ ଲାଗିଲେ । ଏଗାରଟା ବାଜିଲା ଲାଇବ୍ରେରି ଘଣ୍ଟାରେ । ଉଭୟେ ଚମକି ନିଜନିଜର ଭାବନାଭରା ମସ୍ତିଷ୍କକୁ ଉଠେଇ ଚାହିଁଲେ ଘଡ଼ିଟିକୁ । ‘‘ଏଥର ତୁମେ ଯାଇପାର ସରଳା, ପେପରଗୁଡ଼ାକ ବର୍ତ୍ତମାନ ପଢ଼ିବା ଦରକାର ନାହିଁ । ଚାରିଟାବେଳେ ଆସିବ ଏଠାକୁ ।’’ ରାଣୀମା’ ସରଳାକୁ ପଛକରି ଠିଆ ହେଇ ରହିଲେ ବିକ୍ରମକେଶରୀଙ୍କର ତୈଳଚିତ୍ର ସାମନାରେ । ସରଳା ଉଠି ଠିଆହେଲା ଅତି ସଂକୋଚରେ, ଅତି ନିଃଶବ୍ଦରେ ଆଗକୁ ପାଦେ ଆଗେଇଗଲା ।

 

ସହସା ପରଦା ଆଡ଼େଇ ଘର ଭିତରକୁ ପଶିଆସିଲା ରାଣୀମା’ଙ୍କର ଦେହଲଗା ଦାସୀ ପରୀ । ‘ନରହରିବାବୁ ।’ ତୈଳଚିତ୍ର ଉପରୁ ମୁହଁ ଉଠେଇ ଚମକି ଚାହିଁଲେ ପରୀକୁ । ହାତ ହଲେଇ ଇ ତ ଦେଲେ ନରହରିବାବୁଙ୍କୁ ଆସିବାପାଇଁ । ପରୀ ପରଦା ସେପାଖରେ ଲୁଚିଗଲା । ସରଳା ସ୍ଥାଣୁ ପରି ଠିଆହୋଇ ରହିଲା । ନରହରିବାବୁ ପଶିଆସିଲେ ଘର ଭିତରକୁ ଗମ୍ଭୀର ମୁହଁରେ ଦୁଃଖର ଛାପ ନେଇ । ରାଣୀମା’ ଅସ୍ଥିର ଆବେଗରେ କହି ପକେଇଲେ–ରାଜକୁମାର ?

 

‘‘ରାଜକୁମାର ଆସିନାହାନ୍ତି ।’’

 

‘‘ଆସିନାହାନ୍ତି ?’’

 

‘‘ନାଁ ।’’

 

ଏତେ ଆନନ୍ଦ, ଏତେ ଆବେଗ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ହଜିଗଲା । ରାଣୀମା’ ଦୁଃଖ ଆଉ ହତାଶାରେ ଭାଙ୍ଗି ପଡ଼ିଲେ । ସେଇ ହତାଶାଭରା ନିରୀହ ଆଖିରେ ଚାହିଁ ରହିଲେ ନରହରିବାବୁଙ୍କୁ । ସରଳା ଆଉ ବେଶି ଡେରି କରିପାରିଲାନି । ରାଣୀମା’ଙ୍କର ସେଇ ବେଦନାତୁର ମୁହଁକୁ ଚାହିଁ ସେ ବି ହୃଦୟରେ ଆଘାତ ପାଇଲା । ରାଜକୁମାରଙ୍କ ପାଇଁ ନୁହେଁ, ରାଣୀମା’ଙ୍କ ପାଇଁ–ଗୋଟିଏ ନିରୋଳା ଜୀବନର ସାମାନ୍ୟ ଦୁଃଖପାଇଁ । ଆସ୍ତେ ଆସ୍ତେ ଅତି ନିଃଶବ୍ଦରେ ମୋଟା ଗାଲିଚା ଉପରେ ପାଦ ଚିପି ଚିପି ମୁହଁ ତଳକୁ ପୋତି ସେ ଘରୁ ବାହାରି ଆସିଲା । ପଛରେ ତା’ର ସେଇ ନୀଳ ପରଦାଟା ସାମାନ୍ୟ ଦୋହଲିଗଲା । ଘର ଭିତରେ ସେଇ ଦୁଃଖ ଓ ହତାଶାର ବାୟୁମଣ୍ଡଳ ଭାରାକ୍ରାନ୍ତ ହୋଇଉଠିଲା । ଆଗକୁ ଚଞ୍ଚଳ ପାଦ ପକେଇଲା ସରଳା । ମନରୁ ପୋଛିଦେବାକୁ ଚେଷ୍ଟା କଲା ରାଣୀମା’ଙ୍କର ସମସ୍ତ କଥା–ଯାହା ଟିକକ ଆଗରୁ ତାଙ୍କରି ମୁହଁରୁ ସେ ଶୁଣିଥିଲା ।

 

X X X

 

ଏପରି ଖରା କେବେହେଲେ ଦେଖା ନଥିଲା । ଏ ବର୍ଷ ସୂର୍ଯ୍ୟର ଉତ୍ତାପ ଭୀଷଣ ଭାବେ ବଢ଼ି ଚାଲିଛି । ପ୍ରତିଦିନ ପେପରରେ ଏକା ଖବର–କେଉଁଠି ଖରାର ଉତ୍ତାପ ସହି ନପାରି ଚାରିଜଣ ଲୋକ ମଲେଣି, କେଉଁଠି କୂଅ, ପୋଖରୀ, ଗାଡ଼ିଆ ଶୁଖିଗଲାଣି; କେଉଁଠି ଲୋକମାନେ ପାଣିବିନା ହାହାକାର କଲେଣି ଇତ୍ୟାଦି । ପ୍ରତିଦିନ ଏଇ ଖବର ଶୁଣି ଶୁଣି ବଡ଼ ବ୍ୟତିବ୍ୟସ୍ତ ହୋଇଗଲେଣି ରାଣୀମା’ । ପ୍ରକୃତରେ ଏତେ ବଡ଼ ଖରା ସେ କେବେହେଲେ ଦେଖିନାହାନ୍ତି । ନରହରିବାବୁ କହୁଥିଲେ–ଏମିତି ଖରା ହୋଇଥିଲା ଯେତେବେଳେ ତାଙ୍କୁ ମୋଟେ ଚଉଦ ପନ୍ଦର ବର୍ଷ । ସେ ବର୍ଷ ବହୁତ ଲୋକ, ପଶୁ ପକ୍ଷୀ ଜଳିପୋଡ଼ି ମରିଯାଇଥିଲେ । ଏ ବର୍ଷ ବି ସେମିତି ହେବ କି କ’ଣ !

 

ସବୁଦିନ ପରି ଆଜି ବି ସରଳା ଲାଇବ୍ରେରି ଘରକୁ ଆସିଛି । ପୂର୍ବ ପରି ନିଜର ସେଇ ଶିଶୁକାଠ ନିର୍ମିତ ଚୌକି ଉପରେ ବସିଛି । ବାହାରେ ଉତ୍ତାପର ମାତ୍ରା ଭୀଷଣ ଭାବେ ବଢ଼ିଚାଲିଛି; କିନ୍ତୁ ଘର ଭିତରେ ସୁନ୍ଦର ଚନ୍ଦନ ଗନ୍ଧ ଘୂରିବୁଲୁଛି । ଝରକାମାନଙ୍କର ଦରଜାରେ ଲଗାଯାଇଛି ବେଣାଚେରର ପଟି । ଦୁଇ ଜଣ ଲୋକ ପ୍ରତି ଅଧଘଣ୍ଟାରେ ଥରେ ପାଣି ତାଦେହରେ ପକେଇବାରେ ନିଯୁକ୍ତ । ବେଶ୍‍ ଥଣ୍ଡା ଲାଗୁଛି ଘରଟା । ବାହାରୁ ଗରମ ପବନ ତୁହାକୁ ତୁହା ବହିଆସୁଛି କେଉଁଠୁ । ଦେହର ଚମ ପୋଡ଼ିଗଲା ପରି ଚଡ଼ ଚଡ଼ ହେଇ ଟାଣିହେଇ ଯାଉଛି । ଏ ପର୍ଯ୍ୟନ୍ତ ଅଫିସ୍‍ ରୁମ୍‍ ରେ ବସି ସରଳା ଏତେଟା ଥଣ୍ଡା ଓ ଆରାମ ପାଇନଥିଲା । ଦେହ ତା’ର ପୋଡ଼ି ଯାଉଥିଲା । ଆଖିରେ, ମୁହଁରେ ଭୟଙ୍କର ଜ୍ୱାଳା । ଏଇ ଲାଇବ୍ରେରି ଘର ପରି ସେଟା ସେତେ ଆରାମପ୍ରଦ ନୁହେଁ । ମୋଟେ ଦଶଟା ବାଜି ପନ୍ଦର ମିନିଟ୍‍ହେଲା । ଏଇ ଦଶଟା ପନ୍ଦର ମିନିଟରେ ଏତେ ଗରମ, ଏତେ ଉତ୍ତାପ ? ବଡ଼ ଅସହ୍ୟ, ବଡ଼ ଯନ୍ତ୍ରଣାଦାୟକ ଏ ଗରମ । ଏତେ ବଡ଼ ରାଜପୁରୀ ଭିତରେ ସରଳା ଏତେ ଅସହ୍ୟ ବୋଧ କରୁଛି, କିନ୍ତୁ ବାହାର ଦୁନିଆରେ ଯେ କେତେ କ’ଣ ଘଟଣା ଘଟିଯାଉଥିବ ସବୁ କ’ଣ ଏଇ ଖବରକାଗଜ ଗୁଡ଼ାକରେ ସ୍ଥାନ ପାଉଥିବ ? ଭାବେ ସରଳା । ଅସହ୍ୟ ଉତ୍ତାପର ଯନ୍ତ୍ରଣାରେ ଛଟପଟ ହେଲାବେଳେ ଏଇମିତି ଭାବନା ଆସି ତା’ର ମନକୁ ଅସ୍ଥିର କରିପକାଏ ।

 

ପେପର ପଢ଼ିବାକୁ ଆଜି ମନଲାଗୁନି । ସେଇ ଚୌକି ଉପରେ ଶୋଇଯିବାକୁ ଇଚ୍ଛା ହେଉଛି, କିନ୍ତୁ ଶୋଇପାରୁନି । ଆଖି ଆଗରେ ରାଣୀମା’ କାନ ପତେଇ ବସିଛନ୍ତି ଖବର ଶୁଣିବେ–ଦେଶ ବିଦେଶର ଖବର । ଆଉ ସାମାନ୍ୟ କେତୋଟି ଶବ୍ଦ ଉଚ୍ଚାରଣ କରି ତା’ ସହିତ କଥାବାର୍ତ୍ତା ହେବେ । ଉଆସର ଭଲ ମନ୍ଦ କଥା ବୁଝିବେ, ବାସ୍‍ଏତିକି ।

 

ଦଶଟା ପନ୍ଦରରୁ କଣ୍ଟା କ୍ରମେ କ୍ରମେ ସାଢ଼େ ଦଶଟାରେ ପହଞ୍ଚିଲା । ଠନ୍‍କରି ଗୋଟିଏ ଶବ୍ଦ ହେଲା । ସେମାନେ ଦେଖିଲେ ସାଢ଼େ ଦଶଟା । ବାହାରର ଗରମ ପବନ ଓଦା ଜୁଡ଼ୁ ବୁଡ଼ୁ ଖସ୍‍ଖସ୍‍ର ରନ୍ଧ୍ର ଦେଇ ଘର ଭିତରକୁ ପଶିଆସୁଛି ମନରେ ମହକ ସୃଷ୍ଟି କରି । ସେଇ ଗରମ ପବନ ଘର ଭିତରେ ସୃଷ୍ଟି କରୁଛି ତୃପ୍ତିଦାୟକ ଶୀତଳ ଗନ୍ଧ । ଏଇ ଘର ଭିତରେ ଶୀତଳ ପବନର ସଂସ୍ପର୍ଶରେ ଆସି ମନଟା ଏବଂ ଦେହଟା ଶୀତଳ ହେଇଯାଉଛି । ଅସହ୍ୟ ଉତ୍ତାପର ଅଧୀନରେ ଥିବା ଚର୍ମ ପୁଣି ପୂର୍ବ ଅବସ୍ଥାକୁ ଫେରିଆସୁଛି । ମନରେ, ଶରୀରରେ ନୂତନ ଜୀବନର ସଞ୍ଚାର ହେଉଛି ।

 

‘‘ବାହାରେ ଖୁବ୍‍ଗରମ୍‍ନା ସରଳା ?’’–ରାଣୀମା’ ସରଳାର ମୁହଁରେ ଦୃଷ୍ଟି ନିକ୍ଷେପ କରି ପଚାରିଲେ । ସରଳା ପେପର୍‍ରୁ ମୁହଁ ଉଠେଇ ଚାହିଁଲା ରାଣୀମା’ଙ୍କୁ, କିନ୍ତୁ ଚାହିଁପାରିଲାନି । ପୁଣି ଆଖି ନୋଇଁଲା । ହଠାତ୍‍ ମନେପଡ଼ିଗଲା ତା’ର କେତେଗୁଡ଼ିଏ ଉକ୍ତି–ଏଇ ରାଣୀମା’ଙ୍କ ମୁହଁର । ଆଜିକୁ ପ୍ରାୟ ମାସକ ଉପରେ ହେଲା । ଯେଉଁଦିନ ରାଜକୁମାର ଦୀର୍ଘ ଚାରିବର୍ଷ ପରେ ନିଜର ଜନ୍ମସ୍ଥାନକୁ ଫେରୁଥିଲେ–ନିଜର କର୍ମଭୂମିକୁ–ସେଇଦିନ ଅନେକ ଉପଦେଶ ଶୁଣିଥିଲା ସେ । ସେଇଦିନଠାରୁ ସରଳା ଭଲଭାବରେ ଭରସି କରି ପଦେ କିଛି କହିପାରୁନି ରାଣୀମା’ଙ୍କୁ ଚାହିଁପାରୁନି ତାଙ୍କର ମୁହଁକୁ । ନିଜର ଦୁର୍ବଳତା ନିଜକୁ ହିଁ ଖାଉଛି । କାହିଁକି ତା’ର ଏ ଦୁର୍ବଳତା ? କାହିଁକି ସେ ଏତେ ଦୁର୍ବଳ ମନେକରୁଛି ? କିଛି ଜାଣିପାରୁନି ମନକୁ ହଜାରେ ପ୍ରଶ୍ନ ପଚାରିଲେ ମଧ୍ୟ-

 

ରାଣୀମା’ଙ୍କର ପ୍ରଶ୍ନର ଉତ୍ତର ଦେବାକୁ ସରଳାର ବହୁତ ଡେରି ଲାଗିଲା; କିନ୍ତୁ ତା’ର ମନରୁ ଭାବନାର ଖିଅ ଛିଣ୍ଡେଇ ଘର ଭିତରକୁ ପଶିଆସିଲା ପରୀ । ରାଣୀମା’ଙ୍କ ଆଗରେ ନତମସ୍ତକରେ ଠିଆହେଇ କହିଲା, ‘‘ରାଜକୁମାର ଆସିଲେଣି ରାଣୀମା’ !’’ ରାଜକୁମାରଙ୍କର ଆଗମନବାର୍ତ୍ତା ଶୁଣି ପ୍ରଥମେ ରାଣୀମା’ ସ୍ତମ୍ଭୀଭୂତ ହେଇ ପରୀ ମୁହଁକୁ ଅନେଇ ରହିଲେ କାଠପିତୁଳା ପରି । ସରଳା ବି ଆକାଶରୁ ଖସିପଡ଼ିଲା ପରି ମନେକଲା । ସନ୍ଦେହମିଶ୍ରିତ ଆଖିରେ ଚାହିଁରହିଲା ପରୀ ମୁହଁକୁ । ପରୀ କ’ଣ ସତ କହୁଛି ନା ମିଥ୍ୟା ?

 

ରାଣୀମା’ ପ୍ରଥମେ ଅବିଶ୍ୱାସ କଲେ । ଛାତିଟା କେମିତି ଥରିବାକୁ ଲାଗିଲା । ଥର ଥର ଗଳାରେ କହିଲେ, ‘‘ସତ ପରା ? ରାଜକୁମାର ଆସିଛନ୍ତି ?’’

 

‘‘ହଁ ରାଣୀମା’ ! ଏଇକ୍ଷଣି ଆସି ପହଞ୍ଚିଛନ୍ତି; ବର୍ତ୍ତମାନ ତାଙ୍କ ଉଆସକୁ ଗଲେ । ପ୍ରତିଦିନ ପରି ଆଜି ବି ଦରଓ୍ୱାନ ସିଂହଦରଜା ଦଶଟା ପରେ ବନ୍ଦ କରିଦେଇଥିଲା । ରାଜଦାଣ୍ଡରେ ଦୂରରୁ ରାଜକୁମାରଙ୍କୁ ଦେଖି ଚଞ୍ଚଳ ଚାବି ଖୋଲିଦେଲା ।’’

 

‘‘ଗାଡ଼ିଟା ତ ଯାଇନଥିଲା ଷ୍ଟେସନ, ଆସିଲେ କେମିତି ?’’

 

‘‘ଚାଲି ଚାଲି ।’’

 

‘‘ଏଁ–ଚାଲି ଚାଲି !’’ ଆଶ୍ଚର୍ଯ୍ୟ ହେଲେ ରାଣୀମା’ । ପୁତ୍ରର ଏଇ ପ୍ରକାର ଚାଲିଚଳନ ଭଲଲାଗେନି ତାଙ୍କୁ । କିଏ ଶୁଣିଲେ କ’ଣ କହିବ ? ମନଟା କାହିଁକି ମରିଗଲା ତାଙ୍କର । ଆଖି ଉଠେଇ ସରଳାକୁ କହିଲେ, ‘‘ତୁମେ ବର୍ତ୍ତମାନ ଯାଇପାର ସରଳା ! ରାଜକୁମାର ଆସିଛନ୍ତି । ପରେ ଡକେଇଲେ ଆସିବ ।’’ ପରୀକୁ ଚାହିଁ, ସରଳାକୁ ଇଙ୍ଗିତ ଦେଇ କହିଲେ, ‘‘ନେଇଯା, ଛାଡ଼ିଦେଇ ଆସିବୁ ।’’

 

ସରଳା ମୁହଁପୋତି ଘରୁ ବାହାରିଆସିଲା ବାରଣ୍ଡାକୁ । ରାଣୀମା’ ଅସ୍ଥିର ମନରେ ବସିରହିଲେ ସେଇ ଘରେ । ନିଜର ଗୁରୁ ଦେହଟାକୁ ଆଉଜେଇଦେଲେ ପାଖରେ ଥିବା ମୋଟା ଗଦିଯୁକ୍ତ ଆରାମଚୌକି ଉପରେ । ମନରେ ଅସରନ୍ତି ଭାବନା ଗୁଡ଼େଇ ତୁଡ଼େଇ ହେଉଛି ସାଗରର ଢେଉପରି । ରାଜକୁମାରଙ୍କର ଟେଲିଗ୍ରାମ ପାଇ ରାଣୀମା’ ଆନନ୍ଦରେ ଉତ୍‍ଫୁଲ୍ଲ ହେଇଉଠିଥିଲେ–ଆନନ୍ଦର ଆତିଶଯ୍ୟରେ ଅଧୀର ହେଇପଡ଼ିଥିଲେ । ରାଜକୁମାରଙ୍କର ଅଭିନନ୍ଦନ ପାଇଁ ସମସ୍ତ ଆୟୋଜନ କରିଥିଲେ ରାଜବଂଶର ପ୍ରଥାନୁଯାୟୀ; କିନ୍ତୁ ସେଦିନ ତାଙ୍କର ଏତେ ବଡ଼ ଆନନ୍ଦରେ ଆଘାତ ଲାଗିଥିଲା । ରାଜକୁମାର ଆସିନଥିଲେ । ସେଇଦିନଠାରୁ ଆଜିପର୍ଯ୍ୟନ୍ତ ପୁଅପାଖକୁ ଖଣ୍ଡିଏ ଚିଠି ବି ଦେଇନାହାନ୍ତି କିମ୍ୱା ତାଙ୍କଠାରୁ ପାଇନାହାନ୍ତି । ଆଜି କିନ୍ତୁ ଅଜଣା ଅଶୁଣା ଭାବେ ସମସ୍ତଙ୍କୁ ଚମକେଇ ହଠାତ୍‍ ଆସି ପହଞ୍ଚିଛନ୍ତି ଉଆସରେ । ମନଟା ଦୁଃଖରେ ଭାରାକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ଆନନ୍ଦରେ ବି କାହିଁକି ନାଚିଉଠିଲା । ଏତେ ଦିନରେ ପୁତ୍ର ତାଙ୍କର ଫେରିଛନ୍ତି ଉଆସକୁ । କେଉଁ ମା ଖୁସି ନହୋଇ ରହିପାରିବ ? ଆଜି ଯଦି ସ୍ୱାମୀ ବିକ୍ରମକେଶରୀ ବଞ୍ଚିଥାଆନ୍ତେ, ତେବେ କେତେ ଖୁସି ସେ ନହୋଇ–ଥାଆନ୍ତେ ? ପୁଅ ଆଜି ତାଙ୍କର ଶିକ୍ଷିତ । ବିକ୍ରମପୁର ରାଜବଂଶର କିଏ ବା ଅଶିକ୍ଷିତ ଥିଲେ ? ସେ ନିଜେ ବି କ’ଣ ଅଶିକ୍ଷିତା ? ବି. ଏ. ପାଶ୍‍ କରିଛନ୍ତି ମାଡ୍ରାସ ପ୍ରେସିଡେନ୍‍ସି କଲେଜରୁ । ତାଙ୍କର ପୁଅ ବିକ୍ରମପୁର ରାଜବଂଶର ଏକମାତ୍ର ବଂଶଧର–ଅଶିକ୍ଷିତ ହେବେ କାହିଁକି ? ସ୍ୱାମୀ ଚାଲିଯାଇଛନ୍ତି ସତ; କିନ୍ତୁ ତାଙ୍କର କୋଳରେ ସମର୍ପି ଯାଇଛନ୍ତି ମଦନମୋହନଙ୍କୁ–ରାଜବଂଶର ସନ୍ତକ । ରାଜ୍ୟ ଯାଇଛି, ସିଂହାସନ ଓ ରାଜଗାଦି ଯାଇଛି; କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଏ ରାଜଉଆସ ରହିଥିବ, ସେତେ ଦିନ ପର୍ଯ୍ୟନ୍ତ ରହିଥିବ ରାଜବଂଶର ସ୍ମୃତି ।

 

ଦରଜାର ନୀଳ ପରଦାଟା ସାମାନ୍ୟ ଦୋହଲିଗଲା । ଆସ୍ତେ ନରମ ଚପଲ ପାଦରେ ଦେଇ ଧୀରେ ଧୀରେ ଘର ଭିତରକୁ ପଶିଆସିଲେ ରାଜକୁମାର ମଦନମୋହନ–ବିକ୍ରମପୁର ରାଜବଂଶର ଏକମାତ୍ର ପ୍ରଦୀପ, ଏକମାତ୍ର ବଂଶଧର । ସୁନ୍ଦର ସୁଶ୍ରୀ ଚେହେରା, ମୁହଁ ହସ ହସ ଏବଂ ପ୍ରଫୁଲ୍ଲ । ଆଖି ଦୁଇଟିରୁ ଜଣାପଡ଼ିଯାଉଛି ତାଙ୍କର ବଂଶର ଗରିମା । ନାକପୁଡ଼ା ଫୁଲି ଉଠୁଛି ଆନନ୍ଦରେ । ରାଜକୁମାର ରାଣୀମା’ଙ୍କ ପାଖକୁ ଆସି ନତମସ୍ତକ ହୋଇ ପ୍ରଣାମ କରି ପାଖ ଚୌକିରେ ବସିପଡ଼ିଲେ ।

 

ରାଣୀମା’ଙ୍କର ଧ୍ୟାନ ଭାଙ୍ଗିଗଲା । ଏକ ଆଖିରେ ଚାହିଁ ରହିଲେ ରାଜକୁମାରଙ୍କର ସୁନ୍ଦର ଅନୁପମ ସୁଶ୍ରୀ ଚେହେରାକୁ । ମନେହେଲା ତାଙ୍କର-ଠିକ୍‌ସ୍ୱାମୀ ବିକ୍ରମକେଶରୀଙ୍କର ପ୍ରତିଛବି । ଚାରିବର୍ଷ ପରେ ଚେହେରାରେ ଅନେକ ତାରତମ୍ୟ ଘଟିଯାଇଛି । ଆନନ୍ଦ ଉତ୍‌ଫୁଲ୍ଲତାରେ ଆଖି ତାଙ୍କର ଛଳ ଛଳ ହେଲା । ଚାହିଁରହିଲେ ରାଜକୁମାରଙ୍କୁ ଆଉ ସମନାରେ ରଖାଯାଇଥିବା ସ୍ୱାମୀ ବିକ୍ରମକେଶରୀଙ୍କର ତୈଳଚିତ୍ରକୁ ।

 

ଘରର ନୀରବତା ଭଙ୍ଗକରି ରାଜକୁମାର ପ୍ରଥମେ ମୁହଁ ଖୋଲିଲେ, ‘‘ସେ ଦିନ ଟେଲିଗ୍ରାମ୍‌କରିଥିଲି ସିନା, କିନ୍ତୁ ଆସି ପାରିନି । କଂଗ୍ରେସ ଅଫିସ୍‌ର ସେକ୍ରେଟାରୀ ହୋଇ ଏତେ ବଡ଼ ଦାୟିତ୍ୱରେ ରହି କେମିତି ବା ଆସିବି ? ସେଦିନ ସନ୍ଧ୍ୟା ପାଞ୍ଚଟାରେ ଟାଉନହଲ୍‌ରେ ବିରାଟ ମିଟିଂ ହୋଇଥିଲା । ଆମର ମୁଖ୍ୟମନ୍ତ୍ରୀ ସେଇ ମିଟିଂରେ ପ୍ରଧାନ ପୁରୋଧା ଥିଲେ । ସବୁ ଆୟୋଜନ ମତେ ହିଁ କରିବାକୁ ପଡ଼ିଥିଲା । ସେଇଥିପାଇଁ ଆସିପାରିଲିନି । କାଲି ଭଲଲାଗିଲାନି । ସେକ୍ରେଟାରୀ ପଦରୁ ରିଜାଇନ୍‌ ଦେଇ ଚାଲିଆସିଲି ଆଜି । ସମୟ ଅଳ୍ପ ବୋଲି ଟେଲିଗ୍ରାମ୍‌ କଲିନି-। କିଛି ଅସୁବିଧା ବି ହେଇନି ।’’

 

ରାଣୀମା’ କିଛି କହିପାରୁନାହାନ୍ତି; କେବଳ ଏକ ଲୟରେ ଶୁଣିଯାଉଛନ୍ତି ରାଜକୁମାରଙ୍କର କଥା ଆଉ ଏକ ଆଖିରେ ଚାହିଁ ରହିଛନ୍ତି । କ’ଣ କହିବେ–ମନଟା ତାଙ୍କର ଆଜି ଯେ ଅଧୀର ହେଇ ପଡ଼ିଛି ଆନନ୍ଦରେ ! ପିଲାଟିଦିନରୁ ଯାହାର ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ, ପାଖରୁ ଦୂରେଇ ରଖିଥିଲେ, ସେ ଆଜି ତାଙ୍କର ସମସ୍ତ ଆଶା, ଆକାଂକ୍ଷା ପୂରଣ କରିପାରିଛି । ଏତେ ଦିନ ପରେ, ଦୀର୍ଘ କୋଡିଏ ବର୍ଷ ପରେ ନିଜ କୋଳକୁ ଫେରେଇ ଆଣିଛନ୍ତି ତାଙ୍କୁ ରାଜବଂଶର ଶିକ୍ଷାଦୀକ୍ଷା ସହିତ ସମସ୍ତ ଆଧୁନିକ ଶିକ୍ଷା ଦେଇ । ଆଉ ଅଧିକା ସେ ଚାହାନ୍ତିନି । ଆଉ ଏଥର ସେ କେଉଁଆଡ଼େ ହେଲେ ଛାଡ଼ିବେନି ରାଜକୁମାରଙ୍କୁ । ତାଙ୍କର ବୟସ ହେଇଯାଇଛି, ନିଜର ଭବିଷ୍ୟତ୍‌ ଦେଖିବେ । ରାଜବଂଶର ରୀତିନୀତି ଶିଖିବେ । ବିବାହ କରି ବିବାହିତ ଜୀବନ ଯାପନ କରିବେ । ଏଥର କିନ୍ତୁ ସେ ଛୁଟି ନେବେ ଏଥିରୁ । ବଡ଼ କ୍ଲାନ୍ତ, ତେଣୁ ବିଶ୍ରାମ ଚାହାଁନ୍ତି ସେ-

 

ପ୍ରକୃତରେ ରାଣୀମା’ ମନରେ ଏବଂ ଦେହରେ ଅନୁଭବ କଲେ ଅସାଧାରଣ କ୍ଲାନ୍ତି । ଅବଶ ହେଇପଡ଼ିଲା ମନଟା ଯେମିତି । ମୁହଁରେ ଟୋପି ଟୋପି ସ୍ୱେଦକଣା ଦେଖାଦେଲା । ଆଖି ଉଠେଇ ଚାହିଁଲେ ରାଣୀମା’ ରାଜକୁମାରଙ୍କୁ । ‘‘ଏମିତି ନଜଣେଇ, ନଶୁଣେଇ ଅଜ୍ଞାତ ଭାବେ ଆସିବାକୁ ଉଚିତ ମନେକଲେ ?’’ ହଠାତ୍‌ ତାଙ୍କ ମୁହଁରୁ ଏଇ ପ୍ରକାର କଥା ଶୁଣିବାକୁ ରାଜକୁମାର ପ୍ରସ୍ତୁତ ନଥିଲେ । ଅପ୍ରସ୍ତୁତ ହେଇ କହିଲେ – ‘‘ନା, ନା, ଆପଣ କିଛି ଦୁଃଖ କରନ୍ତୁନି ମା, ସମୟ ଅଳ୍ପ ଥିଲା । ସେଇଥିପାଇଁ ଟେଲିଗ୍ରାମ୍‌ଟା କଲିନି ।’’

 

ସଙ୍ଗେ ସଙ୍ଗେ ରାଣୀମା’ଙ୍କର ମୁହଁର ଭାବଧାରା ବଦଳିଗଲା । ମୁହଁରେ ଫୁଟିଉଠିଲା ହସ । ହୃଦୟରେ ସ୍ନେହର ଫଲ୍‌ଗୁଧାରା । ମନରୁ ସମସ୍ତ କ୍ଲାନ୍ତି ଅବସାଦ ପୋଛିହେଇଗଲା ଆପଣା ଛାଏଁ । ହସି ହସି ଚୌକି ଉପରୁ ଉଠିଆସିଲେ ରାଜକୁମାରଙ୍କ ପାଖକୁ । ପୁଅ ବଡ଼ ହେଇଗଲେ ବି ପୁଅ ସେ । ମାର ଚିରବାଞ୍ଛିତ ସ୍ନେହ ଆଗରେ ସାନ ବଡ଼ର ଭେଦାଭେଦ କାହିଁ ? ଆନନ୍ଦରେ ରାଜକୁମାରଙ୍କ ମୁଣ୍ଡରେ ହାତ ବୁଲେଇ ଆଣିଲେ । କ’ଣ କହିବେ ? ଓଠ ତାଙ୍କର ଥରିଉଠିଲା । କିନ୍ତୁ କହିପାରିଲେନି କିଛି । କେବଳ ଚାହିଁରହିଲେ ବିକ୍ରମକେଶରୀଙ୍କର ତୈଳଚିତ୍ରଟିକୁ ।

 

ବାରଟା ବାଜିଲା ଠନ୍‌ଠନ୍‌ ହେଇ । ରାଜକୁମାର ହାତରେ ପିନ୍ଧିଥିବା ରୋଲେକ୍ସ ଘଣ୍ଟାକୁ ଚାହିଁଲେ । ଲାଇବ୍ରେରି ଘରର ବାହାରେ ଅସମ୍ଭବ ରକମର ଭିଡ଼ ସୃଷ୍ଟିହୋଇଛି । ଶୁଭୁଛି କାର ମୃଦୁଗୁଞ୍ଜନ –ଚାପା ଚାପା କଣ୍ଠର ସ୍ୱର । ରାଣୀମା’ ପରଦା ଆଡ଼କୁ ଚାହିଁ ତାଳି ମାରିଲେ । ସଙ୍ଗେ ସଙ୍ଗେ ପରୀ ପଶିଆସିଲା ଭିତରକୁ । ବାରଟାରେ ରାଣୀମା’ଙ୍କର ଖାଇବା ସମୟ । ରାଣୀମା’ ବୁଝିଲେ ବାହାରେ ଭିଡ଼ର କାରଣ । ରାଜକୁମାରଙ୍କୁ ଚାହିଁ କହିଲେ, ‘‘ରାଜକୁମାର, ତୁମକୁ ଦେଖିବା ସକାଶେ ଉଆସର ପ୍ରତ୍ୟେକ ଦାସଦାସୀ ବାହାରେ ଅପେକ୍ଷା କରିଛନ୍ତି । ସେମାନଙ୍କୁ ଦେଖା ଦେବା ତୁମର ପ୍ରଥମ କଥା । ଏଣେ ମୋହର ସମୟ ବି ହେଇଗଲାଣି ।’’ ଯେମିତି ଧୀର ନମ୍ର ଭାବରେ ରାଜକୁମାର ଘର ଭିତରକୁ ପଶିଆସିଥିଲେ, ସେଇପରି ରାଣୀମା’ଙ୍କ ପଛେ ପଛେ ଲାଇବ୍ରେରୀ ଘରୁ ନୀଳ ପରଦାର ପଛପାଖରେ ଅଦୃଶ୍ୟ ହେଇଗଲେ । ବାହାରେ ମୃଦୁଗୁଞ୍ଜନ ।

 

ଜ୍ୟେଷ୍ଠମାସର ଅସହ୍ୟ ଯନ୍ତ୍ରଣାଦାୟକ ଗ୍ରୀଷ୍ମ ଆଉ ଆଷାଢ଼ର କଳା ବଉଦ ତଳେ ଟୋପି ଟୋପି ବର୍ଷା ବିତିଗଲାଣି କେତେ ଦିନ ହେଲା । ଏ ବର୍ଷ ବିକ୍ରମପୁରର ରଥଯାତ୍ରାଟା ଖୁବ୍‌ ଘନଘଟାରେ ହେଇଯାଇଛି ରାଜକୁମାରଙ୍କ ଯୋଗୁଁ । ଏବେ ଆସିଛି ଧାରାଶ୍ରାବଣ । ଝର ଝର ହୋଇ ବରଷାର ଧାରା ଅନବରତ ଲାଗିରହିଛି ଦିନ ତମାମ୍‌ । କୌଣସି କାମ ହେଇପାରିନି ଆଜି-। ବାହାରକୁ ବାହାରିବା ଦୁଃସାଧ୍ୟ । କିନ୍ତୁ ଚାଷୀମାନଙ୍କର ମନ ଉତ୍‌ଫୁଲ୍ଲ ।

 

ରାତି ହେଇନି, ସନ୍ଧ୍ୟା ଛଅଟା କିମ୍ବା ସାଢ଼େ ଛଅଟା ଖଣ୍ଡେ ହେବ । ଆକାଶରେ କଳା ମେଘ ଘୋଡ଼େଇ ରଖି ଥର ଥର କରି ଥରେଇ ଦେଉଛି ପୃଥିବୀର ବକ୍ଷ । ଘନ ଅନ୍ଧକାର ପୂରି ରହିଛି ଚାରିଆଡ଼େ । ଏଣେ ତୁହାକୁ ତୁହା ଝର ଝର ହୋଇ ଆସୁଛି ବର୍ଷା ପାହାଡ଼ ଉପରୁ । ରାଜପ୍ରସାଦକୁ ତାହାରି କୋଳରେ ଆଶ୍ରୟ ଦେଉଛି ସେ । ବାହାରକୁ କାନ ଦେଲେ ଶୁଣାଯାଉଛି ସୁ ସୁ ଗର୍ଜନ । ରାଜକୁମାରଙ୍କର ମନଟା ଭଲଲାଗୁନି । ଦିନଯାକ ବସି ବସି ବିରକ୍ତ ଲାଗିଲାଣି । କୌଣସି କାମ ହେଇ ପାରିଲାନି । ଆଜି ସନ୍ଧ୍ୟାବେଳେ ନୈଶବିଦ୍ୟାଳୟକୁ ଯିବାକୁ ଥିଲା, କିନ୍ତୁ ଯାଇପାରୁଛନ୍ତି କେଉଁଠୁ ? ଘରେ ବିଛାଇ ହେଇ ପଡ଼ିଛି ଇଲେକ୍‌ଟ୍ରିକ୍‌ ଆଲୋକର ବନ୍ୟା । ଝରକା ରେଲିଂଦେଇ ଭିତରକୁ ପଶିଆସୁଛି ସଦ୍ୟ ବର୍ଷାର ବ୪ ଚିରି ଶୀତୁଆ ପବନ । ଦେହଟା ଶିରଶିରେଇ ଥରି ଉଠୁଛି । ମନଟା କେମିତି କେମିତି ଲାଗୁଛି । ମୁଣ୍ଡଟା ଭାରାକ୍ରାନ୍ତ । ଘରର ଏ ପାଖରୁ ସେ ପାଖ ସେ ଘୁରିବୁଲୁଛନ୍ତି । ତା’ପରେ ରେଡ଼ିଓଟାକୁ ଖୋଲିଲେ ସେ । କଟକରେ ବର୍ତ୍ତମାନ ଗାଁଗହଳିରେ ପ୍ରୋଗ୍ରାମ । ଭଜନ ଗାଉଛନ୍ତି ଜଣେ ଗାୟିକା । ସୁନ୍ଦର ଶୁଣାଯାଉଛି ସେ ବ୍ୟଥାତୁର କଣ୍ଠର ଭଜନଟା–

 

ସୁନ୍ଦର ନଟବର ନାଗର ଗିରିଧାରୀ

ଶୁଣିବନି କି ମୋ ଗୁହାରି ?

 

ପଚିଶ ଫୁଟ୍‌ଲମ୍ବା ଚଉଡ଼ା କୋଠରିଟି । ଚଟାଣରେ ପତଳା ମଖମଲ ପରି ନରମ ନାଲି ଗାଲିଚା । ଉତ୍ତର–ପୂର୍ବ କୋଣକୁ ଦୁଇଟା ବଡ଼ ବଡ଼ କାଠ ଆଲମାରୀ ଲୁଗା, ଜାମାରେ ପରିପୂର୍ଣ୍ଣ । ପୂର୍ବପଟ କାନ୍ଥରୁ ଚାରିଫୁଟ ଛଡ଼ା ଗୋଟିଏ ଦାମୀ କାଠର ତିଆରି କୁଟିକମକରା ଆଲଣା । ଘର ମଝିରେ ମସ୍ତବଡ଼ ତିନିଫୁଟ ଉଚ୍ଚା ନାନାରକମ କାରୁକାର୍ଯ୍ୟ ଭରା ଗୋଟିଏ ମେହେଗାନି କାଠର ପଲଙ୍କ । ମଶାରି ବାଡ଼ର ଦୁଇପାଖରେ ଦୁଇଟା ମସ୍ତବଡ଼ ବେଲ୍‌ଜିୟମ୍‌ ଗ୍ଲାସର ଦର୍ପଣ । ପଲଙ୍କ ଉପରେ ମୋଟା ଗଦି ଆଉ ଦୁଧଫେଣ ପରି ଧଳା ଫର୍‌ଫର୍‌ ବିଛଣାଚଦର । ମୁଣ୍ଡ ପାଖରେ ଦୁଇଟି ଗୋଲ ତକିଆ ଏବଂ ପାଦତଳକୁ ବି ସେହିପରି ଦୁଇଟି ତକିଆ ରଖାଯାଇଛି । ପଶ୍ଚିମପାଖ ଝରକାକୁ ଲାଗି ଗୋଟିଏ ଡ୍ରେସିଂ ଟେବୁଲ ଏବଂ ମୋଟା ଗଦିଯୁକ୍ତ ଚୌକି । ଡ୍ରେସିଂ ଟେବୁଲକୁ ଲାଗି ଗୋଟିଏ ଛୋଟିଆ ଗୋଲାକାର ଟିପୟ ଉପରେ ଫୁଲପତ୍ର ଅଙ୍କା ରୂପାର ଫୁଲଦାନିରେ ସଜଫୁଟା ଗୋଟିଏ ପେନ୍ଥା ଗୋଲାପଫୁଲ । ଝରକା ଭିତର ଦେଇ ଆସୁଥିବା ଶୀତୁଆ ପବନ ସେଇ ଗୋଲାପର ଗନ୍ଧ ବହି ଘୂରି ବୁଲୁଛି କୋଠରୀଟିରେ । ଦକ୍ଷିଣ ପାଖ କାନ୍ଥକୁ ଲାଗି ଦୁଇଟି ବଡ଼ ଚମଡ଼ା ସୁଟ୍‌କେଶ୍‌ ରାଜକୁମାରଙ୍କର ଛାତ୍ରଜୀବନର ସାଥୀ । ପଲଙ୍କର ପଶ୍ଚିମ ପାଖକୁ ଲାଗି ଆଉ ଗୋଟିଏ ଛୋଟ ଟେବୁଲ ଏବଂ ଦୁଇପାଖରେ ଦୁଇଟି ମଖମଲ ଗଦିଯୁକ୍ତ ଚୌକି । ପଢ଼ା ଟେବୁଲ ।

 

ରାଜକୁମାର କୋଠରିଟିର ଏ ପାଖରୁ ସେପାଖ ବୁଲି ବୁଲି ଶେଷରେ ଝରକା ପାଖରେ ଆସି ଠିଆହେଲେ । ବର୍ଷାର ବେଗ ଆହୁରି କମିନି, ବରଂ ବଢ଼ିଛି । ପକ୍‌କା ଛାତ ଉପରୁ ଝରଝର ହେଇ ଝରିଆସୁଛି ତଳକୁ ବର୍ଷାପାଣି । ଝରକାର ରେଲିଂ ଧରି ରାଜକୁମାର ବାହାରକୁ ଚାହିଁ ଠିଆହେଇରହିଲେ । କିଛି ଦେଖା ଯାଉନି, କିନ୍ତୁ ଶୁଣିପାରୁଛନ୍ତି ବର୍ଷାର ତାଣ୍ଡବଲୀଳା । ପୃଥିବୀବକ୍ଷରେ ସୃଷ୍ଟି କରୁଛି ପ୍ରଳୟ ।

 

ବିକ୍ରମପୁର ଉଆସକୁ ଆସିବାଦିନଠାରୁ ଅନେକ କାମ କରିଗଲେଣି । ଏଇ ମନୋବୃତ୍ତି ନେଇ ସେ ବିକ୍ରମପୁର ଆସିଥିଲେ । ପ୍ରଥମେ ସେ ନିଜର ଛୋଟିଆ ରାଜ୍ୟଟିରେ ନିଜର କାମ କରିବେ; ତା’ପରେ ଯାଇ ବାହାର ଦୁନିଆର ଖବର ରଖିବେ । ସେଇଥିପାଇଁ ସେ ବିକ୍ରମପୁରର ପ୍ରତ୍ୟେକ ପାଖାପାଖି ଗ୍ରାମକୁ ଯାଇ ବୁଲି ଦେଖିଆସିଲେଣି । ମନରେ ନାହିଁ ଗର୍ବ, ରାଜାର ଆଭିଜାତ୍ୟ କିମ୍ବା ଅଭିମାନ ।

 

ଗାଁକୁ ଗାଁ ବୁଲି, ପ୍ରତି ଗ୍ରାମର ଲୋକମାନଙ୍କ ସହିତ ମିଳାମିଶା କରି, କଥାବାର୍ତ୍ତା କରି, ଗ୍ରାମର ପରିବେଷ୍ଟନୀକୁ ଦେଖିଚାହିଁ ଆସିଛନ୍ତି । ପ୍ରତ୍ୟେକ ଗାଁରେ ଦେଖିଛନ୍ତି ଗୋଟିଏ ରକମର ଅବସ୍ଥା । ସବୁ ଅପରିଷ୍କାର, ଅପରିଚ୍ଛନ୍ନ – ବର୍ଷାଦିନେ ଗାଁଦାଣ୍ଡ ଏବଂ ଗାଁର ଚାରିପାଖ ସନ୍ତସନ୍ତିଆ, ପଚା; ମାଛି–ମଶାଙ୍କର ଜନ୍ମସ୍ଥାନ–ଦୁର୍ଗନ୍ଧ । ଗାଁର ପ୍ରାୟ ଶତକଡ଼ା ଚାଳିଶ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ । ସମସ୍ତେ ଅଶିକ୍ଷିତ । ଗାଁରେ ଯିଏ କେହି ଜଣେ ଦୁଇଜଣ ଶିକ୍ଷିତ ବୋଲି କହିବୁଲୁଛନ୍ତି, ସେମାନଙ୍କର ଶିକ୍ଷାଦୀକ୍ଷା ହେଲା ଗାଁ ଅବଧାନଙ୍କର ଚାଟଶାଳୀ । ସେମାନେ ହିଁ ଗାଁର ଗଣ୍ୟମାନ୍ୟ ବ୍ୟକ୍ତି । ଶିକ୍ଷିତ ଆଉ ଟାଉଟର ନିଜର ସୁଖସୁବିଧା ମାରିନେବାପାଇଁ ପରର ଅମଙ୍ଗଳ କାମନା ସେମାନଙ୍କ କାମର ପ୍ରଥମ ଅଙ୍ଗ । ଗାଁ–ଗାଁରେ ଦୁଇ ଦଳ ସୃଷ୍ଟି ହେଇଛି; ସେଥିରେ ପୁଣି ଲାଗିଛି ମକଦ୍ଦମା । ଘରେ ଖାଇବାକୁ ନଥିଲେ ମଧ୍ୟ ସ୍ତ୍ରୀଲୋକର ନାକରୁ କାନରୁ ଗହଣା ବିକି, ନହେଲେ କଂସାବାସନ ଓ ଜମିବାଡ଼ି ବନ୍ଧକ ରଖି ମକଦ୍ଦମାଖର୍ଚ୍ଚ ଚଳାଉଛନ୍ତି । ଘରେ ଖାଇବାକୁ ନଥାଉ, ସେଥିରେ କିଛି ଆପତ୍ତି ନାହିଁ; କିନ୍ତୁ ମକଦ୍ଦମା ବନ୍ଦ ହେବନି । ଏଇ ହେଲା ସେମାନଙ୍କର ମନୋବୃତ୍ତି-

 

ଏସବୁ ଦେଖି, ଜାଣି ରାଜକୁମାର ବଡ଼ ଦୁଃଖିତ ହେଇଥିଲେ । ଏସବୁ ଅନୀତି, ଅନାଚାର, ଭ୍ରମଧାରଣା ସେମାନଙ୍କ ମନରୁ ପୋଛି ଦେବାକୁ ହେବ । ନୂତନ ସ୍ୱାଧୀନ ଦେଶର ସ୍ୱାଧୀନ ନାଗରିକରୂପେ ସେମାନଙ୍କୁ ଠିଆକରେଇବାକୁ ହେବ । ସେଥିପାଇଁ ଉଚିତ ଶିକ୍ଷା ଦରକାର-। କୁସଂସ୍କାର ଭିତରେ ବୁଡ଼ିରହିଛନ୍ତି ସେମାନେ–ସେଥିରୁ ସେମାନଙ୍କୁ ମୁକ୍ତ କରିବାକୁ ହେବ-। ମଣିଷ ଜୀବନରେ କେବଳ ମୋଟା ପିନ୍ଧି, ମୋଟା ଖାଇ, ଅବହେଳିତ ଲାଂଛିତ ଜୀବନ ଯାପନ କରିବା ଉଚିତ ନୁହେ । ନିଜର ପରିସ୍ଥିତିକୁ ପ୍ରଥମେ ଦେଖିବାକୁ ହେବ । ସବୁବେଳେ ନିଜର ସୁଖ, ଦୁଃଖ ବିଚାର କଲେ ହେବନି । ପ୍ରତ୍ୟେକ କାମ ପାଇଁ ଭଗବାନଙ୍କ ଉପରେ ନିର୍ଭର କଲେ ହେବନି-। ଏଣେ ପରିଶ୍ରମ କରିବ, ନିଜର ସମସ୍ତ ଦୁଃଖ–ଦୁର୍ଦ୍ଦଶା ଘୁଞ୍ଚେଇବାକୁ ଆପ୍ରାଣ ଚେଷ୍ଟା କରିବ, ତେଣେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥିବ । ଏହା ହିଁ ମାନବ ଜୀବନର ପଥପ୍ରଦର୍ଶକ । ଏଣେ ଧର୍ମ, ତେଣେ କର୍ମ । ଧର୍ମ ମାନବକୁ ଅନ୍ୟାୟ, ଅସତ୍‌ପଥରୁ ଟାଣିନେବ ସତ୍‌ପଥକୁ, ନ୍ୟାୟପଥକୁ; ଆଉ କର୍ମ ମାନବ ଜୀବନରେ ଆଣିଦେବ ସୁଖ, ଶାନ୍ତି ଓ ସାନ୍ତ୍ୱନା । ଏଇ ଭାବନା ତାଙ୍କ ମନରେ ସ୍ଥାନ ପାଇଥିଲା । ବିଶ୍ୱାସ ଥିଲା ଲୋକମାନେ ନିଶ୍ଚୟ ତାଙ୍କ କଥା ଶୁଣିବେ ଏବଂ ରକ୍ଷା କରିବେ-। ଏହି ବିଶ୍ୱାସ ହିଁ ତାଙ୍କୁ ଦୁଃସ୍ଥ, ଅସହାୟ, ଆଉ କୁସଂସ୍କାରପୂର୍ଣ୍ଣ ସମାଜର ସେବା କରିବା ପାଇଁ ପ୍ରବର୍ତ୍ତାଇଛି ।

 

ସେ ବିକ୍ରମପୁର ଆସି ପ୍ରଥମେ ଦିନାକେତେ ଅଳସୁଆଙ୍କ ପରି ନରହରିବାବୁଙ୍କ ସହିତ ଏଣେତେଣେ ବୁଲିଥିଲେ; କିନ୍ତୁ ତାଙ୍କ ମନଭିତରର ଜାଗ୍ରତ କାମନା ଏବଂ ଇଚ୍ଛା ଟିକକ ପଥ ଖୋଜି ବୁଲୁଥିଲା । ଶେଷରେ ସେ ନରହରିବାବୁଙ୍କୁ କହିଥିଲେ ମନର କଥା ଟିକକ । ନରହରିବାବୁ ଖୁସିହେଇଥିଲେ ଏବଂ କହିଥିଲେ – ‘‘ଏ ପ୍ରକାର ମନୋବୃତ୍ତି ନେଇ ତୁମେ ଆଗେଇ ପାରିବ ରାଜକୁମାର, ଯହିଁରେ ପଦେ ପଦେ ଶତ ଶତ ବାଧାବିଘ୍ନ, ନିନ୍ଦାଅପବାଦ ! ସବୁ ସହିବାକୁ ପଡ଼ିବ । ନିଜର ସୁଖ ଶାନ୍ତିକୁ ସାରା ଜୀବନ ପାଇଁ ଜଳାଞ୍ଜଳି ଦେବାକୁ ହେବ । ବହୁ ଶ୍ରମ ସ୍ୱକାର କରିବାକୁ ପଡ଼ିବ । ପାରିବ ତୁମେ ?’’

 

–ପାରିବିନି କାହିଁକି ? ମନର ବିଶ୍ୱାସ ଏବଂ ଦୃଢ଼ତା ମତେ ଏତେ ଦୂର ଟାଣିଆଣିଛି । କେବଳ ଆପଣଙ୍କର ସ୍ୱୀକୃତି, ସାହାଯ୍ୟ ଓ ସହାନୁଭୂତି ଦରକାର । ଏତକ କ’ଣ ମୁଁ ପାଇପାରିବିନି-?

 

–ମୁଁ ତୁମକୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ; କିନ୍ତୁ ଗୋଟିଏ କଥା, ତୁମେ ଆଗେ ମା’ଙ୍କର ମତାମତ ନିଅ । ଦେଖ ସେ କ’ଣ କହୁଛନ୍ତି ।

 

ରାଜକୁମାର ମା’ଙ୍କର ଅନୁମତି ପାଇଲେ । ନରହରିବାବୁ ତାଙ୍କ ସହିତ ରହିବେ । ସେ ହେଲେ ରାଜବଂଶର ପୁରୁଣା ବିଶ୍ୱସ୍ତ ବନ୍ଧୁ । ରାଜକୁମାର ପିଲାଲୋକ । ସେ ଯଦି କୌଣସି ଜାଗାରେ ରାଜାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରନ୍ତି, ତେବେ ନରହରିବାବୁ ସେଠାରେ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବେ ।

 

ରାଜଉଆସର ଦରବାର ଗୃହରେ ଗୋଟିଏ ଛୋଟକାଟର ଆଲୋଚନା ସଭା ବସିଲା । ରାଜାମାନେ ଆଗେ ସେଇ ଦରବାର ଗୃହରେ ସିଂହାସନ ଉପରେ ଗୁହାରି ଶୁଣୁଥିଲେ । ଆଜି କିନ୍ତୁ ସେ ଦରବାର ଗୃହର ସାଜସଜ୍ଜା ଅତି ଆଡ଼ମ୍ବରହୀନ । ସିଂହାସନ ଉଠିଗଲାଣି । କେବଳ ମସ୍ତବଡ଼ ହଲର ମଝିରେ ଦୁଇଧାଡ଼ି ମଖମଲ କନାରେ ମୋଟା ଗଦିଯୁକ୍ତ ଗୋଟିଏ ଚୌକି, ଦୁଇଧାଡ଼ି ଚୌକି ଶେଷକୁ ଗୋଟିଏ ଛୋଟିଆ ଟେବୁଲ, ଟେବୁଲ ଉପରେ ରାଜା ବିକ୍ରମକେଶରୀଙ୍କର ବିରାଟ ତୈଳଚିତ୍ର । ହଲର ଚାରିପାଖ କାନ୍ଥରେ ରାଜବଂଶର ପୂର୍ବପୁରୁଷମାନଙ୍କର ବିରାଟ ତୈଳଚିତ୍ର । ତଳେ ମୋଟା ନରମ ଗାଲିଚା । ହଲ୍‌ଟିର ଚାରି ପାଖକୁ ଚାରୋଟି ଦରଜା । ଦରଜାରେ ଝୁଲୁଛି ଶାଗୁଆ ରଙ୍ଗର ସିଲ୍‌କ ପରଦା ଚାରୋଟି । କେବଳ ଆଗନ୍ତୁକମାନେ ହିଁ ସେଇ ହଲ୍‌କୁ ଆସି ରାଣୀମା’’ଙ୍କ ସହିତ ଦେଖାସାକ୍ଷାତ କରନ୍ତି । ସେଇ ହଲ୍‌ରେ ଛୋଟ ସଭାଟି ବସିଲା । ସଭାରେ ରାଜକୁମାର ନିଜର ଉଦ୍ଦେଶ୍ୟ ବ୍ୟକ୍ତ କରିଥିଲେ । ସମସ୍ତେ ତାଙ୍କ କଥାରେ ଏକମତ ହେଇଥିଲେ । ସଘଂ ଗଠନ କରାଗଲା ସେଇ ଦଶ ବାର ଜଣ ସଭ୍ୟଙ୍କୁ ନେଇ । ସେକ୍ରେଟାରୀରୂପେ ନିଯୁକ୍ତ ହେଲେ ବଳଭଦ୍ର ମିଶ୍ର, ଯେ ଗତ ବର୍ଷ ବି. ଏ. ପାସ୍‌କରି ଘରେ ବସିଥିଲେ । ଚାକିରି କରିବାକୁ ତାଙ୍କର ମନ ନାହିଁ । ଘରେ ବାପାଙ୍କ ସମ୍ପତ୍ତିର ଏକମାତ୍ର ମାଲିକ ସେ । ସେବା ମନୋବୃତ୍ତି ନେଇ ସେ ପରର ସେବା କରିବା ପାଇଁ ଆଗଭର । ଠିକ୍‌ହେଲା, ପ୍ରତି ସଭ୍ୟ ସଙ୍ଘ ପାଇଁ ମାସକୁ ଟଙ୍କାଏ କରି ଦେବେ । ରାଜକୁମାର କିନ୍ତୁ ମାସକୁ ଏକ ଶତ କରି ଟଙ୍କା ଦେବାକୁ କହିଲେ । ପ୍ରଥମେ ସଙ୍ଘକୁ ଚାଲୁରଖିବା ପାଇଁ ରାଜକୁମାର ପାଞ୍ଚଶତ ଟଙ୍କା ଦେଲେ । ନରହରିବାବୁଙ୍କ ପାଖରେ ରହିଲା ସେସବୁର ହିସାବପତ୍ର । ସଙ୍ଘର କାମ ଆରମ୍ଭ କରିଦେବା ପାଇଁ ସମସ୍ତେ ତତ୍ପର ହେଇ ଉଠିଲେ ।

 

ବିକ୍ରମପୁର ଗଡ଼ର ଏବଂ ଆଖପାଖ ମଫସଲ ଗାଁମାନଙ୍କରୁ ଯେଉଁ ଗରିବ ଛାତ୍ରସବୁ ପଢ଼ୁଥିଲେ, ସେମାନଙ୍କୁ ସାହାଯ୍ୟ ଦିଆଗଲା ସଙ୍ଘ ପକ୍ଷରୁ । ଦାରିଦ୍ର୍ୟ ହେତୁ ଯେଉଁମାନେ ପିଲାମାନଙ୍କୁ କାମ କରିବାକୁ ବିଲବାଡ଼ିକୁ ପଠେଇଦେଉଥିଲେ, ସେମାନଙ୍କ ପାଇଁ ଗଡ଼ର ହାଇସ୍କୁଲରେ ନୈଶ ବିଦ୍ୟାଳୟ ଖୋଲାଗଲା । ସେଥିରେ ଗରିବ ଶ୍ରେଣୀର ଲୋକମାନେ, କି ବୁଢ଼ା କି ପିଲା, ସମସ୍ତେ ପଢ଼ିବାକୁ ଆସିଲେ । ବୁଢ଼ାମାନେ ଅତି ଆଗ୍ରହସହକାରେ ଅ, ଆ, କ, ଖ ମୁଖସ୍ଥ କରିବାକୁ ଲାଗିଲେ । ଗଡ଼ରେ ଦୁଇଟି ନୈଶ ବିଦ୍ୟାଳୟ ଖୋଲାଗଲା । ପ୍ରାୟ ଦୁଇଶହ ହେବ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସେଥିରେ ପଢ଼ନ୍ତି । ସରକାରଙ୍କ ପାଖକୁ ଦରଖାସ୍ତ ଦେଇ ପ୍ରତି ମାସକୁ ମାସ ସାହାଯ୍ୟ ବ୍ୟବସ୍ଥା କରେଇନେଲେ ରାଜକୁମାର । ନୂଆ କରି ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଆଉ ସଙ୍ଘର ମେମ୍ବରମାନେ ବି ନୈଶବିଦ୍ୟାଳୟକୁ ଯାଇ ଲୋକମାନଙ୍କୁ ପଢ଼ାଉଥିଲେ । ରାଜକୁମାର ନିଜେ ବି ପଢ଼େଇବାକୁ ଯାଆନ୍ତି । ମନରେ ତାଙ୍କର ରାଜାର ଆଭିଜାତ୍ୟ କିମ୍ବା ଗର୍ବ ନାହିଁ । ସମସ୍ତଙ୍କ ସଙ୍ଗେ ମିଶି ନିଜକୁ ସେଇମାନଙ୍କ ଭିତରୁ ଜଣେ ବୋଲି ଭାବିନେଇଛନ୍ତି ସେ ।

 

କେବଳ ଗଡ଼ରେ ନୁହେଁ, ମଫସଲ ଗାଁମାନଙ୍କରେ ବି କାମ ଆଗେଇ ଚାଲିଛି । ପ୍ରଥମେ ରାଜକୁମାର ପ୍ରତି ଗାଁକୁ ଗାଁ ବୁଲି ଲୋକମାନଙ୍କୁ ବୁଝାଉଛନ୍ତି କେମିତି ପରିଷ୍କାର ରହିବାକୁ ହେବ, ଘରଦ୍ୱାର ସବୁ ପରିଷ୍କାର ରଖିବାକୁ ହେବ, ଗାଁଦାଣ୍ଡ ସଫା କରିବାକୁ ହେବ, ଖତଗଦା ଘରଠାରୁ ଦୂରରେ ରଖିବାକୁ ହେବ । ଏହା ଫଳରେ ମଶା–ମାଛିମାନଙ୍କର ପ୍ରାଦୁର୍ଭାବ ବେଶି ହେବନି । ଗାଁରେ ରୋଗସଂଖ୍ୟା ବେଶି ହବନି । ତାଙ୍କରି କଥାନୁସାରେ ଗାଁର ମୁଖିଆ ଲୋକମାନେ ଘର–ବାହାର ପରିଷ୍କାର ରଖୁଛନ୍ତି । ଖତଗଦା ଦୂରେଇ ଦେଉଛନ୍ତି । ଗାଁକୁ ଲାଗି ପୋଚାଗାଡ଼ିଆ ସବୁ ମାଟି ପକେଇ ପୋତିଦେଉଚନ୍ତି । ଦାଣ୍ଡରେ ବାଲି ପକେଇ ବର୍ଷାଦିନରେ ଗାଁଗଣ୍ଡାକୁ ପରିଷ୍କାର ରଖୁଛନ୍ତି । ପ୍ରତି ଗାଁରେ ସେଇ ଗାଁର ଯୁବକ କର୍ମୀମାନଙ୍କୁ ନେଇ ଗୋଟିଏ ସଂଘ ଗଢ଼ାଯାଉଛି । ସେଇ ସଂଘଦ୍ୱାରା ଗାଁର ସବୁକାମ ଆଗେଇ ଚାଲିଛି । ରାତିରେ ପାଠଶାଳା ଖୋଲାଯାଇଛି । କେବଳ ପାଠଶାଳାରେ ପାଠପଢ଼ା ହେଉନି, ତା ସହିତ ହାତକାମ ବି ଶିକ୍ଷା ଦିଆଯାଉଛି । ତାଳପତ୍ର, କିଆପଟ, ବେତ, ବାଉଁଶରେ ସବୁ ରକମ ହାତକାମ ଶିକ୍ଷା ଦିଆଯାଉଛି । ସେଇସବୁ ସଂଘମାନଙ୍କୁ ଟଙ୍କା ସାହାଯ୍ୟ ଦିଆଯାଉଛି । କାରଣ ମଫସଲମାନଙ୍କରେ ପ୍ରାୟ ସମସ୍ତେ ମୂଲିଆମୁଣ୍ଡ–ପଇସା ସେମାନେ କ’ଣ ସବୁ ଦେଇପାରିବେ ? ସେମାନଙ୍କୁ ଉତ୍ସାହ ଦେବା ପାଇଁ ଏମିତି ସଂଘକୁ ବଞ୍ଚେଇ ରଖିବା ପାଇଁ ରାଜକୁମାରଙ୍କର ଏଇ ଭାବନା । ସେମାନଙ୍କୁ ଖବରକାଗଜ ଯୋଗେଇ ଦିଆଯାଇଛି । କେବଳ ଘର ଏବଂ ଗାଁର ଖବର ରଖିଲେ ହେବନି; ଦେଶବିଦେଶର ଖବର ରଖିବା ନିତାନ୍ତ ଆବଶ୍ୟକ । ସଞ୍ଜବେଳେ ଗାଁର ଭାଗବତ ଟୁଙ୍ଗିରେ ଅବଧାନ ସମସ୍ତଙ୍କୁ ପଢ଼ି ଶୁଣେଇଦେଉଛନ୍ତି ଦେଶବିଦେଶର ଖବର । କ୍ରମେ କ୍ରମେ ଗାଁର ପ୍ରତ୍ୟେକ ଲୋକଙ୍କର ମନ ରାଜକୁମାରଙ୍କ ପଛରେ ଧାଇଁବୁଲୁଛି । ସେ ଯାହା କହୁଛନ୍ତି, ଯାହା କରି ଦେଖେଇ ଦେଉଛନ୍ତି, ସମସ୍ତେ ତାଙ୍କରି କଥା କରୁଛନ୍ତି ଏବଂ ମାନିନେଉଛନ୍ତି । ମନରେ ନୂତନ ପ୍ରେରଣା, ନୂତନ ଅନୁଭୂତି ଜାଗ୍ରତ ହେଉଛି ।

 

ଏସବୁ ସହିତ ଅରଟର ମଧ୍ୟ ପ୍ରଚାର ଚାଲିଛି – ବେଶି ସ୍ତ୍ରୀ ମହଲରେ । ସମୟ ପାଇଲେ ସେମାନେ ଦିନ ଦ୍ୱିପ୍ରହର ସମୟରେ ଘରର ସମସ୍ତ କାମ ସାରି ସୂତା କାଟିବସୁଛନ୍ତି, ତୁଳା ଭିଣୁଛନ୍ତି । ରାଜକୁମାର ନିଜ ସଂଘରୁ ଏଥିପାଇଁ ସମସ୍ତ ସାହାଯ୍ୟ ସେମାନଙ୍କୁ ଦେଉଛନ୍ତି । ଚରଖା, ତୁଳାଭିଣା ଓ ତୁଳା ଯୋଗେଇ ଦେଉଛନ୍ତି । ସବୁରି ମନରେ ଆଶା, ଆନନ୍ଦ, ଆକାଂକ୍ଷା ପୂରିରହିଛି । ସମସ୍ତେ ରାଜକୁମାରଙ୍କର ପ୍ରଶଂସା କରୁଛନ୍ତି; ପରସ୍ପର ମଧ୍ୟରେ କୁହାକୁହି ହେଉଛନ୍ତି – ଆମ ରାଇଜର ରାଜା ଯେବେ ଆମର ଦୁଆର ଦୁଆର ବୁଲି ଆମରି ଭଲପାଇଁ ଉପଦେଶ ଦେଉଛନ୍ତି, ଭଲରେ ମୁଠେ ଖାଇବାପାଇଁ ଖଣ୍ଡେ ପିନ୍ଧିବାପାଇଁ ଶିକ୍ଷା ଦେଉଛନ୍ତି, ଆମେ କାହିଁକି ତାଙ୍କ କଥା ନଶୁଣିବା ? ଆଗେ ରାଜାମାନଙ୍କୁ ଦେଖିବା ସ୍ୱପ୍ନ ଥିଲା । ଥରେ ଦେଖିବାକୁ ଗଲେ ଖାଲି ହାତରେ ନଯାଇ କିଛି ଜିନିଷ ଭେଟି ଦେବାକୁ ପଡ଼ୁଥିଲା । ଆଜି କିନ୍ତୁ ସେ ଦ୍ୱାର ଦ୍ୱାର ବୁଲି ସେମାନଙ୍କର ଭଲ ପାଇଁ, ଭଲରେ ରହିବାପାଇଁ ଅଳି କରୁଛନ୍ତି । ପ୍ରକୃତରେ ସେମାନଙ୍କର ରାଜକୁମାର ଦେବତା–ମଣିଷ ନୁହଁନ୍ତି । ପ୍ରକୃତରେ ସେମାନଙ୍କର ରାଜକୁମାର ନୂଆ ନୂଆ କାମ, ନୂଆ ନୂଆ କଥା ଦେଖି ପ୍ରତି କାମରେ ଆଗଭର ହେଇ ବାହାରିପଡ଼ୁଛନ୍ତି । ସେମାନେ ବି ଆନନ୍ଦରେ ଅଧୀର ହୋଇ କାମରେ ଲାଗିପଡ଼ୁଛନ୍ତି । ବୁଢ଼ା ବୟସରେ ପାକୁଆ ପାଟିରେ ଲଗେଇ ଲଗେଇ ଅ, ଆ, କ, ଖ ଘୋଷିବାକୁ ଧାଇଁଯାଉଛନ୍ତି ରାତି–ପାଠଶାଳାକୁ । ଦେହକ ତ ଗଲା, ଗୋଟିଏ ପାଦ ଘରେ ଆଉ ଗୋଟିଏ ପାଦ ମଶାଣିରେ ଅଛି । ଶେଷରେ ହେଲେ ଥରେ ଭାଗବତରୁ ଅଧ୍ୟାୟେ କି ଦି ଅଧ୍ୟାୟ ପଢ଼ି ମୁକ୍ତି ପାଇବେ । ‘‘ଯାହା ହେଇନି ବାଳକାଳେ, ତାହା ହେବ ପାଚିଲା ବାଳେ ।’’ ଯୁଗ ଓଲଟୁଛି-। ହସି ହସି ଆନନ୍ଦରେ, ନୂତନ ଉତ୍ସାହରେ ପାଠଶାଳାରେ ନିଜ ନିଜର ନାତିନାତୁଣୀ, ପୁଅମାନଙ୍କ ସହିତ ସେମାନେ ବି ତଳେ ଖଡ଼ି ଘୋରୁଛନ୍ତି–ଶିଖୁଛନ୍ତି ଅକ୍ଷର ପରିଚୟ, ବନାନ ଇତ୍ୟାଦି-। ପାକୁଆ ପାଟିରେ ଥଙ୍ଗେଇ ଥଙ୍ଗେଇ ଆନନ୍ଦରେ ଉଛୁଳା ହସି ହସି ଗାଉଛନ୍ତି–

 

‘‘ଶୁଣ ପରୀକ୍ଷ ନରନାଥ

କୃଷ୍ଣଚରିତ ଭାଗବତ ।’’

 

ନରହରିବାବୁ କିମ୍ବା ମଦନମୋହନଙ୍କୁ ମୋଟେ ସମୟ ମିଳୁନାହିଁ । ପ୍ରାୟ ଅଧିକାଂଶ ସମୟ ବାହାରେ ବାହାରେ । ଉଆସକୁ ଫେରୁ ଫେରୁ କେଉଁ ଦିନ ମଧ୍ୟାହ୍ନ ବାରଟା ଗୋଟେ ତ କେଉଁ ଦିନ ରାତି ଆଠଟା, ନଅଟା; ଯାହା କି ରାଜଉଆସର ନିୟମବିରୁଦ୍ଧ । କ’ଣ କରାଯାଏ ? ରାଣୀମା’ ଭାବନ୍ତି – ପ୍ରଥମରୁ ରାଜକୁମାରଙ୍କୁ ଏ କାମରେ ଯୋଗଦେବାକୁ ଅନୁମତି ଦେବା ତାଙ୍କର ଭୁଲ୍‍ ହୋଇଛି । ଉଚିତ ନଥିଲା ତାଙ୍କର । ଏଣେ ନରହରିବାବୁ ବୁଢ଼ାଟିଏ ହେଇ ବି ମନପ୍ରାଣ ଦେଇ କାମ କରୁଛନ୍ତି । ଆଉ କିନ୍ତୁ ବର୍ତ୍ତମାନ ରାଜକୁମାରଙ୍କୁ ମନାକରି ହେବନି । ରାଜପରିବାରର ଏକମାତ୍ର ବଂଶଧର ସେ । ତାଙ୍କରି ହାତରେ ରାଜବଂଶର ବିଜୟଟିକା । ସେ ଯଦି ନିଜର ଆତ୍ମମର୍ଯ୍ୟାଦା ଭୁଲି, ଆତ୍ମସମ୍ମାନ ଭୁଲି, ନିଜକୁ ଅନ୍ୟମାନଙ୍କ ପରି ସମାନ ମନେକରନ୍ତି, ତେବେ ରାଣୀମା’ଙ୍କର ସମ୍ମାନ ସେଠାରେ ରହିବ ବା ଆଉ କ’ଣ ? ନରହରିବାବୁ ବୁଢ଼ାଟିଏ ହେଇ ବି ରାଜକୁମାରଙ୍କୁ ସାହାଯ୍ୟ କରୁଛନ୍ତି । ସେ କିନ୍ତୁ ଭାବିଥିଲେ ନରହରିବାବୁ ରାଜକୁମାରଙ୍କୁ ଏତେ ତଳକୁ ଯିବାକୁ ଦେବେନି ବୋଲି । ଭାବନ୍ତି ରାଣୀମା’, ମନକଥା ମନରେ ହିଁ ରହେ । ଏଥର ରାଜକୁମାରଙ୍କୁ ବିବାହ କରାଇଦେବା ଉଚିତ । ବିବାହ ପରେ ସେ କ୍ରମେ ବଦଳିଯିବେ ନିଶ୍ଚୟ । ଏଇ ଭାବନାହିଁ ରାଣୀମା’’ଙ୍କୁ ରାଜକୁମାରଙ୍କୁ ତାଙ୍କ କାର୍ଯ୍ୟକଳାପରୁ ନିବୃତ୍ତ କରେଇବା ପାଇଁ ବାଧାଦେଉଛି ।

 

ମା’ଙ୍କ ମନର ପ୍ରତ୍ୟେକ କଥା ରାଜକୁମାରଙ୍କ ପାଖରେ ଅଛପା ରହିନି । ସେ ସେ ବିଷୟରେ ବିଶେଷ ଭାବି ନାହାନ୍ତି, ଦରକାର ହେଇନି । ଅଳ୍ପ କେତେଟା ମାସ ଭିତରେ ବେଶ୍‌ ଅନେକ ପଥ ଆଗେଇଯାଇଛନ୍ତି ସେ । ଯିଏ ଯାହା ଭାବନ୍ତି, ଯିଏ ଯାହା କହନ୍ତୁ, କାହାରି ନିନ୍ଦା ବା ପ୍ରଶଂସା ଶୁଣିବାକୁ ସେ କାନପତେଇ ନାହାନ୍ତି । ସେ ଜାଣନ୍ତି, କେବଳ ନିଜର କାମ ଓ କର୍ତ୍ତବ୍ୟ । ପ୍ରାଣପଣ ମନଦେଇ କାମ କରିବେ, ସେତିକି ସେ ଜାଣନ୍ତି ।

 

ଝରକାର ରେଲିଂ ଉପରୁ ହାତ ଖସେଇ ଆଣିଲେ ରାଜକୁମାର । ବାହାରେ ବର୍ଷା ରଣତାଣ୍ଡବ ସୃଷ୍ଟି କରିଛି । ଦେହସାରା ଥରିଯାଉଛି ଥଣ୍ଡା ପବନରେ । ଘୁଞ୍ଚିଆସିଲେ ସେ ଝରକା ପାଖରୁ । ପଲଙ୍କ ଉପରେ କିଛି ସମୟ ଚୁପ୍‌ଚାପ୍‌ ବସିରହିଲେ । ଗାଁ ଗହଳି ପ୍ରୋଗ୍ରାମ୍‌ରେ ଦାସକାଠିଆ ହେଉଛି । ଓଡ଼ିଶାର ଏବଂ ଭାରତର ପଞ୍ଚବାର୍ଷିକ ଯୋଜନାକୁ ରୂପ ଦେଇ ବୁଝେଇ ଦେଉଛନ୍ତି ସେମାନେ ସଙ୍ଗୀତ ଆକାରରେ । ଶୁଣିବାକୁ ବେଶ୍‌ ଭଲ ଲାଗୁଛି ।

 

କିଛି ସମୟ ନୀରବରେ ବସିରହିବା ପରେ ତକିଆତଳୁ ଉଠେଇଆଣିଲେ ଗୋଟିଏ କାର୍ଡ ସାଇଜ୍‌ର ଫଟୋ । ମୁଣ୍ଡଟାକୁ ମଶାରି ବାଡ଼ ଉପରେ ଭରାଦେଇ ଓ ତକିଆକୁ ଆଉଜି ଅପଲକ ଆଖିରେ ଚାହିଁରହିଲେ ଫଟୋଟିକୁ । ନିଜେ ସେ ଉଠେଇଥିଲେ ଫଟୋଟିକୁ । ଏଥିପାଇଁ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିଛି ତାଙ୍କୁ । ତନ୍ନତନ୍ନ କରି ଦେଖୁଛନ୍ତି ଫଟୋଟିକୁ । ଏକ ଚୌକିର ପଛରେ ଠିଆହୋଇଛି ଝିଅଟି । ମୁହଁଟି ସାମାନ୍ୟ ଧାରୁଆ, ପୂରିଲା ଗାଲ, ଶାଣିତ ନୟନ, ତୀକ୍ଷ୍‌ଣ ନାସା । ହାତରେ ଧରିଛି ଗୋଲାପ ଫୁଲର ଗୁଚ୍ଛଟିଏ–ରାଜକୁମାରଙ୍କର ଉପହାର । ସୁନ୍ଦର ଦେଖାଯାଉଛି । ରାଜକୁମାର ଯେତେ ଦେଖିଲେ ବି ମନ ପୁରୁନି । ମନ ଧାଇଁଯାଉଛି ଝିଅଟିର ପଛେ ପଛେ ପରଶ ପାଇବା ପାଇଁ, କିନ୍ତୁ ବୃଥା ସବୁ । କାହିଁ କେଉଁଠି ସେ ? କେତେ ଦୂରେ ? ଅଜଣା ତାଙ୍କର । ଆଖି ଦୁଇଟି ଘୁରୁବୁଲୁଛି ଫଟୋଟି ଉପରେ । ନିଜକୁ ହଜେଇଦେଇଛନ୍ତି ତାହାରି ମଧ୍ୟରେ । ଫେରିପାଇବେନି ଆଉ ତାକୁ । କେବଳ ସ୍ମୃତିକୁ ହିଁ ଜାଗ୍ରତ କରି ତୋଳୁଛି ଫଟୋଟି । ସାରା ଜୀବନ ଧରି ସେଇ ସ୍ମୃତିର ପୂଜାରୀ ହେବେ ସେ । ଆଜି ସୁଦ୍ଧା ତାଙ୍କ ମନର କଥା କେହି ଜାଣିନାହାନ୍ତି, ଜାଣି ପାରିବିନି ମଧ୍ୟ ।

 

କେତେ ସମୟ ଧରି ନରହରିବାବୁ ଆସି ଠିଆହେଇଛନ୍ତି ପଲଙ୍କ ପାଖରେ; କିନ୍ତୁ ରାଜକୁମାର ଜାଣିନାହାନ୍ତି । ନରହରିବାବୁ ରାଜପ୍ରାସାଦର ପରମନ୍ଧୁ । ଯେକୌଣସି ମୁହୂର୍ତ୍ତରେ, ରାଜା କିମ୍ବା ରାଣୀଙ୍କର ବିନାଅନୁମତିରେ ସମଗ୍ର ରାଜଉଆସଟା ଘୂରି ବୁଲି ଦେଖିବା ଅଧିକାର ତାଙ୍କର ଅଛି । ଆଜି ଦିନସାରା ରାଜକୁମାରଙ୍କର ଦର୍ଶନ ନପାଇ ଆସିଛନ୍ତି ରାଜକୁମାରଙ୍କ ଉଆସକୁ । କେହି ତାଙ୍କୁ ଅଟକେଇ ନାହାନ୍ତି, ପାରିବେନି ମଧ୍ୟ । କିଛି ସମୟ ନୀରବରେ ଠିଆ ହେଇ ରହିଲେ ନରହରିବାବୁ । ଦେଖିଲେ, ରାଜକୁମାର ଗୋଟିଏ ଫଟୋକୁ ଦେଖି ତନ୍ମୟ ହୋଇପଡ଼ିଛନ୍ତି । ନରହରିବାବୁ ଆସିଥିବାର ସଂକେତ ଦେଇ ସାମାନ୍ୟ କାଶିଦେଲେ ଓ ଚେୟାରଟା ଟେବୁଲ ପାଖରୁ ଟେକିଣି ପଲଙ୍କର ଧାରକୁ ଲଗେଇରଖି ବସିପଡ଼ି କହିଲେ, ‘‘କାହାର ଫଟୋ ରାଜକୁମାର ଏତେ ତନ୍ମୟତା ଫୁଟିଉଠୁଛି ? କିଏ ସେ ସୌଭାଗ୍ୟବତୀ, କେଉଁ ରାଜ୍ୟର ରାଜକନ୍ୟା-?’’

 

ରାଜକୁମାର ଚମକି ପଡ଼ି ଫଟୋଟିକୁ ହାତରେ ଧରି ଉଠି ବସିଲେ । ଶୁଖିଲା ହସଧାରଟିଏ ଓଠ କ’ଣରେ ଫୁଟିଉଠି ପୁଣି ଲୀନ ହୋଇଗଲା ସେଇଠି । ନରହରିବାବୁଙ୍କୁ ଉତ୍ତର ଦେଇ କହିଲେ, ‘‘ନା, ସେ ରାଜକନ୍ୟା ନୁହନ୍ତି । ଏକ ସାମାନ୍ୟ ଗରିବ ଘରର କନ୍ୟା ।’’

 

‘‘କାହିଁ ଦେଖି’’ – ହାତ ବଢ଼ାଇଲେ ନରହରିବାବୁ ।

 

‘‘ନା, ଆପଣ ନେଇ କ’ଣ କରିବେ ?’’

 

‘‘ଏମିତି କିଛି ଦରକାର ଅଛି ବୋଲି ମାଗୁଛି ।’’

 

‘‘ନା, ଫଟୋଟି କିନ୍ତୁ ଦେଇପାରିବିନି ।’’

 

‘‘କାହିଁକି ? ଓହୋ–ବୁଝିଲି ! ତୁମର ପିତା ବି ତୁମରି ବୟସରେ ଏମିତି କେତେ ରାଜନ୍ୟାଙ୍କର ଫଟୋ ଦେଖିଛନ୍ତି । ମୁଁ କିନ୍ତୁ ସବୁ ଜାଣେ । ଆଉ ଶେଷରେ ତୁମର ମା – ଏଇ ଆଜିକାର ରାଣୀମା’’ଙ୍କୁ –ପସନ୍ଦ କଲେ । ତୁମ ପାକକୁ ବି ସେମିତି କେତେ ଫଟୋ ଆସିଥିବା ଗୁପ୍ତରେ । ସେଥିପାଇଁ ଦେଖିବାକୁ ମାଗିଲି । ହଁ, ଛାଡ଼ ସେ କଥା । ଝିଅ ସହିତ ତୁମର କ’ଣ ଅତି ଘନିଷ୍ଠତା ଅଛି ?’’

 

ରାଜକୁମାର ନୀରବ ରହିଲେ । ନୀରବ ରହିବା ଦେଖି ନରହରିବାବୁ ପୁଣି କହିଲେ – ‘‘ମୌନଂ ସମ୍ମତି ଲକ୍ଷଣଂ । ନିଶ୍ଚୟ କିଛି ଅଛି । ଦେଖି ଫଟୋଟି । ଚେଷ୍ଟା କରିବା । ଆମର ଏଇ ବିକ୍ରମପୁର ରାଜବଂଶର ଲକ୍ଷ୍ମୀ ହେବାର ଯୋଗ୍ୟ କି ନା ?’’

 

‘‘ବିକ୍ରମପୁର ରାଜବଂଶର ଭାବୀ ରାଣୀ ହେବାପାଇଁ ଅନୁପଯୁକ୍ତା ନୁହନ୍ତି ସେ ସତ; କିନ୍ତୁ ସେ ବର୍ତ୍ତମାନ କେଉଁଠି ମୁଁ ଜାଣିବି କେମିତି ?’’

 

‘‘କାହିଁକି, ତୁମେ କ’ଣ ଜାଣନା ? ଏତେ ସ୍ନେହ, ଏତେ ପ୍ରେମ ! ତେବେ ଝିଅଟିକୁ କ’ଣ ଜାଣେନା ? କେବଳ ଏଇ ଫଟୋଟିକୁ ଦେଖି ଭଲପାଇବସିଛ ?’’

 

‘‘ନା ନା ନରହରିବାବୁ, ଆପଣଙ୍କ ସନ୍ଦେହ ଅମୂଳକ । ଦେଖିଛି, ଭଲଭାବରେ ଦେଖିଛି ଏବଂ ନିଜେ ବି ଏଇ ଫଟୋଟିକୁ ଉଠେଇଛି । କିନ୍ତୁ ବର୍ତ୍ତମାନ ସେ କେଉଁଠି ତାହା ମୁଁ ଜାଣିବି କେମିତି ?’’

 

ନରହରିବାବୁଙ୍କ ମନରେ କର ସନ୍ଦେହ ହେଲା କେଜାଣି କହିଲେ – ‘‘କହିବନି ରାଜକୁମାର ! ଝିଅଟି କିଏସେ ଏବଂ ତୁମ ସହିତ କେମିତି ପରିଚୟ ହେଲା ?’’

 

‘‘କହିବିନି କାହିଁକି ? ମୁଁ ଯେତେବେଳେ ବି. ଏ. ପଢ଼ୁଥାଏ ସେତେବେଳେ ଏଇ ଝିଅଟି ପ୍ରଥମ ବର୍ଷ ବିଜ୍ଞାନର ଛାତ୍ରୀ; ଦେଖିବାକୁ ଖୁବ୍‌ ସୁନ୍ଦର । ତା’ର ବ୍ୟବହାର, କଥାବାର୍ତ୍ତା ବି କେଉଁ ରାଜକନ୍ୟାଠାରୁ ନ୍ୟୂନ ନୁହେଁ । ‘କଲେଜ କୁଇନ’ ବୋଲି ଡାକନ୍ତି ସମସ୍ତେ । ବାପ ମା କେହି ନାହାନ୍ତି । ଉଚ୍ଚବଂଶରେ ଜନ୍ମ; କିନ୍ତୁ ଗରିବ । ସୁନ୍ଦର କବିତା ଲେଖେ ଝିଅଟି । ମୁଁ କଲେଜ ଷ୍ଟୁଡ଼େଣ୍ଟସ୍‌ ଆସୋସିଏସନ୍‌ର ସେକ୍ରେଟାରୀ ଥିଲି । ପ୍ରତି ମାସରେ ଗୋଟିଏ ଳେଖାଁ ପତ୍ରିକା ଆମ ଆସୋସିଏସନ୍‌ ପକ୍ଷରୁ ବାହାରେ । ସେ ସେଇ ପତ୍ରିକାକୁ ପ୍ରତି ମାସରେ କବିତାଟିଏ ଲେଖିଦିଏ । ଏଇ କବିତା ଯୋଗୁଁ ଅନେକ ପୁରସ୍କାର ପାଇଛି ସେ । ତୁମେ ତାକୁ ଦେଖିନା ନରହରିବାବୁ, ଦେଖିଲେ ତୁମ ମନ ତା ପ୍ରତି ସ୍ୱତଃ ଆକୃଷ୍ଟ ହୋଇଯିବ । ଏତେ ସୁନ୍ଦର ବ୍ୟବହାର, ଏତେ ସୁନ୍ଦର କଥାବାର୍ତ୍ତା ! ମୁଁ ତାକୁ ଏତେ ଭଲପାଏ, ଏତେ ସ୍ନେହ କରେ, ତା ସହିତ ମିଳାମିଶ କରିବାକୁ ଏତେ ଇଚ୍ଛୁକ; କିନ୍ତୁ ସେ ଦୂରେଇଯାଏ ମେ ପାଖରୁ । ସେ ମୋ ସାନ୍ନିଧ୍ୟରୁ ଦୂରେଇଯାଏ ସତ, କିନ୍ତୁ ମନରୁ ଦୂରେଇଯାଏ ନାହିଁ । ଥରେ ଗୋଟିଏ ଛୋଟିଆ ଚିଠି ଲେଖି ତା’ର କବିତା ସହିତ ଦେଇଥିଲି । କିନ୍ତୁ ତା’ର ଉତ୍ତର ସେ କ’ଣ ଦେଇଥିଲା ଜାଣନ୍ତି ? କହିଥିଲା – ‘ଆପଣ ଅଜଣା ଅଶୁଣା ଝିଅ ପାଖକୁ ଏମିତି ଆଉ କେବେହେଲେ ଚିଠି ଲେଖିବେନି । ଲେଖିଲେ ନିଜର ଯେତେ କ୍ଷତି ନହେବ, ବେଶି କ୍ଷତି ହେବ ସେଇ ଝିଅଟିର । ଆପଣ ଥରେ ମନକୁ ପଚାରିଲେ – ମୋ ପରି ଗୋଟିଏ ନିରୀହ ଝିଅପ୍ରତି ଯେ ଏମିତି ବ୍ୟବହାର କଲେ, ସେଟା କ’ଣ ଆପଣଙ୍କ ପରି ଧନୀ ମାନୀ ଉଚ୍ଚଶିକ୍ଷିତ ଯୁବକଙ୍କ ପକ୍ଷରେ ଉପଯୁକ୍ତ ? ଆଉ କଦାପି ଏମିତି ଚିଠି ଦେବେନି । ଏଇ ମୋର ଅନୁରୋଧ ।’ ଯେତେ ଇଚ୍ଛା କଲେ ବି ମନରୁ ତାକୁ ଦୂରେଇ ଦେଇପାରିନି । ଝିଅଟିର ସାନ୍ନିଧ୍ୟ ପାଇଁ ମୋର ବ୍ୟାକୁଳ ହୋଇଉଠିଛି । ମୁଁ ତାକୁ ଯେତେ ମୋର ମନରେ ସ୍ଥାନ ଦେଉଥାଏ, ସେତିକି ସେ ମୋ ପାଖରୁ ଦୂରେଇଯାଉଥାଏ ଏବଂ ଆଜି ଦୂରେଇଯାଇଚି ମଧ୍ୟ ।

 

‘‘ବି.ଏ. ଫାଇନାଲ ପରୀକ୍ଷା ପରେ, ବହୁତ କଷ୍ଟରେ, ତା’ର ଅନିଚ୍ଛାସତ୍ତ୍ୱେ ଏ ଫଟୋଟିକୁ ଉଠେଇଥିଲି । ସେଇ ଦିନ ସେ ମତେ ମନଖୋଲି କହିଥିଲା – ‘ଆପଣ ଦୁଇ ବର୍ଷ ହେଲା ମୋରି ପଛେ ପଛେ ଧାଇଁଛନ୍ତି । ମୋରି ସାନ୍ନିଧ୍ୟ ଲାଭ କରିବାକୁ, ଭଲ ପାଇବାକୁ ଆଗଭର ହେଇ ଧାଇଁଆସିଛନ୍ତି । କିନ୍ତୁ ପାଇଛନ୍ତି କ’ଣ ? କିଛି ପାଇନାହାନ୍ତି କିମ୍ବା ପାଇଲେନି । କାହିଁକି ଜାଣନ୍ତି ? ମୁଁ ନିଃସ୍ୱ, ଗରିବ । ମୋର ବାପା, ମା କେହି ନାହାନ୍ତି । ମୋର ଦୁନିଆରେ ସ୍ଥାନ ନାହିଁ । ଗରିବର ମନକଥା ବୁଝେ କିଏ ? ସମସ୍ତଙ୍କଠାରେ ସେ ହେୟ, ଘୃଣ୍ୟ ଆଉ ନୀଚ । ବେଶି ଘୃଣ୍ୟ ଧନୀସମ୍ପ୍ରଦାୟଭୁକ୍ତ ଆମରି ପରି ରକ୍ତମାଂସଧାରୀ ମଣିଷମାନଙ୍କ ପାଖରେ । ଆପଣ ଧନୀ, ଜମିଦାରଙ୍କର ଏକମାତ୍ର ଉତ୍ତରାଧିକାରୀ । ଯାହା ପାଇବା ପାଇଁ ଆପଣ ମୋ ପଛେ ପଛେ ଧାଇଁଛନ୍ତି ତାହା ପାଇବେ ବା କେମିତି ? ଆପଣମାନଙ୍କର ଧନ ସିନା ଅଛି; କିନ୍ତୁ ମନ ବା ହୃଦୟ ବୋଲି ଗୋଟିଏ ଜିନିଷ ଆପଣଙ୍କ ପାଖରେ ବିରଳ, ମୋ ମତରେ । ଆଉରି ଆପଣଙ୍କର ବାପ ପାଖରେ ବିରଳ, ମୋ ମତରେ । ଆଉରି ଆପଣଙ୍କର ବାପ ମା କେତେ ଉଚ୍ଚ ଆଶା ରଖିଥିବେ ଆପଣଙ୍କ ଉପରେ । କିନ୍ତୁ ଆପଣ କରୁଛନ୍ତି କ’ଣ ? ପିତାମାତାଙ୍କ ମନରେ ଆଘାତ ଦେବା ଆପଣଙ୍କ ପରି ଉଚ୍ଚଶିକ୍ଷିତ ଯୁବକଙ୍କ ପକ୍ଷରେ ଶୋଭାପାଏନା । ଦୁନିଆରେ କିଛି ଚିର ନୁହେଁ । ସ୍ନେହ, ପ୍ରେମ ସବୁହିଁ ଲୁଚିଯିବ, ସବୁ କ୍ଷଣିକ ମୋହ । ଭୁଲ୍‍ ପଥରେ ନଯାଇ ବାପମାଙ୍କୁ ସନ୍ତୁଷ୍ଟ କରନ୍ତୁ । ମୋର ଏତିକି ଅନୁରୋଧ । ମୋ ପଛରେ ଧାଇଁ ନିଜକୁ ବି ଏତେ ଛୋଟ କରିବାକୁ ଦିଅନ୍ତୁନା ।’ ବେଶ୍‌ ପରିଷ୍କାର ରୂପେ ଖୋଲାଖୋଲି ମତେ ସବୁ କହିଦେଇଥିଲା ସେ ।

 

‘‘ସେହି ଦୁଇଟି ବର୍ଷ ଦେଖା–ସାକ୍ଷାତ, କିନ୍ତୁ ତା’ପରେ ଆଉ ସାକ୍ଷାତ ହେଇନି । ସେଇ ବର୍ଷ ପଢ଼ା ଶେଷକରି ଗାଁକୁ ତା’ର ଚାଲିଯାଇଥିଲା ସେ । ତା’ର ଗାଁ ଠିକଣାରେ କେତେ ଚିଠି ମୁଁ ଦେଇଛି, କିନ୍ତୁ ଶେଷରେ ତା ପାଖରୁ ଗୋଟିଏ ମାତ୍ର ଚିଠି ମୁଁ ଦେଇଛି, କିନ୍ତୁ ଶେଷରେ ତା ପାଖରୁ ଗୋଟିଏ ମାତ୍ର ଚିଠି ପାଇଥିଲି । ସମସ୍ତଙ୍କ ଆଖିଆଗରୁ ସେ ଦୂରେଇଯିବା ପୂର୍ବରୁ ମୋର ଠିକଣାରେ ଖଣ୍ଡିଏ ଚିଠି ଦେଇଥିଲା । ସେଇ ହେଉଛି ତା’ର ପ୍ରଥମ ଏବଂ ଶେଷ ଚିଠି ।’’ ରାଜକୁମାର କଥା ବନ୍ଦକରି ତକିଆ ତଳୁ ଧଳା କାଗଜରେ ଚଉତା ଚିଠି ଖଣ୍ଡିଏ ବାହାରକରି ନରହରିବାବୁଙ୍କ ହାତକୁ ବଢ଼େଇଦେଲେ ।

 

ସ୍ନେହର ବିଜୟବାବୁ,

 

ଏ ଚିଠି ଖଣ୍ଡିକ ପାଇ ବୋଧହୁଏ ବଡ଼ ଆଶ୍ଚର୍ଯ୍ୟ ହେବେ । ଏତେ ଦିନ ପରେ ଆପଣଙ୍କ ପାଖକୁ ଚିଠିଖଣ୍ଡିକ ନଲେଖି ରହିପାରିଲିନି । ଏଇ ମୋର ପ୍ରଥମ ଓ ଶେଷ ଚିଠି । ଲେଖି ନଥାନ୍ତି, କିନ୍ତୁ ମନ ବାରମ୍ବାର ଅଥୟ କରିପକାଉଛି । ଯାହା ଭାବନ୍ତୁ, ଯାହା ମନେକରନ୍ତୁ, ମନକୁ ଯାହା ଆସିଲା ସେଇୟା ଲେଖିଯାଉଛି ।

 

ଏଇ ଦୁଇ ତିନି ବର୍ଷ ଭିତରେ ବହୁତ କଷ୍ଟ ଅଙ୍ଗେ ନିଭେଇଛି । ଯେତେ ଚେଷ୍ଟା କରେ ମନକୁ ସାନ୍ତ୍ୱନା ଦେବାକୁ, ପାରିନି । ଶେଷରେ ନିଜେ ହିଁ ପରାସ୍ତ ହେଲି । ସମସ୍ତଙ୍କ ଆଖି ଆଗରୁ ଦୂରେଇଯିବି ବହୁତ ଦୂରକୁ । କେବେହେଲେ ଚାହିଁନଥିଲି ସୁଖସମ୍ଭୋଗ, କିନ୍ତୁ ଚାହିଁଥିଲି ବଞ୍ଚିବାପାଇଁ ସାମାନ୍ୟ ଟିକିଏ ଆଶ୍ରୟ, ସ୍ନେହ, ମମତା । ତା ବି ସମ୍ଭବ ହେଇପାରିନି ଏଇ ଦୀର୍ଘ ତିନି ବର୍ଷ ଭିତରେ । ସେଇଥିପାଇଁ ଯେକେହି ଆପଣାର ହେଇ ଅଛନ୍ତି ସେମାନଙ୍କ ପାଖରୁ, ସେମାନଙ୍କ ଆଖିଆଗରୁ ଚାଲିଯାଉଛି । ଫେରିବି ବୋଲି ଆଶା ରଖି ଯାଉନି ।

 

କଟକରେ ଥିବା ସମୟରେ ଆପଣଙ୍କ ପ୍ରତି ବଡ଼ ରୁକ୍ଷ ବ୍ୟବହାର କରିଛି । ଆପଣଙ୍କ ସରଳ ମନରେ ଗରଳ ଭର୍ତ୍ତି କରିବାକୁ ପଛେଇନି । ଆପଣଙ୍କ ଅନ୍ତରରେ ଆଘାତ ଦେଇଛି । ଆଜି ଗାଁକୁ ଆସି ସବୁ ମନେପଡ଼ିଯାଉଛି । ଲଜ୍ଜିତା ମନେକରୁଛି ନିଜକୁ । ଆପଣଙ୍କ ପାଖରୁ ଏହାରି ଭିତରେ ଅନେକ ଚିଠି ପାଇଛି, କିନ୍ତୁ ଗୋଟିକର ହେଲେ ବି ଉତ୍ତର ଦେଇପାରିନି । ନାରୀ ହୃଦୟ ଆପଣ କ’ଣ ଜାଣିବେ ବିଜୟବାବୁ ? ନା ପାରିବେନି, କେମିତି ବା ଜାଣି ପାରିବେ ? ବଡ଼ ବିଚିତ୍ର, ବଡ଼ ରହସ୍ୟମୟ । ଆପଣଙ୍କର ସବୁ ଚିଠି ଆଜି ବି ସାଇତିରଖିଛି ଗଣ୍ଠିଧନ କରି, ଗଳାର ହାର କରି, ଜୀବନର ସାଥୀ କରି । ଆପଣ ଯାହା ପାଇନାହାନ୍ତି, ତାହା କେବଳ ପାଇଛି ଏଇ କେତେଗୁଡ଼ିଏ ଚିଠି । ମୋ ଜୀବନର ଅମୂଲ୍ୟ ସମ୍ପତ୍ତି ସେଗୁଡ଼ିକ । ଏହା ଲେଖୁଛି ବୋଲି କହୁନି ଯେ ଦରିଦ୍ର କନ୍ୟା ହୋଇ ରାଜରାଜେଶ୍ୱରୀ ହେବାପାଇଁ ସ୍ୱପ୍ନ ଦେଖୁଛି, ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛି । ଏ ସବୁ ମୋ ଜୀବନପଥର ମରୀଚିକା, ପ୍ରହେଳିକା । ଏତେ ବଡ଼ ଆଶା ଜୀବନରେ ମୁଁ ପୋଷିନି କିମ୍ବା ମନକୁ ଆଣିନି ।

 

ଦୁଇବର୍ଷ କାଳ ମୋ ସହିତ ମିଳାମିଶା କରିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ ଆପଣ-। କାହିଁକି ? ମୁଁ କ’ଣ ଜାଣିନି ? ସବୁ ଜାଣେ, ସବୁ ଅନୁଭବ କରେ; କିନ୍ତୁ ବିବେକ ମୋର ବାଧା ଦିଏ । ଦୁନିଆରେ ଏହା ତ ଆଜିକାଲି ଅତି ନ୍ୟୂନ । ମୁଁ କିନ୍ତୁ ନିଜ ବିବେକର କଥା ମାନି ଚଳିଆସିଛି-। ଆପଣ ମୋ ପାଖରେ, ମୋର ହୃଦୟରେ ଯେତିକି ସ୍ଥାନ ପାଇଛନ୍ତି, ସେତିକି ମୁଁ ଦୂରେଇ ଯିବାକୁ ଚେଷ୍ଟା କରିଛି । କାରଣ ମୋର ବାପା ମା କେହି ନାହାନ୍ତି, ତହିଁରେ ପୁଣି ମୁଁ ଦରିଦ୍ର-। ଦରିଦ୍ର ପାଖରେ ସ୍ନେହ ମମତା ଥାଇପାରେ ଯାହାକୁ କି ଦୁନିଆର ଦାଉ ପଙ୍କିଳ କରିପାରେନି । ଧନୀମାନଙ୍କର ସ୍ନେହ, କୁହ, ପ୍ରେମ କୁହ ସବୁ ଯେ ଅଳୀକ, କ୍ଷଣିକ, କ୍ଷଣସ୍ଥାୟୀ । କେବଳ ସେଇଥିପାଇଁ ବିବେକ ମୋର ଆପଣଙ୍କ ପାଖରୁ, ଆପଣଙ୍କ ସାନ୍ନିଧ୍ୟରୁ ଦୂରରେ ରହିବାକୁ ପ୍ରବର୍ତ୍ତାଉଥିଲା । ଏବେ ବି ମୁଁ ଆପଣଙ୍କ ପ୍ରତି ବଡ଼ ନିଷ୍ଠୁର ଆଚରଣ କରିଆସିଛି । ସେତେବେଳେ ଜାଣି ନଥିଲି ଭଲପାଇବା କ’ଣ, ପ୍ରେମ କ’ଣ । କିନ୍ତୁ ଗାଁକୁ ଆସି ଦେଖିଲି, ଆପଣ ବହୁତ ଦୂରରେ-। ଆଖି ପାଏନା, ଆପେ ଆପେ, ଅନାଗତ, ଅନାହୂତ ଭାବେ ଆଖିସାମନାରେ ଆସି ଠିଆହେଉଛି ଆପଣଙ୍କର ସୌମ୍ୟ ସୁନ୍ଦର ମୂର୍ତ୍ତି । ସେତେବେଳେ ପାଖରେ ପାଇଥିଲି; କିନ୍ତୁ ଚାହିଁ ନଥିଲି ନିଜର ଅବସ୍ଥାକୁ ଦେଖି । ଆଜି ମନହରିଣୀ ମୋର ଧାଇଁଯାଉଛି ଆପଣଙ୍କ ପଛରେ; କିନ୍ତୁ ପାଉନି, ପାଇପାରିବିନି, ସେ ଆଶା ବି ରଖିନି । ଜାଣୁଛି, ଜୀବନରେ ଏଟା ମୋର ଗୋଟିଏ ସ୍ୱପ୍ନ; କିନ୍ତୁ କାହିଁକି ସେ ସ୍ୱପ୍ନ ଭିତରେ ଏତେ ସତ୍ୟତା ଅଛି ବୋଲି ମନେ କରୁଛି ? ନିଜକୁ ପଚାରିଯାଉଛି ହଜାର ହଜାର ପ୍ରଶ୍ନ କିନ୍ତୁ ଗୋଟିକର ଉତ୍ତର ପାଇପାରୁନି । ବିବେକ ମୋର ହାରମାନିଛି ଆପଣଙ୍କ ପାଖରେ ।

 

‘‘ଏତେ ଲେଖିଲି ବୋଲି, ଅଶୋକରେ ଭାବିବେନି ଯେ ବର୍ତ୍ତମାନ ମୁଁ ଆପଣଙ୍କର ପୂଜାରିଣୀ । ମୁଁ ପୂଜାରିଣୀ ସତ, କିନ୍ତୁ ମୁଁ ଆଶା କରୁନି, ଚାହୁଁନି ଜୀବନସାରା ଆପଣଙ୍କୁ ମୋର ପଣତକାନିରେ ବାନ୍ଧି ରଖିବି ବୋଲି । ଯାହାକି ଅସମ୍ଭବ, ଯାହା କି ସ୍ୱପ୍ନ ।

 

ଆଉ ନାରୀ ହୃଦୟରେ ଭଲପାଇବା, ପ୍ରେମ କରିବା ଯେ ବିରାଟ ଆକାର ନେଇ ସ୍ଥାନ ପାଏ, ନାରୀ ତାହା ଦେଖେଇପାରେନା କିମ୍ବା କହିପାରେନା । ଭଲ ପାଇବାକୁ ଇଚ୍ଛା କରେ ଅନାବିଳ ପ୍ରେମ ଦେଇ; କିନ୍ତୁ ପଦିଏ କଥା ବି ତା ମୁହଁରୁ ବାହାରିପାରେନା । ନୀରବରେ କେବଳ ଅନୁଭବ କରେ ସେ ସମସ୍ତ ଯନ୍ତ୍ରଣା । ଭଲ ପାଇବା ପରେ ଆଖିର ଲୁହରେ ସିକ୍ତ କରେ ଗଣ୍ଡଦେଶ-। ନାରୀ ଜୀବନରେ ପ୍ରଥମେ ଯାହାକୁ ଭଲ ପାଇ ବସେ, ସେଇ ହିଁ ତା’ର ପ୍ରକୃତ ପୁରୁଷ ସାରା ଜୀବନଧରି । ଭୁଲିପାରେନା ତାକୁ – ତା’ର ପ୍ରକୃତ ପ୍ରେମିକକୁ ବିବାହ ନ କରି ପାରିଲେ ମଧ୍ୟ-

 

"In her first passion woman loves her lover,

 

In all the others, all she loves is love."

 

ଆଜି ସେଇ ପ୍ରେମର ଚିହ୍ନ ସ୍ୱରୂପ ନେଇଯାଉଛି କେତେଖଣ୍ଡି ଆପଣଙ୍କର ହସ୍ତାଙ୍କିତ ଚିଠି, ଆଉ ହୃଦୟରେ ଆପଣଙ୍କର ପ୍ରତିମୂର୍ତ୍ତି; ଯାହା କି ମୋର ଶୂନ୍ୟ ଜୀବନର ପରିପୂରକ, ସୁଖଦୁଃଖର ସାଥୀ....’’

 

ନରହରିବାବୁ ଆଉ ଚିଠିଟିକୁ ପଢ଼ିପାରିଲିନି । ଆସ୍ତେ ଚିଠିଟିକୁ ଭାଙ୍ଗି ରାଜକୁମାରଙ୍କୁ ଦେଇ ନୀରବରେ କିଛି ସମୟ ବସିରହିଲେ । କିଛି ସମୟ ପରେ ମୁହଁ ଉଠେଇ ନରହରିବାବୁ ପଚାରିଲେ, ‘‘ତୁମେ କ’ଣ ତାକୁ ଏମିତି କିଛି ପ୍ରତିଶ୍ରୁତି ଦେଇଥିଲି – ମାନେ ଏଇ ବିବାହ କରିବାକୁ-?’’

 

‘‘ହଁ, ମୁଁ ପ୍ରତିଶ୍ରୁତି ଦେଇଥିଲି; କିନ୍ତୁ ସେ ବର୍ତ୍ତମାନ କେଉଁଠି ଜାଣେନା । କେବଳ ଏଇ ଚିଠିଖଣ୍ଡିକ ଆଉ ଫଟୋଟି ତା’ର ସ୍ମୃତିସ୍ୱରୂପ ମୋ ପାଖରେ ରଖିଛି ସିନା ! ଭୁଲିଯିବାକୁ ଇଚ୍ଛା କଲେ ବି ପାରେନା । ତା’ର ଫଟୋଟିକୁ ଦେଖିଲେ ଜାଣିପାରିବେ ନରହରିବାବୁ, ଝିଅଟି ପ୍ରକୃତରେ ଗରିବ ଘରର ଝିଅ ବୋଲି କେହି ବିଶ୍ୱାସ କରିବ ? ହାତରେ ଧରିଥିବା ଫଟୋଟିକୁ ବଢ଼େଇଦେଲେ । ନରହରିବାବୁ ଫଟୋଟି ନେଇ ଆଖି ବୁଲେଇ ଆଣି କାହିଁକି ଚମକି ଉଠିଲେ । ଛାତିଟା ତାଙ୍କର କେମିତି ହେଇଗଲା ପରି ମନେହେଲା । ଫଟୋଟିକୁ ଆଉ ଚାହିଁପାରିଲେନି । ଧୀରେ, ଅତି ଯତ୍ନରେ ପଲଙ୍କର ନରମ ଗଦି ଉପରେ ଥୋଇଦେଇ ଉଠି ଠିଆହେଲେ ଯିବାକୁ । ରାଜକୁମାର ଆଶ୍ଚର୍ଯ୍ୟ ହେଇ ଚାହିଁରହିଲେ । କ’ଣ ହେଲା ? ନରହରିବାବୁ କାହିଁକି ଏମିତି ହଠାତ୍‌ ଯିବାପାଇଁ ତତ୍ପର; କାରଣ ଖୋଜି ପାଇଲେନି । ନରହରିବାବୁ କହିଲେ, ‘‘ମୁଣ୍ଡଟା କାହିଁକି ହଠାତ୍‌ ଭୀଷଣ ବ୍ୟଥା ହେଉଛି ରାଜକୁମାର । ମୁଁ ଯାଉଛି । କାଲି ପୁଣି ଦେଖା । ତୁମର ଭାବୀ ପତ୍ନୀଙ୍କର ଫଟୋଟି ଦେଖି ମୁଁ ଏତେ ଆନନ୍ଦରେ ଅଧୀର ହେଇପଡ଼ିଛି ଯେ ସମ୍ଭାଳିପାରୁନି । ବୁଢ଼ାଲୋକ କି ନା; କାଲି ପୁଣି ଦେଖା ହେବ ।’’

 

ପଛକୁ ନ ଚାହିଁ ନରହରିବାବୁ ନିଃଶବ୍ଦରେ ଓ ଅତି ସନ୍ତର୍ପଣରେ ଯେମିତି ଆସିଥିଲେ ସେମିତି ଧୀରେ ନୀଳ ପରଦାର ପଛପଟେ ଲୁଚିଗଲେ । ସେ ଦିଗକୁ ଅପଲକ ଓ ଆଶ୍ଚର୍ଯ୍ୟ ଆଖିରେ ଚାହିଁରହିଲେ ରାଜକୁମାର । ନରହରିବାବୁଙ୍କର ଆକସ୍ମିକ ଆଗମନ ଆଉ ପ୍ରସ୍ଥାନ ମନରେ ତାଙ୍କର ସୃଷ୍ଟି କଲା ଦ୍ୱନ୍ଦ୍ୱ । ସମାଧାନର ପଥ ଖୋଜିବସିଲା ମନ ।

 

X X X

 

ନିଜର କର୍ମମୟ ଜୀବନ ମଧ୍ୟରେ ଆଗେଇଯାଇଛନ୍ତି ମଦନମୋହନ । କଲେଜ–ଜୀବନରୁ ଯେଉଁ ଆଶା ଆକାଂକ୍ଷା ନେଇ ସେ ଆସିଥିଲେ, ସେସବୁ ପୂରଣ କରିବାରେ ଲାଗିପଡ଼ିଛନ୍ତି ଆପ୍ରାଣ ଚେଷ୍ଟା କରି । ପଲ୍ଲୀ ଗ୍ରାମବାସୀଙ୍କ କୁସଂସ୍କାର ସବୁ ଦୂରକରି ନୂଆ ଛାଞ୍ଚରେ ଗଢ଼ିନେଉଛନ୍ତି ସେମାନଙ୍କର ଜୀବନ । ନିଜର ଛୋଟ ରାଜ୍ୟଟି ହେଲା ତାଙ୍କ କର୍ମମୟ ଜୀବନପଥର କେନ୍ଦ୍ର ।

 

ଛାତ୍ରଜୀବନରେ କେତେ ଥର ସେ ଆସିଛନ୍ତି ବିକ୍ରମପୁରକୁ । ତା’ର ପାହାଡ଼–ପର୍ବତ, ସବୁଜ ବନ, ଗିରି, ନଦୀ, ପଶୁପକ୍ଷୀ ଅଟକାଇ ଦିଅନ୍ତି ତାଙ୍କୁ କିଛି ଦିନ ପାଇଁ । ବେଶି ଦିନ ସେ ରହିପାରନ୍ତି ନାହିଁ । ରାଜଉଆସର ଏତେ ନିୟକାନୁନ ତାଙ୍କ ପକ୍ଷରେ ଅତିଶ୍ରୟ ବିରକ୍ତିକର ହୋଇଉଠେ । କେବଳ ନରହରିବାବୁଙ୍କ ବ୍ୟତୀତ ଆଉ କାହାରି ସହିତ ଦେଖାସାକ୍ଷାତ କିମ୍ବା ମିଳାମିଶା ନ କରିବାକୁ ମା’ଙ୍କର ଆଦେଶ । ସେ କିନ୍ତୁ ସମସ୍ତଙ୍କ ସହିତ ମିଶି ଜୀବନକୁ ସରସ ମଧୂର କରିବାକୁ ଚାହାଁନ୍ତି । ଉଆସ ମଧ୍ୟରେ ଏକାକୀ ବସିରହିବାକୁ ତାଙ୍କୁ ଭଲଲାଗେନା । ମୋଟେ ଚାରିପାଞ୍ଚ ଦିନ ରହି ଚାଲିଯାଆନ୍ତି । ଏଥର କିନ୍ତୁ ଦଶ ମାସ ହେଲା ରହିଲେଣି । କିନ୍ତୁ ଉଆସର ଏତେ କଟକଣା ଓ ନିୟମ ଭିତରେ ଥାଇ ମଧ୍ୟ ସେ ଏଠାରୁ ଚାଲିଯିବାକୁ ଦିନକ ଅଭୀଷ୍ଟ ଚରିତାର୍ଥ କରିବା ପାଇଁ ଆତ୍ମସୁଖ, ଆତ୍ମସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଛନ୍ତି । ଏଥିପାଇଁ ମନରେ ଦୁଃଖ ନାହିଁ । ରାଜାର ଆଭିଜାତ୍ୟ ନାହିଁ, ମନରେ ଅହଙ୍କାର ନାହିଁ କିମ୍ବା ଆଡ଼ମ୍ବର ନାହିଁ । ପ୍ରତିଦିନ କେତେ ନୂଆ ମୁହଁ ଦେଖି, ସେମାନଙ୍କର କଥା ଶୁଣି, ସେମାନଙ୍କର ସେବାରେ ଆତ୍ମନିୟୋଗ କରି ନୂତନ ଅନୁଭୂତି, ନୂତନ ପ୍ରେରଣା ଉପଲବ୍ଧି କରୁଛନ୍ତି, ଆନନ୍ଦ ପାଉଛନ୍ତି ।

 

ବିକ୍ରମପୁର କହିଲେ କେବଳ ବୁଝାଏନି ଲମ୍ବ ଓ ଓସାରରେ ପ୍ରାୟ ଚଉଦ କୋଶ ଭୂମି । ତାରି ଭିତରେ କେତେ ମଫସଲ ଗାଁ । ପୂର୍ବେ ଏହା ଗୋଟିଏ ଛୋଟିଆ କରଦ ରାଜ୍ୟ ଥିଲା । ଆଜିକାଲି ଆଉ ତାହା ଗୋଟିଏ ରାଜ୍ୟ ହୋଇ ନାହିଁ । ଦେଶ ସ୍ୱାଧୀନତା ପାଇବା ପରେ ସବୁ ଗଡ଼ଜାତର ଯେତେ କରଦରାଜ୍ୟ, ସବୁ ଭାରତ ସହିତ ମିଶିଯାଇଛି । ରାଜାମାନେ ଅଛନ୍ତି, ଉଆସ ଅଛି, ସେ ଗଡ଼ ଅଛି; କିନ୍ତୁ ସେ ପ୍ରତିପତ୍ତି ନାହିଁ କି ରାଜ୍ୟ ନାହିଁ । ବିକ୍ରମପୁରର ରାଜା ନାହାନ୍ତି; କିନ୍ତୁ ଯୁବରାଜ ମଦନମୋହନ ଅଛନ୍ତି, ରାଣୀ ଅଛନ୍ତି । ଭାରତର ସମସ୍ତଙ୍କ ପରି ସେ ବି ଜଣେ ନାଗରିକ ମାତ୍ର । ରାଣୀମା’ଙ୍କର ନିଜର ସମ୍ମାନ ପ୍ରତି, ନିଜର ଆଭିଜାତ୍ୟ ପ୍ରତି ଯେତେ ବେଶି ନଜର ଥାଉ ନା କାହିଁକି; କିନ୍ତୁ ଯୁବରାଜଙ୍କର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ସେଇଥିପାଇଁ ଶିକ୍ଷା ଶେଷ ପରେ ସେଇ ବିକ୍ରମପୁରରେ ରହି ଲୋକମାନଙ୍କର ସେବାରେ ନିଜକୁ ନିଯୁକ୍ତ କରିବା, ଏଇ ତାଙ୍କର ଲକ୍ଷ୍ୟ ଥିଲା ଏବଂ ଲକ୍ଷ୍ୟ ସାଧନର ପ୍ରକୃତ ପଥରେ ଆଗେଇଛନ୍ତି । କି ଦରିଦ୍ର, କି ଧନୀ ସମସ୍ତଙ୍କ ସହିତ ମିଳିମିଶି କାନ୍ଧକୁ କାନ୍ଧ ମିଳେଇ ଚାଲିଛନ୍ତି ।

 

ତାଙ୍କରି ଇଙ୍ଗିତାନୁସାରେ ବିକ୍ରମପୁର ଗଡ଼ଠାରୁ ପ୍ରତ୍ୟେକ ଗ୍ରାମକୁ ଗୋଟିଏ ଲେଖା ରାସ୍ତା ତିଆରି ଆରମ୍ଭ ହେଉଛି । ରାସ୍ତା ନ ଥିବା ହେତୁ କେତେ ଅସୁବିଧା, କେତେ ବାଧାବିଘ୍ନର ସମ୍ମୂଖୀନ ହେବାକୁ ପଡ଼ୁଛି । ସେଥିପାଇଁ ତାଙ୍କର ପ୍ରଥମ ଲକ୍ଷ୍ୟ ହେଲା ରାସ୍ତା ।

 

ଗାଁମାନଙ୍କ ସହିତ ଗଡ଼ର ଯୋଗସୂତ୍ର ସ୍ଥାପନ କରିବାକୁ ଗଲେ ପ୍ରଥମ କାମ ହେଲା ରାସ୍ତା । ସେଥିପାଇଁ ସେ ସଂଘର ପ୍ରତ୍ୟେକ ସଭ୍ୟମାନଙ୍କୁ ନେଇ ଗାଁ ଗାଁ ଯାଇ ଚାନ୍ଦା ଆଦାୟ କରିଛନ୍ତି । ଏଣେ ସରକାର ଯୋଜନା ଅନୁଯାୟୀ ରାସ୍ତାଘାଟ, ପାଠଶାଳା ଇତ୍ୟାଦି ତିଆରି ସକାଶେ ଟଙ୍କା ମଞ୍ଜୁର କରିଛନ୍ତି । ରାଜକୁମାର ନିଜେ ସରକାରଙ୍କ ପାଖକୁ ଲେଖି ନିଜର କର୍ମଭୂମି ସେହି ବିକ୍ରମପୁର ସକାଶେ ଅନେକ ଟଙ୍କା ମଞ୍ଜୁର କରେଇଛନ୍ତି । ହରିଜନ ଶ୍ରେଣୀର ଦରିଦ୍ର ଲୋକମାନଙ୍କ ପାଇଁ ଘର କରିବା ସକାଶେ ସରକାରଙ୍କଠାରୁ ଟଙ୍କା ମଞ୍ଜୁର କରେଇଦେଇଛନ୍ତି । ସେମାନଙ୍କ ପିଲାମାନଙ୍କର ଶିକ୍ଷାଦୀକ୍ଷା ପାଇଁ ଯେତେ ପ୍ରକାର ସୁବିଧା–ସୁଯୋଗ ଦିଆଯାଇପାରେ, ସବୁ କରେଇଦେଇଛନ୍ତି । ମନେ ମନେ ଭାବିଛନ୍ତି ସେ – ଲୋକମାନଙ୍କର ସାହାଯ୍ୟ ସହାନୁଭୂତି, ଉତ୍ସାହ ନ ଥିଲେ ନିଜେ ସେ କ’ଣ କରିପାରନ୍ତେ ? ଏଇ ଗାଁ ଗୁଡ଼ିକୁ ରାସ୍ତା ତିଆରି କରିବା ସକାଶେ ତାଙ୍କୁ ଅନେକ ଦୌଡ଼ାଦୌଡ଼ି ଓ ପରିଶ୍ରମ କରିବାକୁ ପଡ଼ିଛି ସତ । ଯେଉଁଠାକୁ ଯାଇଛନ୍ତି, ଯାହା ପାଖକୁ ଯାଇଛନ୍ତି ସମସ୍ତଙ୍କଠାରୁ ସାହାଯ୍ୟ ଓ ସହାନୁଭୂତି ପାଇଛନ୍ତି । ଲୋକମାନେ ତାଙ୍କର କଥାନୁସାରେ ରାସ୍ତା ତିଆରି ହେବା ସକାଶେ ନିଜନିଜର ଶଗଡ଼ ବଳଦ ନେଇ ଗୋଡ଼ି, ପଥର, ବାଲି, ମାଟି ବୋହିଆଣିଛନ୍ତି । ଯେଉଁମାନଙ୍କର ଶଗଡ଼ ବଳଦ ନାହିଁ, ସେମାନେ ରାସ୍ତା ଉପରେ କାମ କରୁଛନ୍ତି । ରାଜକୁମାର – ବିକ୍ରମପୁରର ଯୁବରାଜ ମଦନମୋହନ ବି ସେମାନଙ୍କ ସହିତ ମିଶି ପଥର ଗୋଡ଼ି ବୋହିଆଣୁଛନ୍ତି, ମାଟି ପକାଉଛନ୍ତି ରାସ୍ତା ଉପରେ । ଲୋକମାନେ ତାଙ୍କୁ ଦେଖି ନୂତନ ଉତ୍ସାହରେ, ନବ ପ୍ରେରଣାରେ, ଆନନ୍ଦର ଅତିଶଯ୍ୟରେ ରାତିଦିନ ପରିଶ୍ରମ କରି କାମ କରୁଛନ୍ତି । ଗାଁ ଚାରିପାଖ ପରିଷ୍କାର ହେଉଛି । ନୂତନ ଉତ୍ସାହ, ନୂତନ ଉଦ୍ଦୀପନା ଖେଳିଯାଉଛି ବିକ୍ରମପୁରର ପ୍ରତି ଗ୍ରାମରେ ।

 

ପ୍ରଥମ କରି ଯେଉଁ ଦିନ ବିକ୍ରମପୁରଗଡ଼ରୁ ଝାରପଡ଼ାର ରାସ୍ତା ଉଦ୍‌ଘାଟନ ହେଲା, ସେ ଦିନ ମୁଖ୍ୟ ଅତିଥିରୂପେ ଆସିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । ପ୍ରଥମ କରି ଝାରପଡ଼ାକୁ ମୁଖ୍ୟମନ୍ତ୍ରୀଙ୍କର ମଟର ଯାଇଥିଲା । ଝାରପଡ଼ା ଗାଁର ଲୋକମାନେ ପ୍ରଥମଥର ସକାଶେ ମଟରଗାଡ଼ି ଦେଖିଲେ ନିଜ ଗାଁଦାଣ୍ଡରେ । ସେଦିନ ଗାଁରେ ହୋଇଥିଲା ବିରାଟ ଉତ୍ସବ । ଆଖପାଖ ପଚିଶ ଖଣ୍ଡ ଗାଁରୁ ସ୍ତ୍ରୀ ପୁରୁଷ ହେଇ ପ୍ରାୟ ପାଞ୍ଚ ଛଅ ହଜାର ଲୋକ ଜମିଥିଲେ । ଗାଁର ପୂର୍ବପାଖ ବିରାଟ ଅସୁରପଡ଼ିଆ ମଝିରେ ଗୋଟିଏ ସଭା ମଣ୍ଡପ ହୋଇଥିଲା । ଉପରେ ନାନା କାରୁକାର୍ଯ୍ୟଖଚିତ ବିରାଟ ଚାନ୍ଦୁଆ । ସେଇ ମଣ୍ଡପ ଉପରେ ଗୋଟିଏ ଚୌକି ଉପରେ ମୁଖ୍ୟଅତିଥି ବସିଲେ ଏବଂ ଭାଷଣ ଦେଇଥିଲେ । ଗାଁର ପ୍ରତ୍ୟେକ ଦୁଆରେ କଦଳୀଗଛ ପୋତା ହୋଇଥିଲା, ପୂର୍ଣ୍ଣକୁମ୍ଭ ରଖାଯାଇଥିଲା ଏବଂ ତୋରଣ ବନ୍ଧାଯାଇଥିଲା । ଗାଁମୁଣ୍ଡରେ ଯେଉଁ ବାଟ ଦେଇ ମୁଖ୍ୟମନ୍ତ୍ରୀ ଗାଁ ଭିତରକୁ ଆସିବେ, ସେଠି ଦେବଦାରୁ ଡାଳପତ୍ରରେ ଗୋଟିଏ ତୋରଣ ବନ୍ଧାଯାଇଥିଲା । ସେଥିରେ ବଡ଼ ମୋଟା କାଗଜରେ ଲେଖାହୋଇଥିଲା ‘ସ୍ୱାଗତମ୍‌’ ।

 

ସେତେବେଳେ ଗାଁମାନଙ୍କରେ ଏସବୁ ସ୍ୱପ୍ନ ଥିଲା । କେତେଗୋଟି ପର୍ବପର୍ବାଣୀ ଏବଂ ଦେବଦେବୀଙ୍କର ଉତ୍ସବ ବ୍ୟତୀତ ଆଉ କିଛି ନଥିଲା । ସେଦିନ କିନ୍ତୁ ଝାରପଡ଼ା ଗାଁ ନୂତନ ଜୀବନ ପାଇଲା ପରି ମନେହେଲା । ତାହାର ପ୍ରତ୍ୟେକ ଅଧିବାସୀ ବି ତାହା ଅନୁଭବ କଲେ । ବୁଢ଼ାବୁଢ଼ାମାନେ ରକମ ଆନନ୍ଦ କେତେବେଳେ ହେଲେ ଉପଲବ୍‌ଧି କରି ନଥିଲେ କିମ୍ବା ଏତେ ବଡ଼ ପଟୁଆର, ଏତେ ଲୋକଙ୍କର ଏକ ସ୍ଥାନରେ ଏକଜୁଟ ହେବା ଦେଖିନଥିଲେ ।

 

ଯେତେବେଳେ ମୁଖ୍ୟମନ୍ତ୍ରୀ ଭାଷଣ ଦେଲେ, ଡାକବାଜି ଯନ୍ତ୍ରରୁ ଚାରିଆଡ଼େ ଶୁଣାଗଲା ତାଙ୍କର ବକ୍ତୃତା । ଲୋକମାନେ କିଏ କ’ଣ ବୁଝିଲେ ଅବା ନ ବୁଝିଲେ; କିନ୍ତୁ ସମସ୍ତେ ଆବାକାବା ହେଇ ଚାହିଁରହିଲେ ସଭାମଣ୍ଡପକୁ । ପ୍ରଶଂସା କରିବାକୁ ଲାଗିଲେ ମଦନମୋହନଙ୍କୁ । ମୁଖ୍ୟମନ୍ତ୍ରୀ ନିଜର ବକ୍ତୃତା ଶେଷରେ ଗ୍ରାମର ଉନ୍ନତି ସକାଶେ ସଂଘକୁ ପାଞ୍ଚଶତ ଟଙ୍କା ଦାନ କରିଥିଲେ ଏବଂ ଆଉ ଦେଇଥିଲେ ଗୋଟିଏ ରେଡ଼ିଓ, ଯାହା କି ମଫସଲ ଅଞ୍ଚଳରେ ଦୁର୍ମୂଲ୍ୟ । ଲୋକମାନେ ରାଜକୁମାରଙ୍କର ପ୍ରଶଂସା କରିବାକୁ ଲାଗିଲେ । ତାଙ୍କରି ଲାଗି ସିନା ଆଜି ସେମାନେ ଏତେ କଥା ଶୁଣିଲେ, ଏତେ କଥା ଦେଖିଲେ, ଯାହା ପିଲାଟି ଦିନରୁ ଦେଖିନଥିଲେ । ସମସ୍ତଙ୍କ ମୁହଁରେ–ଯୁବରାଜ ଆମର ମଣିଷ ନୁହଁନ୍ତି ଯେ ଦେବତା ।

 

ଝାରପଡ଼ା ଗାଁକୁ ଦେଖି, ସେଦିନର ଉତ୍ସବ ଦେଖି, ଆଖପାଖ ଗାଁର ଲୋକମାନେ ଆନନ୍ଦରେ ଏବଂ ଉତ୍ସାହରେ ନିଜ ନିଜ ଗାଁର ସକଳ ଉନ୍ନତି ପାଇଁ ଲାଗିପଡ଼ିଲେ । ଦ୍ୱିତୀୟଥର କୁସୁମପୁର ରାସ୍ତା ଉଦ୍‌ଘାଟନ କରିଥିଲେ ବିକ୍ରମପୁରର ରାଣୀମା’ ଅନଙ୍ଗମଞ୍ଜରୀ ଦେବୀ । ପ୍ରଥମେ ଏସବୁ କାମ କରିବାପାଇଁ ସେ ଅତି ହେୟ ମନେକରୁଥିଲେ, ସେଥିପାଇଁ ଅମତ ଥିଲେ । କିନ୍ତୁ ରାଜକୁମାରଙ୍କ ଅନୁରୋଧ, ଆଉ ଆଗକୁ ଅଛି ଇଲେକ୍‌ସନ । ଏଥର ସେ ଯଦି ଲୋକମାନଙ୍କର ମନ କିଣିନିଅନ୍ତି ତେବେ ସେ କ’ଣ ଇଲେକ୍‌ସନ୍‌ର ପ୍ରାର୍ଥୀ ହେଲେ ଜୟଯୁକ୍ତ ହୋଇପାରିବେ ? ସେଥିପାଇଁ ରାଣୀମା’ ଅନୁରୋଧ ରକ୍ଷାକରିଥିଲେ, କୁସୁମପୁର ଲୋକମାନଙ୍କର ନିମନ୍ତ୍ରଣ ରକ୍ଷାକରିଥିଲେ ।

 

ରାଣୀମା’’ଙ୍କୁ ଲୋକମାନେ ବାହାରେ ଦେଖି ଧନ୍ୟ ମନେ କରିଥିଲେ । ଅତି ଆନନ୍ଦରେ ବିରାଟ ଶୋଭାଯାତ୍ରାରେ ରାଣୀମା’ଙ୍କୁ ପାଛୋଟି ନେଇଥିଲେ । ସଭାମଣ୍ଡପ ପାଖରେ କିଏ କ’ଣ ଜିନିଷ ସବୁ ଭେଟି ଦେଇଥିଲେ ପର୍ବ ପ୍ରଥାନୁଯାୟୀ । ହୁଳହୁଳି, ଶଙ୍ଖଧ୍ୱନିରେ ସଭାସ୍ଥଳ ଉଛୁଳି ଉଠିଥିଲା । ରାଣୀମା’ ଉଆସ ଭିତରେ ରହି ଲୋକମାନଙ୍କର ଏପ୍ରକାର ଆନନ୍ଦ ଦେଖିନଥିଲେ, ଆଡ଼ମ୍ବର ଦେଖି ନଥିଲେ । ବାହାରକୁ ଆସି, ବାହାରର ଆଲୋକ ଦେଖି, ପବନର ସ୍ପର୍ଶ ପାଇ ରାଣୀମା’’ଙ୍କର ଆଖି ଖୋଲିଗଲା । ଏଥର ରାଜକୁମାରଙ୍କର ପ୍ରଶଂସା ମନେ ମନେ ନ କରି ରହିପାରିଲେନି । ପୁଅର ଗାଁମାନଙ୍କରେ ଏତେ ବଡ଼ ପ୍ରଶଂସା ଶୁଣି ମନେ ମନେ ଆନନ୍ଦ ଉପଭୋଗ କରିଥିଲେ । ମନେପଡ଼ିଯାଇଥିଲା ଦିନେ ରାଜକୁମାର ତାଙ୍କୁ କହୁଥିଲେ, ‘‘ରାଜ୍ୟର ରାଣୀମା’ ତୁମେ । ରାଜପ୍ରାସାଦର ବିରାଟ ଅଟ୍ଟାଳିକା ମଧ୍ୟରେ ତୁମେ ବନ୍ଦିନୀ, ତୁମର ସଂସାର । ରାଜବଂଶର ରକ୍ଷଣଶୀଳ ଆଇନକାନୁନ ଭିତରେ ବଢ଼ିଆସିଛି । ତୁମେ କେମିତି ଜାଣିବ ବାହାର ଦୁନିଆକୁ; ବାହାର ଦୁନିଆର ଆଲୋକ ପବନକୁ ?’’ ଆଜି କିନ୍ତୁ ରାଣୀମା’ ବାହାରକୁ ଆସିଛନ୍ତି । ତା’ର ଆଲୋକ ପବନ ଉପଲବ୍ଧି କରୁଛନ୍ତି । ଆଖି ତାଙ୍କର ଖୋଲିଯାଇଛି । ପୂର୍ବର ସମସ୍ତ ଆଭିଜାତ୍ୟ ପଛରେ ପଡ଼ିରହିଛି, ଆଉ ଆଗରେ ବିରାଟ ଦୁନିଆ ।

 

ସେହିଦିନଠାରୁ ରାଣୀମା’ କାମରେ ଉତ୍ସାହ ଦିଅନ୍ତି ରାଜକୁମାରଙ୍କୁ । ତାଙ୍କର ଶୟନକକ୍ଷରେ, ରାଜସଭା ହଲରେ, ଲାଇବ୍ରେରି, ଅଫିସ ଘରେ ରାଜବଂଶର ପ୍ରତ୍ୟେକ ରାଜାଙ୍କର ତୈଳଚିତ୍ର ସହିତ ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ଉତ୍କଳମଣି ଗୋପବନ୍ଧୁ ପ୍ରଭୃତି ଦେଶନେତାମାନଙ୍କର ଫଟୋ । ପ୍ରତ୍ୟେକ କାର୍ଯ୍ୟରେ ମା’ଙ୍କର ଉତ୍ସାହ ପାଇ, ସହାନୁଭୂତି ପାଇ ରାଜକୁମାର ନିଜକୁ ହଜେଇଦେବାକୁ ଇଚ୍ଛା କରୁଥିଲେ କାମ ଭିତରେ । ମନରେ ତାଙ୍କର ଆନନ୍ଦ ଓ ଆଶା ସଞ୍ଚାର ହେଉଥିଲା ।

 

ଏଇ ପନ୍ଦର ଦିନ ତଳେ କଟକର କଂଗ୍ରେସ ଅଫିସରେ ଗୋଟିଏ ବଡ଼ଧରଣର ସଭା ହୋଇଥିଲା । ସେଥିରେ ଓଡ଼ିଶାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ମନ୍ତ୍ରୀ ପ୍ରଭୃତି ଏବଂ ଓଡ଼ିଶାର ଗଡ଼ଜାତ ରାଜାମାନେ ବି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ରାଜକୁମାର ମଦନମୋହନ ବି ସେଠାରେ ଉପସ୍ଥିତ ଥିଲେ । ପ୍ରଧାନ ଅତିଥିରୂପେ ଯୋଗଦେଇଥିଲେ ରାଜ୍ୟର ରାଜ୍ୟପାଳ । ସେ ହେଲେ ମୁଖ୍ୟବକ୍ତା । ସଭାର ପ୍ରଧାନ ଉଦ୍ଦେଶ୍ୟ ଥିଲା – ଓଡ଼ିଶାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାରିତା ଏବଂ ସଂପ୍ରସାରଣ । ରାଜ୍ୟପାଳ ସଭାରେ ଉପସ୍ଥିତ ଭଦ୍ରଲୋକମାନଙ୍କୁ ବୁଝେଇ ଦେଇଥିଲେ ଏହାର କାର୍ଯ୍ୟକାରିତା । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରତ୍ୟେକ ନାଗରିକର ସାହାଯ୍ୟ ଓ ସହାନୁଭୂତି କିପରି ଦରକାର । ବକ୍ତୃତା ଶେଷରେ ମୁଖ୍ୟମନ୍ତ୍ରୀ ବି କିଛି ସମୟ ଓଡ଼ିଶାର ଅଗ୍ରଗତି ବିଷୟରେ କ’ଣ କରିବାକୁ ହେବ କହିଥିଲେ । ତାରି ଭିତରେ ବିକ୍ରମପୁରର ପ୍ରତ୍ୟେକ କାମର ପ୍ରଶଂସା କରିଥିଲେ ଏବଂ କହିଥିଲେ, ‘‘ଆମର ଏଇ ଓଡ଼ିଶାରେ ବିକ୍ରମପୁରର ରାଜକୁମାରଙ୍କ ପରି ଯଦି କେତେଜଣ ସ୍ୱେଚ୍ଛାସେବକ ଏବଂ କର୍ମୀ ବାହାରି ଆତ୍ମସ୍ୱାର୍ଥ ତ୍ୟାଗକରି ଦେଶର ଉନ୍ନତି ସକାଶେ କାମ କରନ୍ତି, ତେବେ ଓଡ଼ିଶା ଭାରତର ପ୍ରତ୍ୟେକ ପ୍ରଦେଶ ଅପେକ୍ଷା ଶ୍ରେଷ୍ଠ ସ୍ଥାନ ପାଇ ପାରିବ ଏବଂ ଅନ୍ୟ ପ୍ରଦେଶ ପରି ଉନ୍ନତି ପଥରେ ଆଗେଇଯିବ ।’’ ସଭା ଶେଷରେ ରାଜ୍ୟପାଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ସ୍ୱର୍ଣ୍ଣପଦକ ଏବଂ ଅରଟ ବାକ୍‌ସ ଉପହାର ଦେଇଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସରକାରଙ୍କ ପାଖରୁ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

ଆଜି ସେ ଅନୁଭବ କରୁଛନ୍ତି – ପୂର୍ବପୁରୁଷରେ ଯେଉଁ ରାଜାମାନେ ପ୍ରଜାମାନଙ୍କ ଉପରେ ରାଜତ୍ୱ କରିଆସିଛନ୍ତି, ଆଧିପତ୍ୟ ବିସ୍ତାର କରିଆସିଛନ୍ତି, ସେଠାରେ ଅତ୍ୟାଚାର ମଧ୍ୟ କରିଛନ୍ତି, ସମ୍ମାନ ବି ପାଇଛନ୍ତି । ସ୍ନେହରେ ନୁହେଁ କିମ୍ବା ସରାଗରେ ନୁହେଁ, କେବଳ ଭୟରେ । କିନ୍ତୁ ସେ ନିଜେ ଆଜି ସମଗ୍ର ବିକ୍ରମପୁର ଛୋଟିଆ ରାଜ୍ୟଟିର ପ୍ରତ୍ୟେକ ଲୋକ, କି ଗରିବ, କି ଧନୀ, ସମସ୍ତଙ୍କର ମନ କିଣିନେଇଛନ୍ତି, ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି, ନମସ୍ୟ ହୋଇଛନ୍ତି – ଶାସକ ହିସାବରେ ନୁହେଁ, ସେବକ ହିସାବରେ ।

 

ରାଜପୁତ୍ର ହେଲେ ମଧ୍ୟ ସିଂହାସନ ନଥିଲେ ବି ଆତ୍ମସମ୍ମାନ ଅଛି, ଆଭିଜାତ୍ୟ ଅଛି । ସେ କିନ୍ତୁ ତାହାକୁ ଭ୍ରୂକ୍ଷେପ ନକରି ଅଚ୍ଛବ ଜାତିଙ୍କଠାରୁ ଆରମ୍ଭ କରି ଧନୀ ଦରିଦ୍ର ସମସ୍ତଙ୍କ ସହିତ ମିଳାମିଶା କରି ସେମାନଙ୍କର ମଙ୍ଗଳ ପାଇଁ ସେବାମନୋବୃତ୍ତି ନେଇ ଅନ୍ଧ, ଅଶିକ୍ଷିତ, କୁସଂସ୍କାରପ୍ରିୟ ନିରୀହ ଗାଁଗହଳିର ଲୋକମାନଙ୍କର ଭଲ ପାଇଁ ନିଜକୁ ନିଯୁକ୍ତ କରିଛନ୍ତି । ସେଥିପାଇଁ ସେ ଆନନ୍ଦ ଉପଲବ୍ଧି କରୁଛନ୍ତି ମନେ ମନେ । ସେଇ କର୍ମମୟ ଜୀବନ ଭିତରେ ନିଜର ସମସ୍ତ କାମନାକୁ ଉତ୍ସର୍ଗ କରିଛନ୍ତି; କିନ୍ତୁ ଭୁଲିପାରୁ ନାହାନ୍ତି ଗୋଟିଏ କଳାଛାଇ, କଳାଦାଗ । ଯାହାଙ୍କର ପ୍ରେରଣା ବଳରେ ହିଁ ତାଙ୍କର ଆଜି ଏ ସଦ୍‌ବୁଦ୍ଧି, ଆଜି ଏ ପ୍ରଶଂସା । ସେ କାହିଁ ? ଭୁଲି ହୁଏନା; କର୍ମମୟ ଜୀବନର ପ୍ରତି ପଦକ୍ଷେପରେ ତାହାରି ସ୍ମୃତି ମନେପଡ଼େ ।

 

X X X

 

ଭୁଲି ହୁଏନା – ପ୍ରକୃତରେ – ଯେତେ ଚେଷ୍ଟା କଲେ ବି ଭୁଲି ହୁଏନା । ଆଜି ସରଳାର ଆଖିଆଗରେ ସେଇ ମୂର୍ତ୍ତି ବାରମ୍ବାର ଆସି ଦେଖାଯାଉଛି । ଚାରିଦିନ ତଳର ଖବରକାଗଜଟାର ପ୍ରଥମ ପୃଷ୍ଠାକୁ ଚାହିଁରହିଛି ଏକ ଆଖିରେ, ଏକ ମନରେ । ଓଡ଼ିଶା କଂଗ୍ରେସ ଅଧିବେଶନରେ ରାଜ୍ୟପାଳ ରାଜକୁମାରଙ୍କୁ ସ୍ୱର୍ଣ୍ଣପଦକ ଉପହାର ଦେଉଛନ୍ତି । ତାଙ୍କରି ଫଟୋ ଦିଆଯାଇଛି ସେଥିରେ । ପରିଷ୍କାରରୂପେ ଫୁଟିଉଠିଛି ଫଟୋଟି । ସେଇ ଫଟୋଟି ଚାହିଁ ତନ୍ମୟ ହେଇ ପଡ଼ିଛି ସରଳା । ତା’ର ତନ୍ମୟତା ଭିତରେ ଖେଳିଯାଉଛି ଅସଂଖ୍ୟ ଭାବନା, ସୁଖଦୁଃଖର କଥା । କେତୋଟି ଚିହ୍ନା ମୁହଁ ଉଙ୍କିମାରି ଉଠୁଛନ୍ତି । ଠିକ୍‌ସେଇ ମୁହଁ, ସେଇ ଭଙ୍ଗୀ; କିନ୍ତୁ ସାମାନ୍ୟ ପରିବର୍ତ୍ତନ କେବଳ ବେଶଭୂଷାରେ । ନଚେତ୍‌ସେ ବିଜୟବାବୁ ବୋଲି ଭୁଲ୍‍ କେଉଁଠି ହେଲେ ନାହିଁ । ଆଖି ତା’ର ଛଳଛଳେଇ ଉଠୁଛି ଟଳଟଳ ଲୁହରେ । ମନର ହରିଣୀ କାନ୍ଦିଉଠୁଛି ଅଗନାଅଗନି ବନସ୍ତରେ ସାଥୀହରା ପଥହରା ହେଇ । ଆଜି କାହିଁ ସେ ଅଜ୍ଞାତବାସରେ ପଡ଼ିରହିଛି, ଆଉ କାହାନ୍ତି ତା’ର ଅତି ପ୍ରିୟତମ, ଜୀବନର ବନ୍ଧୁ ବିଜୟବାବୁ । କେତେ ସେ ଭଲପାଉଥିଲେ ତାକୁ, ଆଜି ସେ କ’ଣ ତାକୁ ଖୋଜୁଥିବେ ? ମନେ ପକାଉଥିବେ ? କେଜାଣି, ଅବୁଝା ମନକୁ ବୁଝାଇଲେ ବି ବୁଝୁନି । ଆଜି ବି ନିଶ୍ଚୟ ଭଲପାଉଥିବେ ତାକୁ ପ୍ରାଣଭରି । ଦୂରେଇ ଯାଇଛି ସେ । ଭଲ ହେଇଛି । ଦୂର ପର୍ବତ ସୁନ୍ଦର । ଅତି ନିକଟରେ ପାଇ, ଅତି ପାଖରେ ରହି ସରଳା ତାଙ୍କ ପ୍ରତି ଅତି ନିଷ୍ଠୁର ଆଚରଣ କରିଛି, ପାଖରୁ ଦୂରେଇଯିବାକୁ ଚେଷ୍ଟା କରିଛି । କିନ୍ତୁ ଆଜି ଦୂରେଇ ରହି ତାଙ୍କୁ ଅତି ନିକଟରେ ପାଇବାକୁ ମନକପୋତୀ ଖୋଜିବୁଲୁଛି, କିନ୍ତୁ ବୃଥା । ସବୁ ମିଛ, ସବୁ ମାୟା, ଜାଣି ବି ମନ ବୁଝୁନି । ପ୍ରଥମ ପ୍ରେମ, ଜୀବନରେ ପ୍ରଥମ ପ୍ରେମର ପ୍ରଥମ ଅନୁଭୂତି କେବେ କ’ଣ ଭୁଲିହୁଏ-? ପୁଣି ନାରୀ ଜୀବନରେ ? ଅସମ୍ଭବ, ଅସମ୍ଭବ !

 

ଝରକା ପାଖକୁ ଲାଗି ଛୋଟ ଶିଶୁକାଠର କାରୁକାର୍ଯ୍ୟକରା ପଲଙ୍କଟିଏ । ପଲଙ୍କର ପତଳା ତୂଳାଶେଯ ଉପରେ ଧୋବ ଫରଫର ଚଦର । ସରଳା ସେଇ ଶେଯରେ ଶୋଇ ତକିଆ ଉପରେ ମୁଣ୍ଡ ଦେଇ ଖବରକାଗଜରେ ଉଠିଥିବା ରାଜକୁମାରଙ୍କର ଫଟୋଟିକୁ ଚାହିଁରହିଛି । ମନ–ରଥ ଉଡ଼ିବୁଲୁଛି ଆକାଶ ପବନରେ । ଝରକା ଭିତର ଦେଇ ପଶିଆସୁଛି ବାହାରୁ ଲୋକମାନଙ୍କର ପାଟିତୁଣ୍ଡ । ତା’ ସାଥିକୁ ବାଦ୍ୟ, ଝାଞ୍ଜ କରତାଳ ଶବ୍ଦ ରାଜଉଆସର ବିରାଟ ପଥର ପାଚେରି ଭେଦକରି ରାସ୍ତା ଉପରୁ ଶୁଣାଯାଉଛି ପରିଷ୍କାର ରୂପେ । ରାଜଉଆସର କୁଳଦେବତା ମଦନମୋହନ ବିଜେ କରୁଛନ୍ତି ଦୋଳବେଦୀ ଉପରକୁ । ଆଜି ଦୋଳପୂର୍ଣ୍ଣମୀ । କେତେ ଫଗୁଖେଳ, ରଙ୍ଗଖେଳ, ଟାହିଟାପରା, ହସ କଉତୁକ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁରି ମୁହଁ ଦେହ କଳା, ନାଲି, ନେଳି ବିଭିନ୍ନ ରଙ୍ଗର ସମାବେଶରେ ରଞ୍ଜିତ । ସେଇ ହସ, ସେଇ ପାଟିତୁଣ୍ଡ, କଳରୋଳ, ବାଦ୍ୟ ଆଉ ଶଙ୍ଖର ଶବ୍ଦ ସବୁ ମିଶି ବିଚିତ୍ର ଶବ୍ଦ ସୃଷ୍ଟି ହେଇଛଇ । ଆଉ ସେଇ ଶବ୍ଦ ପଶିଆସୁଛି ଏତେ ବଡ଼ ପଥରକାନ୍ଥ ଭେଦି ଉଆସ ଭିତରକୁ । କିନ୍ତୁ ସରଳା ନିଜ ଭାବନାରେ ହିଁ ମଗ୍ନ । ବାହାର ଦୁନିଆର ଏ ହସ, ଏ ଆନନ୍ଦ ତା’ର କାନରେ ବାଜିପାରୁନି । ଏକାକୀ ସେ ନୀରବରେ ନିଜର କୋଠରିଟିରେ ଶୋଇରହିଛି, ହାତରେ ସେଇ ଚାରି ପାଞ୍ଚ ଦିନ ତଳର ଖବରକାଗଜ । ନରହରିବାବୁ ନାହାନ୍ତି; ଭୋରରୁ ନିଜର ନିତ୍ୟକର୍ମ ସମାପ୍ତ କରି ଚାଲିଯାଇଛନ୍ତି କେଉଁଠିକୁ ଜାଣେନା ସେ । ସାଥିରେ ବି ରାଜ କୁମାର ଯାଇଛନ୍ତି । କେଉଁ ଗାଁରେ ସ୍କୁଲ ଉଦ୍‌ଘାଟନ ହେଉଛି କିମ୍ବା ଆଉ କିଛି ଶୁଭକର୍ମରେ ଯୋଗଦେବାକୁ ପଡ଼ିଛି । ସତୀ ବି ଚାଲିଯାଇଛି ରାଣୀମା’’ଙ୍କ ମହଲକୁ । ଦୋଳପୂର୍ଣ୍ଣମୀ ! ରାଜ ଉଆସରେ ଖୁବ୍‌ ଆଡ଼ମ୍ବର ସହକାରେ ପ୍ରତିପାଳିତ ହେଇଥାଏ । ସେଇଥିପାଇଁ ସେ ଯାଇଛି, ଫେରିନି । ଦିନ ବାରଟା ଆସି ହେଲାଣି । ସକାଳର କଅଁଳ ନାଲିଆ ସୂର୍ଯ୍ୟ ଆକାଶ ଉପରକୁ ଉଠିଆସି ମୁଣ୍ଡ ଉପରେ ରହିଲେଣି । ତପ୍ତକିରଣ ପୃଥିବୀ ବକ୍ଷକୁ ଉତ୍ତପ୍ତ କରିଦେଉଛି ବେଳକୁ ବେଳ । କେମିତିକା ଗରମ ପବନ ବହିଆସି କୋଠରିଟିର ଶାନ୍ତ ପରିବେଶକୁ ଅଥୟ କରି ପକାଉଛି । ସେଇ କାଗଜରେ ଉଠିଥିବା ଫଟୋଟିକୁ ଚାହିଁ ଚାହିଁ, ଅସଂଖ୍ୟ କଥା ଭାବି ଭାବି ତନ୍ଦ୍ରା ଆସୁଛି ସରଳା ଆଖିରେ । ହାତର କାଗଜଟା ରହି ରହି ଖସିଆସୁଛି ତଳକୁ । ପୁଣି ତନ୍ଦ୍ରା ଭାଙ୍ଗିଯାଉଛି ଫଟୋଟିରେ ସ୍ୱପ୍ନିଳ ଆଖି ବୁଲେଇ ଆଣୁଛି ସରଳା ।

 

ଠିକ୍‌ଏଇ ମୁହୂର୍ତ୍ତରେ ଧୀରେ ଅତି ଧୀରେ ଦୁଆର ପାଖରେ ଆସି ଠିଆହେଲେ ମାଧବିକା, ବିକ୍ରମପୁରର ରାଜଜେମା, ରାଜକୁମାର ମଦନମୋହନଙ୍କର ଏକମାତ୍ର ଭଉଣୀ । ବିବାହିତା ସେ । ଦୁଇଦିନ ହେଲା ଆସିଛନ୍ତି ଉମସକୁ । ପ୍ରଥମେ ଉଆସକୁ ଆସି ସରଳାର ଖବର ବୁଝି, ଦେଖି, ତା ପ୍ରତି ଅନୁରାଗ ବଢ଼ିଯାଇଥିଲା ତାଙ୍କର । ପ୍ରାୟ ସମବୟସୀ । ରାଜଜେମା ସରଳା ପାଖରୁ କ’ଣ ପାଇଲେ ବା ଦେଖିଲେ, କେବଳ ତାଙ୍କୁ ହିଁ ଜଣା । ପ୍ରାୟ ସର୍ବଦା ତା’ର ପାଖେ ପାଖେ ରହି ତା ସହିତ କଥାବାର୍ତ୍ତା କରି ଆନନ୍ଦ ଉପଭୋଗ କଲେ । ସରଳା ପ୍ରତି ତାଙ୍କର ଅନୁରାଗ, ସହାନୁଭୂତି ବଢ଼ିଗଲା । ସରଳା ତାଙ୍କର ହେଲା ସଙ୍ଗିନୀ, ସହଚରୀ । ଭାଇଙ୍କ ପରି ବି ତାଙ୍କର ନଥିଲା ଆତ୍ମାଭିମାନ, ଆତ୍ମଗୌରବର ଅହଙ୍କାର । ବଡ଼ମେଳାପୀ । ଟିକିଏ ଦେଖ, ପଦିଏ କଥାରେ କିଣିନେଲେ ସରଳାର ମନ ଏବଂ କିଣି ହେଇଗଲେ ନିଜେ ସରଳା ପାଖରେ । ସରଳାକୁ ତାଙ୍କର ସାହଚର୍ଯ୍ୟ ଭଲ ଲାଗିଲେ ବି ସେ ଦୂରେଇ ରହିବାକୁ ଚେଷ୍ଟା କରେ, ଭୟ କରେ – କାଳେ କଥା କହିବାରେ ତା’ର କେଉଁଠି ଭୁଲ୍‍ ହେଇଯାଇପାରେ, ବ୍ୟବହାରରେ ତ୍ରୂଟି ରହିଯାଇପାରେ; କିନ୍ତୁ ପାରେନା । ମାଧବିକା ମନର କଥା ଜାଣିଲା ପରି ବିଭିନ୍ନ କଥାର ଜାଲ ସୃଷ୍ଟି କରି ବାନ୍ଧିରଖନ୍ତି ତାକୁ । ନିରୀହା ଶାନ୍ତ ହରିଣୀ ପରି ଶୁଣିଯାଏ ସେ, ହସେ – ନହସି ରହିପାରେନା ।

 

ଆଜି ଏତେ ବଡ଼ ଦିନରେ ସରଳାକୁ ଖୋଜି ଖୋଜି ନପାଇ ଏଠାକୁ ଦୌଡ଼ିଆସିଛନ୍ତି ମାଧବିକା । ଦେହରେ ଲାଲ ଟୁକୁଟୁକୁ ବନାରସୀ ଶାଢ଼ିଟା ଜଳିଉଠୁଛି ନିଆଁରେ ସୁନା ଝଟକି ଉଠିଲା ପରି । ହାତରେ ନାଲି ପିଚ୍‌କାରିଟିଏ । ପ୍ରଥମେ ଦୁଆର ମୁହଁରେ ଠିଆହୋଇ ରହିଲେ ମାଧବିକା । କିଛି ସମୟ ନୀରବରେ ଚାହିଁରହିଲେ ସରଳାର ସମସ୍ତ ନାରୀସୁଲଭ ଲାବଣ୍ୟକୁ । ହସିଲେ ସେ । ଯଦି ସେ ପୁରୁଷ ହେଇଥାନ୍ତେ ! ମନର କଥାରେ ହସୁ ହସୁ ହାତର ପିଚକାରି ତାଙ୍କର ଚମକିଉଠିଲା । ସରଳାର ମୁହଁ, ଦେହ, ବିଛଣା ଆଉ ହାତରେ ଧରିଥିବା କାଗଜଟି ନାଲି ହୋଇଗଲା । ଆଖି ଉଠେଇ ଚାହିଁପାରିଲାନି ସରଳା, ସମୟ ବା କାହିଁ ? ଆଖିପତା ଉପରୁ, ମୁହଁ ଉପରୁ ଟପ୍‌ଟପ୍‌ ହେଇ ନାଲି ପାଣି ବହିଆସି ସିକ୍ତ କଲା ତା’ର ବକ୍ଷଦେଶ । ମୋଟେ ଗୋଟିଏ ମିନିଟ୍‌ ଲାଗିଲା ମାଧବିକାକୁ । ତା’ପରେ ହସି ହସି ପଶିଆସିଲେ ଘର ଭିତରକୁ । ‘‘ଆଜି ଏତେ ବଡ଼ ଦିନରେ ତୁମେ ଯେ ଏକାକୀ ଏମିତି ପଡ଼ିରହିଥିବ, ସେ ଆଶା ମୋର ନଥିଲା । ହଉ, ଏଥର ଠିକ୍‌ହେଇଛି । ବର୍ତ୍ତମାନ ଆସି ଯିବା ମା’ଙ୍କ ମହଲକୁ । ଦେଖିବ, ସେଠି କ’ଣ ହେଉଛି, ଆଉ ତୁମେ ଏଠି ଏକାକିନୀ କ’ଣ କରୁଥିଲ – ଭାବିବ ।’’ ସରଳାର ଅନିଚ୍ଛାସତ୍ତ୍ୱେ ମାଧବିକା ତା’ର ହାତ ଧରି ଭିଡ଼ି ଭିଡ଼ି ବାହାରକୁ ନେଇଆସିଲେ । ସରଳା ମୁହଁରୁ ପଦଟିଏ ଆପତ୍ତି ବି ଶୁଣାଯାଇନି ।

 

ଉଆସର ପ୍ରତ୍ୟେକେ ଆଜି ଦୋଳପୂର୍ଣ୍ଣମୀ ଉତ୍ସବରେ ଉନ୍ମତ୍ତ । ରାଣୀମା’ ମଧ୍ୟ ସେଥିରୁ ବାଦ୍‌ ଯାଇନାହାନ୍ତି । ସମସ୍ତଙ୍କ ଦେହ–ମୁଣ୍ଡ ନାଲିପାଣିରେ ଜୁଡ଼ୁବୁଡ଼ୁ । ଏହି ଉତ୍ସବରେ କିନ୍ତୁ ଯୋଗ ଦେଇନାହାନ୍ତି ରାଜକୁମାର ମଦନମୋହନ ଆଉ ନରହରିବାବୁ । ଉଆସର କେହି ଶେଯରୁ ନଉଠୁଣୁ ଛାଡ଼ି ସେମାନେ ଚାଲିଯାଇଛନ୍ତି ଦୂର ମଫସଲକୁ । ରାଣୀମା’ ସେମାନଙ୍କର ଅନୁପସ୍ଥିତି ଅନେକ ପରିମାଣରେ ଉପଲବ୍ଧି କରୁଛନ୍ତି । ମନରେ ଦୁଃଖ ଆସୁଛି – ଏକମାତ୍ର ସନ୍ତାନ – ଏତେ ବଡ଼ ବଂଶର ଏକମାତ୍ର ବଂଶଧର ରାଜକୁମାରଙ୍କ ପାଇଁ ରାଜାମାନଙ୍କର ପ୍ରିୟ ଉତ୍ସବ ଏଇ ଦୋଳପୂର୍ଣ୍ଣମୀ । କେତେ ପ୍ରେମ, କେତେ ଚାହାଁଣି, କେତେ ଆନନ୍ଦ, କେବଳ ଏଇମାନଙ୍କ ପାଇଁ । ହୋରିଖେଳ ମାଧ୍ୟମରେ କେତେ ରାଜକୁମାରୀଙ୍କର ପାଣିଗ୍ରହଣ କରିଛନ୍ତି ରାଜପୁତ୍ରମାନେ, ଆଉ ପ୍ରେମପାରାବାରରେ ଉସେଇଦେଇଛନ୍ତି ନିଜକୁ । ଆଜି କିନ୍ତୁ ସେ ଯୁଗ ନାହିଁକି ସେ ପ୍ରେମ ସେ ଭଲପାଇବା ନାହିଁ; ଅଛି କେବଳ ବାହ୍ୟ ଆଡ଼ମ୍ବର । ମନେ ମନେ ଭାବୁଛନ୍ତି ରାଣୀମା’ । ମୁକ୍ତ ବିହଙ୍ଗ ସୁନାର ଆକାଶରେ କେତେ ଦିନ ଯାଏ । ଯେତେବେଳେ ତଳକୁ ଖସିବ ଧରାପଡ଼ିବ ନିଶ୍ଚୟ, ସେତିକିବେଳେ ସୁନାର ପଞ୍ଜୁରି ଭିତରେ ରହି ନିଜକୁ ତାହାରି ଭିତରେ ବାନ୍ଧି ରଖିବ । କ୍ରମେ କ୍ରମେ ଭୁଲିଯିବ ମୁକ୍ତ ଆକାଶର ପାଣିପବନକୁ । ସେଇ ପଞ୍ଜୁରିଟି ହିଁ ହେବ ତା’ର ସୁଖଦୁଃଖର ସଂସାର, ମୋହମାୟାର ସଂସାର ।

 

ଆଜି ସମସ୍ତେ ଖୁସି ମନରେ ଆନନ୍ଦ ଉପଭୋଗ କରୁଛନ୍ତି । ବର୍ଷକ ପରେ ପୁଣି ଆସିବ ଆଜିର ଏ ଦିନଟି । ବରଷେ, ଆଖି ପାଇଲେ ବି ବହୁତ ଦୂର । କିଏ ବଞ୍ଚିଥିବ କିଏ ମରିଥିବ । ଭବିଷ୍ୟତ ଖାଲି ଶୂନ୍ୟ ! ମହାଶୂନ୍ୟ ! କେତେବେଳେ କ’ଣ ହେବ କିଏ କହିପାରିବ ? ! ବେଙ୍ଗ କହେ ବେଙ୍ଗୁଲୀଲୋ ମହୀ କ୍ଷଣକ୍ଷଣକେ ଆନ’ – କ’ଣ ମିଛ ? ସତ୍ୟ – ନିରାଟ ସତ୍ୟ । କିଏ ଯୋଡ଼ିଛି କେଜାଣି, ଆଜିର ଦିନଟିକୁ କି ଦୁଃଖୀ, କି ସୁଖୀ, ସମସ୍ତେ ମିଳିମିଶି ଉପଭୋଗ କରିବାରେ ଲାଗିପଡ଼ିଛନ୍ତି । ଉଆସରେ ମଧ୍ୟ ଏହାର ନିଶା କମ୍‌ଲାଗିନି । ପୁରୁଣା ପ୍ରଥାନୁଯାୟୀ ସମସ୍ତେ ଉଆସର ରଙ୍ଗମହଲକୁ ରାଣୀମା’’ଙ୍କୁ ନେଇଯାଇଛନ୍ତି । ପୋଇଲି, ପରିବାରୀ, ଚାକର ସମସ୍ତେ ଏକଜୁଟ ହେଇଛନ୍ତି ସେଇ ଘରେ । ଘର ନୁହେ ତ ବିରାଟ ହଲ୍‌ । ଉପରଟା ଫାଙ୍କା, ଛାତ ନାହିଁ । ଚାରିପାଖରେ ପଥରର ପାଚେରି । ହଲ୍‌ମଝିରେ ଶଙ୍ଖମଲମଲ ପଥରର କୁଟିକାମକରା ଗୋଟିଏ ଆସନ । ଆସନ ପଛପାଖକୁ ଗୋଟିଏ ପାଣିକୁଣ୍ଡ । ପରିଷ୍କାର ପାଣି । ଭିତରେ ପାଣି ଯିବାପାଇଁ ଏବଂ ଆସିବାପାଇଁ ନାଳି ତିଆରି ହୋଇଛି । ପାହାଡ଼ ଉପର ଝରଣାରୁ ପାଣି ଅଣାଯାଇଛି ଏବଂ ଛାଡ଼ିଦିଆଯାଇଛି ଉଆସର ରାଣୀମା’ଙ୍କର ମହଲ ଭିତର ଦେଇ । ଶଙ୍ଖମଲମଲ ପଥରର ଆସନଠାରୁ ଚାରିହାତ ଦୂରରେ ଗୋଟିଏ ଇଟାଖମ୍ବ ଉପରେ ମାଡ଼ିଯାଇଛି ଯୁଇଲତାଟିଏ-। ଛୋଟ ଛୋଟ ପେନ୍ଥା ପେନ୍ଥା ଫୁଲଗୁଡ଼ିଏ ମଉଳି ପଡ଼ିଛନ୍ତି; କିନ୍ତୁ ଗନ୍ଧଟା ମରିନି ପୂରା । ସାମାନ୍ୟ ଗନ୍ଧ ପବନରେ ଭାସିବୁଲୁଛି ।

 

ସେଇ ଘରେ ପ୍ରଥମେ ରାଣୀମା’ ପାଖରେ ଠିଆହୋଇଥିବା ଜଣେ ଦାସୀକୁ ପିଚକାରିରେ ନାଲିପାଣି ଭର୍ତ୍ତିକରି ମାରିଲେ । ତା’ପରେ ଆରମ୍ଭ ହେଇଛି ରଙ୍ଗଖେଳ । ମୁହଁ, ଦେହ, ଲୁଗା, ଶାଢ଼ୀ ଆଉ କିଛି ବାକି ରହିନି । ଏଥିରେ ବି ଭାଗ ନେଇଛନ୍ତି ରାଜଜେମା ମାଧବିକା, ସରଳା ଆଉ ରାଜଶ୍ରୀ–ମାଧବିକାଙ୍କର ଖଡ଼ୁତା–ଶ୍ୱଶୁରଙ୍କର ଏକମାତ୍ର ଉତ୍ତରାଧିକାରିଣୀ କନ୍ୟା । ସୁନ୍ଦରୀ, ଶିକ୍ଷିତା ମାଡ୍ରାସ ପ୍ରେସିଡେନ୍ସି କଲେଜରୁ ବି. ଏ. ପାସ୍‌ କରିଛନ୍ତି ଗତବର୍ଷ । ବର୍ତ୍ତମାନ ଏମ୍‌.ଏ. ପଢ଼ୁଛନ୍ତି । ଅତୁଳ ଐଶ୍ୱର୍ଯ୍ୟର ଉତ୍ତରାଧିକାରିଣୀ । ଅଭାବ ଅନାଟନ ନାହିଁ । ଆଭିଜାତ୍ୟ, ସମ୍ମାନ ଭିତରେ ବଢ଼ି ଆସିଥିବାରୁ ଆତ୍ମଗର୍ବୀ । ରାଣୀମା’ଙ୍କ ନିମନ୍ତ୍ରଣ ପାଇ ଆସିଛନ୍ତି ସେ ଦୁଇଦିନ ହେଲା । ଆସିବା ସମୟଠାରୁ ପ୍ରତିମୁହୂର୍ତ୍ତରେ ରାଜକୁମାରଙ୍କ ପାଖରେ ନାନା ଗପର ଅବତାରଣା କରି ସମୟ କଟେଇନିଅନ୍ତି । ପ୍ରଥମ ଦେଖାରେ, ପ୍ରଥମ ଚାହାଣିରେ ରାଜଶ୍ରୀଙ୍କର ହୃଦୟ ଥରିଉଠିଛି । ଅପୂର୍ବ ଅନୁଭୂତି ଲାଭକରିଛନ୍ତି । ସେଇଥିପାଇଁ ଏହି ଦୁଇ ଦିନ ହେଲା କାୟା ସହିତ ଛାୟାପରି ରାଜକୁମାରଙ୍କର ପଛେ ପଛେ ଲାଗିରହିଛନ୍ତି; ଯାହା କି ରାଜକୁମାରଙ୍କୁ ଭଲଲାଗିନି । ରାଜଶ୍ରୀଙ୍କର ରୁକ୍ଷ ବ୍ୟବହାର ଓ ସ୍ୱଭାବ ତାଙ୍କୁ ଭଲଲାଗିନି । ରାଜଶ୍ରୀ ଦୁଇ ଦିନ ମଧ୍ୟରେ ଯେତିକି ତାଙ୍କର ପଛେ ପଛେ ଧାଇଁ ବୁଲିଛନ୍ତି, ସେତିକି ସେ ଦୂରେଇ ଯିବାକୁ ଚେଷ୍ଟା କରିଛନ୍ତି । ଭଲ ଲାଗିନି ତାଙ୍କୁ ରାଜଶ୍ରୀଙ୍କର ସାନ୍ନିଧ୍ୟ–ରାଜଶ୍ରୀଙ୍କର ଆତ୍ମବଡ଼ିମା ।

 

ସଂଧ୍ୟା ଘନେଇ ଆସିଲାଣି କେତେବେଳୁ । ଦୋଳବେଦୀ ଉପରୁ ଶୁଭୁଛି ସଂଧ୍ୟାଆରତିର ଧ୍ୱନି । ପୂର୍ବ ଆକାଶରେ ଉଇଁଆସିଲେଣି ଥାଳିପଟ ପରି ପୂନେଇ ଜହ୍ନ ସାରା ଜଗତକୁ ଆଲୋକିତ କରି । ଏଇ ସମୟରେ ରାଜକୁମାର ମଦନମୋହନ ଉଆସକୁ ଫେରିଲେ । ବଡ଼ କ୍ଲାନ୍ତ, ବଡ଼ ବିଷର୍ଣ୍ଣ ଦେଖାଯାଉଛନ୍ତି । ଗମ୍ଭୀର ମୁହଁରେ କ୍ଲାନ୍ତିର ଚିହ୍ନ ପରିସ୍ଫୁଟ । ଝାଳରେ ଦେହସାରା ଓଦା ଜୁଡ଼ୁବୁଡ଼ୁ । ନିଜର ଘର ଭିତରକୁ ତରତର ହୋଇ ପଶିଗଲେ ସେ । ସଙ୍ଗେ ସଙ୍ଗେ କେଉଁଠି ଥିଲେ ରାଜଶ୍ରୀ, ଛଞ୍ଚାଣପରି ଦୌଡ଼ିଆସି ମଦନମୋହନଙ୍କ ଉପରେ ବୁଣିଦେଲେ ଅଭ୍ରମିଶ୍ରିତ ଲାଲ ଫଗୁ । ପଛେ ପଛେ ଆସି ମାଧବିକା ହସି ହସି ଦରଜା ପାଖରେ ଠିଆହେଲେ । ପଛକୁ ଫେରି ଚାହିଁଲେ ମଦନମୋହନ । ଦୁଆର ପରଦାକୁ ଧରି ଗମ୍ଭୀର ଭାବରେ ଠିଆ ହେଇଛନ୍ତି ରାଜଶ୍ରୀ, ପାଖରେ ମାଧବିକା । ତାଙ୍କର ବୁଝିବାକୁ କିଛି ବାକିରହିଲାନି । ମନରେ ଭୀଷଣ ରାଗହେଲା । ସଙ୍ଗେ ସଙ୍ଗେ ସେମାନଙ୍କ ଉପରୁ ମୁହଁ ବୁଲେଇ ନେଇ କହିଲେ, ‘‘ଆଉ କିଛି ବାକି ଅଛି ନା ଏତିକିରେ ସରିଲା ?’’

 

‘‘ନା ଭାଇ, ମୋର ସେ ଅଭିପ୍ରାୟ ନାହିଁ । ରାଜକୁମାରୀ ଭିଡ଼ି ଭିଡ଼ି ଆଣିବାରୁ ତାଙ୍କ ସହିତ ଆସିଲି –’’ ଢୋକ ଗିଳି କହିଲେ । ‘‘ଦିନସାରା ତୁମକୁ ଖୋଜି ହେଉଛନ୍ତି ସେ । ଏବେ ଘଣ୍ଟାଏ ହେବ ଏଇ ପାଖ ବାରଣ୍ଡାରେ ବସିଥିଲୁ ତୁମକୁ ଅପେକ୍ଷା କରି । ବୃଥାଟାରେ ତାଙ୍କ ଉପରେ ରାଗ କରନି । ଏଇତକ କାମପାଇଁ ଦିନସାରା ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଛି ।’’

 

‘‘ରାଗ କଲେ କିଏ ଶୁଣୁଛି ? ଦିନବେଳେ ଥିଲେ ଦେଖିଥାଆନ୍ତା ରାଗଟା କେତେ ଉପରକୁ ଉଠି ଥାଆନ୍ତା । ଏ ତ ଅତି ସାମାନ୍ୟ ହେଲା’’ – ରାଜଶ୍ରୀ ବେଖାତିର ଭାବରେ କହିଲେ । ସେ ଭାବିଥିଲେ, ତାଙ୍କର କଥା ଶୁଣି ରାଜକୁମାର ହସି ହସି ତାଙ୍କ ପାଖକୁ ଲାଗି ଆସିବେ । ନିଜ ଦେହରେ ଲାଗିଥିବା ଫଗୁ ନେଇ ତାଙ୍କ ଦେହରେ ବୋଳିଦେବେ, କିନ୍ତୁ ତାହା ସମ୍ଭବ ହେଲାନି । ରାଜକୁମାର ପୂର୍ବପରି ମୁହଁ ବୁଲେଇ ଠିଆ ହୋଇ କହିଲେ, ‘‘ଦୟାକରି ଯଦି ଆପଣ ମତେ ଟିକିଏ ଏକା ରହିବାକୁ ଦିଅନ୍ତେ ତେବେ ମୁଁ ଆନନ୍ଦିତ ହୁଅନ୍ତି ।’’ ମାଧବିକା ମଦନମୋହନଙ୍କର କଥା ଶୁଣି ରାଜଶ୍ରୀଙ୍କର ହାତଧରି ଟାଣିଲେ ଯିବାପାଇଁ । କିନ୍ତୁ ରାଜଶ୍ରୀ ହାତଟା ତାଙ୍କ କବଳରୁ ଛଡ଼େଇ ନେଇ କହିଲେ, ‘‘ନା, ନା, ମୁଁ ଯିବିନି–ତୁମେ ଯାଅ । କିଏ ରାଜକୁମାରଙ୍କୁ କହିଛି ଗାଁ ଗାଁ ବୁଲି ଛୋଟଲୋକଗୁଡ଼ାକ ସଙ୍ଗରେ ମିଶିବାକୁ ? ନିଜ ଦେହକୁ ନ ଚାହିଁ, ନିଜର ମନକୁ କଷ୍ଟ ଦେଇ ଏ କାମ କରିବାକୁ କିଏ ତାଙ୍କୁ ଶିଖେଇଛି ?’’ କଥା ଅଧାରେ ହିଁ ରହିଗଲା । ରାଜକୁମାର ହଠାତ୍‌ ବୁଲିପଡ଼ି କହିଲେ, ‘‘ସେତିକି ହେଇଥାଉ ରାଜକୁମାରୀ ! ଆପଣ ଯଦି ଦୟାକରି ମତେ ଏକୁଟିଆ ରହିବାକୁ ଦିଅନ୍ତି ତେବେ ମୁଁ ଖୁସି ହୁଅନ୍ତି ।’’ ଆଉ କ’ଣ କହିବାକୁ ଇଚ୍ଛା ହେଉଥିଲା, କିନ୍ତୁ ସେ ଯେ ମାଙ୍କର ଆମନ୍ତ୍ରିତା ! ତେଣୁ ଆଉ କିଛି ନକହି ଦ୍ରୁତ ପଦକ୍ଷେପରେ ବାହାରିଗଲେ ସେଇ ଘରର ସଂଲଗ୍ନ ସ୍ନାନାଗାରକୁ । ପଛେ ପଛେ ଦୁଆରଟା ବନ୍ଦ କରିଦେଲେ । ଧଡାସ୍‌ କରି ଶବ୍ଦ ହେଲା । ଚମକିପଡ଼ି ମାଧବିକା ଚାହିଁଲେ ସେଇଆଡ଼କୁ । ପାଣି ଅଜାଡ଼ିବାର ଶବ୍ଦ ଶୁଣାଯାଉଛି । ସେ ରାଜଶ୍ରୀଙ୍କୁ ଚାହିଁ କହିଲେ, ‘‘ଆସ ଜେମା – ମଦନମୋହନଙ୍କୁ ପୁଣି ଦର୍ଶନ କରିବାକୁ ଯିବା ପରା ! ଡେରି ହେଇଯାଉଛି ।’’

 

‘‘ନା ମୁଁ ଯିବିନି, ଏଠି ତ ମଦନମୋହନଙ୍କୁ ସଶରୀରେ ଦେଖିବାକୁ ମିଳୁଛି । ସେଠି ନିର୍ଜ୍ଜୀବ ଦେବତାଙ୍କୁ ଦେଖିବାକୁ ଯିବି କାହିଁକି ? ତୁମେ ଯାଅ । କିଛି ସମୟ ପରେ ରାଜକୁମାରଙ୍କର ରାଗିଲା ମନକୁ ଥଣ୍ଡା କରିଦେଇ ଯିବି ।’’ ମାଧବିକା ଆଉ କିଛି ନ କହି ସେଠାରୁ ବାହାରି ଆସିଲେ ବାହାରକୁ । ରାଜଶ୍ରୀ ରାଜକୁମାରଙ୍କର ପଲଙ୍କ ପାଖରେ ପଡ଼ିଥିବା ଚୌକି ଉପରେ ବସିପଡ଼ିଲେ ଗୁରୁ ଭାବନା ନେଇ ।

 

ଗାଧୁଆଘରର ଦୁଆର ଖୋଲି ଘର ଭିତରକୁ ତଳ ଗାଲିଚା ଉପରେ ପାଦଦେଲେ ରାଜକୁମାର । ଆଖି ପଡ଼ିଗଲା ରାଜଶ୍ରୀଙ୍କ ଉପରେ । ଥଣ୍ଡା ପାଣିରେ ଦେହ ମନକୁ ଶୀତଳ କରି ପରିଷ୍କାର ଖଦଡ଼ ଧୋତି ପିନ୍ଧି ଓ ଦେହରେ ଖଦଡ଼ ତଉଲିଆଟିଏ ପକେଇ ପଲଙ୍କ ଉପରେ ଆସି ବସିପଡ଼ିଲେ । ପାଖ ଟିପୟ ଉପରେ ରୂପାର ମିନାକରା ଫୁଲଦାନୀରୁ ସଜ ଗୋଲାପ ଫୁଲଟିଏ ଛିଣ୍ଡେଇ ଆଣି ନାକ ପାଖରେ ଧରି ମନଭରି ଆଘ୍ରାଣ କଲେ ତା’ର ଗନ୍ଧ । ତାପରେ ନୀରବରେ ପଲଙ୍କ ଉପରେ ତାଙ୍କର ବଳିଷ୍ଠ ଶରୀରଟାକୁ ମେଲିଦେଲେ । ଝରକା ଦେଇ ଶୀତଳ ଜ୍ୟୋତ୍ସାର ଲହରୀ ଉପର ଦେଇ ଭାସିଆସୁଛି ଶୀତଳ ମଳୟ । ରାଜକୁମାରଙ୍କର ଆଖିପତା ବନ୍ଦ ହୋଇ ଆସିଲା ସଙ୍ଗେ ସଙ୍ଗେ । ଭୁଲିଗଲେ ସେ ରାଜଶ୍ରୀଙ୍କର ଉପସ୍ଥିତି । ଘୋଟି ଆସିଲା ତନ୍ଦ୍ରା ।

 

ରାଜକୁମାରଙ୍କର ଖୋଲା ଶରୀର ଅଫୁରନ୍ତ ସୌନ୍ଦର୍ଯ୍ୟ ଆଖି ପୂରେଇ ଦେଖିନେଉଛନ୍ତି ରାଜକୁମାରୀ ରାଜଶ୍ରୀ । ରାଜକୁମାରଙ୍କର ଆଜିର ଏ ପ୍ରକାର ବ୍ୟବହାରରେ କ୍ଷୁର୍ଣ୍ଣ ହେଲେ ମଧ୍ୟ ମନ ତାଙ୍କର ଖୋଜି ବୁଲୁଛି ଆଉ କିଛି । ଆଖି ଦୁଇଟା ପିଇ ଯାଉଛନ୍ତି ରାଜକୁମାରଙ୍କର ବଳିଷ୍ଠ ସୁନ୍ଦର ପୌରୁଷକୁ । ଭାବୁଛନ୍ତି ସତେ ଏଇ ବିକ୍ରମପୁରର ରାଜକୁମାର କି ସୁନ୍ଦର ! ନାଁ ଭଳି ରୂପ ବି ପାଇଛନ୍ତି । ପ୍ରଥମ ଦେଖାରେ ହିଁ ଭଲ ପାଇ ବସିଛନ୍ତି ସେ ଏଇ ରାଜକୁମାରଙ୍କୁ । କେତେ ରାଜପୁତ୍ରଙ୍କ ସହିତ ସେ ମିଶିଛନ୍ତି । କେତେ ଯୁବରାଜ ତାଙ୍କୁ ନିଜର କରିବାକୁ ହାତ ବଢ଼େଇ ନାହାନ୍ତି । କିନ୍ତୁ ରାଜଶ୍ରୀ କାହାରିକୁ ନିଜ ପାଖରେ ସ୍ଥାନ ଦେଇ ନାହାନ୍ତି । ସମସ୍ତଙ୍କର ସାନ୍ନିଧ୍ୟ କାହାରିକୁ ନିଜ ପାଖରେ ସ୍ଥାନ ଦେଇ ନାହାନ୍ତି । ସମସ୍ତଙ୍କର ସାନ୍ନିଧ୍ୟ ଲାଭକରିଛନ୍ତି, ସମସ୍ତଙ୍କ ସହିତ ହସିଖେଳି ମିଳିମିଶି ସେମାନଙ୍କର ଯତ୍‌କିଞ୍ଚିତ ଆଶା ପୂରଣ କଲେ ବି ଭଲ ପାଇନାହାନ୍ତି କାହାରିକୁ । ସମସ୍ତଙ୍କୁ ପାଖରେ ଦେଖିଲେ ବି ମନରେ ଦେଖି ନାହାନ୍ତି । ତାଙ୍କର ସମ୍ମାନ ଅଛି, ଆତ୍ମମର୍ଯ୍ୟାଦା ଅଛି, ସମ୍ପତ୍ତି ଅଛି । ପିତାଙ୍କର ଏକମାତ୍ର ସନ୍ତାନ ସେ, ଆତ୍ମଗର୍ବ ପୂରି ରହିଛି । କାହାକୁ ପସନ୍ଦ କରିନାହାନ୍ତି ପିତାଙ୍କର ଇଚ୍ଛାସତ୍ତ୍ୱେ । କିନ୍ତୁ ବିକ୍ରମପୁର ରାଣୀମା’ଙ୍କର ଆମନ୍ତ୍ରଣ ପାଇ ସେ ଏଠାକୁ ଆସି ରାଜକୁମାର ମଦନମୋହନଙ୍କର ଅପରୂପ ସୌନ୍ଦର୍ଯ୍ୟରେ ବିହ୍ୱଳ ହୋଇ ପଡ଼ିଛନ୍ତି । ସେଇ ଭଲପାଇବା ପାଖରେ ନିଜକୁ ବାନ୍ଧି ରଖିଛନ୍ତି । କିନ୍ତୁ ପ୍ରତି ମୁହୂର୍ତ୍ତରେ ରାଜକୁମାରଙ୍କର ଏଇ ପ୍ରକାର ବେଖାତିର ସ୍ୱଭାବ ତାଙ୍କୁ ବିଶେଷ କଷ୍ଟ ହେଉଛି । କାହିଁକି, କାହିଁକି ସତେ ରାଜକୁମାରଙ୍କର ତାଙ୍କ ପ୍ରତି ଏ ପ୍ରକାର ବ୍ୟବହାର ? ଏଇପରି ବ୍ୟବହାର ପାଇବା ପାଇଁ କ’ଣ ସେ ଏଠାକୁ ଦୌଡ଼ି ଆସିଛନ୍ତି ? ବ୍ୟଥାଭରା ହୃଦୟ ନେଇ ଫେରିଯିବାକୁ ? କେତେ ରାଜପୁତ୍ରଙ୍କୁ ସେ ନିରାଶ କରିଛନ୍ତି । ମୁହେଁ ମୁହେଁ ଉତ୍ତର ଦେଇଛନ୍ତି । ସେମାନେ ଫେରି ଯାଇଛନ୍ତି ଦୁଃଖରେ । ଆଜି ତାଙ୍କୁ କ’ଣ ସେମିତି ଫେରିଯିବାକୁ ହେବ ? କାହିଁ ତାଙ୍କର ସେ ଆତ୍ମସମ୍ମାନ, ଆତ୍ମଗୌରବ ? ବିପୁଳ ସମ୍ପତ୍ତି ଏକମାତ୍ର ଅଧିକାରିଣୀ ହେଇ ବି ସବୁ ତୁଚ୍ଛ, ସବୁ ମିଛ ହେଇଯାଇଛି ଏଇ ରାଜକୁମାରଙ୍କ ପାଖରେ । ନିଜର ମସ୍ତବଡ଼ ଦୁର୍ବଳତା ଏ, କିନ୍ତୁ ଏଥିରୁ କ୍ଷାନ୍ତ ହେଇପାରିବେନି ସେ । ସବୁ ଶୂନ୍ୟ, ମହାଶୂନ୍ୟ । ଯେମିତି ମଦନମୋହନ, ତାଙ୍କର ଐଶ୍ୱରିକ ଶକ୍ତି ଲୁଟି କରି ନେଇଯାଇଛନ୍ତି । ରାଜଶ୍ରୀଙ୍କର ଆଉ କିଛି ନାହିଁ । ସବୁ ଖାଲି, ସବୁ ଶୂନ୍ୟ, ଶୂନ୍ୟ ଥାଳ ଧରି ଠିଆହେଇଛନ୍ତି ସେ ରାଜକୁମାରଙ୍କ ପାଖରେ । ରାଜକୁମାରଙ୍କ ନିକଟରେ ଯେମିତି ତାଙ୍କର ମୂଲ୍ୟ ନାହିଁ । ଅତି ହୀନ, ହୀନ ଛୋଟ ମନେକରୁଛନ୍ତି ନିଜକୁ । ଅନୁଭବ କଲେ ବି ଦୂରେଇ ରହି ପାରୁ ନାହାନ୍ତି । କି ଆକର୍ଷଣ ଶକ୍ତି ବଳରେ ଟାଣିହେଇ ଆସୁଛନ୍ତି ସେ ଏଇଠିକୁ । ବାରମ୍ବାର ଆଘାତ ପାଇଲେ ମଧ୍ୟ ମନ ଚାହୁଁଛି ପୁଣି ଥରେ ଦେଖିବାକୁ, ମୁଖରୁ ପଦେ କଥା ଶୁଣିବାକୁ । ଜାଣିପାରୁ ନାହାନ୍ତି ରାଜଶ୍ରୀ । ଏକ ଲୟରେ ଚାହିଁରହିଛନ୍ତି ମଦନମୋହନଙ୍କର ସୁନ୍ଦର ସୁଠାମ ଶରୀରକୁ । କେତେ ଆଶା ସେ କରିନଥିଲେ ଆଜି ! ରାଜକୁମାରଙ୍କ ସହିତ ସେ ଆଜି ହୋରି ଖେଳିବେ, ସେଇଠାରୁ ଦୁହିଁଙ୍କର ହୃଦୟରେ ଆବିର୍ଭାବ ହେବ ଦୁର୍ଲଭ ପ୍ରେମ । ତା’ପରେ, ତା’ପରେ କ’ଣ ଆଉ ଭାବି ପାରି ନାହାନ୍ତି ସେ । ଲାଜରେ ମୁହଁ ନଇଁଯାଇଥିଲା ତଳକୁ । କିନ୍ତୁ ସକାଳୁ ଉଠି କ’ଣ ଶୁଣିଲେ ସେ–ରାଜକୁମାର ଉଆସରେ ନାହାନ୍ତି । ବଡ଼ ଆଘାତ ଲାଗିଥିଲା ତାଙ୍କର ନାରୀ ହୃଦୟରେ । ସାରା ଦିନ ଅପେକ୍ଷା ପରେ ବର୍ତ୍ତମାନ ଆସିଛନ୍ତି ରାଜକୁମାର । ଆସିଛନ୍ତି ନା ଆବିର୍ଭାବ ହେଇଛନ୍ତି ! କେଉଁଟା ସତ ? ନିଜ ମନକୁମନ ପଚାରିଗଲେ ରାଜଶ୍ରୀ । ଗୋଟିକର ଉତ୍ତର ହେଲେ ପାଇଲେନି । ସବୁ ପରମୁହୂର୍ତ୍ତରେ ମିଳେଇ ଯାଉଛି ସେଇ ମନ ଭିତରେ ।

 

ମଦନମୋହନଙ୍କ ମନ୍ଦିରରୁ ଶୁଭିଲା ରାତ୍ରିଧୂପର ଘଣ୍ଟା । ମାଧବିକା ରାଜଶ୍ରୀଙ୍କୁ ନିଜ ଉଆସରେ ନ ପାଇ ରାଜକୁମାରଙ୍କର ଉଆସକୁ ଆସିଲେ । ଦେଖିଲେ ରାଜଶ୍ରୀ ନିର୍ନିମେଷ ନୟନରେ ଭାଇଙ୍କର ଖୋଲା ଶରୀରଟା ଭାବନାପୂର୍ଣ୍ଣ ମନ ନେଇ ଚାହିଁ ରହିଛନ୍ତି । ରାଜଶ୍ରୀଙ୍କର ଦୁର୍ବଳତା ଟିକକ ଅଛପା ରହିଲାନି ତାଙ୍କୁ । ନାରୀ ସେ । ଭଲପାଇବା, ପ୍ରେମ କରିବା ତାଙ୍କ ହୃଦୟରେ ପ୍ରତି ରକ୍ତବିନ୍ଦୁ ବି ଜାଣେ । ଦୁଆରର ପରଦାଟାକୁ ଧରି ହସିଲା ମୁହଁରେ ଡାକିଲେ ‘‘ଜେମା, ଜେମା ।’’

 

ଚମକିପଡ଼ି ରାଜଶ୍ରୀ ରାଜକୁମାରଙ୍କର ଖୋଲା ଶରୀର ଉପରୁ ଅମାନିଆ ଆଖିକୁ ଉଠେଇ ଆଣି ଚାହିଁଲେ ଦୁଆର ପରଦା ଆଡ଼କୁ । ଦେଖିଲେ ମାଧବିକା ହସୁଛନ୍ତି । ଦୁଷ୍ଟାମି ହସ ଲାଗିରହିଛନ୍ତି ରକ୍ତିମ ଅଧରରେ । ନିଜର ଦୁର୍ବଳତାକୁ ଲୁଚେଇବାକୁ ଯାଇ, ଭାବନାକୁ ଭୁଲିଯିବା ପାଇଁ କହିଲେ, ‘ରାଜକୁମାର ଆଉ ବୋଧହୁଏ ଏଇକ୍ଷଣି ଉଠିବେନି । ନା, ବହୁତ ଡେରି ହେଲାଣି । ଭୁଲ୍‍ ପାଇଁ କ୍ଷମା ମାଗିନେଇ ପାରିଲିନି ।’ ଅଳସ ଦେହଟାକୁ ଭିଡ଼ିମୋଡ଼ି ଉଠି ଠିଆହେଲେ ରାଜଶ୍ରୀ ।

 

‘ମୁଁ ଯିବା ଆଗରୁ ତ ରାଜକୁମାର ଶୋଇନଥିଲେ ? କ୍ଷମା ମାଗିନେଇ ପାରିଥାଆନ୍ତା । ତେବେ ଏତେ ଡେରି ହେଲା କାହିଁକି ? ମୁଁ କ’ଣ ଜାଣେନା ?’’

 

ପୁଣି ସେଇ ଦୁଷ୍ଟାମି ହସ, ଦୁଷ୍ଟାମି କଥା । ରାଜଶ୍ରୀ ହସି ହସି କହିଲେ, ‘ଓଃ ହୋଃ ! ଜାଣିବା ନର କେଉଁଦିନଠାରୁ ହେଲଣି ନା ଆଜି ମ ? ଚାଲ ଚାଲ । ବହୁତ ଡେରି ହେଇଗଲେଣି ।’’

 

ବାରଣ୍ଡାରେ କାହାର ପାଦଶବ୍ଦ ଶୁଣି ମାଧବିକା ପରଦା ଆଡ଼େଇ ଚାହିଁଲେ । ରାଣୀମା’ଙ୍କର ଦେହଲଗା ପୋଇଲି ସତୀ ।

 

‘‘ରାଣୀମା’ ଡକେଇଛନ୍ତି ।’’

 

ଲକ୍ଷହରା

‘‘ମତେ ?‘‘

 

‘‘ନା, ରାଜଜେମା ରାଜଶ୍ରୀଙ୍କୁ ।‘’

 

‘‘ମତେ ଡକେଇଛନ୍ତି, ମତେ ?’’ କହି କହି ରାଜଶ୍ରୀ ଆଗଭର ହୋଇ ଚଞ୍ଚଳ ପଦକ୍ଷେପ ଆସି ବାହାରେ ଠିଆହେଲେ ।

 

‘‘ହଁ ରାଜଜେମା !’’ ସତୀ ପଛେଇଗଲା । ରାଜଶ୍ରୀ ଆଗକୁ ମାଡ଼ି ଚାଲିଲେ । ମାଧବିକା ଥରେ ରାଜଶ୍ରୀଙ୍କୁ ଆଉ ଥରେ ରାଜକୁମାରଙ୍କର ପଲଙ୍କ ଆଡ଼କୁ ଚାହିଁ ରାଜଶ୍ରୀଙ୍କର ପଛେ ପଛେ ବାହାରି ଆସିଲେ । ପରଦାଟା ଖାଲି ସାମାନ୍ୟ ଦୋହଲିଗଲା ।

 

ସାରା ରାତି ପଲକ ପଡ଼ିନି ରାଜଶ୍ରୀଙ୍କ ଆଖିରେ । କେବଳ ନିର୍ଜୀବ ପରି ପଡ଼ିରହିଛନ୍ତି ପଲଙ୍କର ଚାରି ଇଞ୍ଚ ବହଳ ଗଦି ଉପରେ । ଆଖି ଦୁଇଟି ଘୂରି ବୁଲୁଛି ଟଣାଯାଇଥିବା ମଶାରି ଉପରେ । ମଶାରିର ଅଗଣିତ କ୍ଷୂଦ୍ର କଣାଗୁଡ଼ିକରେ ମନର ଅସଂଖ୍ୟ ଭାବନାର ଖିଅ ଲାଖି ରହୁଛି-। ସମୟେ ସମୟେ ଭାବନାରେ ଆନନ୍ଦର ଅତିଶଯ୍ୟ ହେତୁ ମନେ ମନେ ଲାଜେଇଯାଉଛନ୍ତି-। ଆନନ୍ଦରେ ଛାତି ଭିତରଟା କୁରୁଳି ଉଠୁଛି, ଆଉ ସମୟେ ସମୟେ ନିରାଶାରେ, ବିଫଳମନୋରଥରେ ଛାତି ଭିତରଟା ହାହାକାର କରି ଉଠୁଛି । ଯେତେ ଚେଷ୍ଟା କଲେ ବି ନିଦ ଆସୁନି । ଅନଙ୍ଗମଞ୍ଜରୀଙ୍କର କଥା ଏବଂ ସ୍ୱର ତାଙ୍କର କର୍ଣ୍ଣଗହ୍ଵରରେ ଏବେ ବି ପ୍ରତିଧ୍ୱନିତ କରି ଉଠୁଛି । ଜଣାଯାଉଛି ସବୁ ସ୍ୱପ୍ନ, ସବୁ କଳ୍ପନା । କିନ୍ତୁ ପର ମୁହୂର୍ତ୍ତରେ ମନ ଚେଇଁ ଉଠୁଛି । କିଏ କହିଲା କଳ୍ପନା ? କିଏ କହିଲା ସ୍ୱପ୍ନ ? ନା ନା ନିରାଟ ସତ୍ୟ । ମଦନମୋହନଙ୍କ ଉଆସରୁ ଫେରି ସିଧାସଳଖ ସେ ଆସିଥିଲେ ରାଣୀମା’ ଅନଙ୍ଗମଞ୍ଜରୀଙ୍କ ଉଆସକୁ । କାହିଁକି ଡକେଇଥିଲେ-? କ’ଣ କହିଲେ ? ରାଜଶ୍ରୀ ବିକ୍ରମପୁର ଉଆସର ଯୁବରାଣୀ ହେବେ ? ଏହା କ’ଣ ସତ ହେବ-? ପର ମୁହୂର୍ତ୍ତରେ ଭାବନାର ଖିଅ ବଦଳି ଯାଉଛି । ହେବନି କାହିଁକି ? ରାଣୀମା’ ନିଜେତ ଏକଥା କହିଛନ୍ତି । ରାଜକୁମାର ମଦନମୋହନ ଆଜି ଯେଉଁ ପଥରେ ଆଗେଇ ଚାଲିଛନ୍ତି, ସେସବୁ କିନ୍ତୁ ରାଣୀମା’ଙ୍କୁ ଭଲଲାଗେନି । ସେ ଭାବିଛନ୍ତି ରାଜକୁମାରଙ୍କୁ ବିବାହ କରାଇ ସେହି ପଥରୁ ତାଙ୍କୁ ଫେରେଇ ଆଣିବେ । ଏଇ ଆଶା ରାଣୀମା’ଙ୍କର ପୂରାମାତ୍ରାରେ ଅଛି, ଆଉ ଏଇ ଆଶା ଟିକକ କେବଳ ପୂରଣ କରିପାରିବେ ରାଜଶ୍ରୀ । ଖୋଲାଖୋଲି ଭାବେ ରାଣୀମା’ ତାଙ୍କୁ ପଚାରିଛନ୍ତି, ତାଙ୍କର ମତ ଲୋଡ଼ିଛନ୍ତି । କ’ଣ ବା ସେ ଉତ୍ତର ଦେବେ ? ଶିକ୍ଷା, ସଭ୍ୟତାର ଶେଷ ପାହାଚ ଉପରକୁ ଚଢ଼ିଥିଲେ ମଧ୍ୟ ନାରୀସୁଲଭ ଲଜ୍ଜା ତାଙ୍କୁ ସେଥିରୁ ବିରତ କରିଥିଲା । ଉତ୍ତର ଦେଇ ପାରି ନାହାନ୍ତି–କେବଳ ନୀରବରେ ବସିରହିଥିଲେ ରାଣୀମା’ଙ୍କ ମୁହଁ ଉପରୁ ଆଖି ଫେରେଇ-। ରାଣୀମା’ ନିଶ୍ଚୟ ଭାବିଥିବେ, ‘ମୌନଂ ସମ୍ମତି ଲକ୍ଷଣଂ ।’

 

ସେଇ ଭାବନା, ସେଇ କଥା ତାଙ୍କୁ ଆଜି ଏତେ ଅଧୀର କରିପକେଇଛି, ଏତେ ବିହ୍ୱଳ ହୋଇ ପଡ଼ିଛନ୍ତି ସେ । ରାତିସାରା ନିଦ ହେଇନି । ଆଖିରେ ପଲକ ପଡ଼ୁନି । ମନେ ମନେ ଆକାଶକୁସୁମ ତୋଳୁଛନ୍ତି ରାଜଶ୍ରୀ । ମଶାରିର ସେଇ ଅସଂଖ୍ୟ ଅଗଣିତ କ୍ଷୁଦ୍ର କଣାଗୁଡ଼ିକ ମଧ୍ୟରେ ଦେଖିପାରୁଛନ୍ତି ମଦନମୋହନଙ୍କର ମନୋଲୋଭା ହୃଷ୍ଟପୁଷ୍ଟ ସୁନ୍ଦର ମୁହଁଟି । ସେଇ ଶତ ଶତ ଛିଦ୍ରରେ ଶତ ଶତ ମୁହଁ ଉଙ୍କିମାରି ଦେଖୁଛନ୍ତି ଯେମିତି ରାଜଶ୍ରୀକୁ । ଅପୂର୍ବ ଶିହରଣ ଖେଳିଯାଉଛି ଦେହରେ ଓ ମୁହଁରେ । ଏଇ ରାଜକୁମାର ଯାହାର ନାଁ ସହିତ ସାମଞ୍ଜସ୍ୟ ରଖି ଦେହର କାନ୍ତି ପ୍ରସ୍ଫୁଟିତ, ଯାହାକୁ ଥରେ ଦେଖିଲେ ଆଖି ଫେରେଇବାକୁ ଇଚ୍ଛା ହୁଏନା, ସେ ପୁଣି ନିଜର ରାଜବଂଶର ଏତେ ବଡ଼ ଗୌରବକୁ ଏଡ଼ିଦେଇ, ଏତେବଡ଼ ସମ୍ମାନ, ଆତ୍ମବଡ଼ିମାକୁ ଭୁଲି ସାମାନ୍ୟ ନଗଣ୍ୟ ଇତର ଲୋକଗୁଡ଼ାକ ସହିତ କାନ୍ଧକୁ କାନ୍ଧ ମିଳେଇ ସାଧାରଣ ରାସ୍ତାରେ ଯାଉଛନ୍ତି ଆସୁଛନ୍ତି ! ଏହା କ’ଣ କୌଣସି ରାଜପୁତ୍ର ପକ୍ଷରେ ସମ୍ଭବ ? ଦେହରେ ଯାହାର ଏତେ ସୌନ୍ଦର୍ଯ୍ୟ, ମନରେ ତା’ର ଏତେ ଛୋଟ ବୁଦ୍ଧି କାହିଁକି ? ସେଇଥିପାଇଁ ରାଣୀମା’ଙ୍କୁ ମନରେ ଭୀଷଣ ଆଘାତ ଲାଗିଛି, ଆଉ ସେଇ ଆଘାତକୁ ଘୁଞ୍ଚେଇଦେବେ ରାଜଶ୍ରୀ । ଏଇ ଆଶା, ଏଇ ଭରସା ସେ ପାଇଛନ୍ତି ତାଙ୍କ ପାଖରୁ । ସେ କ’ଣ ପୂରଣ କରିପାରିବେନି ରାଣୀମା’ଙ୍କର ଏହି ସାମାନ୍ୟ ଆକାଂକ୍ଷା ? ଆହୁରି ସୁନ୍ଦର କରି ସେ ନିଜକୁ ସଜେଇବେ । ରାଜକୁମାରଙ୍କ ପାଖରେ ସେ ନିଜର ବ୍ୟବହାର ଆହୁରି ଯଥେଷ୍ଟ ନମ୍ର କରିବେ । କ୍ରମେ କ୍ରମେ ତାଙ୍କୁ ନିଜର ଆୟତ୍ତକୁ ଆଣିବାକୁ ସେ ଚେଷ୍ଟା କରିବେ । ସେ ଇତର ଲୋକଗୁଡ଼ାକ ପାଖକୁ ତାଙ୍କୁ ଆଉ ଛାଡ଼ିବେନି, ନିଜ ପାଖରେ ହିଁ ବାନ୍ଧିରଖିବେ । ସତେ କ’ଣ ପାଇବେନି ? କେତେ ରାଜପୁତ୍ରଙ୍କୁ ନିଜର ସୌନ୍ଦର୍ଯ୍ୟ, ନିଜର ରୂପ ଯୋଗୁଁ କେତେ ଦୂରରୁ ପାଖକୁ ଟାଣିଆଣିଛନ୍ତି । ସେ ସାଜିଛନ୍ତି ଦୀପାଳି ଆଉ ତାଙ୍କର ଅନୁରକ୍ତ ରାଜପୁତ୍ରମାନଙ୍କୁ ସଜେଇଛନ୍ତି ଗୋଟିଏ ଗୋଟିଏ କରି ପତଙ୍ଗ କରି । ସେ ଜଳିଉଠୁଛନ୍ତି, ନିଜର ସୌନ୍ଦର୍ଯ୍ୟ ଆଲୋକକୁ ବିସ୍ଫାରିତ କରିଛନ୍ତି ଚାରିଆଡ଼େ, ଆଉ ପତଙ୍ଗରୂପୀ ରାଜପୁତ୍ରମାନେ ସେଇ ଶିଖାର ଆହ୍ୱାନରେ ମନ୍ତ୍ରମୁଗ୍ଧ ପରି ଆକୃଷ୍ଟ ହେଇ ଧାଇଁଆସିଛନ୍ତି ତାଙ୍କରି ପାଖକୁ, ଜଳିପୋଡ଼ି ହେଇଛନ୍ତି ନିଜେ ନିଜେ । ତେବେ ବିକ୍ରମପୁର ରାଜକୁମାରଙ୍କୁ ସେ କ’ଣ ହରେଇପାରିବେନି ? ପରମୁହୂର୍ତ୍ତରେ ଭାବନାର ପଟ୍ଟପରିବର୍ତ୍ତନ ହେଇଯାଉଛି । ମନେପଡ଼ିଯାଉଛି ଗତ ସଂଧ୍ୟାର କେତୋଟି ଘଟଣା । ରାଜକୁମାରଙ୍କ ଦେହରେ ଫଗୁ ବୋଳିବା, ରାଜକୁମାରଙ୍କ ବିରକ୍ତିକର ମୁଖମଣ୍ଡଳ – ତାହା ଅପେକ୍ଷା ରାଜକୁମାରଙ୍କ ଉପେକ୍ଷା । ଦେଖି ଶୁଣି ପଦିଏ କଥା ବି କହିନାହାନ୍ତି ରାଜକୁମାର, ବରଂ ପଲଙ୍କ ଉପରେ ଶୋଇଯାଇଛନ୍ତି । ରାଜଶ୍ରୀ ଅପେକ୍ଷା କରିଛନ୍ତି, ରାଜକୁମାର କଥା କହିବେ ପରା ! କିନ୍ତୁ ରାଜକୁମାର କଥା କହି ନାହାନ୍ତି । ରାଜଶ୍ରୀ ବସି ବସି, ଚାହିଁ ଚାହିଁ ରାଜକୁମାରଙ୍କର ଖୋଲା ଦେହର ସୌନ୍ଦର୍ଯ୍ୟ ଉପଭୋଗ କରି କରି ଫେରି ଆସିଛନ୍ତି । ରାଜଶ୍ରୀଙ୍କର ମନ ଦୁଃଖ ଆଉ ହତାଶାରେ ଭାଙ୍ଗିପଡ଼ୁଛି । ପାରିବେନି ? ରାଜକୁମାରଙ୍କର ମନ ପରିବର୍ତ୍ତନ କରିପାରିବେନି ସେ ? ତେବେ ରାଣୀମା’ଙ୍କର କଥା ରକ୍ଷା କରିପାରିବେନି ? ନା, ନା, ତାଙ୍କୁ ନିଶ୍ଚୟ କରିବାକୁ ପଡ଼ିବ । ରାଜକୁମାର ଯେ ତାଙ୍କର ହୃଦୟର ପ୍ରତି ଅନ୍ଦିକନ୍ଦି ଭିତରେ ବିଦ୍ୟମାନ । ଭଲପାଇଛନ୍ତି ସେ ତାଙ୍କୁ ପ୍ରଥମ ଦେଖାରୁ । ଆଜିପର୍ଯ୍ୟନ୍ତ ସେ ଖେଳେଇ ଆସିଥିଲେ-। ବୁଢ଼ିଆଣୀ ପରି ନିଜର ସୌନ୍ଦର୍ଯ୍ୟ ଜାଲରେ ସମସ୍ତଙ୍କୁ ଛନ୍ଦି, ଖେଳେଇ ସେଥିରେ ଆନନ୍ଦ ଉପଭୋଗ କରୁଥିଲେ । ଏବେ କିନ୍ତୁ ସେ ମୋହ କଟିଯାଇଛି, ସେ ଆନନ୍ଦ ଦୂରେଇ ଯାଇଛି-। ଜୀବନ ତାଙ୍କର ନୂତନ ଛନ୍ଦ, ନୂତନ ରାଗିଣୀ, ନୂତନ ଆଲୋକ, ଆଭାସ ପାଇଛି । ଭଲ ପାଇବାର ମାହେନ୍ଦ୍ର ବେଳା ଆସିଛି । ଅତୀତ ଅତୀତରେ ହିଁ ଡୁବିଯାଇଛି । ବର୍ତ୍ତମାନ ମୁଣ୍ଡଟେକି ଉଠିଛି ନୂତନ ଗୀତର ନୂତନ ରାଗିଣୀ, ନୂତନ ସ୍ୱର ତୋଳି । ନିଶ୍ଚୟ ସେ ଜୀବନକୁ ଉପଭୋଗ କରିବେ, ମନର ଆଶା ପୂରଣ କରିବେ । ରାଜକୁମାରଙ୍କୁ ବିବାହ କରି ଜୀବନର ମଧୁମୟ ପଥରେ ରଚିବେ ମଧୂର ଛନ୍ଦ । ରାଣୀମା’ଙ୍କର ଇଚ୍ଛା ପୂରଣ କରିବେ ।

 

ଆଖି ଆଗକୁ ଆଗେଇ ଆସିଛନ୍ତି ରାଜକୁମାର ମଦନମୋହନ ମନମୋହନ ରୂପ ନେଇ । ରାଜଶ୍ରୀଙ୍କର ଦେହ ପୁଳକିତ ହୋଇ ଉଠିଛି । ଆଖିପତା ବନ୍ଦକରି ଦେଇଛନ୍ତି ସେ ନୂତନ ଅନୁଭୂତି ପାଇ । ପାହାନ୍ତି ଶୀତଳ ପବନ ବହିଆସୁଛି, ଆଖିପତା ପଡ଼ି ପଡ଼ି ଆସୁଛି । ସ୍ୱପ୍ନ–ଭାବନା ସବୁ ଉଭେଇ ଯାଇଛନ୍ତି ସେଇ ମନଗହନ ତଳେ । ଦେହଟା ନିର୍ଜୀବ ହେଇ ପଲଙ୍କ ଉପରେ ପଡ଼ିଯାଇଛି, ଲାଗିଆସିଛି ତନ୍ଦ୍ରା ।

 

‘‘ରାଜକୁମାରୀ, ଜେମାଦେଈ, ରାଜଶ୍ରୀ, ଉଠ ମ ଉଠ । ଉଠିବ ନ ରାଜଶ୍ରୀ, ଜେମା !’’ ଡାକି ଡାକି ପଲଙ୍କ ପାଖରେ ଆସି ଠିଆହେଲେ ମାଧବିକା ଅଳିଅଳ ନଣନ୍ଦଟିକୁ ଉଠେଇବା ପାଇଁ-

 

ଦୂର ପାହାଡ଼ରୁ ଆହୁରି ମାଛି–ଅନ୍ଧକାର ଯାଇନି । ପୂନେଇ ଜହ୍ନଟା କ୍ରମେ କ୍ରମେ ମଳିନପଡ଼ିଆସୁଛି । ନିଭି ନିଭି ଆସୁଛି ତା’ର କ୍ଷୀଣ ଶୁଭ୍ରଜ୍ୟୋତ୍ସ୍ନା । ପୂର୍ବାକାଶରେ ଦେଖାଗଲାଣି କ୍ଷୀଣରକ୍ତିମ ଆଭା । ଏଇଲାଗେ ଆଖିର ପଲକ ମାତ୍ରେ ହିଁ ବାଳସୂର୍ଯ୍ୟ କଅଁଳାବାଛୁରୀ ପରି ଡେଇଁପଡ଼ିବେ ଦିଗ୍‌ବଳୟ ଆକାଶରେ ମାଆଙ୍କ କୋଳରୁ । ସାରା ଜଗତଟା ହସିଉଠିବ ଆଲୋକରେ । ଭୟାର୍ତ୍ତର ହୃଦୟରେ ଦେବ ଅଭୟ, ପାପୀର ହୃଦୟରେ ଦେବ ପୂଣ୍ୟ । ଦେବାଳୟମାନଙ୍କରୁ ଶୁଭିଲାଣି ସକାଳ ଆରତିର ଘଣ୍ଟା, ଉଷାର ଆଗମନରେ ଏଇ ଅଭିନନ୍ଦନ ଜଗତବାସୀଙ୍କ ପକ୍ଷରୁ । ଶୁଭ କୁଆ ଉଷାର ଆଗମନ ବାର୍ତ୍ତା ଶୁଣେଇ ଶୁଣେଇ ଉଡ଼ିଉଡ଼ିକା ଚାଲିଯାଉଛି କେତେ ସହର, ନଦନଦୀ, ପାହାଡ଼ ପର୍ବତ ଡେଇଁ । ରାଜଶ୍ରୀଙ୍କୁ ଉଠେଇଦେବା ପାଇଁ ମାଧବିକା ଦୌଡ଼ିଆସିଛନ୍ତି ତାଙ୍କର ଶୟନକକ୍ଷକୁ । ଡାକି ଡାକି ପଶି ଆସିଛନ୍ତି । ପଲଙ୍କ ପାଖରେ ଆସି ଠିଆ ହେଇଛନ୍ତି । ତେବେ ବି ନିଦ ଭାଙ୍ଗୁନି ରାଜଶ୍ରୀଙ୍କର ।

 

‘ରାଜଶ୍ରୀ’–ପୁଣି ଡାକିଲେ ମାଧବିକା ।

 

ସର୍ପିଳ ଭଙ୍ଗୀରେ ତନୁଲତାକୁ ଭିଡ଼ିମୋଡ଼ି ମାଧବିକାଙ୍କର ବେକ ଚାରିପଟେ ବାହୁ ବଲ୍ଲରୀରେ ଗୁଡ଼େଇ ଭିଡ଼ିଧରିଲେ ରାଜଶ୍ରୀ ।

 

‘‘ଓହୋ–, ମରିଗଲିମ, ଏ କ’ଣ ? କେଉଁ ସ୍ୱପ୍ନପୁରୀର ରାଜକୁମାର ବୋଲି ଭାବିଛ ନା କ’ଣ ?’’

 

‘‘ନା ନୂଆବୋହୂ ! ସେ କଥା ନୁହେଁ ଯେ, ଆଖି ଦୁଇଟି ଫିଟେଇବାକୁ ଇଚ୍ଛା ହେଉନି । ସାରା ରାତି ଉଜାଗର –’’

 

‘‘କାହାପାଇଁ ମ ?’’ ସଙ୍ଗେ ସଙ୍ଗେ କଥା ଛଡ଼େଇ କହିପକେଇଲେ ମାଧବିକା ।

 

‘‘କାହାପାଇଁ ଗୋଟେ କ’ଣ ମ ! ନିଦ ତ ହେଲାନି । ଏଇ ଅଧଘଣ୍ଟାଏ ହେବ କି ନା ଆଖି ଦୁଇଟା ପଡ଼ିଯାଇଥିଲା । ମୋଟେ ଉଠିବାକୁ ଇଚ୍ଛା ହେଉନି ।’’

 

‘‘ତାହେଲେ ଥାଉ – ଉଠନି, ମୁଁ ପାଏଁ ।’’

 

‘‘ନା ନା ଯାଅନା । ମିଶି କରି ଯିବା । ହେଇ ମୁଁ ଉଠି ପଡ଼ିଲି ଯେ !’’

 

ରାଜଶ୍ରୀ ସତକୁ ସତ ଉଠି ପଲଙ୍କ ଉପରେ ବସିଲେ ସିନା କିନ୍ତୁ ଆଖି ଖୋଲି ପାରିଲେନି । ଭୀଷଣ ପୋଡ଼ୁଛି ଆଖି ଦୁଇଟା । ଦୁଇ ହାତରେ ଆଖି ମଳି ଉଠି ଠିଆହେଲେ । ‘‘ଚାଲ, ଆଜି ଟିକିଏ ବଗିଚାଆଡ଼େ ବୁଲିଆସିବା । ଭଲ ଲାଗିବ, କ’ଣ କହୁଛ ? ଯିବା ନା ?’’

 

‘‘ହଁ, ହଁ ନିଶ୍ଚୟ । ଆମ ଅଲିଅଳ ଜେମାଙ୍କର କେଉଁ କଥା ନରଖିବାକୁ ଆଉ ଆୟତ୍ତ ଅଛି ?’’

 

ଉଆସର ସମସ୍ତେ ଉଠି ନିଜ ନିଜ କାମରେ ବ୍ୟସ୍ତ ରହିଲେଣି ସବୁ ଦିନ ପରି । ସରଳା ଆଜି ବି ନିତ୍ୟକର୍ମ ସାରି ଫୁଲଡାଲା ଧରି ବଗିଚାକୁ ଆସିଗଲାଣି । ତା’ର ଏଇଟା ନିତିଦିନିଆ କାମ-। ପ୍ରତିଦିନ ନିଜ ହାତରେ ଫୁଲ ତୋଳି ନିଜେ ଗୁନ୍ଥି ମଦନମୋହନଙ୍କୁ ଦେଇଆସେ । ସେଥିରେ ସେ ଆନନ୍ଦ ପାଏ, ମନରେ ତୃପ୍ତି ଆସେ । ତାକୁ ଜଣାଯାଏ, ତା’ର ଫୁଲ ହାର ପିନ୍ଧି ମଦନମୋହନ ଆହୁରି ସତେଜ ଓ ସୁନ୍ଦର ଦେଖାଯାଉଛନ୍ତି । ଉଆସର ପୂଜାରୀଙ୍କଠାରୁ ଏଇ ପ୍ରଶଂସା ସେ ପାଇଛି-। ଖରା, ବର୍ଷା, ଶୀତ, କାକର ସବୁ ସହି, ଏଇ ଉଆସକୁ ଆସିବା ଦିନଠାରୁ ପ୍ରତିଦିନ ଫୁଲ ତୋଳିବାକୁ ଆସୁଛି ଉଆସର ଭିତର ବଗିଚାକୁ । ଜେମାଦେଈ ମାଧବିକା ଉଆସରେ ଥିବା ସମୟରେ ସମୟେ ସମୟେ ସେ ଏଇ ବଗିଚାକୁ ବୁଲିବାକୁ ଆସନ୍ତି । ରାଣୀମା’ ବି ସମୟେ ସମୟେ ଆସନ୍ତି । ଅନ୍ୟ ସମସ୍ତଙ୍କ ପାଇଁ ନିଷେଧ । କିନ୍ତୁ ସରଳା ପାଇଁ ସବୁ ମୁକ୍ତ-। ସତୀ ଆଜି ଆସିନି । ସରଳା ଏକା ଆସିଛି । ସତୀ ନରହରିବାବୁ ଶେଯରୁ ଉଠିଲେ ଚାହା କରି ଦେବା ପାଇଁ ଅପେକ୍ଷା କରିଛି ।

 

ଚାକରାଣୀ ସତୀ ଆଜି ଆଉ ଚାକରାଣୀ ହେଇ ନାହିଁ । ତା’ର ଭାଗ୍ୟ ବଦଳିଯାଇଛି । ସେ କାହାରି ନାଲି ଆଖିକୁ ଆଉ ଡରୁନି । ଏ ଆଖିର ଲୁହ ସେ ଆଖିରେ ମାରୁନି । ସେତେବେଳେ ଯେଉଁମାନେ ତା’ ଉପରେ ଏକାଧିପତ୍ୟ ବିସ୍ତାର କରୁଥିଲେ ସେମାନେ ଆଜି ସତୀକୁ ଦେଖିଲେ ଶଙ୍କି ଯାଉଛନ୍ତି । ମନରେ ଈର୍ଷା ହେଉଛି; କିନ୍ତୁ ଡର ଭୟରେ ମନର କଥା ଅପ୍ରକଟ ରହିଯାଉଛି । ନିଜର ଭାଗ୍ୟବଳରୁ, ଶାନ୍ତ ସରଳ ସ୍ୱଭାବ ଯୋଗୁ ଆଜି ତା’ର ଅବସ୍ଥା ବଦଳିଛି । ଆଜି ନରହରିବାବୁଙ୍କର ସେ ପାଳିତା କନ୍ୟା ।

 

ନରହରିବାବୁ ଆଜି ଅଶୀ ବର୍ଷର ବୃଦ୍ଧ । ବିବାହିତ ଜୀବନ ଭିତରେ ସେ ପିତାର ଆସନ ପାଇନଥିଲେ । ବଂଶର ସମସ୍ତେ ମରିହଜି ଗଲେଣି । ବିକ୍ରମପୁର ପଟ୍ଟନାୟକ ବଂଶର ନାଁ ପଡ଼ିଲେ ଗର୍ଭିଣୀ ଗାଈ ବାଟ ଛାଡ଼ିଦେଉଥିଲା । ଆଜି କିନ୍ତୁ ସେ ବଂଶର ଏକମାତ୍ର ବଂଶଧର ନରହରି ପଟ୍ଟନାୟକ ଜୀବିତ । ତାଙ୍କ ପରେ ସେ ପଟ୍ଟନାୟକ ବଂଶ ବି ଲୋପପାଇଯିବ । ରାଜଉଆସ ପରି ଘରସବୁ ବଣ ଜଙ୍ଗଲ ହୋଇ ପଡ଼ିରହୁଛି । କେହି ତା’ର ହେପାଜତ ନେଉନାହାନ୍ତି । ଜମିଜମା ସବୁ ରୟତମାନେ ଚାଷ କରି ଖାଇଯାଉଛନ୍ତି, ତା’ର ବି ବ୍ୟବସ୍ଥା କେହି କରୁନାହାନ୍ତି । ସ୍ତ୍ରୀଙ୍କର ମୃତ୍ୟୁପରେ ଆଜିକାର ରାଜକୁମାର ମଦନମୋହନଙ୍କର ବୁଢ଼ାବାପା ତାଙ୍କୁ ଆଣି ଏଇ ରାଜଉଆସରେ ସ୍ଥାନ ଦେଇଥିଲେ; ତାଙ୍କର ସମସ୍ତ ସୁବିଧା କରିଦେଇଥିଲେ । ସେଇଦିନଠାରୁ ନିଜର ଅତୀତକୁ ଭୁଲି ନରହରିବାବୁ ରାଜବଂଶର ଜଣେ ହୋଇ ଉଆସ ଭିତରେ ରହି ଆସିଛନ୍ତି । ସମ୍ମାନ ବି ପାଉଛନ୍ତି, ଆଧିପତ୍ୟ ବି ଅଛି । କିନ୍ତୁ ସମୟେ ସମୟେ ଏଇ ବୃଦ୍ଧ ବୟସରେ ନରମ ହୃଦୟରେ ତାଙ୍କର ପିତୃସୁଲଭ କୋମଳତା ଚେଇଁଉଠେ । ମନ ଧାଇଁଯାଏ ଦୂର ଅତୀତକୁ । ସ୍ତ୍ରୀଙ୍କର ମୃତ୍ୟୁ ପରେ ପରେ ବନ୍ଧୁବାନ୍ଧବମାନେ ତାଙ୍କୁ ଅନେକବାର କହିଥିଲେ ପୁଣି ବିବାହ କରିବା ପାଇଁ । ସେ କିନ୍ତୁ ନୀରବ ରହିଛନ୍ତି, କାହାରି କଥା ଶୁଣିନାହାନ୍ତି । କେଉଁ ଏକ ଧାରଣାର ବଶବର୍ତ୍ତୀ ହୋଇ ବିବାହ କରି ନାହାନ୍ତି । ଯଦି ବିବାହ କରିଥାଆନ୍ତେ, ତେବେ ତାଙ୍କର ଜୀବନକ୍ଷେତ୍ରରେ ମସ୍ତବଡ଼ ପରିବର୍ତ୍ତନ ଘଟିଯାଇଥାଆନ୍ତା । କିନ୍ତୁ ଆଜି ସେସବୁ ଭାବି ଲାଭ କ’ଣ ? ମନକୁ ସାନ୍ତ୍ୱନା ନା ଦିଅନ୍ତି ନରହରିବାବୁ ଆଜିକାର ବୃଦ୍ଧ ବୟସରେ । ସରଳା ଆସିବା ଦିନଠାରୁ ମନଟା ତାଙ୍କର ଚଞ୍ଚଳ ହେଇ ଉଠିଛି । ସରଳା ଉପରେ ନିଜର ସମସ୍ତ ପିତୃସୁଲଭ ସ୍ନେହମମତା ଅଜାଡ଼ି ଦେଇଛନ୍ତି-। ସେ ଜାଣିଛନ୍ତି, ସରଳାର ଏକମାତ୍ର ଭାଇ ବ୍ୟତୀତ ଆଉ ତା’ର କେହି ନାହାନ୍ତି । ଦାଦି ଖୁଡ଼ୀ ତ ପର । ଶେଷରେ ସ୍ନେହରୁ କିଛି ଭାଗ ନେଇଛି ସତୀ । କିଏ ଜାଣିଥିଲା ?

 

କେତେବର୍ଷ ତଳର ସତୀର ସେଇ ଚେହେରା ଆଜି ବି ଆଖି ଆଗରେ ନାଚିଯାଏ । କେଉଁ ଗାଁର ଏକ ସମ୍ଭ୍ରାନ୍ତବଂଶର ଏକମାତ୍ର କନ୍ୟାକୁ ତାଙ୍କ ହାତରେ ସମର୍ପି ଦେଇ ମା ତା’ର ହଜିଯାଇଥିଲା ଦୁର୍ଭିକ୍ଷର କରାଳ ଗ୍ରାସରେ । ଆଉ ସେ ଫେରିଆସିନି । ସତୀ ଉଆସରେ ରହି ଚାକର ଚାକରାଣୀମା’ନଙ୍କ ସହିତ ମିଶିଯାଇଛି । ନରହରିବାବୁଙ୍କର ମନକୁ ଆସିନି ସେ କଥା । ଭୁଲିଯାଇଥିଲେ ସେ । କିନ୍ତୁ ସତୀକୁ ପ୍ରତିଦିନ ନିଜ ପାଖରେ ଦେଖି ତା’ର ସୁନ୍ଦର ବ୍ୟବହାର, ମିଷ୍ଟ କଥା, ଆଡ଼ମ୍ବରହୀନ ନିର୍ବିକାର ଆଚାର ବ୍ୟବହାରରେ ଅତ୍ୟନ୍ତ ଖୁସି ହେଇଥିଲେ । ଶେଷରେ ସରଳା ସମକ୍ଷରେ ସତୀକୁ ଡାକି ଆପଣାର ମନକଥା ବ୍ୟକ୍ତ କରିଥିଲେ । ସେଇଦିନଠାରୁ ସତୀ ଆଉ ଚାକରାଣୀ ନୁହେଁ, ସତୀ ନରହରିବାବୁଙ୍କର କନ୍ୟା । ହାତରେ ସୁନାକାଚ, କାନରେ ପଥରବସା ଫୁଲ, ବେକରେ ହାର, ଆଙ୍ଗୁଠିରେ ଅଳଙ୍କାର ଗଢ଼େଇ ଆଣିଲେ ନରହରିବାବୁ । ସରଳାର ଇଚ୍ଛା ନଥିଲେ ବି ନରହରିବାବୁଙ୍କୁ ସାନ୍ତ୍ୱନା ଦେବା ସକାଶେ ଅଳଙ୍କାର ପିନ୍ଧିଛି ସରଳା । ଜୀବନର ଛନ୍ଦ ତା’ର ବଦଳି ଚାଲିଛି ।

 

ଆଜି ଏକା ଆସିଛି । ଏତେ ବଡ଼ ଫୁଲ ବଗିଚାରେ ଏକା ଏକା କାହିଁକି ଭୟ ଲାଗୁଛି । ବଡ଼ ନିରୋଳା, ନିଛାଟିଆ ଲାଗୁଛି ତାକୁ । ବଗିଚାର ପଛ ପାଖକୁ ଚାହିଁଲେ ମସ୍ତବଡ଼ ପାହାଡ଼, ଚାରିପଟେ ବିରାଟ ପାଚେରି ଥିଲେ ବି ଭୟ ଆସୁଛି ମନରେ । ଚଞ୍ଚଳ ଚଞ୍ଚଳ ଫୁଲ ତୋଳାରେ ମନ ଦେଉଛି ସରଳା । ଉଷାର ଆବିର୍ଭାବ ପୂର୍ବରୁ ସେତକ ତାକୁ ସାରିବାକୁ ହେବ । ବଗିଚାର ପ୍ରତି ବୃକ୍ଷର ପତରତଳେ ଗହଳ ଅନ୍ଧକାରର ସମାବେଶ । ହାତ ଚଞ୍ଚଳ କଲା ସରଳା – ତରାଟଫୁଲର ଗନ୍ଧ ନାକପୁଡ଼ାକୁ ଥରେଇ ଦେଲା ତା’ର । ସହସା ନାରକଣ୍ଠର ସ୍ୱର ଏବଂ ପାଦଶବ୍ଦ ଶୁଣିବାକୁ ପାଇଲା ସେ । କିଏ ? କିଏ ସେ ପୁଣି ଏତେ ଭୋରରୁ ଆସିଲା ବଗିଚା ଭିତରକୁ ? ଆଜିପର୍ଯ୍ୟନ୍ତ ପ୍ରତିଦିନ ସେ ଫୁଲ ତୋଳିଛି ଏଇ ବଗିଚା ଭିତରୁ, କିନ୍ତୁ କେଉଁଦିନ ହେଲେ ଦେଖିନି କାହାକୁ । ଭୟ ପାଇଲା । ଫୁଲ ଡାଲାରୁ ଦେଖିଲା – ଟଗର, ତରାଟ, ମନ୍ଦାର, ମଲ୍ଲୀ ଫୁଲରେ ଭରିଆସୁଛି ଫୁଲଡାଲାଟା । ଆଉ ଆଜି ସେତିକି । ଚମ୍ପାଫୁଲ ତୋଳି ହେଲାନି । ଚଞ୍ଚଳ ପଣତଟାକୁ ଅଣ୍ଟାରୁ ଫିଟାଉ ଫିଟାଉ ଆସି ସରୁ ରାସ୍ତାଟିରେ ପହଞ୍ଚିଲା । ଠିକ୍‌ ଦଶହାତ ଦୂରରେ ଠିଆ ହୋଇଛନ୍ତି ମାଧବିକା ଆଉ ରାଜଶ୍ରୀ । ସେମାନେ ବି ଆଶା କରି ନଥିଲେ ଏତେ ସକାଳୁ ବଗିଚା ଭିତରେ, କାହାକୁ ଦେଖିବେ ବୋଲି । ମାଧବିକା ଚାହିଁ ରହିଲେ ସରଳାକୁ, ତା’ର ନୂଆବେଶକୁ । ଦେହରେ ଧଳା ଶାଢ଼ୀ, ଅଣ୍ଟାତଳକୁ ଲମ୍ବିଆସିଛି ସଦ୍ୟସ୍ନାତ ଓଦା କଳାବାଳ ଗୋଚ୍ଛାକ । ଗୋଟିଏ ହାତରେ ପଣତର ଅଗ୍ରଭାଗ, ଆଉ ଗୋଟିଏ ହାତରେ ଫୁଲଡାଲା । ମାଧବିକା ସରଳାର ବେଶ ପରିପାଟୀରେ ଅଭିଭୂତ ହୋଇପଡ଼ିଲେ । ହସି ହସି ଆଗେଇ ଆସି କହିଲେ, ‘‘ଆରେ ତୁମେ ! ମୁଁ ଭାବୁଥିଲି ଏତେ ଭୋରରୁ ବଗିଚାକୁ କିଏ ଆସିଲା ବୋଲି ।’’

 

‘‘ନା, ଏଇ ଫୁଲ କେଇଟା ତୋଳିବାକୁ ଆସିଥିଲି ।’’ ମୁହଁକୁ ସାମାନ୍ୟ ତଳକୁ ପୋତି ନରମସ୍ୱରରେ କହିଲା ସରଳା । ରାଜଶ୍ରୀ ସରଳାକୁ ଦେଖି କାହିଁକି ଅତିଶୟ ଅସହିଷ୍ଣୁ ହେଇଉଠିଲେ । ‘‘ତୁମର ଏଇ ଅନ୍ତଃପୁର ବଗିଚାକୁ ସମସ୍ତଙ୍କୁ କ’ଣ ଆସିବାକୁ ଅନୁମତି ଦିଆଯାଇଛି ନୂଆବୋଉ ?’’

 

‘‘ନା, ଜେମା । ସମସ୍ତଙ୍କୁ ଅନୁମତି ଦିଆଯାଇନି ସତ, କିନ୍ତୁ ସରଳାର ଅନୁମତି ଦରକାର ନାହିଁ । ସେ ଉଆସରେ ଆମରି ପରି ଜଣେ ଅତିଥି ।’’

 

‘‘ଆଃ ! ଅତିଥି ।’’ –ରାଜଶ୍ରୀଙ୍କର ଏଇ ବେଖାତିର କଥା ପଦକ ସରଳା କାନରେ ଚାଉଁକରି ଲାଗିଲା ଯେପରି ।

 

ସଙ୍ଗେ ସଙ୍ଗେ ଅତି ବିନୟ ସହକାରେ ସେ କହିଲେ, ‘‘ମୁଁ ଯାଉଛି ରାଜଜେମା – ତେଣେ ପୁଣି ଅନେକ କାମ । ଦୋଷ ଥିଲେ କ୍ଷମା ଦେବେ ।’’ କାହାରି କଥାକୁ ଅପେକ୍ଷା ନକରି ମୁହଁପୋତି ରାସ୍ତାଭାଙ୍ଗି ସେମାନଙ୍କ ପାଖଦେଇ ଚାଲିଗଲା ଅତି ସନ୍ତର୍ପଣରେ । ମାଧବିକା ଚାହିଁରହିଲେ ତା’ର ଯିବାପଥକୁ । ପରଶ୍ରୀକାତର ହେଇ ରାଜଶ୍ରୀ କହିପକେଇଲେ, ‘‘ଏଭଳି ଛୋଟଲୋକଗୁଡ଼ାଙ୍କୁ ମୁହଁ ଦେଇ ତୁମେ ନିଜର ସମସ୍ତ ସୁନାମ ନଷ୍ଟ କଲ ନୂଆବୋଉ ।’’ ମାଧବିକା ରାଜଶ୍ରୀଙ୍କର କଥାରେ ଚମକି ଉଠି କହିଲେ, ‘‘ଦୁନିଆରେ କିଏ ଛୋଟ କିଏ ବଡ଼ ତୁମେ କ’ଣ ଜାଣ ରାଜଶ୍ରୀ ? ଏଇ ଦୁନିଆରେ ଛୋଟ ବଡ଼ କିଏ ସୃଷ୍ଟି କରିଛି ଜାଣ ? ଏଇ ମଣିଷ ହିଁ ଛୋଟ ବଡ଼ ସୃଷ୍ଟି କରିଛି । ଧଳାକୁ କଳା କଳାକୁ ଧଳା କରିଛି । ସବୁ କରିପାରେ ଏଇ ମଣିଷ ।’’

 

‘‘କିଏ କହିଲା ମଣିଷ କରିଛି ? ଭଗବାନଙ୍କ ଇଚ୍ଛା ତାହା ନୁହେଁ ? ଦୁନିଆରେ ସମସ୍ତ ସମାନ ହେଲେ ଦୁନିଆ ଚଳିବ କେମିତି ? ସମସ୍ତେ କହିବେ ମୁଁ ରଜା, ତେବେ ପ୍ରଜା ଆସିବେ କାହୁଁ ? ରାଜ୍ୟ ବା ସୃଷ୍ଟି ହେବ କେମିତି ? କାହାକୁ ନେଇ ରାଜାମାନେ ରାଜ୍ୟ ଶାସନ କରିବେ ? ନିଜର ପୂର୍ବଜନ୍ମର ସୁକୃତ ଯୋଗୁଁ ଆଜି ଆମେ ରାଜବଂଶରେ ଜନ୍ମଗ୍ରହଣ କରିଛେ । ଆଉ ସେମାନେ ନିଜନିଜର ପୂର୍ବଜନ୍ମର କୃତକର୍ମର ଫଳ ଭୋଗ କରୁଛନ୍ତି । ଏଟା କ’ଣ ମିଛ ? ଭଗବାନଙ୍କର ଏଇ ସୃଷ୍ଟି, ଏଇ ଇଚ୍ଛା ।’’

 

‘‘ତୁମେ ଯାହା କହିଲ ରାଜକୁମାରୀ ମୁଁ ସେଥିରେ ଏକମତ । ଆଉ ଗୋଟିଏ କଥା – ଭଗବାନ ସୃଷ୍ଟି କରିଛନ୍ତି ସଂସାର । ଆଉ ସେଇ ସଂସାରରେ ଭରିଦେଇଛନ୍ତି ମଣିଷ ବୋଲି ଗୋଟିଏ ଜାତି । ଏଇ ଗୋଟିଏ ଜାତିରୁ ଆଜି ଯେ ଶହ ଶହ ଜାତି, ଧର୍ମ ସୃଷ୍ଟି ହେଇଛି ଏହାକୁ ତ ଭଗବାନ ଗଢ଼ିନାହାନ୍ତି, କରିଛି ଏଇ ମଣିଷ । ଏଇ ମଣିଷ ଆମର ପୂର୍ବପୁରୁଷମାନଙ୍କୁ ରାଜଗାଦିରେ ବସେଇଛନ୍ତି । ଭଗବାନ ଆମକୁ ପ୍ରଥମରୁ ରାଜା ଆଖ୍ୟା ଦେଇ ଜନ୍ମଦେଇନାହାନ୍ତି । କି ରଜା, କି ପ୍ରଜା, ଛୋଟ ବଡ଼, ଧନୀ ଗରିବ, ସବୁରି ଛୁଆ ଜନ୍ମଗ୍ରହଣ କରୁଛନ୍ତି । ଯେତେବେଳେ ସେମାନେ ଧନୀ ଗରିବ ଜାଣୁନାହାନ୍ତି । ସେମାନଙ୍କୁ ନିଜ ନିଜ ସମ୍ପ୍ରଦାୟ, ନିଜ ନିଜର ପରିସ୍ଥିତି ଛୋଟ ବଡ଼ କରି ଗଢ଼ି ନେଇଛି ଏବଂ ନେଉଛି ମଧ୍ୟ ।’’ ଢୋକ ଗିଳି ପୁଣି କହିଲେ, ‘‘ତୁମେ ପରୀକ୍ଷା କରି ଦେଖ । ଗୋଟିଏ ଗରିବ ଘରେ ଜନ୍ମ ହେଇଥିବା ସନ୍ତାନ ଆଉ ରାଜକୁଳରେ ଜନ୍ମ ହୋଇଥିବା ସନ୍ତାନ, ଏଇ ଦୁଇଟିଙ୍କୁ ଯଦି ଗୋଟିଏ ଦୋଳାରେ ଶୁଆଇ ଦିଆଯାଏ, ତେବେ ସେଥିରୁ କିଛି ପ୍ରଭେଦ ତୁମେ ପାଇପାରିବ ?’’

 

‘‘ଯାଃ, ଏସବୁ ବାଜେ ଯୁକ୍ତିକରି ଲାଭ କ’ଣ କହିଲ ? ସେ ଯାହା ହେଉ, ଏହିପରି ଇତର ଛୋଟଲୋକଗୁଡ଼ାଙ୍କୁ ମତେ କିନ୍ତୁ ଖୁବ୍‌ଘୃଣା ଲାଗେ । ସେମାନଙ୍କର କ’ଣ ଆଭିଜାତ୍ୟ ଅଛି ନା ସମ୍ମାନ ଅଛି କହିଲ ?’’

 

‘‘ସେ ତୁମର ଭୁଲ୍‍ ଧାରଣା ରାଜଶ୍ରୀ । ତୁମେ ଉଚ୍ଚଶିକ୍ଷିତା, ପୁଣି ଧନଗର୍ବରେ ଗର୍ବିତା । ତୁମେ କ’ଣ ଦୁନିଆକୁ ବୁଝିବାକୁ ଚେଷ୍ଟା କର ନା ଦେଖିବାକୁ ଚେଷ୍ଟାକର ? ତୁମେମାନେ କେବଳ ବୁଝ ନିଜକୁ, ଦେଖ ନିଜକୁ ।’’

 

‘‘ନୂଆବୋହୂ !’’ ରାଗିଗଲେ ରାଜଶ୍ରୀ । ମାଧବିକା ବି ଖିଆଲରେ କ’ଣ ନା କ’ଣ କହିଯାଉଛନ୍ତି । ରାଜଶ୍ରୀଙ୍କର ବିରକ୍ତିସୂଚକ ଡାକରେ ଚମକିଉଠିଲେ ସେ । ସତେତ, ଯୁକ୍ତିତର୍କରେ କ’ଣ କହି ଯାଉଛନ୍ତି । ସେ ସଙ୍ଗେ ସଙ୍ଗେ ସ୍ୱର ବଦଳେଇ କହିଲେ, ‘‘ତୁମେ କ’ଣ ରାଗିଲ ରାଜଶ୍ରୀ-? ମୁଁ ଯୁକ୍ତିତର୍କରେ ଏମିତି କହିଦେଲି ନା ! ତୁମକୁ କେବଳ କ’ଣ କହିଲ, କହିଲି ଆମର ଜାତିଟାକୁ-। ତୁମେ ନିଜ ଦେହକୁ ଟାଣି ନେଉଛ କାହିଁକି ? ତୁମ ମନରେ ଯଦି ଆଘାତ ଦେଇଥାଏ ତେବେ କ୍ଷମା କରିବ ।’’

 

ରାଜଶ୍ରୀ ରାଗି ଆଉ ଅଭିମାନରେ ଫୁଲିଉଠି କାନ୍ଦକାନ୍ଦ ସ୍ୱରରେ କହିଲେ, ‘‘ହେଉ ନୂଆବୋହୂ ! କାହାପାଇଁ ତୁମେ ଏତେ ବଡ଼ ଅପମାନ ମତେ ଦେଲ ? ହଉ ନ କହିବ କାହିଁକି ? ସାଙ୍ଗରେ ଡାକି ଆଣିଛ । ଭାଇ ଭଉଣୀ ଦୁହେଁ ପ୍ରତି ମୁହୂର୍ତ୍ତରେ ମୋତେ ଅପମାନ ଦେଉଥିବ ।’’

 

‘‘ଛି, ଛି, ସୁନା ଭାଉଣୀଟି ପରା ! ମୋ କଥାକୁ ଏତେ ଧରୁଛ ତୁମେ ? କଥା ଲହସରେ କ’ଣ କହିଦେଲି ନା ! ଆସ ଯିବା ଏଥର । ନୂଆବେହୂଟାକୁ ଏତେ ଭଲପାଅ–ଏଇ ସାମାନ୍ୟ କଥା ପଦଟିରେ ରାଗିଯାଉଛ ?’’ ରାଜ ଶ୍ରୀଙ୍କ ହାତ ଧରି ଭିଡ଼ି ଆଣିଲେ ମାଧବିକା । ହସି ହସି କହିଲେ,‘‘ଆରେ ଦେଖିଲଣି–ପାହାଡ଼ ଉପର ପ୍ରତି ବୃକ୍ଷର ମସ୍ତକରେ କଅଁଳିଆ ଖିରା ପଡ଼ିଲାଣି । ଆସ ଫେରିବା ଏଥର । କଥାବାର୍ତ୍ତା ହେଇ ବହୁତ ଦୂର ଚାଲିଆସିଲେ । ତେଣେ ଭାଇଙ୍କ ପାଖକୁ ଯିବାପରା !’’

 

ରାଜଶ୍ରୀ ସବୁ ଭୁଲି କହିପକେଇଲେ, ‘‘ଆରେ ହଁ ତ,ଭଲ ମନେପକେଇଲ । କାଲି ସନ୍ଧ୍ୟା ପହରରୁ କ୍ଷମା ମାଗିନେବି ବୋଲି ରାତି ନ’ଟା ହେଲା, ହେଇପାରିଲାନି । ବର୍ତ୍ତମାନ ଚାଲ ଫେରିବା, ନଚେତ୍ ସେ ଆଉ କେଉଁଆଡ଼େ ଚାଲିଯାଇପାରନ୍ତି ।’’

 

ରାଜଶ୍ରୀ ସବୁ ଭୁଲି କହିପକେଇଲେ,‘‘ଆରେ ହଁ ତ, ଭଲ ମନେପକେଇଲ । କାଲି ସନ୍ଧ୍ୟା ପହରରୁ କ୍ଷମା ମାଗିନେବି ବୋଲି. ରାତି ନଟା ହେଲା, ହେଇପାରିଲାନି । ବର୍ତ୍ତମାନ ଚାଲ ଫେରିବା, ନଚେତ୍ ସେ ଆଉ କେଉଁଆଡ଼େ ଚାଲିଯାଇପାରନ୍ତି ।’’

 

ସେଇଠାରୁ ଦୁଇଜଣଯାକ ଆଗପଛ ହେଇ ଫେରିଲେ ଉଆସକୁ । ଦୁହିଁଙ୍କ ହୃଦୟରେ ଆନ୍ଦୋଳିତ ହେଉଛି ଦୁଇଟି ଭିନ୍ନ ଚିନ୍ତାଧାରା ।

 

X X X

 

ଯେଉଁ ଦିନଟିକୁ ରାଜକୁମାର ଆଜିପର୍ଯ୍ୟନ୍ତ ଚାହିଁବସିଥିଲେ, ସେଇ ଦିନଟି ଆସି ପହଞ୍ଚିଯାଇଛି । ବହୁତ ଚେଷ୍ଟାକରି ମା’ଙ୍କୁ କଂଗ୍ରେସ ଟିକେଟରେ ଠିଆ କରେଇଛନ୍ତି ବିକ୍ରମପୁରରୁ । ଏଥିପାଇଁ ନରହରିବାବୁଙ୍କ ମଧ୍ୟ ବହୁତ ଶ୍ରମ ସ୍ୱୀକାର କରିବାବୁ ପଡ଼ଛି । ଇଲେକ୍ସନ୍ ଘନଘଟା ପ୍ରତି ଗାଁଗହଳିରେ ଆରମ୍ଭ ହେଇଯାଇଛି । ରାଜକୁମାର, ନରହରିବାବୁ,ଉଆସର ପ୍ରତ୍ୟେକ ଚାକର ଚାକରାଣୀ ଏଥିପାଇଁ ବହୁ ଦୂରଦୂରାନ୍ତର ଗାଁମାନଙ୍କୁ ଯାଇ ପ୍ରଚାର କରିଛନ୍ତି । କାହାରିକୁ ଖାଇବାପାଇଁ ସମୟ ନାହିଁ । ରାଣୀମ ନିଜେ ଘର ଘର ବୁଲି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରି ଆସୁଛନ୍ତି । ଏଥିରେ ସେ ନୂତନ ପ୍ରେରଣା, ନୂତନ ଉତ୍ସାହ ପାଉଛନ୍ତି । ପରିଶ୍ରମ ଜଣାଯାଉନି, ଆନନ୍ଦରେ ଲାଗିପଡ଼ିଛନ୍ତି ନିଜ କାମରେ । କେବଳ ଏତେ ବଡ଼ ଉଆସରେ ବସିରହିଛନ୍ତି ରାଜକୁମାରୀ ରାଜଶ୍ରୀ । ମାଧବିକା କେବଠାରୁ ଚାଲିଗଲେଣି ଶ୍ୱଶରାଳୟକୁ । ଏହାରି ମଧ୍ୟରେ ଦେଢ଼ବର୍ଷ ବିତିଯାଇଛି । ଯେଉଁ ଲକ୍ଷ୍ୟ ନେଇ ସେ ବିକ୍ରମପୁରରେ ରହିଛନ୍ତି, ଅନେକ ଚେଷ୍ଟାସତ୍ତ୍ୱେ ଲକ୍ଷ୍ୟସାଧନ କରିପାରିନାହାନ୍ତି । ରାଜକୁମାରଙ୍କୁ ଫେରାଇ ଆଣିପାରିନାହାନ୍ତି ନିଜ ପାଖକୁ ।

 

ରାଜଶ୍ରୀ ଦେଖିଛନ୍ତି, ଏଣେ ରାଣୀମା’ ଅନଙ୍ଗମଞ୍ଜରୀ ପୁଅ ସହିତ ମିଶି କଂଗ୍ରେସ ପକ୍ଷର ଇଲେକ୍ସନରେ ଠିଆହେଇଛନ୍ତି । ରାଣୀମା’ଙ୍କ ପ୍ରତି ତାଙ୍କର ବିଦ୍ୱେଷ ଭାବ ଜାତହୋଇଛି । ଭାବୁଛନ୍ତି ସେ ରାଜକୁମାରଙ୍କୁ ବିବାହ କରିସାରିବା ପରେ ରାଣୀମା’ ଏବଂ ରାଜକୁମାର ଉଭୟଙ୍କର କାର୍ଯ୍ୟକଳାପ ବଦଳେଇଦେବେ । ରାଣୀମା’ଙ୍କୁ ଉଚିତ ଶିକ୍ଷାଦେବେ । ବିରୁଦ୍ଧଦଳର ସଭ୍ୟା ହେବେ ସେ । ଏଇ ଭାବନା ତାଙ୍କ ମନରେ ପୂରିରହିଛି । ଏତେ ବଡ଼ ଇଲେକ୍ସନ୍ ରେ ଉଆସର ସମସ୍ତଙ୍କ ମନରେ ଚଞ୍ଚଳତା ସତ୍ତ୍ୱେ ସେ ନୀରବ ନିଶ୍ଚଳ ହେଇ ବସିରହିଛନ୍ତି । ଦେଖୁଛନ୍ତି ସମସ୍ତଙ୍କର କାର୍ଯ୍ୟକଳାପ ।

 

ସରଳା ରାଜଉଆସରେ ରହିଛି, କିନ୍ତୁ ତାକୁ ଏକ ସେକେଣ୍ତ ସମୟ ନାହିଁ ବିଶ୍ରାମ ନେବାକୁ । ରାଣୀମା’ଙ୍କ କଥାନୁସାରେ ସେ ବାହାରକୁ ପ୍ରଚାର ସକାଶେ ଗାଁ ଗାଁ ବୁଲି ଲୋକମାନଙ୍କୁ ବୁଝେଇନି ସତ, କିନ୍ତୁ ଉଆସର ପଥରକାନ ଭିତରେ ବନ୍ଦନୀ ପରି ରହି ସମସ୍ତ ହିସାବପତ୍ର ଭଲ ମନ୍ଦ ବୁଝିଛି । ବାହାରୁ ଇଲେକ୍ସନ ପ୍ରଚାରରେ ଆସିଥିବା ଭଦ୍ରବ୍ୟକ୍ତିମାନଙ୍କର ଯତ୍ନ ନେଉଛି । କେଉଁ ଗାଁକୁ ଯିବାକୁ ହେବ, କିଏ ଯିବ, ତାହାର ତାଲିକା ତାରି ପାଖରେ । ଏତେ କାମ କଲେ ମଧ୍ୟ ସେ ରାଜକୁମାର ମଦନମୋହନଙ୍କୁ ଆଜିପର୍ଯ୍ୟନ୍ତ ଦେଖିନି, ଦେଖିବାର ସ୍ପୃହା ବି ନାହିଁ ।

 

ଇଲେକ୍ସନ ସରିଛି । ରାଣୀମା’ ବିକ୍ରମପୁରରୁ କଂଗ୍ରେସପକ୍ଷ ସମର୍ଥନ କରି ଜିତିଛନ୍ତି । ସମସ୍ତଙ୍କ ପାଖରେ ନତମସ୍ତକ ହେଇ ଅଭିବାନ୍ଦନ ଗ୍ରହଣ କରିଛନ୍ତି । ମନର ସ୍ପୃହା ବଢ଼ିଯାଇଛି । ରାଜକୁମାର ତାଙ୍କର ଆଖି ଖୋଲି ଦେଇଛନ୍ତି । ନିଜକୁ ଲୋକମାନଙ୍କର ସେବିକା ରୂପେ କେମିତି କାମରେ ଲଗେଇବେ, ଲୋକମାନଙ୍କର ଉନ୍ନତି କରେଇବେ, ସେଇ ଚିନ୍ତାରେ ମଗ୍ନ । ସେ ସେଥିରୁ ମୁକ୍ତିପାଇ ଖୋଲା ନିଶ୍ୱାସ ମାରିବେ । କିନ୍ତୁ ବିଶ୍ରାମ ନେବା ପରିବର୍ତ୍ତେ ଅସଂଖ୍ୟ କାମ ଆଖିଆଗରେ ପଡ଼ିରହିଛି । କାମ ତାଙ୍କର ବଢ଼ିଯାଇଛି ।

 

ଇଲେକ୍ସନ୍ ସରିଲା । ରାଣୀମା’ ନିର୍ବାଚିତ ହେଲେ । ସେଇଥିପାଇଁ ରାଣୀମା’ଙ୍କୁ ଅଭିନନ୍ଦନପତ୍ର ଦିଆଯାଇଥିଲା । ଇଲେକ୍ସନ ସରିବା ପରିଦିନ ବିକ୍ରମପୁରର ସମସ୍ତ ବାସିନ୍ଦାଙ୍କ ପକ୍ଷରୁ ଏ ସବୁ ଆୟୋଜନ ରାଜକୁମାରଙ୍କୁ କରିବାକୁ ପଡ଼ିଥିଲା । ବିକ୍ରମପୁରର ବଡ଼ ମେଳଣ ପଡ଼ିଆରେ ସଭାର ଆୟୋଜନ ହୋଇଥିଲା । ସେଇ ସଭାରେ ଯୋଗଦେଇଥିଲେ ରାଣୀମା’ । ଅତି ଆଡ଼ମ୍ୱର ସହକାରେ ସଭାକାର୍ଯ୍ୟ ଶେଷ ହେଇଥିଲା । ବେଳ ରତରତ, ପଶ୍ଚିମାକାଶରେ ପ୍ରକୃତି ତୁଳିରେ ଆଙ୍କିଦେଇଛି କେତେ ପାହାଡ଼ ପର୍ପତ, ବୃକ୍ଷଲତା, ତା’ଉପରେ ବୁଣିରେଉଛି ଲାଲ୍‍ଫଗୁ । ସଭା ଶେଷରେ ସମସ୍ତେ ନିଜନିଜର ଗାଁ ରାସ୍ତା ଧରିଲେ । ସବୁରି ମୁହଁରେ ରାଣୀମା’ଙ୍କର ପ୍ରଶଂସା, ରାଜକୁମାରଙ୍କର ପ୍ରଶଂସା ।

 

ସମସ୍ତଙ୍କ ଶେଷରେ ସଭାର ଆୟୋଜିତ ଜିନିଷଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ପହଞ୍ଚେଇଦେବାକୁ କହି ରାଜକୁମାର କ୍ଳାନ୍ତ ଶରୀରରେ ଆନନ୍ଦ ମନରେ ଫେରିଲେ ଉଆସକୁ । ଘର ଭିତରକୁ ପଶି ଆସି ଦେଖିଲେ ରାଜଶ୍ରୀ ତାଙ୍କରି ଶୋଇବା କୋଠରିର ଗୋଟିଏ ଆରାମ ଚୌକି ଉପରେ ବସିଛନ୍ତି । ହାତରେ ଅଉି ଇଂରାଜୀ ପତ୍ରି କାଟିଏ । ମଦନମୋହନ କୋଠରି ଭିତରକୁ ପଶିବାକ୍ଷଣି ସେ ପତ୍ରିକାଉପରୁ ମୁହଁ ଉଠେଇ ରାଜକୁମାନଙ୍କୁ ଚାହିଁରହିଲେ । ରାଜକୁମାର ଗାଧୁଆଘର ଭିତରେ ପଶି ଦୁଆରଟାକୁ ଆଉଜେଇ ଆଣିଲେ । ତା’ପରେ ପାଇପଟାକୁ ଖୋଲିଦେଲେ । କର୍ମକ୍ଳାନ୍ତ ଦେହକୁ ସିକ୍ତକଲା ପାଇପରୁ ନିର୍ଗତ ଶୀତଳ ଜଳ ।

 

ପାଞ୍ଚମିନିଟ୍ ପରେ ଦେହକୁ ସତେଜ କରି ଲୁଗା ବଦଳାଇ ଗାଧୁଆଘର ଭିତରୁ ବାହାରିଆସିଲେ ମଦନମୋହନ । ରାଜଶ୍ରୀ ମଦନମୋହନଙ୍କର ଭାବଭଙ୍ଗୀ ଦେଖି କିଛି ସମୟ ନୀରବ ରହି ପଚାରିଲେ,‘‘ରାଜ କୁମାର ! ବହୁତ ଦିନରୁ ଭାବିଥିବା ଗୋଟିଏ ପ୍ରଶ୍ନ ପଚାରିବାକୁ ଆଜି ଆପଣଙ୍କୁ ଏଠି ଅପେକ୍ଷା କରିଛି । ଆପଣ କିଛି ମନେକରିବେନି ଯଦି ମୁଁ ତାହା ପଚାରିବି ।’’

 

ରାଜକୁମାର ମୁହଁ ଉଠେଇ ପ୍ରଶ୍ନବାରକ ଦୃଷ୍ଟିରେ ଚାହିଁ ରହିଲେ ରାଜଶ୍ରୀକୁ । ‘‘ମୁଁ ଆପଣଙ୍କୁ ଯେ କୌଣସି ପ୍ରଶ୍ନ ପଚାରିବାକୁ ବାରଣ କରିନି ତ ? ଆପଣଙ୍କର ଖୁସି ମନରେ ଯାହା ପଚାରିବା କଥା ପଚାରିପାରନ୍ତି, ସେଥିରେ ମୁଁ କିଛି ଭାବିବିନି । ଏଥିରେ ପୁଣି ଭାବିବାର କଥା କ’ଣ ଅଛି ? –ହସିହସି କହିଲେ ରାଜକୁମାର । ସଦ୍ୟସ୍ନାତ ଶୀତଳ ମନକୋଣରେ ଆନନ୍ଦର ଢେଉ ଖେଳିବୁଲୁଛି । ପଲଙ୍କ ଉପରେ ବସିରହିଲେ ରାଜକୁମାର । ଖୋଲା ଝରକା ଦେଇ ବାହାରକୁ ଚାହିଁରହିଲେ ରାଜପ୍ରାସାଦର ପଛପାଖେ ଘେରି ରହିଥିବା ବୃକ୍ଷଲତାଗୁଳ୍ମ ପରିପୂର୍ଣ୍ଣ ଅନ୍ଧକାର ପର୍ବତମାଳାକୁ । ଦଶମୀଚାନ୍ଦର ଆଲୋକ ଝରିପଡ଼ିଛି, କିନ୍ତୁ ଦୂରରୁ ଦେଖାଯାଉଛି ପୂର୍ଣ୍ଣ ଅନ୍ଧକାରର ସମାବେଶ । ସୁଲୁସୁଲୁ ହେଇ ମୃଦୁ ଥଣ୍ତା ପବନ ସେଇ ବୃକ୍ଷଲତା ଅଙ୍ଗ ସ୍ପର୍ଶ କରି ବହିଆସୁଛି । ମଦନମୋହନ କ୍ଷଣିକ ଭାବନାରେ କାଣିଚାଏ । ଗୋଟିଏ ସଜ ଗୋଲାପ ପରି ଢଳ ଢଳ ନମନୀୟ କମନୀୟ ମୁହଁଟିଏ ଉଙ୍କିମାରି ଉଠିଲା ସେଇ ଅନ୍ଧକାରାଚ୍ଛନ୍ନ ପାହାଡ଼ରେ । ହୃଦୟ ଭରି ଭଲପାଇ ବସିଛନ୍ତି ତାକୁ । ହାତପାଖରେ ପାଇ ବି ପାଇପାରିନରହାନ୍ତି । ଦୂରେଇ ଯାଇଛି, ଲୁଚିଯାଇଛି ସେ ଅନ୍ଧକାର ଭିତରେ । ଆଖି ଅଗରୁ ଲୁଚିଗଲେ ବି ମନରୁ କିନ୍ତୁ ଯାଇନି । ସେଇ ଭାବନା, ତାହାରି କଳ୍ପନା ରୂପରେଖ ନେଇ ଠିଆହେଇଛି ତାଙ୍କ ଆଗରେ । ତାରି ପାଇଁ ତାଙ୍କର ଆଜି ପ୍ରେରଣା । ଭୁଲି ହୁଏନା । କର୍ମତତ୍ପର ଦିନଗୁଡ଼ିକ ମଧ୍ୟରେ କେତେବେଳେ ଯେ ସେଇ ଭାବନା, ତା’ରି କଥା ହୃଦୟରେ ମୃଣ୍ତତୋଳି ନଉଠିଛି କହିହେବନି । ଆଖି ଆଗରୁ ଲୁଚିଯାଇଥିବା ସେଇ ସୁନ୍ଦର ଢଳଢଳ ମୁହଁଟି କଳ୍ପନା ଚକ୍ଷୁରେ ସେ ତ ଦେଖିବାକୁ ପାଉଛନ୍ତି । ସତେ ଯେମିତି ଜୀବନ୍ତ ପ୍ରତିଚ୍ଛବି ।

 

କାନ୍ଧଉପରେ କାହାର ନରମ ଉଷୁମ କରସ୍ପର୍ଶ ଅନୁଭବ କଲେ ମଦନମୋହନ । ତୃପ୍ତିରେ ସେଇ ପରଣକୁ ନିଜ ହାତମୁଠାରେ ଚିପିଧରିଲେ । ବହୁତ ଖୋଜିଛନ୍ତି ଏଇ ସ୍ପର୍ଶ ପାଇବା ପାଇଁ, କିନ୍ତୁ ପାଇନାହାନ୍ତି । ଆଜି କିନ୍ତୁ ପାଇଛନ୍ତି । ମିଥ୍ୟା ନୁହେଁ । ଆଉ ଦୂରେଇ ଦେଇ ପାରିବେନି ହୁଦୟର କଳ୍ପିତ ଇଚ୍ଛାକୁ ।

 

‘‘ରାଜକୁମାର !’’ରାଜଶ୍ରୀଙ୍କର ଥରିଲା କୋମଳକାତର କଣ୍ଠର ଆହାନରେ ମଦନମୋହନଙ୍କର ସ୍ୱପ୍ନ ଭାଙ୍ଗିଗଲା । ଚମକିପଡ଼ି ଦୂରବନାନୀରୁ ମୁହଁ ଫେରେଇ ବାସ୍ତବଜଗତକୁ ଚାହିଁ ଦେଖିଲେ ତାଙ୍କ ହାତମୁଠାରେ ରାଜଶ୍ରୀଙ୍କର ନରମ ପୁରିଲା ପାପୁଲିଟି ଥରିଉଠଛି କି ଏକ ଅଭିନବ ପରଶରେ । ସହସା ମଦନମୋହନ ଲଜ୍ଜିତ ହୋଇ ନିଜର ହାତକୁ ଖସେଇ ଆଣିଲେ । ମୁହଁ ବୁଲେଇଦେଇ କହିଲେ,‘‘କ୍ଷମା କରିବେ ରାଜକୁମାରୀ ।’’

 

‘‘କାହାକୁ କ୍ଷମା କରିବ ରାଜକୁମାର ?’’ଯାହାପାଇଁ ଆଜିକୁ ଦେଢ଼ବର୍ଷ ହେଲା ଏଠି ଅପେକ୍ଷା କରିଛି–ଯେଉଁ ଆଶାଟିକକ ନେଇ ଆଜିପର୍ଯ୍ୟନ୍ତ ରହିଛି, ତାଙ୍କୁ ସେଇଥିପାଇଁ କ୍ଷମା କରିବି-? କୁହନ୍ତୁ ରାଜକୁମାର,ଏଇ ମୋର ପ୍ରଶ୍ନ ?’’ରାଜଶ୍ରୀଙ୍କର ସ୍ୱର ନରମ ଆକୁଳତାରେ ପୂର୍ଣ୍ଣ ।

 

ଆଶ୍ଚର୍ଯ୍ୟ ହେଲେ ମଦନମୋହନ । ‘‘କ’ଣ କହୁଛ ତୁମେ ରାଜକୁମାରୀ ? କାହା କଥା କହୁଛ ?’’

 

‘‘ଆଉ କାହା କଥା କହିବି ରାଜକୁମାର ? ତେବେ ବି ବୁଝିପାରୁନା ? ତୁମରି ପାଇଁ । ତୁମରି ଶକ୍ତି, ତୁମରି ଇଙ୍ଗିତ ହିଁ ମତେ ଏଠି ବାନ୍ଧିଖିଛି ରାଜକୁମାର ! ପ୍ରଥମ ଦେଖାରେ ହିଁ ମୁଁ ଆପାଣାର କରିନେଇଛି ତୁମକୁ । ତୁମକୁ ମୁଁ ଜୀବନର ସର୍ବସ୍ୱ ସମର୍ପି ଦେଇଛି ମନେ ମନେ । ତୁମଠାରୁ ଏତେ ଉପେକ୍ଷା, ଏତେ ଘୃଣାବ୍ୟଞ୍ଜକ ବ୍ୟବହାରରେ ବି ଆଜି ପର୍ଯ୍ୟନ୍ତ ଏଠି ଅପେକ୍ଷା କରି ବସିରହିଛି ସ୍ନେହର ପ୍ରେମର ପ୍ରତିଦାନ ଟିକିଏ ପାଇବାଲାଗି । ସତେ କ’ଣ ତୁମେ ତାହା ଦେଇପାରିବ ରାଜକୁମାର ? କୁହ, ମତେ ଭଲପାଅ ? ମତେ ଭଲ ପାଇ ପାରିବ ?’’ ଅତି ଆବେଗଶେତଃ ଏକ ନିଶ୍ୱାସରେ କହିଗଲେ ରାଜଶ୍ରୀ କମ୍ପିଉଠୁଥିଲେ । ଯନ୍ତ୍ରଚାଳିତ ପରି ରାଜକୁମାରଙ୍କର ହାତକୁ ନିଜର ଦୁଇ ହାତ ଭିତରେ ଭିଡ଼ି ଧରିଲେ ରାଜଶ୍ରୀ । ଗୋଟିଏ ଅପୂର୍ବ ଶିହରଣ ଖେଳିଗଲା ମଦନମୋହନଙ୍କର ସାରା ଦେହରୋ ଅନୁଭବ କଲେ ନାରୀରକ୍ତର ଉଷ୍ଣପ୍ରବାହ ଆଉ କୋମଳତା । ଗୁମ୍ ହୋଇ ଭାବିଲେ–ନିଜେ ଧାଇଁ ଯାଇଛନ୍ତି ଗୋଟିଏ ନାରୀ ପଛରେ ତା’ର ପରଣ ଟିକିଏ ପାଇବାପାଇଁ, ଭଲପାଇବାର ପ୍ରତିଦାନ ପାଇବାପାଇଁ । କିନ୍ତୁ ପାଇନାହାନ୍ତି । ଆଜି ଆପେ ଆପେ ତାଙ୍କର ଗତିପଥରେ ବାଧାଦେଇ ଠିଆହୋଇଛି ଆଉ ଗୋଟିଏ ନାରୀ । ଜାଣି ଜାଣି ନାରୀର କାଉଁରୀପରଶ ଲଗେଇ ଦେଇଯାଇଛି ତାଙ୍କ ଦେହରେ । ମନ କିଣିନେବାକୁ ଚାହୁଛି, ଚାହୁଛି ଭଲପାଇବାର ପ୍ରତିଦାନ । ବିଚିତ୍ର ଏ ପୃଥିବୀ, ଆଉ ବିଚିତ୍ର ଏ ନାରୀ ଚରିତ୍ର କାହାକୁ ସେ ତୋଳିନେବେ ସାରା ଜୀବନପାଇଁ ? ଯାହାକୁ ଭଲପାଇଛନ୍ତି ତାକୁ, ନା ଯାହାକୁ ଘୃଣା କରି ଆସିଛନ୍ତି ତାକୁ ? ସହସା ଛାତି ଭିତରଟା କେମିତି ହୋଇଗଲା ତାଙ୍କର । ନା ନା, ଆଜୀବନ ଅବିବାହିତ ରହିବେ ପଛକେ ଯାହାକୁ ପ୍ରଥମେ ଭଲ ପାଇଛନ୍ତି, ଯାହାପାଇଁ ତାଙ୍କ ଜୀବନରେ ଆଜି ଏତେ ପରିବର୍ତ୍ତନ, ଯାହାର ସ୍ମୃତି ଆଜିଯାକେ ତାଙ୍କର ମନ ମୁକୁରରେ ପ୍ରତିବିମ୍ୱିତ ତାକୁ କି ଭୁଲିହୋଇପାରେ ? ତାକୁ କି ସ୍ମୃତିମନ୍ଦିରରୁ ତଡ଼ି ଦେଇପାରିବେ ? ଅସମ୍ଭବ, ଅସମ୍ଭବ ! ଯିଏ ତାଙ୍କୁ ଭଲପାଇବାର କାହାଣୀ ଶୁଣାଉଛି, ଯିଏ ତାଙ୍କୁ ଆପେ ଆପେ ଜାଣିଜାଣି ଦେଇଯାଛି ସେଇ ନାରୀରକ୍ତର ଉଷ୍ଣପରଶ, ଯାହାକୁ ପାଇବା ପାଇଁ ମୁହୂର୍ତ୍ତେ ସୁଦ୍ଧା ଭାବିନାହାନ୍ତି, ତାକୁ କ’ଣ ଆପଣାର କରିପାରିବେ ? ନା ନା,ତା ବି ଅସମ୍ଭବ । ଦୁଇଟି ନାରୀ ଆଖି ଆଗରେ ଠିଆ ହୋଇଯାଉଛନ୍ତି । ଗୋଟିଏ ଦେବେ ପଛକେ, ଆପଣାର ମନର ମାନସୀକୁ ଦୂରେଇ ଦେଇପାରିବେନି । ତାକୁ ପଛେ ଜୀବନରେ ନପାଆନ୍ତୁ, ତାରିପାଇଁ ସାରା ଜୀବନ ଅବିବାହିତ ରହିବେ ପଛକେ କିନ୍ତୁ ତାକୁ ଠକିପାବେନି । ତା ପ୍ରତି ଅବହେଳା କରିପାରିବେନି ।

 

‘‘ରାଜକୁମାର ! କୁହ ! କୁହ ରାଜକୁମାର ! ମତେ ଭଲପାଅ କି ନା ।’’ ରାଜକୁମାର ପୁଣି ଚମକି ପଡ଼ିଲେ । ତାଙ୍କର ଛାତି ଉପରେ ରାଜଶ୍ରୀଙ୍କର ଗରମ ନିଶ୍ୱାସ । ଏ କ’ଣ ? ରାଜଶ୍ରୀଙ୍କର ଆଜି ଏ କି ରୂପ ? ସଙ୍ଗେ ସଙ୍ଗେ ପଲଙ୍କ ଉପରୁ ଉଠି ଠିଆହେଲେ ମଦନମୋଗଲା-। କହିଲେ,‘‘ଏ କ’ଣ କରୁଛ ରାଜକୁମାରୀ ! ଜାଣି ଜାଣି ନିଜକୁ ଏପରି ଭୁଲ୍‍ ପଥରେ ନେଇଯାଉଛ କାହିଁକି ? ତୁମେ କୋଟିପତିର କନ୍ୟା, ଆଉ ମୁଁ ଗୋଟିଏ ସାମାନ୍ୟ–’’

 

‘‘ତୁମେ ଯାହା ହୁଅ ପଛକେ ତୁମକୁ ମୁଁ ଭଲପାଏ, ଅନ୍ତରଭରି ଭଲପାଏ ରାଜକୁମାର ! କୁହ, ସେଇ ଗୋଟିକ ପ୍ରଶ୍ନର ଉତ୍ତର ଦିଅ, ମତେ ଭଲପାଅ କି ନା ?’’ –ରାଜକୁମାରୀ ରାଜଶ୍ରୀ ଆକୁଳ ଆଖିରେ ଚାହିଁରହିଲେ ମଦନମୋହନଙ୍କୁ ।

 

‘‘ନା,ନା ରାଜକୁମାରୀ, ତୁମେ ମସ୍ତବଡ଼ ଭୁଲ୍‍ କରିବାକୁ ଯାଉଛ । ତୁମ ପାଇଁ କେତେ ଯେ ରାଜପୁତ୍ର ଅନେଇ ବସିଥିବେ, ନିଜର ଆତ୍ମସମ୍ମାନ ନେଇ ତାହା କ’ଣ ମୋ ପାଖରେ ସମ୍ଭବ ରାଜକୁମାରୀ ? ବୃଥାଟାରେ ନିଜକୁ କଷ୍ଟ ଦେଉଛ କାହିଁକି ? ଏତିକି ଜାଣିରଖ, ଜୀବନରେ ମୁଁ କାହାକୁ ଦଉଡ଼େଇ ଦିଅନି ରାଜକୁମାରୀ । ଜୀବନକୁ ଏମିତି ଭୁଲ୍‍ ପଥରେ ଆଗେଇଯିବାକୁ ଯିବାକୁ ଦିଅନି ।’’ ରାଗଶ୍ରୀ ଶୁଣି ଶୁଣି ଅତି ଅଧୀରା ହୋଇ ରାଗ ଅଭିମାନଭରା ସ୍ୱରରେ କହିଲେ,‘‘ଥାଉ ଥାଉ ରାଜକୁମାର, ଆଉ ବେଶି ଉପଦେଶ ଦେଇ ମତେ ଆଉ ଦୁଃଖ ଦିଅନା । ଏତିକି ଜାଣିରଖ–ଆଜି ମତେ, ମୋରି ହୃଦୟର ସ୍ୱର୍ଗୀୟ ଆହ୍ଵାନକୁ ପଦଦଳିତ କରିଦେଇଛ । ଉପେକ୍ଷା କରିଛ ମତେ-। କିନ୍ତୁ ଦିନ ଆସିବ–ମତେହିଁ ଦିନେ ଏହାରି ପ୍ରତିଶୋଧ ନେବାକୁ ହେବ । ରାଣୀମା’ ଆଉ ମୋର ବାବାଙ୍କର ଇଚ୍ଛା–’’ ରହ ରହ ରାଜଶ୍ରୀ ଅତି ଦୁଃଖ ଏବଂ ହତାଶାରେ ପୁଣି କହିଲେ,‘‘ସେମାନଙ୍କର ଇଚ୍ଛା ତୁମେ ହିଁ ହେବ ମୋର ଜୀବନର ସର୍ବସ୍ୱ । ଆଜି ମତେ ଠେଲିଦେଇଛ–ସେତିକିବେଳେ ମୁଁ କିନ୍ତୁ–ହଁ ହଁ ମୁଁ କିନ୍ତୁ’’–ଆଉ କହିପାରିଲେନି । ଝଡ଼ପରି ଘରୁ ବାହାରିଗଲେ ବାହାରକୁ ଆଖିର ଅଶ୍ରୁକୁ ଚପେଇବାପାଇଁ ରାଜକୁମାରଙ୍କର ମୁଣ୍ତ ଭିତରେ ଅସଂଖ୍ୟ ଚିନ୍ତା ଜାଲର ଛନ୍ଦ ସୃଷ୍ଟି–ହେଲା-। ଆଶ୍ଚର୍ଯ୍ୟାନ୍ୱିତ ହୋଇ ଥରିଲା ଛାତିରେ ତାଙ୍କର ଯିବାପଥକୁ ଚାହିଁରହିଲେ ରାଜକୁମାର-। ତାଙ୍କ ଅଜ୍ଞାତରେ ତାଙ୍କର ଦୁଇଆଖିରୁ ଦୁଇବିନ୍ଦୁ ଅଶ୍ରୁ ଗଡ଼ିପଡ଼ିଲା ଗାଲ ଉପରକୁ ।

 

X X X

 

ଇଲେକ୍ସନର ଘନଘଟା ସରିଯାଇଛି । ରାଣୀ ଅନଙ୍ଗମଞ୍ଜରୀ ବର୍ତ୍ତମାନ ରାଜ୍ୟର ଘରୋଇ ମନ୍ତ୍ରୀ । ପୂର୍ବ ରୀତିନୀତି ଅନୁଯାୟୀ ରାଜବାଟୀର ବିରାଟ ପଥର ପାଚେରି ଭିତରେ ଆଉ ବନ୍ଦିନୀ ନୁହନ୍ତି । ପ୍ରଜାମାନେ ରାଣୀମା’ଙ୍କର ଦର୍ଶନ ପାଇବାଲାଗି ଆଉ ଦେଇଯାଉନାହାନ୍ତି ଚିରାଚରିତ ପ୍ରଥାରେ ଭେଟି । ରାଣୀ ଅନଙ୍ଗମଞ୍ଜରୀଙ୍କୁ ବର୍ତ୍ତମାନ ରାଜ୍ୟର ଜନତା ସମ୍ମୁଖରେ ଠିଆ ହେବାକୁ ପଡ଼ୁଛି । ସଭାସମିତିରେ ଯୋଗ ଦେଉଛନ୍ତି । ଆସେମ୍ବ୍ଲିରେ ସଭ୍ୟମାନଙ୍କ ସହିତ ବସୁଛନ୍ତି । ଅନର୍ଗଳ ବକ୍ତୃତା ଦେଉଛନ୍ତି । ଦେଶବିଦେଶର କଥା, ରାଜ୍ୟର ଅଭାବ ଅସୁବିଧା, ରାଜ୍ୟ ସବୁଦିନଗରେ କିପରି ଉନ୍ନତି କରିବ, ଲୋକମାନଙ୍କର ସାହସ, ସାହାଯ୍ୟ ଓ ସହାନୁଭୂତିରେ ରାଜ୍ୟ କିପରି ସମୃଦ୍ଧ ହେବ, ପଞ୍ଚବାର୍ଷିକ ଯୋଜନାର ରୂପରେଖ ଲୋକମାନଙ୍କ ସମ୍ମୁଖିରେ ଅନର୍ଗଳ କହିଯାଉଛନ୍ତି । ମଫସଲ ଅଞ୍ଚଳର ଲୋକମାନେ ରାଣୀମା’ଙ୍କ ବକ୍ତୃତା ଶୁଣିକରି ଚାହିଁ ରହୁଛନ୍ତି । ପରସ୍ପର ମଧ୍ୟରେ କଥାବର୍ତ୍ତା ହେଉଛନ୍ତି,‘‘ ଦେଖ ହୋ ! ଆଜିକାଲି ଯୁଗ ନହେଲା କ’ଣ ? ଆମ ଘରର ମାଇପିମାନେ ହାତେ ଓଢ଼ଣା ଦେଇ ମରଦମାନଙ୍କୁ ଲୁଚି ଘର କ’ଣରେ ପଶୁଛନ୍ତି । ଆଉ ୟାଙ୍କୁ ଦେଖ ! ଧନ୍ୟ ତାଙ୍କର ପିତାମାତା ! ସେ ପୁଣି କେଉଁଠାରୁ ରାଣୀ ! ରାଜରକ୍ତ ଦେହରେ ନଥିଲେ ଏମିତି ଆସନ କ’ଣ ସମ୍ଭବ ହୋଇଥାନ୍ତା ! ମନ୍ତ୍ରୀ ହେବାକୁ କ’ଣ ପୁରୁଷ ପୁଅ ନଥିଲେ ? ଯେତେହେଲେ ଗୋଟିଏ ରାଜ୍ୟର ରାଣୀ, ବୁଦ୍ଧି କେତେ !’’–କିଏ କେତେ କଥା କହିଯାଉଛନ୍ତି । ସବୁଠାରେ ତାଙ୍କର ପ୍ରଶଂସା ।

 

ରାଣୀମା’ଙ୍କର ମନ ବି ଅନେକ ପରିମାଣରେ ବଦଳିଯାଇଛି । ମନ୍ତ୍ରୀରୂପେ ବଛାଯିବା ପରେ ଦେଶବାସୀଙ୍କ ପାଇଁ ସେମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କିପରି ସମ୍ଭବ ହେବ ସେଥିପାଇଁ ନିଜର ଯାହା କର୍ତ୍ତବ୍ୟ ତାହା କରିବାକୁ ଆଗଭର ହେଉଛନ୍ତି । ବିକ୍ରମପୁରର ଉିତରେ ଯେପରି ମନୋଭାବ ନେଇଥିଲୋ ତାହା ଆଉ ନାହିଁ । ଉଆସର ଯେଉଁଠି ପୂର୍ବପୁରୁଷମାନଙ୍କର ତୈଳଚିତ୍ର ମରାଯାଉଛି, ସେଠି ଗାନ୍ଧି, ନେହେରୁ, ସୁଭାଷ ବୋଷ, ଉତ୍କଳମଣି ପ୍ରଭୃତି ଦେଶ ନେତାମାଙ୍କର ଫଟୋ ମରାଯାଇଛି । ରାଜକୁମାର ତାଙ୍କୁ ଯାହା କହିଥିଲେ ତାହା ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଯାଇଛି । ବାହାରକୁ ଆସିଛନ୍ତି ରାଣୀମା’ । ବିଭିନ୍ନ ଲୋକମାନଙ୍କ ସହିତ ମିଶୁଛନ୍ତି । ତାଙ୍କ ମନର ପରିବର୍ତ୍ତନ ଘଟିଛି । ସେଥିପାଇଁ ସେ ମନେ ମନେ ରାଜକୁମାରଙ୍କୁ ପ୍ରଶଂସା କରୁଉନ୍ତି । ପ୍ରତି କାର୍ଯ୍ୟରେ ରାଜକୁମାରଙ୍କର ପରାମର୍ଶ ଲୋଡ଼ୁଛନ୍ତି ।

 

ନିଜର ମାସିକ ଦରମାରୁ ପ୍ରାୟ ଅର୍ଦ୍ଧେକ ରାଜ୍ୟର ବିଭିନ୍ନ ଅନୁଷ୍ଠାନମାନଙ୍କୁ ଦେଉଛନ୍ତି । ଶିକ୍ଷା ପାଇବା ପାଇଁ କେତେ କେତେ ଗରିବ ଛାତ୍ର ବି ସାହାଯ୍ୟ ପାଉଛନ୍ତି । ପୂର୍ବେ ଦେବାନ ରହୁଥିବା ଉଆସକୁ ଲାଗିଥିବା କୋଠାଟିକୁ ବିକ୍ରମପୁର ନୈଶ–ବିଦ୍ୟାଳୟକୁ ଦାନ କରିଦେଇଛନ୍ତି । ଆଜିକାଲି ସେଇଠାରେ ନୈଶ–ବିଦ୍ୟାଳୟ ଖୋଲାଯାଇଛି । କାମ ତାଙ୍କର ବଢ଼ିଯାଇଛି । ନୂତନ ଉତ୍ସାହରେ, ନୂତନ ନୂତନ ଅନୁଭୁତି ପାଇ ଆଗେଇଛନ୍ତି ରାଣୀମା’ ଅନଙ୍ଗମଞ୍ଜରୀ । କ୍ଳାନ୍ତି ଅବସାଦ ସବୁ ଦୂରେଇଯାଇଛି ମନରୁ,ବର୍ତ୍ତମାନ ଆସୁଛି କେବଳ ଉତ୍ସାହ ଓ ଆଗ୍ରହ ।

 

ଆସେମ୍ୱ୍ଲି ବର୍ତ୍ତମାନ ବନ୍ଦ । ମୋଟେ ଦୁଇଦିନ ସକାଶେ ରାଣୀମା’ ବିକ୍ରମପୁର ଫେରିଛନ୍ତି । ପୂର୍ବପରିଚିତ ଲାଇବ୍ରେରି ହଲର ଗୋଟିଏ ଆରାମଚଉକି ଉପରେ ଦେହା ଭାରାକୁ ଲଦିଦେଇ ଏକ ଆଖିରେ ଚାହିଁରହିଛନ୍ତି ସ୍ୱାମୀ ବିକ୍ରମକେଶରୀଙ୍କର ତୈଳଚିତ୍ରକୁ । ହାତରେ ଧରିଛନ୍ତି ରାଜଶ୍ରୀଙ୍କର ପିତାଙ୍କ ନିକଟରୁ ପାଇଥିବା ନୀଳ କାଗଜରେ ଲିଖିତ ଚିଠିଟି । ସେଇ ଚିଠିହିଁ ତାଙ୍କୁ ଆଣି ପହଞ୍ଚେଇଦେଇଛି ବହୁତ ପହୁ ବହୁତ ପଛକୁ । ଆଜି ଯଦି ରାଜା ବିକ୍ରମକେଶରୀ ଜୀବିତ ଥାଆନ୍ତେ, ତେବେ କେବେଠାରୁ ଏଇ କାମଟିକୁ ସେ ଶେଷ କରିଦେଇ କିନ୍ତୁ ସବୁ ତାଙ୍କରି ଉପରେ ନ୍ୟସ୍ତ କରି ସେ ଚାଲିଯାଇଛନ୍ତି ବହୁତ ଦୂରକୁ । ସାରା ଜୀବନ ଧରି ଖୋଜିଲେ ବି ପାଇବେନି । ରାଜଶ୍ରୀଙ୍କର ପିତା ରାଜା ନରେନ୍ଦ୍ରକୁମାର ଲେଖିଛନ୍ତି–ରାଜକୁମାରଙ୍କ ସହିତ ରାଜଶ୍ରୀଙ୍କର ବିବାହ ନିଶ୍ଚିତ । ଏଇ ମାସକ ଭିତରେ ବିଭାଘର ହେବ । ଚିଠିରେ ଦିନ, ବାର, ଲଗ୍ନବେଳା ସବୁ ଲେଖିଛନ୍ତି ସେ । ସେଇ ଭାବନା ହିଁ ରାଣୀମା’ଙ୍କ ମନକୁ ଆବୋରି ରଖିଛି ।

 

ସ୍ୱାମୀଙ୍କର ପାଞ୍ଚଫୁଟ ଲମ୍ୱା ଦୁଇଫୁଟ ଓସାର ତୈଳଚିତ୍ରକୁ ଚାହିଁଛନ୍ତି, ଏକ ଧ୍ୟାନରେ, ଏକ ଆଖିରେ । ରାଜପୋଷାକରେ ସାରା ଦେହ ଆବୃତ । ମୁଣ୍ତରେ ରାଜମୁକୁଟ, ଅଣ୍ଟାତଳକୁ ବିରାଟ ତରବାରି । ତରବାରିର ଶେଷାଗ୍ର ସ୍ପର୍ଶ କରିଛି ଭୁପୃଷ୍ଠକୁ । ହସ ହସ, ପୂରିଲା ପରିଲା ଦୀପ୍ତିଭରା ମୁଖମଣ୍ତଳ । ସତେ ପେମିତି ବଡ଼ ବଡ଼ ଡୋଳାରେ ଚାହିଁଛନ୍ତି ତାଙ୍କୁ ଆଉ କହୁଛନ୍ତି, ‘‘ତୁମରି ସାଥୀରେ ଅଛି ରାଣୀ,ଭୟ କାହାକୁ କରୁଛ ? ତୁମର କର୍ତ୍ତବ୍ୟ କରିଯାଅ ।’’ ରାଣୀମା’ ଶୁଣିବାକୁ ପାଉଛନ୍ତି ତାଙ୍କର ସ୍ୱର । ଅଭୟ ଦେଉଛନ୍ତି ତାଙ୍କର ସ୍ୱାମୀ । ଏ ବିବାହ ତେବେ ତାଙ୍କୁ ସମ୍ପନ୍ନ କରିବାକୁ ହିଁ ହେବ । କିନ୍ତୁ ରାଜକୁମାର ମତ ନେବାକୁ କହିଛନ୍ତି ନରିହରିବାବୁ । ରାଜକୁମାର କ’ଣ ତାଙ୍କ କଥା ଅଗ୍ରାହ୍ୟ କରିବେ ? କେଉଁ ଗୁଣରେ ଅନୁପଯୁକ୍ତା ରାଜଶ୍ରୀ ? ସର୍ବଗୁଣସମ୍ପନ୍ନା ସେ-। ଏଣେ ପିତାଙ୍କର ଏକମାତ୍ର ଉତ୍ତରାଧିକାରିଣୀ, କୋଟି କୋଟି ଟଙ୍କାର ମାଲିକାନା, ନା–ତାଙ୍କୁ ନିଶ୍ଚୟ ଏଇ ପ୍ରସ୍ତାବ ଗ୍ରହଣ କରିବାକ ହେବ । ରାଜଶ୍ରୀ ସୁନ୍ଦରୀ, ଶିକ୍ଷିତା । ଉପଯୁକ୍ତ ଯୁବରାଣୀ ବିକ୍ରମପୁର ରାଜପ୍ରାସାଦର କାହିଁକି କେଜାଣି ଆଖିରେ ତାଙ୍କର ଅଶ୍ରୁର ସଞ୍ଚାର ହେଲା । ଚିତ୍ରକର ତୂଳିରେ ଜୀବନ୍ତରୂପେ ଫୁଟିଉଠିଥିବା ବିକ୍ରମକେଶରୀଙ୍କର ପ୍ରତିମୂର୍ତ୍ତିକୁ ଚାହିଁ ଆଖିରୁ ଲୁହ ଗଡ଼େଇଲେ ରାଣୀମା’, ଘରୋଇମନ୍ତ୍ରୀ ରାଣୀମା’ ଅନଙ୍ଗମଞ୍ଜରୀ ।

 

ଠିକ୍ ଏଇ ସମୟରେ ହଲର ପରଦା ପରଦା ଆଡ଼େଇ ଭିତରକୁ ଅତି ଧୀର ପଦକ୍ଷେପରେ ପଶିଆମିଲା ସରଳା । ଏବେ ବି ନିଜର କାମରେ ତ୍ରୁଟି କରୁନି ସେ । ସବୁବେଳେ ରାଣୀମା’ଙ୍କ ପାଖ‌ରେ ରହୁଛି । ତାଙ୍କର ସୁବିଧା ଅସୁବିଧା, ରାଜବାଟୀର ପ୍ରତ୍ୟେକ ଖର୍ଚ୍ଚର ହିସାବ ଟିକିନିଖି ରଖୁଛି । ଆଜିକାଲି ସେ ସବୁବେଳେ ଉଆସରେ ରହୁନି, ରାଣୀମା’ଙ୍କ ସହତ ସବୁଆଡ଼େ ବୁଲୁଛି । ତାଙ୍କ ସହିତ ସେବି ଦୁଇଦିନ ହେଲା ଉଆସକୁ ଫେରିଛି ।

 

ଦଶଟା ବାଜି ପନ୍ଦର ମିନିଟ ହେଲାଣି । ରାଣୀମା’ଙ୍କ ପାଖରେ ଖବରକାଗଜ ପଢ଼ି ଶୁଣେଇବା ପାଇଁ ଆସିଛି । ବାହାରେ ଜ୍ୟେଷ୍ଠ ମାସର ଖରା ହୁହୁ ହେଇ ବଢ଼ି ଚାଳିଛି । ଭୟଙ୍କର ଗରମ ଯୋଗୁ ଆଖି ଜଳି ଉଠୁଛି । ଏଇ କାମଟ ସାରିଦେଇ ଯାଇ ଆଖିବୁଜି ଶୋଇ ପଡ଼ିବ । ମୋଟେ ଦୁଇଦିନ ରହିର ସେ ଏଠି, ତା’ପରେ ରାଣୀମା’ଙ୍କ ସହିତ ପୁଣି ଚାଲିଯିବ କଟକ । ଭାଇ ସହିତ ଦେଖା ସାକ୍ଷାତ୍‍ ହୋଇଯାଇଛି । ସେ ବି.ଏ. ପାସ୍ କରି ଓ.ଏ.ଏସ୍. ଦେବା ପାଇଁ ପଢାପଢ଼ି କରୁଛି । ଦାଦାଙ୍କ ଖବର ବି ରଖିଛି ସରଳା । ସେ ଘରୁ ଲୁଚି ଚାଲିଆସିବା ପରେ ଦାଦା ତାକୁ କେତେ ଖୋଜିଛନ୍ତି । ତା’ର ସାନଭାଇ ବିଶୁକୁ ପଚାରିଛନ୍ତି । ଏବେ ବି ଦାଦା ତାକୁ ଖୋଜୁଛନ୍ତି । ସରଳା ଇଚ୍ଛା କରିଥିଲେ ଗାଁକୁ ଯାଇ ଦେଖାକରି ଆସିପାରିଥାଆନ୍ତା, କିନ୍ତୁ ଆଉ କାହିଁକି ସେ ଗାଁ କଥା ? ଭାବୁଛି ସରଳା–ବିଶୁ ତା’ର ଦାଦାଙ୍କୁ ଠିକଣା ଲେଖିନି, ଭଲ କରିଛି । ଏଥର ଗଲେ କିନ୍ତୁ ନିଶ୍ଚୟ ଦାଦାଙ୍କୁ ଠିକଣା ଲେଖିନି ଭଲକରିଛି । ଏଥର ଗଲେ କିନ୍ତୁ ନିଶ୍ଚୟ ଦାଦାଙ୍କୁ ଦେଖା କରିବ ସରଳା । ବିଶୁ କହିଛି ଦାଦାଙ୍କୁ ଏଥର କଟକ ଡକେଇ ଆଣିବ । ଖୁବ୍ ଭଲ ହେବ । ଏକଥା ସରଳାର ମନକୁ ପାଉଛି । ମନକୁ ତା’ର ବାନ୍ଧ ରଖିଛି ଆଉ ଗୋଟିଏ କଥା । ସେ କହିବାପୂର୍ବରୁ ତା’ର ମନ ଜାଣିଲା ପରି ବିଶୁ ତାକୁ ଦେଇଛି ବିଜୟବାବୁଙ୍କ ଖବର । ବିଜୟବାବୁ ତାକୁ ଅନେକ ଖୋଜିଛନ୍ତି, ଶେଷକୁ ନିରାଶ ହୋଇ ଫେରିଯାଇଛନ୍ତି ।

 

ବିଶୁ ମୁହଁରୁ ଏକଥା ଶୁଣି ସରଳା ଆଖିରେ ଅଶ୍ରୁ ସଞ୍ଚାରଣ ହୋଇଛି । ଭାଇର ଅଜାଣତରେ ପଣତକାନିରେ ଆଖି ପୋଛିଦେଇଛି । ସେକଥା ଭୁଲିଯିବାକୁ ଚେଷ୍ଟା କରୁଛି । ଆଉ କାହିଁକି ? ଯାହାକୁ ଦୁର କରିଦେଇଛି ନିଜେ ଦୁରେଇଯାଇ, ଆଉ ପୁଣି କାହିଁକି ସେ ଆଶା, ଆକାଂକ୍ଷା ? ଭାବୁଛି ସରଳା । ହୃଦୟକୁ ଆଶ୍ୱାସନା ଦେଇ ମନେ ମନେ ଭାବିଛି–ସୁଖରେ ରୁହନ୍ତୁ ସେ, ଏତିକି ତା’ର କାମନା ।

 

ସରଳା ଘର ଭିତରକୁ ପଶିଆସିବା ସଙ୍ଗେ ସଙ୍ଗେ ରାଣୀମା’ ନିଜର ଆଖି ପୋଛିନେଲେ । ସରଳା ରାଣୀମା’ଙ୍କ ପାଖକୁ ପଡ଼ିଥିବା ଆଉ ଗୋଟିଏ ଆରାମଚୌକିରେ ବସିପଡ଼ିଲା । କିଛି ସମୟ ନୀରବତା ପରେ ରାଣୀମା’ ମୁହଁ ଖୋଲି କହିଲେ,‘‘ଜାଣିଲ ସରଳା–ରାଜକୁମାରୀ ରାଜଶ୍ରୀ ଯଦି ବିକ୍ରମପୁର ରାଜପ୍ରାସାଦର ଯୁବରାଣୀ ହେଇଆସନ୍ତି ତେବେ ମନ୍ଦ କ’ଣ ହେବ ?’’ ଜିଜ୍ଞାସୁ ଦୃଷ୍ଟିରେ ମୁହଁ ଆଖି ଆଗରେ ନାଚିଗଲା ଚଳଚ୍ଚିତ୍ର ପରି । ଦେଖିବାକୁ ସୁନ୍ଦରୀ, ଆଧୁନିକା, ଶିକ୍ଷିତା–ରାଜଶ୍ରୀର । କିନ୍ତୁ ମଣିଷର ଯେଉଁ ସ୍ନେହଟିକକ ସେତକ ତାଙ୍କ ହୃଦୟରେ ନାହିଁ-। ଅହଂଭାବ ଜଡ଼ିତ ହୃଦୟ–ତାଙ୍କର । ସାମାନ୍ୟ କେଇଟି ମୁହୂର୍ତ୍ତ ଦେଖାସାକ୍ଷାତରେ ସରଳାର ଏଇ ଧାରଣା ହୋଇଯାଇଛି । ସରଳା ନୀରବ ରହିବା ଦେଖି ରାଣୀମା’ ପୁଣି ପହିଲେ,‘‘ତମେ ଜମେ ଜାଣ ସରଳା, ରାଜଶ୍ରୀ ପିତାଙ୍କର ଏକମାତ୍ର ସନ୍ତାନ,ଆଉ ତାଙ୍କର ପିତା କୋଟି କୋଟି ଟଙ୍କାର ମାଲିକ । ତାଙ୍କୁ ବିବାହ କଲେ ସମସ୍ତ ସମ୍ପତ୍ତି ରାଜକୁମାର ପାଇବେ । ତାପରେ ରାଜଶ୍ରୀ ବି ସୁନ୍ଦରୀ, ଶିକ୍ଷିତା ଓ ବୁଦ୍ଧିମିତୀ । ଏ ପ୍ରସ୍ତାବଟା କ’ଣ ଭଲନୁହେଁ ?’’

 

‘‘ଖୁବ୍ ଭଲ ହେବ ରାଣୀମା’ !’’

 

‘‘ଆଜି ରାଜଶ୍ରୀଙ୍କର ପିତା ରାଜା ନରେନ୍ଦ୍ରକୁମାର ଚିଠି ଦେଇ–ଛନ୍ତି । ବିବାହତିଥି ଆଉ ମୋଟେ ମାସେ ବୋଲି ରହିଲା । ଏଇ ମାସକ ଭିତରେ ସବୁ ଆୟୋଜନ କରିବାକୁ ହେବ । ଏକମାତ୍ର ପୁତ୍ର ସେ । ତାଙ୍କର ବିବାହରେ କିଛି ଖର୍ଚ୍ଚ ହେବ, ସବୁ ମୁଁ କରିବି । କ’ଣ କହୁଛ ସରଳା-?’’ ରାଣୀମା’ କଥା ବନ୍ଦ କରି ସରଳାକୁ ଚାହିଁଲେ । ସରଳା ରାଣୀମା’ଙ୍କ ଆଖି ଉପରୁ ଆଖି ଉଠେଇ ଆଣି କହିଲେ–

 

‘‘ହଁ,ଆଉ ଗୋଟିଏ କଥା । ତୁମେ ମୋ ସହିତ କଟକ ଯିବନି । ଏଇଠି ରହି ବିବାହର ସମସ୍ତ ଆୟୋଜନ କରିବ । ନରହରିବାବୁ ବି ଅଛନ୍ତି ତୁମକୁ ସାହାଯ୍ୟ କରିବାକୁ । ଅସୁବିଧା କିଛି ହେବନି ।’’ ତା’ପରେ ସରଳାର ମୁହଁକୁ ଚାହିଁ କହିଲେ,‘‘କ’ଣ କହୁଛ-?’’ସରଳା ଚଟାଣ ଉପରେ ବିଛରଯାଇଥିବା ମୋଟା ଗାଲିଚା ଉପରେ ଅଙ୍କାଯାଇଥିବା ନାଲି, ନୀଳରଙ୍ଗର ଫୁଲକୁ ଚାହିଁ ମୁଣ୍ତ ଟଙ୍ଗାରିଲା । ରାଣୀମା’ ଘଣ୍ଟାକୁ ଚାହିଁ କହିଲେ–‘‘ଏଥର ତୁମେ ଯାଅ ସରଳା । ଆଜି କିଛି ଭଲଲାଗୁନି । ପୁଣି ରାଜକୁମାରଙ୍କୁ ଡକେଇପଠେଇଛି । ଯେ କୌଣସି ମୁହୂର୍ତ୍ତରେ ସେ ଆସି ପହଞ୍ଚିଯିବେ । ହଁ, ଆଜି କିଛି ଭଲ ଖବର କ’ଣ ବାହାରିଛି ନା ସେଇ ଡକାୟତି, ପାଣିର ଅଭାବ ଇତ୍ୟାଦି ଖବର-?’’

 

ସରଳା–‘‘ଏ ସବୁତ ନିତିଦିନିଆ ଖବର; ନହେଲେ କାଗଜ କାଟତି ହେବ କେମିତି ? ହଁ, ଭୁଲିଯାଇଥିଲି । ଆପଣ ବାଲେଶ୍ୱରର କସ୍ତୁରୀବାଈ ମହଲରେ ଯେଉଁ ବକ୍ତୃତା ଦେଇଥିଲେ, ସେଟା ଆଜି ବାହାରିଛି । ଆହୁରି ଏଡ଼ିଟୋରିଏଲରେ ଆପଣଙ୍କ କାମ ସବୁର ଟିକିନିଖି ବର୍ଣ୍ଣନା କରାଯାଇ ଲେଖାଯାଇଛି । ଖୁବ୍ ପ୍ରଶଂସା କରି ଲେଖାହେଇଛି । ପଢ଼ିବି ସେଟା ?’’

 

ରାଣୀମା’–‘‘ନା, ନା, ଥାଉ । ବର୍ତ୍ତମାନ ସମୟର ଅଭାବ । ସେସବୁ ପଢ଼ି ଶୁଣି ଲାଭ ବା କ’ଣ ? ଆମେ ଆମର କର୍ତ୍ତବ୍ୟ ଦେଖିବା କଥା । ତେଣିକି କିଏ କହିଲା ସେଥିକି ଦୃଷ୍ଟି ଦେଲେ ଚଳିବ ?’’

 

ମୁଣ୍ତ ପୋତି ଛିତିରୁ ଖସିଆସୁଥିବା ଲୁଗାର ଧଡ଼ିଟାକୁ ସଜାଡ଼ି ଦେଉ ଦେଉ ମୁଣ୍ତ ଟୁଙ୍ଗାରିଲା ସରଳା । ଏଇ ସମୟରେ ରାଜକୁମାର ମଦନମୋହନ ପଶିଆସିଲେ ହଲ୍ ଭିତରକୁ ଖୁବ୍ ତରତର ହେଇ । ପାଟିରୁ ବାହାରିଆସିଛି ‘ମା’,କିନ୍ତୁ ପରକ୍ଷଣରେ ଥକ୍କା ହେଇ ଦୁଆରବନ୍ଧ ପାଖରେ ଠିଆ ହେଇଗଲେ ସରଳା ଉପରେ ଆଖି ପଡ଼ିବାକ୍ଷଣି । ମୁହଁରେ ବିସ୍ମୟର ଚିହ୍ନ ପରିସ୍ଫୁଟ-

 

ରାଜକୁମାରଙ୍କର ଡାକରେ ରାଣୀମା’ ଏବଂ ସରଳା ଉଭୟେ ଦୁଆର ଆଡ଼କୁ ଚାହିଁଲେ-। ସରଳାର ମନେହେଲା ଯେମିତି ଏ ସ୍ୱର ତା’ର ପରିଚିତ ଏବଂ ଖୁବ୍ ଘନିଷ୍ଠ । ରାଜକୁମାରଙ୍କ ଉପରେ ଆଖି ପଡ଼ିଯିବାକ୍ଷଣି ଚମକିପଡ଼ିଲା ସରଳା । କ’ଣ ଦେଖୁଛି ସେ ! ଏଇ ରାଜକୁମାର-! ନା,ନା ରାଜକୁମାର ନୁହନ୍ତି–ତାର ଅତି ଆପଣାର ବିଜୟବାବୁ !

 

ଆଖି ସହିତ ଆଖିର ମିଳନ ହେଲା । ଦେହଟା ଅବଶ ହେଇଗଲା ତାର, ସତେ ଯେମିତି ତା ଦେହରେ ଜୀବନ ନାହିଁ । ଆଖି ଆଗରେ ଦେଖାଯାଉଛି ରାତିର କଳା ଛାଇ । ମୁଣ୍ତଟା କ’ଣ ହେଇ ଯାଉଛି । ପାଦତଳର ଭୂଇଁଟା ଲହସି ଯାଉଛି ତଳକୁ । ତା’ ସହିତ ସେବି ଖସପଡ଼ୁଛି ଅତଳ ଗହ୍ୱରକୁ । କିଛି ଭାବିପାରିଲାନି, କିଛି ପଡ଼ିଗଲା ପାରିଲାନି । ହିତାହିତଜଜ୍ଞାନ ଶୂନ୍ୟ ହେଇ ଅଚେତ ହେଇ ପଡ଼ିଗଲା ସଚଲା ସରଳା ଚୌକି ଉପରୁ ତଳକୁ ।

 

‘‘ହାଁ, ହାଁ,’’ କହି ରାଣୀମା’ ଚୌକିରୁ ଉଠି ସରଳାକୁ ତୋଳିଧରିଲେ ନିଜ ବୁକୁଉପରେ । ରାଜକୁମାର ଦୌଡ଼ିପସିଲେ ପାଟି ଶୁଣି । ବାରଣ୍ତାରୁ ଚାକରାଣୀ ଦୁଇଜଣ ତରତର ହୋଇ ଆସିଲେ ହଲ୍ ଭତରକୁ । ପାଣତ ଆସିଲା, ପଙ୍ଖା ଲଗାଗଲା । ଦଶ ମିନିଟ ପରେ ଚେତା ପାଇ ଚାରିଆଡ଼କୁ ଚାହିଁଲା ସରଳା । ଆଖିର ଅଶ୍ରୁର ପ୍ଳାବନ ସିକ୍ତକଲା ଗଣ୍ତଦେଶ, ମିଶିଗଲା ଓଦା ମୁଣ୍ତରୁ ଟୋପି ଟୋପି ହେଇପଡ଼ୁଥିବା ପାଣିରେ । ପାଞ୍ଚ ମିନିଟ୍ ନୀରବରେ ବସି ରହିଲା ସରଳା । କରୁଣ ଆଖିରେ ରାଜକୁମାର ଚାହିଁ ରହିଥିଲେ ତା’ର ମୁହଁକୁ । ରାଣୀମା’ ବି । ପାଞ୍ଚ ମିନିଟ୍ ପରେ ରାଣୀମା’ ପଚାରିଲେ ଭଲ ଲାଗୁଛି ସରଳା ?

 

ଆଖି ବୁଜି ପଡ଼ିରହି ମୁଣ୍ତ ହଲେଇଲା ସରଳା ।

 

‘ଡାକ୍ତର ଡାକି ପଠେଇଛି ।’

 

ନୀରବ ରହିଲା ସରଳା ।

 

କିଛି ସମୟ ପରେ ପ୍ରକୃତିସ୍ଥ ହେଇ, ଦେହର ଓଦାଲୁଗାକୁ ସଜାଡ଼ି ଚୌକିଉପରେ ବସିଲା ସରଳା । ରାଣୀମା’ ଦାସୀ ଦୁଇଟିକୁ ହାତଠାରି ଇଙ୍ଗିତ ଦେଲେ ନେଇଯିବାକୁ । ଦାସୀ ଦୁଇଜଣ ସରଳାକୁ ଉଠେଇ, ତା’ର ଦୁଇ ବାହାକୁ ଧରି ଆସ୍ତେ ଆସ୍ତେ ନେଇଗଲେ ବାହାରକୁ । ତା’ର ଯିବାପଥକୁ ଚାହିଁ ରହିଲେ ରାଣୀମା’ ଆଉ ରାଜକୁମାର ଉଭୟେ ଚିନ୍ତିତ ହୋଇ । ହଲ୍‍ଟାରେ ନୀରବତା ରାଜୁତି କଲା କିଛିକ୍ଷଣ । ତା’ପରେ ରାଣୀମା’ ରାଜକୁମାରଙ୍କୁ କହିଲେ,‘‘ବସ ରାଜକୁମାର-! ଖୁବ୍ ଭଲ ଝିଅଟିଏ । ହଠାତ୍ ଯେ ତା’ର କ’ଣ ଏମିତି ହେଲା ବୁଝିହେଉନି-।’’ ମୁଣ୍ତରେ ହାତ ବୁଲେଇ ବୁଲେଇ ରାଣୀମା’ ନୀରବ ରହିଲେ-

 

‘‘କାହିଁକି’’ ଆପଣ ଡକେଇଥିଲେ ମା’ ?’’ ହଠାତ୍ ପ୍ରଶ୍ନ ପଚାରତଲେ ରାଜକୁମାର । ରାଣୀମା’ ନୀରବରେ ରାଜଶ୍ରୀଙ୍କର ପିତା ଦେଇଥିବା ଚିଠିଟିକୁ ତାଙ୍କ ହାତକୁ ବଢ଼ାଇଦେଲେ । ରାଜକୁମାର ଚିଠିଟି ପଢ଼ିଲେ । କପାଳରେ କୁଞ୍ଚନ ଦେଖାଗଲା । ବିରକ୍ତିର ସୂଚନା ନ ଦେଖାଇ ଚିଠିଟିକୁ ଫେରାଇଦେଲେ ମାଙ୍କୁ ।

 

‘‘ଚିଠିଟି ପଢ଼ିଲ ?’’ ରାଣୀମା’ ପଚାରିଲେ ।

 

‘‘ହଁ ।’’

 

‘‘ଏଥିପାଇଁ ଡକେଇଥିଲି ତୁମକୁ । ରାଜାସାହେବ ନିଜେ ଯେତେବେଳେ ଏ ଚିଠି ଲେଖିଛନ୍ତି, ମୁଁ ଆଉ ମନାକରିବି କେମିତି ? ସେ ଯାହାହେଉ, ତୁମର ଇଚ୍ଛାଟା ଜାଣିବାକୁ ଡକେଇଛି । କ’ଣ କହୁଛ ?’’

 

ରାଜକୁମାର କିଛି ସମୟ ନୀରବ ରହି ନରମ ସ୍ୱରରେ କହିଲେ ‘‘ମୁଁ ଆପଣାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି କଥାପାଇଁ ଅନୁରୋଧ କରିନି । ମୋର ଗୋଟିଏ ଅନୁରୋଧ ରକ୍ଷା କରିବ ମା ? ହଁ କଲେ କହିବି ।’’

 

‘‘ହଁ କୁହ ! ଏଥିରେ ଭୟ କିମ୍ବା ଲଜ୍ଜା କରିବାର କ’ଣ ଅଛି ?’’

 

‘‘ଏ ବିବାହ ବନ୍ଦକରନ୍ତୁ ମା । ମୁଁ ବର୍ତ୍ତମାନ ବିବାହ କରିବିନି ।’’ ରାଣୀମା’ଙ୍କ ଉପରେ ଆକାଶରୁ ବଜ୍ର ଯେପରି ଖସି ପଡ଼ିଲା । ଏପରି ଉତ୍ତର ସେ ଆଶା କରି ନଥିଲେ । ଗମ୍ଭୀର ହୋଇ କହିଲେ, ‘‘କାହିଁକି ରାଜକୁମାର ? ଏଥିରେ ତୁମର ଅମତ ହେବାର କ’ଣ କାରଣ ଅଛି ? ରାଜଶ୍ରୀ ଶିକ୍ଷିତା, ଆଧୁନିକ ରୁଚିଗୁଣସମ୍ପନ୍ନା, ସୁନ୍ଦରୀ । ତା’ପରେ ପିତାଙ୍କର ଏକମାତ୍ର ସନ୍ତାନ । ଅକଳନ୍ତି ସମ୍ପତ୍ତି, ସବୁ ତୁମର ହେବ ରାଜକୁମାର ! ଏ ସୁଯୋଗକୁ ଦୂରକୁ ଠେଲିଦେବା ଉଚିତ୍‍ ହେବନି ।’’

 

‘‘ଜାଣ ରାଜକୁମାର, ତୁମର ପିତା ରାଜାସାହେବ ଯେତେବେଳେ ମୃତ୍ୟୁଶଯ୍ୟାରେ, ସେତେବେଳେ ତୁମେ ଖୁବ୍ ଛୋଟ । ସେଇଦିନଠାରୁ ଆଜି ପର୍ଯ୍ୟନ୍ତ ତୁମକୁ କୌଣସି କଥାରେ ମନା କରିନି । ତୁମ ଇଚ୍ଛାଅନୁସାରେ ସ୍ୱାଧୀନ ମନୋବୃତ୍ତି ନେଇ ଯାହା କିଛି କରିଆସିଛ ସେଥିପାଇଁ ମୁଁ ତୁମକୁ କିଛି କହିନି । ଆଜି କିନ୍ତୁ ମୋ ପକ୍ଷରେ ତାହା ଅସମ୍ଭବ । ତୁମକୁ ଏ ବିବାହରେ ସମ୍ମତି ଦେବାକୁ ହେବ । ତୁମର ପିତା ଆଜି ଯଦି ଜୀବିତ ଥାଆନ୍ତେ, ତୁମର ଅନେକଦିନୁ ବିବାହ ହେଇସାରନ୍ତାଣି । କିନ୍ତୁ ମୋ ଉପରେ ଏସବୁ ଭାର ପକେଇଦେଇ ଅଜଣା ଅଶୁଣା ପଥିକ ପରି ସେ ତାଙ୍କ ବାଟରେ ଚାଲିଗଲେ । ତାଙ୍କରି ଆଦେଶାନୁଯାୟୀ, ତାଙ୍କରି ଇଙ୍ଗିତରେ ମୋର କର୍ତ୍ତବ୍ୟ ମୁଁ କରିଯିବି । ତୁମକୁ ପ୍ରଥମରୁ ନ ପଚାରିବାଟା ହିଁ ଉଚିତ୍ ହେଇଥାନ୍ତା । ଯାହାହେଉ, ତୁମର କୌଣସି କଥା ଶୁଣି ପାରିବିନି । ଏ ବିବାହ ତୁମକୁ କରିବାକୁ ହିଁ ହେବ ।’’

 

ରାଜକୁମାର ଦେଖିଲେ ମାଙ୍କର ଏ ବିବାହରେ ସମ୍ପୂର୍ଣ୍ଣ ମତ ଅଛି । ସେଦିନ ସଂଧ୍ୟାବେଳ କଥା ମନେପଡ଼ିଗଲା । ରାଜଶ୍ରୀଙ୍କର ନିବେଦନକୁ ଅଗ୍ରାହ୍ୟ କରିଛନ୍ତି ସେ । ରାଜଶ୍ରୀଙ୍କର ରୁକ୍ଷ କଥା, ରୁକ୍ଷ ବ୍ୟବହାର ତାଙ୍କୁ ଅସହ୍ୟ ବୋଧହେଇଛି । ସେ କହିଲେ– ‘‘ନା ମା, ମୁଁ ଏ ବିବାହ କରି ସୁଖି ହୋଇପାରିବିନି । ରାଜଶ୍ରୀଙ୍କର ବାପାଙ୍କ ପାଖକୁ ପରିଷ୍କାର ଲେଖିଦିଅନ୍ତୁ– ଯୁବରାଜଙ୍କର ଏ ବିବାହରେ ସମ୍ମତି ନାହିଁ ।’’

 

ରାଣୀମା’ ରାଗିଗଲେ । ସଙ୍ଗେ ସଙ୍ଗେ କହିଲେ, ‘‘ଅସମ୍ଭବ ! ତୁମର କୌଣସି ଅନୁରୋଧ ଶୁଣିପାରିବିନି । ମୋର ଇଚ୍ଛା, ତୁମେ ରାଜଶ୍ରୀଙ୍କୁ ବିବାହ କରିବାକୁ ହେବ ।’’ ଧଡ଼ପଡ଼ ହେଇ ରାଣୀମା’ ଉଠି ଠିଆହେଲେ ଯିବାପାଇଁ । ରାଜକୁମାର ଦେଖିଲେ ମା’ ଚାଲିଯିବେ ବୋଧହୁଏ, ତାଙ୍କୁ ଆଉ ଦେଖାଦେଇନପାରନ୍ତି । ରାଣୀମା’ ତରତର ହେଇ ଦୁଆର ପାଖକୁ ଯିବା ପୂର୍ବରୁ ରାଜକୁମାର କହିଲେ, ‘‘ମୁଁ ରାଜଶ୍ରୀଙ୍କୁ ବିବାହ କରିବିନି । ମୋର ବିବାହ ମୁଁ ଠିକ୍ କରିସାରିଛି ।’’ ଚମକି ଥକ୍କା ହେଇ ଠିଆହୋଇଗଲେ ରାଣୀମା’ । ପଛକୁ ମୁହଁ ବୁଲେଇ କହିଲେ, ‘‘କେଉଁଠି, କେଉଁଠି ତୁମର ବିବାହ ଠିକ୍ କରିଛ ?’’ ଧୀରସ୍ଥିର ଅଥଚ ନମ୍ରସ୍ୱରରେ ରାଜକୁମାର ଉତ୍ତର ଦେଲେ, ‘‘ବର୍ତ୍ତମାନ ମୁଁ କିଛି କହିପାରିବିନି । ଜାଣିବାର ସମୟ ଆସିଲେ ବଳେ ବଳେ ଜାଣିବେ । କିନ୍ତୁ ମୁଁ ଯାହାକୁ ବିବାହ କରିବି ସେ ଆପଣଙ୍କର ରାଜଶ୍ରୀଙ୍କ ପରି କୋଟିପତିର କନ୍ୟା ନୁହନ୍ତି ।’’ ଅବାଧ୍ୟ ସନ୍ତାନର ଏ ପ୍ରକାର ଉତ୍ତର ଶୁଣି ରାଣୀମା’ ରାଗ ଏବଂ ଦୁଃଖରେ ଅଧୀର ହୋଇ ପଡ଼ିଲେ । ‘‘ବେଶ୍ ଯଦି ତୁମେ ମୋର ରାଜବଂଶର ମାନସମ୍ମାନ ଉପରେ ଆଞ୍ଚ ଆଣ, ତେବେ ତା’ର ପ୍ରତିଫଳ କ’ଣ ହେବ ଜାଣ ?’’

 

‘‘ହଁ ଜାଣେ । ମତେ ତ୍ୟାଗ କରିବେ ଆପଣ । ଆଉ ଅଧିକା କିଛି ନୁହେଁ ।’’

 

‘‘ମୃତ୍ୟୁ ପୂର୍ବରୁ ତୁମର ପିତା ରାଜାସାହେବ ଗୋଟିଏ ଉଇଲ୍ କରିଯାଇଛନ୍ତି । ସେ ଲେଖିଛନ୍ତି ପୁତ୍ର ଯଦି ଅବାଧ୍ୟ ହୁଏ, କୁସଙ୍ଗରେ ପଡ଼େ, ରାଜବଂଶରେ କଳଙ୍କ କାଳିମା ଲଗାଏ, ତେବେ ଯେତେ ସମ୍ପତ୍ତି ଅଛି ସେଥିରୁ ଅଧେ ପାଇବ ମାଧବିକା ଆଉ ଅଧେ ପାଇବେ ନରହରିବାବୁ, ଉଆସର ବିଶ୍ୱସ୍ତ ବନ୍ଧୁ ଏବଂ କର୍ମଚାରୀ । ତୁମେ ଯଦି ଏ ବିବାହରେ ମୋର ଅବାଧ୍ୟ ହୁଅ ତେବେ ତୁମ ପିତାଙ୍କର ସେଇ ଉଇଲ୍‍ ଅନୁଯାୟୀ ମୁଁ ଯାହା କରିବା କଥା କରିବି । ରାଜଉଆସର ସିଂହଦରଜା ସବୁଦିନ ତୁମପାଇଁ ବନ୍ଦ ହୋଇଯିବ ।’’

 

‘‘ବେଶ୍ ସେଇୟା ହେଉ । ମୋର ଏ ବିଷୟ ସମ୍ପତ୍ତି ଦରକାର ନାହିଁ । ଆପଣ ଇଚ୍ଛାକଲେ ଏବେ ବି ଚାଲିଯିବି ଉଆସରୁ ।’’ ତରତର ହୋଇ ରାଜକୁମାର ଯିବାକୁ ପ୍ରସ୍ତୁତ ହେଲେ-। ରାଣୀମା’ କ’ଣ ଭାବିଲେ କେଜାଣି ସଙ୍ଗେ ସଙ୍ଗେ ସ୍ୱାଭାବିକ ସ୍ୱରରେ କହିଲେ, ‘‘ବର୍ତ୍ତମାନ ନହେଉ ପଛକେ, ଭାବିଚିନ୍ତି ମତେ ଦୁଇଦିନ ମଧ୍ୟରେ ତୁମର ମନକଥା ଜଣେଇବି । ଦୁଇଦିନ ନ ହେଇ ପନ୍ଦରଦିନ ଭିତରେ କହିଲେ ବି ମୁଁ ବିବାହର ଆୟୋଜନ କରିପାରିବି ।’’

 

ରାଜକୁମାର ରାଣୀମା’ଙ୍କ କଥାର କୌଣସି ଉତ୍ତର ନଦେଇ ନୀରବରେ ଘରୁ ବାହାରିଆସିଲେ । ରାଣୀମା’ ଦୁଃଖ ଏବଂ ଅଭିମାନରେ ବିକ୍ରମକେଶରୀଙ୍କର ତୈଳଚିତ୍ର ପାଖରେ ଆଖିବୁଜି ନୀରବରେ ଠିଆହୋଇ ରହିଲେ । ସେଇ ଚକ୍ଷୁ ଦ୍ୱୟରୁ ଧାର ଧାର ହେଇ ଅବାରିତ ଅଶ୍ରୁଧାରା ବହିଯିବାକୁ ଲାଗିଲା ।

 

ସରଳା କାନ୍ଦୁଛି । ଅଶ୍ରୁ ନୁହେଁ ବନ୍ୟା ! ଅମାନିଆ କୋହ ଉଛୁଳି ଉଠୁଛି ହୃଦୟରେ । ପାଖରେ ସତୀ ଲୁହବୋଳା ମୁହଁରେ ବସି ରହିଛି । ନରହରିବାବୁ ପାଖରେ ଅଛନ୍ତି । କିଛି ବୁଝିପାରୁ ନାହାନ୍ତି–ଏହାର କାରଣ କ’ଣ । ଆଜିକୁ ଦୀର୍ଘ ତିନିବର୍ଷ ଧରି ସରଳା ଏଠି ରହିଆସିଛି; କିନ୍ତୁ କେଉଁଦିନ ମୁହୂର୍ତ୍ତକ ସକାଶେ ବି ସେ ତା’ର ଆଖିରେ ଲୁହ ଦେଖି ନାହାନ୍ତି । ଆଜି ତେବେ କ’ଣ ହେଲା ? ରାଣୀମା’ କ’ଣ କହିଲେ ! ତାକୁ ଯେତେ ପଚାରିଲେ ମଧ୍ୟ ଉତ୍ତର ପଦିଏ ମିଳୁନି-। ଖାଲି ଅଶ୍ରୁ ଆଉ ଅଶ୍ରୁ ।

 

ବାପ ନହେଲେ ବି ନରହରିବାବୁ ପିତାର ଆସନ ପାତିଛନ୍ତି ସରଳା ଏବଂ ସତୀ ହୃଦୟରେ । ଦୁଇଜଣ ହିଁ ତାଙ୍କର କନ୍ୟା । ସେମାନଙ୍କ ଦୁଃଖରେ ତାଙ୍କର ଦୁଃଖ, ସେମାନଙ୍କ ସୁଖରେ ତାଙ୍କର ସୁଖ । ଘଣ୍ଟାଏ ବିତିଗଲାଣି, କିନ୍ତୁ ସରଳାର କୋହ କମିନି, ଚକ୍ଷୁଦ୍ୱୟରୁ ଅନବରତ ବହିଚାଲିଛି ଅଶ୍ରୁଧାର । ନରହରିବାବୁ ବହୁତ ପ୍ରବୋଧ ଦେଇ ଶେଷରେ ଅତି ଦୁଃଖରେ ଉଠି ଆସିଲେ ସେଠାରୁ । ତାଙ୍କ ଆଖିରେ ବି ଅଶ୍ରୁର ସଞ୍ଚାର ହେଲା । ଭାବିଲେ, କିଏ ସେ ଏଇ ନିରୀହାଟିର ହୃଦୟରେ ଏତେ ଦୁଃଖ ଅଜାଡ଼ି ଦେଲା ? କେଉଁଥିପାଇଁ ସରଳାର ଆଜି ଏ ଅବସ୍ଥା ? ସତୀକୁ ସରଳା ପାଖରେ ରହିବାକୁ କହି ନରହରିବାବୁ ବାହାରିଗଲେ ।

 

ଦିନ ବାରଟା ଉପରେ ହେଲାଣି । ବାହାରେ ଭୀଷଣ ଖରା । ଚାହିଁଲେ ଆଖି ଜଳିଯାଉଛି, ଦେହ ପୋଡ଼ିଯାଉଛି । ମନ ବି ପୋଡ଼ିଯାଉଛି । ପେଟ ପୋଡ଼ିଲେ ପଚାରେ କିଏ ? ଗଉରୀ ନରହରିବାବୁଙ୍କୁ ଡାକିନେଇ ଖାଇବା ଜାଗାରେ ବସେଇଦେଲା । ପାଖରେ ସରଳା ନାହିଁ କି ସତୀ ନାହିଁ । ସରଳା ଆଜି କହୁନି, ‘ଏ ତରକାରିଟା ଖାଉନ କାହିଁକି ମଉସା ? ମୁଁ ନିଜେ ରାନ୍ଧିଛି ପରା, ଭଲ ଲାଗୁନି ? ଏ ଗଉରୀ ନାନୀ, ତୁମେ ବଡ଼ ଅଳସେଇ ପଡ଼ିଗଲଣି । ଆଜି ବାରମ୍ବାର କରି ମୁଁ କହିଲି ମଉସାଙ୍କପାଇଁ ଆଳୁ ତରକାରି ଟିକିଏ କରିବାପାଇଁ । କିନ୍ତୁ ସେତକ ତୁମଦେଇ ହେଇପାରିଲାନି । ମୋର କହିବାହିଁ ସାର ହେଲା ।’ ରାଗରେ ଅଭିମାନରେ କେତେ କଥା କୁହେ ଗଉରୀକୁ । ‘ମଉସା, ଥାଳିରୁ ସବୁ ଭାତତକ ଶେଷକରିଦିଅ । ଆଉ ଟିକିଏ ତରକାରି ? ହଁ ହଁ, ଗଉରୀନାନୀ, ତରକାରି ଟିକିଏ ମଉସାଙ୍କୁ ଦେଲ, ଭାତ ଗଣ୍ଡେ ବି ଦିଅ ।’ ପ୍ରତିଦିନ ଗୀତ ଗାଇଲା ପରି ସେଇ ଗୋଟିଏ କଥା । ନିତି ଶୁଣି ଶୁଣି ଖୁସି ହୁଅନ୍ତି ନରହରିବାବୁ । ଭାବନ୍ତି କିଏ କହିବ ତାଙ୍କର କେହି ନାହାନ୍ତି ବୋଲି ! ଗଉରୀ ବ୍ରାହ୍ମଣଘରର ବିଧବାଟିଏ, ଉଆସରେ ରାନ୍ଧୁଣୀ କାମ କରେ । ବୟସ ଚାଳିଶରୁ ବଳିପଡ଼ିଲାଣି । ବଡ଼ ବିଶ୍ୱାସୀ, ଧୀରସ୍ଥିର, ନମ୍ର କିନ୍ତୁ ଅଳସେଇ । ସେଥିପାଇଁ ସରଳା ତା’ ଉପରେ ପ୍ରାୟ ଅନେକ ସମୟରେ ଚିଡ଼େ, ବୁଝାଏ, ନ ବୁଝିଲେ ଅଭିମାନ କରେ, ରାଗ କରେ । ଆଜି ସେ ପାଖରେ ନାହିଁ । କେମିତି ଭଲ ଲାଗିବ ? ସତୀ ବି କେଇ ମାସ ହେଲା ବାହାଘର ପରେ ଶାଶୁଘରେ ରହିଥିଲା । ଏବେ କେତେ ଦିନ ହେବ ଆସିଛି ।

 

ଇଲେକ୍ସନ ସମୟରେ କଟକରୁ ଆସିଥିଲେ ଚାରିଜଣ କଂଗ୍ରେସନେତା ରାଣୀମା’ଙ୍କୁ ସାହାଯ୍ୟ କରିବା ସକାଶେ । ସେମାନଙ୍କ ଭିତରେ ଥିଲେ ଶାରଦାନନ୍ଦ ପଟ୍ଟନାୟକ । ଧନୀଘରର ସନ୍ତାନ, ଉଚ୍ଚ ଶିକ୍ଷିତ । ଚାକିରି କରି ନାହାନ୍ତି । ଜନତାର ସେବାରେ ଆତ୍ମନିୟୋଗ କରିଦେଇଛନ୍ତି । ଇଲେକ୍ସନ ସମୟରେ ସତୀକୁ ନରହରିବାବୁଙ୍କ ସହିତ ଦେଖି ତାକୁ ବିବାହ କରିବାପାଇଁ କାହିଁକି ଯେ ଇଚ୍ଛା କଲେ, ସେଇ କେବଳ ଜାଣନ୍ତି । ଇଲେକ୍ସନ ସରିବା ପରେ ନରହରିବାବୁଙ୍କୁ ନିଜ ମନକଥା କହିଥିଲେ । ନରହରି ବାବୁ ସେଥିରେ ଅମତ ହୋଇନଥିଲେ । କାହିଁକି ବା ଅମତ ହେବେ ? ସବୁଦିନେ ତ ସତୀ ତାଙ୍କ ପାଖରେ ରହିପାରିବନି ? ବାହାଘର ହେଇଗଲା ନିରାଡ଼ମ୍ବରଭାବେ । ନିଜର ଯାହା ବିଷୟ ସମ୍ପତ୍ତି ଥିଲା, ତାକୁ ଦୁଇଭାଗ କରିଦେଇଥିଲେ ନରହରିବାବୁ, ସତୀ ଏବଂ ସରଳା ନାଁରେ । ବହୁତ ଧନସମ୍ପତ୍ତି ଯୌତୁକ ଦେଇ ସତୀକୁ ଶାଶୁଘରକୁ ପଠେଇଲେ ।

 

ଏବେ ନରହରିବାବୁଙ୍କର କ’ଣ ମନହେଇଛି କେଜାଣି, ପଚାଶବର୍ଷ ଧରି ଯେଉଁ ଡିହଖଣ୍ଡିକ ବଣପରି ପଡ଼ିରହିଥିଲା ସେଥିରେ ଏବେ ତୋଳା ହୋଇଛି ନୂଆଘର । ଆଉ ଦୁଇମାସ ଲାଗିଯିବ ଶେଷ ହେଉ ହେଉ । ବର୍ଷା ଦିନ ଚାଲିଆସିବ ରାତି ପାହିଲେ । ଚଞ୍ଚଳ ଯେପରି କାମ ସରିଯିବ ସେଥିପାଇଁ ନରହରିବାବୁ ଚିନ୍ତିତ । କୋଠାର କାମ ଶେଷ ହେଲେ ସେଥିରେ ରହିବେ ନରହରିବାବୁ; ସତୀ ଏବଂ ସରଳା । ସରଳାକୁ ଆଉ ଉଆସରେ କାମ କରିବାକୁ ଛାଡ଼ିବେନି । ରାଜକୁମାରଙ୍କ ପାଖରୁ ଦୂରେଇ ନେବେ ସରଳାକୁ ପରେ ବିବାହ ଦେଇଦେବେ ଭଲ ପାତ୍ର ଦେଖି । ଏହି ଆଶା ବାନ୍ଧିଛନ୍ତି ନରହରିବାବୁ ।

 

ସେଥିପାଇଁ ନିଜର ଯାହା ସମ୍ପତ୍ତିବାଡ଼ି ଥିଲା ଆଜିକାଲି ସେସବୁ ନିଜେ ହିଁ ଦେଖାଶୁଣା କରୁଛନ୍ତି । ମନରେ ତାଙ୍କର ପରିବର୍ତ୍ତନ ଆସିଛି କେବଳ ଏଇ ସତୀ ଏବଂ ସରଳା ଯୋଗୁଁ । ସତୀ ବାହା ହେଇଯାଇଛି, ଆଉ ବାକି ରହିଛି ସରଳା-ବିବାହ କରିବ । ଦୁଇଜଣଙ୍କର ପୁଅ ଝିଅ ହେବେ । ସେମାନଙ୍କୁ ଖେଳାଇ, ସେମାନଙ୍କ ସାଥିରେ ଖେଳି ଜୀବନର ଶେଷ କେତେଟା ଦିନ କଟେଇ ଦେବେ ସେ । ଏଇ ତାଙ୍କର ଭାବନା,ଏଇ ତାଙ୍କର ଆଶା ଓ ଆକାଂକ୍ଷା ।

 

ସାତଦିନ ହେଲା ସତୀ ଶାଶୁଘରୁ ଆସିଛି । ଶାଶୁଘର କଥା କହୁଥିଲା ସେ । ଶାଶୁ, ନଣନ୍ଦ ସମସ୍ତେ ତାକୁ ଭଲପାଆନ୍ତି, ଆଦର ଓ ସ୍ନେହ କରନ୍ତି । ନରହରିବାବୁ ସତୀ ମୁହଁରୁ ଏଇ ପଦକ ଶୁଣିବେ ବୋଲି ଯେମିତି ଚାତକ ପରି ଅନେଇ ରହିଥିଲେ । ଆନନ୍ଦରେ ଆଖି ତାଙ୍କର ସଜଳ ହେଇଉଠିଥିଲା । ପ୍ରତିଦିନ ସେମାନେ ତାଙ୍କ ଖାଇବା ପାଖରେ ବସୁଥିଲେ, କେତେକଥା କହୁଥିଲେ । ଆଜି କିନ୍ତୁ ସେ ଏକା ଖାଇବେ କେମିତି ? ମନ ଗଲାନି । ସରଳା କାନ୍ଦୁଛି । ଖାଇବା ଥାଳି ପାଖରେ ତାଙ୍କର କଣ୍ଠରୋଧ ହେଲା । ଆଖି ଛଳ ଛଳ ହେଲା, ଭାତ ଆଉ ଗଲାନି ପେଟକୁ । ଭାତକୁ ମୁଣ୍ଡରେ ଲଗେଇ ଉଠିଗଲେ ଥାଳି ପାଖରୁ । ଝିଅଦିଟା ଏ ପର୍ଯ୍ୟନ୍ତ ଖାଇନାହାନ୍ତି – ସେ ଏକା କେମିତି ଖାଇବେ ?

 

ପାଣି ଗ୍ଳାସଟିଏ ପିଇ ଶୋଇବା ଘରକୁ ପଶିଆସି ପଲଙ୍କ ଉପରେ ଶୋଇପଡ଼ିଲେ । ପାଞ୍ଚମିନିଟ୍ ଯାଇଛି କି ନାହିଁ ରାଜକୁମାର ତରତର ହେଇ ଘରଭିତରକୁ ପଶିଆସିଲେ । ମାଙ୍କ ପାଖରୁ ଯାଇ ରାଜକୁମାର ବଡ଼ ଅସ୍ଥିର ବୋଧକରିଛନ୍ତି । ମନରେ ଅସଂଖ୍ୟ ଅମୀମାଂସିତ ପ୍ରଶ୍ନ – ଆଖି ଆଗରେ ନାଚିଯାଉଛି । ସେଇ ଦୃଶ୍ୟ । ଲାବବ୍ରେରୀ ହଲର ଦୃଶ୍ୟ-ସରଳାର ପାଣ୍ଡୁର ମୁହଁ । ଆଶ୍ଚର୍ଯ୍ୟ ହେଲେ ସେ । ନିଜ ରାଜପ୍ରସାଦରେ ତାକୁ ଏପରି ଭାବରେ ଭେଟିବେ, ସ୍ୱପ୍ନରେ ଏ ଚିନ୍ତା ତାଙ୍କର ନଥିଲା । ଅନେକ ଥର ସେ ଶୁଣିଛନ୍ତି ସରଳାର ପ୍ରଶଂସା ମାଧବିକାଙ୍କ ମୁହଁରୁ, କିନ୍ତୁ ସେ କଥାରେ ଗୁରୁତ୍ୱ ଦେଇନାହାନ୍ତି । କିଏ ସେ ଝିଅଟି, ତାଙ୍କ ମନରେ ପ୍ରଶ୍ନ ଉଠିନି, ଦେଖିବାକୁ କୌତୂହଳ ଜାଗିନି । ନିଜର କର୍ମବ୍ୟସ୍ତ ଜୀବନ ଭିତରେ ଭୁଲି ଯାଇଛନ୍ତି ସେ ସବୁ । ଲୁଚି ଛପି ରହି ସରଳା ତାହାହେଲେ ତାଙ୍କୁ ଦେଖା ଦେଇନି ଦୀର୍ଘ ତିନି ବର୍ଷ ହେଲା ? ରାଜାସାହେବ ବିକ୍ରମକେଶରୀ ଉଇଲ୍‍ ଲେଖି ଯାଇଛନ୍ତି । ସେଥିପାଇଁ ମା’ ତାଙ୍କୁ କରିବେ ତ୍ୟାଜ୍ୟପୁତ୍ର । କେଉଁଠି ତାଙ୍କର ଭୁଲ୍‍ ? ରାଜବଂଶରେ ଜନ୍ମଗ୍ରହଣ କରି, ରାଜରକ୍ତ ଦେହରେ ବହନ କରି ନିଜ ଇଚ୍ଛା ଅନୁସାରେ ଭଲପାଇ ବସିବା କ’ଣ ଭୁଲ୍‍ ?

 

ଆଜି ସରଳା ସହିତ ଦେଖା ନହୋଇଥିଲେ ଜୀବନରେ ତାଙ୍କର ଯେ କି ବ୍ୟତିକ୍ରମ ଘଟିଥାନ୍ତା, କିଏ କହିପାରିବ ? ମା’ କହୁଛନ୍ତି ରାଜଶ୍ରୀଙ୍କୁ ବିବାହ କରିବା ପାଇଁ । ତାଙ୍କର ଧନ ଅଛି, ସମ୍ପଦ ଅଛି, ମାନସମ୍ମାନ ଓ ସୌନ୍ଦର୍ଯ୍ୟ ସବୁ କିଛି ଅଛି । କିନ୍ତୁ ପ୍ରଥମରୁ ଯାହାକୁ ହୃଦୟଭରା ନିଜର ପ୍ରେମପାତ୍ର ଅର୍ପଣ କରିଛନ୍ତି, ତାଙ୍କୁ କ’ଣ କେବେ ଉପେକ୍ଷା କରିପାରିବେ ? ଏଣେ ଧନ, ସମ୍ପଦ, ରାଜବଂଶର ଅକ୍ଷୟ ଯଶ – ତେଣେ ଦୀନହୀନ ଶାନ୍ତ ସ୍ନିଗ୍ଧ ପରଶ । କାହାକୁ ବାଛି ନେବେ ସେ ନିଜର ଜୀବନସଙ୍ଗିନୀରୂପେ । ରାଜଶ୍ରୀ ଚେଷ୍ଟା କରୁଛନ୍ତି ତାଙ୍କର ଧନସମ୍ପଦ ସୌନ୍ଦର୍ଯ୍ୟରେ ଆକୃଷ୍ଟ କରିବାପାଇଁ । ତେଣେ ସରଳା ମାଡ଼ିବସିଛି ତାଙ୍କ ହୃଦୟର ସମସ୍ତ ଆସ୍ଥାନ ନିଜର ପବିତ୍ର ନିର୍ମଳ ବ୍ୟକ୍ତିତ୍ୱ ବଳରେ । ଭାବି ବି ପାରୁନାହାନ୍ତି ଯୁବରାଜ ।

 

ମନ ଭିତରେ ଛପି ରହିଥିବା ସ୍ମୃତିକୁ ଓଲଟେଇ ଯିବାକୁ ଲାଗିଲେ ରାଜକୁମାର । ଆଖି ଅଗରେ ନାଚିଗଲା ସରଳାର ଚିଠି ଖଣ୍ଡିକ । ସେଇ ପ୍ରଥମ ଆଉ ଶେଷ । ଗାଁରୁ ଲେଖିଥିଲା ସେ ସେଇ ଚିଠିଟି ଯାହାକି ତାଙ୍କ ମନରେ ଜାଗ୍ରତ କରିଥିଲା ସରଳାକୁ ପାଇବାର ଆଶା । ଆଜିପର୍ଯ୍ୟନ୍ତ ହରେଇ ନାହାନ୍ତି ମନର ଦମ୍ଭ । ଏଇ ସରଳା କେଡ଼େ କଠୋର ରୁକ୍ଷ ବ୍ୟବହାର କରିଛି ତାଙ୍କପ୍ରତି ! ଦିନଟିଏ ହୃଦୟ ଖୋଲି ପଦଟିଏ କଥା ବି ତା ମୁହଁରୁ ବାହାରିନି । କେତେ ଆଶା ନେଇ ଦଉଡ଼ିଯାଆନ୍ତି ସେ ତା’ ପାଖକୁ, ପଦେ ମିଠାକଥାର ଟିକିଏ ପରଶ ପାଇବା ପାଇଁ, କିନ୍ତୁ ଫେରନ୍ତି ଭଙ୍ଗା ମନରେ । ନିଜକୁ ବାରମ୍ବାର ପଚାରିଛନ୍ତି – କାହିଁକି ସରଳାର ଏପରି ରୁକ୍ଷ ବ୍ୟବହାର ତାଙ୍କପ୍ରତି ? କିଛି ଉତ୍ତର ପାଇ ପାରି ନାହାନ୍ତି । ତା ସହିତ ମିଳାମିଶା କରି ତା’ର ମନର କଥା ଟିକକ ଟିକିନିଖି କରି ଜାଣିବାକୁ ଚେଷ୍ଟା କରିଛନ୍ତି । ସେଇଥିରୁ ଯାହା ସେ ପାଇଛନ୍ତି, ତାଙ୍କର ମନ ବଳେ ବଳେ ତାଙ୍କର ମନ ବଳେ ବଳେ ତା ପ୍ରତି ଆକୃଷ୍ଟ ହେଇଯାଇଛି ।

 

ମନରେ କ’ଣ ଭାବିଲେ କେଜାଣି, ସଙ୍ଗେ ସଙ୍ଗେ ନରହରି ବାବୁଙ୍କ ପାଖକୁ ବାହାରି ଆସିଲେ । ବର୍ତ୍ତମାନ ତାଙ୍କରି ଉପଦେଶ ହିଁ ଏକମାତ୍ର ଭରସା । ପିଲାଦିନୁ ସେ ତାଙ୍କର ଖେଳସାଥି, ଯୁବକ ସମୟରେ ପ୍ରିୟବନ୍ଧୁ ଏବଂ ବର୍ତ୍ତମାନ ପିତାମହଙ୍କର ସ୍ଥାନ ମାଡ଼ି ବସିରହିଛନ୍ତି ସେ ।

 

ସେଇ ଆଶା ନେଇ ଉପଦେଶ ପାଇବା ଆଶାରେ ଆତୁର ହେଇ ଧାଇଁଆସିଛନ୍ତି ନରହରିବାବୁଙ୍କ ଘରକୁ । ବିକ୍ରମପୁର ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ କେଉଁଦିନ ଭୁଲ୍‍ରେ ସୁଦ୍ଧା ରାଜକୁମାର ଆସିନାହାନ୍ତି ଏଇ ପଶ୍ଚିମପାଖ କୋଠାକୁ । ଆଜି ସେ ଅଚାନକ ଭାବେ ନଜଣେଇ ନଶୁଣେଇ ଆସିଛନ୍ତି । ଏହା ଦେଖି ପ୍ରଥମେ ନରହରିବାବୁ ଟିକିଏ ଶଙ୍କିଗଲେ । ତା’ପରେ ପଲଙ୍କ ଉପରୁ ଉଠିଆସି ‘ଆସନ୍ତୁ ଆସନ୍ତୁ’ କହି ହାତ ଧରି ନେଇ ପଲଙ୍କ ଉପରେ ବସେଇଦେଲେ । ରାଜକୁମାର ଘରଟିର ଚାରିଆଡ଼େ ଥରେ ଆଖି ବୁଲେଇଆଣି କହିଲେ, ‘‘ଦୁଇବର୍ଷ ତଳେ ଯେଉଁ ଝିଅଟିର ଫଟୋ ଆପଣ ଦେଖିଥିଲେ, ତା’ର ଦେଖା ମୁଁ ପାଇଛି ।’’ ବୁଝିପାରିଲେ ନରହରିବାବୁ ସରଳାର କାନ୍ଦିବାର କାରଣଟା । ଆଜିପର୍ଯ୍ୟନ୍ତ ସେଇ ଫଟୋ ଦେଖିବା ଦିନଠାରୁ ଯେଉଁ କଥା ଲୁଚେଇ ରଖିଥିଲେ ରାଜକୁମାରଙ୍କ ପାଖରେ ଶେଷରେ ରାଜକୁମାର ଜାଣିପାରିଛନ୍ତି । କହିଲେ, ‘‘ମୁଁ ଜାଣେ ରାଜକୁମାର !’’

 

‘‘ତେବେ ମତେ ଆପଣ କାହିଁକି ଆଜି ପର୍ଯ୍ୟନ୍ତ କହି ନଥିଲେ ? କି ଅପରାଧ ମୁଁ କରିଥିଲି ଶୁଣେ ?’’ –ବାଷ୍ପାକୁଳ କଣ୍ଠରେ କହିଲେ ରାଜକୁମାର । ତାଙ୍କର ଆଖିପତା ଆର୍ଦ୍ର ହୋଇଆସିଲା ।

 

‘‘ଭୁଲ୍‍ ବୁଝୁଛ ରାଜକୁମାର । ଗୋଟିଏ ନିରୀହ ଜୀବନକୁ କଷ୍ଟ ଦେବିନି ଦେବିନି ବୋଲି କହିନଥିଲି । ଭାବିଥିଲି, ଦିନେ ନା ଦିନେ ଆପେ ଆପେ ଦୁଇଜଣ ଯାକ ପରସ୍ପରକୁ ଚିହ୍ନିବେ । ସେତେବେଳକୁ ମୁଁ ଥିବି କି ନାହିଁ କିଏ ଜାଣେ ? କିନ୍ତୁ ଦେଖୁଛି–ମନର କଥା ମନରେ ହିଁ ରହିଲା-। ନିୟତିର ଇଙ୍ଗିତ ଅନ୍ୟ ରକମ । ମତେ ହିଁ ସବୁ ଦେଖିବାକୁ ହେଲା । ନିଜର ଭୁଲ୍‍ ପରିଚୟ ଦେଇ ଝିଅଟି ମନରେ ଏ ପ୍ରକାର ଭାବନା ସୃଷ୍ଟି କଲ କାହିଁକି ? ଏ କ’ଣ ତୁମର ଅନ୍ୟାୟ ନୁହେଁ ? ଝିଅଟି ପ୍ରତି ପ୍ରତାରଣା କରିନ ତୁମେ ?’’

 

କିଛି ସମୟ ରହି ପୁଣି କହିଲେ, ‘‘ଦେଖ, ତା’ର ଅବସ୍ଥା ବର୍ତ୍ତମାନ ଦେଖିନିଅ । ନିରୀହା ଝିଅଟିର ଜୀବନକୁ ନେଇ କାହିଁକି ଏମିତି ଖେଳିବସିଲ ?’’ ରାଜକୁମାର ନୀରବରେ ନରହରିବାବୁଙ୍କର ସମସ୍ତ କଥା ଶୁଣୁଥିଲେ । ଇତସ୍ତତଃ ହେଇ କହିଲେ, ‘‘ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଦୌଡ଼ିଆସିଛି ଆପଣଙ୍କଠାରୁ ଉପଦେଶ ନେବାପାଇଁ । ଭୁଲ୍‍ ବୁଝନ୍ତୁନି ମତେ । ସରଳା ବ୍ୟତୀତ ମୁଁ ଅନ୍ୟ କାହାରିକୁ ବିବାହ କରିପାରିବିନି । ସେ କଥା ମୁଁ ପରିଷ୍କାର ରୂପେ କହିଦେଇଛି ।’’

ରାକଜୁମାରଙ୍କୁ ନିରେଖି ଚାହିଁଲେ ନରହରିବାବୁ । ଜାଣିବାକୁ ଚେଷ୍ଟା କଲେ ରାଜକୁମାର ମିଛ କହୁନାହାନ୍ତି ତ ? ଯେତେହେଲେ ରାଜରକ୍ତ ଦେହରେ ପ୍ରବାହିତ । ‘‘କିନ୍ତୁ ଆପଣଙ୍କର ମା ଯେ ରାଜଶ୍ରୀଙ୍କ ସହିତ ବିବାହ ସ୍ଥିର କରିଦେଇଛନ୍ତି ।’’

‘‘ହଁ, ଏଇ ଘଣ୍ଟାକ ତଳେ ମତେ ଡାକି ସବୁ କଥା ବୁଝେଇ କହୁଥିଲେ । ମୁଁ ପରିଷ୍କାର ମନାକରିଦେଲି । ମୋ ଉପରେ ଖୁବ୍ ରାଗିଯାଇଛନ୍ତି । ମୁଁ ଯଦି ରାଜଶ୍ରୀଙ୍କୁ ବିବାହ ନକରି ଅନ୍ୟ କାହାରିକୁ ବିବାହ କରେ, ତେବେ ବାବା ଯେଉଁ ଉଇଲ୍ ଲେଖିଯାଇଛନ୍ତି, ସେ ଉଇଲ୍ କୁ କାର୍ଯ୍ୟକାରୀ କରିବେ । ମୋତେ ତ୍ୟାଜ୍ୟ ପୁତ୍ର କରିବେ । ମୋର ରାଜସମ୍ପତ୍ତି ଦରକାର ନାହିଁ । ସରଳାର ଦେଖା ପାଇଲିଣି, ‘‘ଏଥର ଆଉ ଭୟ ନାହିଁ । ଚାଲିଯିବ ଉଆସରୁ ।’’

‘‘ଏ ସବୁ ବାଜେକଥାଗୁଡ଼େ ମନରେ ପୂରେଇଛ କାହିଁକି ?’’

‘‘ନା, ନା, ନରହରିବାବୁ ! ମାଙ୍କର ଏକାଜିଦ୍ ମତେ ରାଜଶ୍ରୀଙ୍କ ସହିତ ବିବାହ କରାଇବେ । ଯଦି ମୁଁ ମନାକରେ ତେବେ ମୁଁ ହେବି ତ୍ୟାଜ୍ୟପୁତ୍ର ।’’

‘‘ଥାଉ ସେ କଥା, ଥାଉ ବର୍ତ୍ତମାନ । ତୁମେ ଏଠୁ ଶୀଘ୍ର ଚାଲିଯାଅ । ଏଠି ତୁମେ ରହିବା ଅନୁଚିତ । ବୁଝିପାରୁଚ ?’’

ମୁଣ୍ଡ ହଲେଇ ସମ୍ମତି ପ୍ରଦାନ କଲେ, କିନ୍ତୁ ଆଖି ଘୂରୁଥିଲା ଚାରିଆଡ଼େ – କାଳେ କେଉଁଠି ସରଳା ସହିତ ଦେଖା ହୋଇଯାଇପାରେ; କିନ୍ତୁ ଦେଖାହେଇପାରିନି । ନିରାଶରେ ରାଜକୁମାର ତରତର ହେଇ ଫେରିଆସିଲେ ସେଠାରୁ ।

ରାଜକୁମାରଙ୍କର ଯିବାପଥକୁ ଚାହିଁରହିଲେ ନରହରିବାବୁ । ମନ ଓ ମୁଣ୍ଡ ଉଭୟ ଭାରାକ୍ରାନ୍ତ । ସରଳାକୁ ଏଥିରୁ ମୁକ୍ତ ହେବାର ଉପାୟ କିଏ ବତେଇଦେବ ?

ଅନଙ୍ଗମଞ୍ଜରୀ ଏହା ଭିତରେ ଚାଲିଗଲେଣି କଟକ । ଯିବା ପୂର୍ବରୁ ରାଜକୁମାରଙ୍କୁ ଡକେଇ ପୁଣି ସେଇ ପ୍ରଶ୍ନ ପଚାରିଥିଲେ–‘‘ମୁଁ ଆଜି ଚାଲିଯାଉଛି । ଏହି ପନ୍ଦରଦିନ ଭିତରେ ଯେପରି ତୁମର ମତାମତ ଠିକ୍ କରି ନେଇଥିବ । ଯଦି ପାର ତେବେ ଚିଠିଦ୍ୱାରା ବି ଜଣେଇଦେବ-।’’ ମଦନମୋହନ କୌଣସି ଉତ୍ତର ଦେଇ ନଥିଲେ, ନୀରବରେ ଘରୁ ବାହାରିଆସିଥିଲେ ବାହାରକୁ । ମନେ ମନେ ଭାବିଥିଲେ ଯାହା ଥରେ କହିଛନ୍ତି ତାହା ତାଙ୍କର ଶେଷ କଥା; କିନ୍ତୁ ପ୍ରକାଶ୍ୟରେ କିଛି ରାଣୀମା’ଙ୍କୁ କହି ନଥିଲେ ।

ରାଣୀମା’ ଉଆସରୁ ଯିବା ଆଜିକୁ ଚାରିଦିନ ହେଇଗଲାଣି । ରାଜକୁମାର ମଦନମୋହନଙ୍କ ସହିତ ସରଳାର ସମୟେ ସମୟେ ଦେଖାହୁଏ ଅଫିସ୍‌ ରୁମ୍‌ରେ, କିମ୍ବା ନରହରିବାବୁ ରହୁଥିବା ପଶ୍ଚିମପାଖ କୋଠାରେ । ପାଖରେ ସତୀ – ସେଥିପାଇଁ ସେ ସରଳା ସହିତ କିଛି କଥାବାର୍ତ୍ତା ଭଲଭାବରେ କରିପାରିନାହାନ୍ତି । ସେ ବି ପୂର୍ବପରି ନିଜକୁ ରାଜକୁମାରଙ୍କଠାରୁ ଦୂରେଇ ରଖିଛି । ରାଜକୁମାରଙ୍କୁ ଦେଖିଲେ ଆଉ କାନ୍ଦିଉଠୁନି କିମ୍ବା ଜ୍ଞାନଶୂନ୍ୟ ହେଇ ନୀରବ ନିଶ୍ଚଳଭାବେ ବସୁନି । କେବଳ ଆଖି ଫେରାଇନେଉଛି ରାଜକୁମାରଙ୍କ ପାଖରୁ । ହୃଦୟର ଅନ୍ତରତମ ପ୍ରଦେଶରୁ ବାହାରି ଆସୁଛି ହତାଶା । ରାଜକୁମାର ଭାବୁଛନ୍ତି, ଅନୁଭବ କରୁଛନ୍ତି ନିଜର ଭୁଲ୍‍ । ପରିଚୟ ନଦେଇ ମସ୍ତବଡ଼ ଭୁଲ୍‍କରି ବସିଛନ୍ତି ସେ । ଅଭିମାନିନୀର ଅଭିମାନ ଯେପରି ବଢ଼ି ଉଠୁଛି ସେଥିପାଇଁ । ଯାହାହେଉ, ରାଜକୁମାର ବର୍ତ୍ତମାନ ମନର ସମସ୍ତ ଗ୍ଳାନି ଓ ଅବସାଦ ପୋଛିବାକୁ ଚେଷ୍ଟା କରୁଛନ୍ତି । ଯାହାପାଇଁ ଏତେ ଭାବନା, ଏତେ ଚିନ୍ତା ସେ ତ ଅତି ପାଖରେ । କିନ୍ତୁ ନିଜ ଉଆସରେ ଥାଇ ବି ସ୍ୱାଧୀନଭାବେ ସରଳା ସହିତ ଦେଖାସାକ୍ଷାତ ହେଇପାରୁନି–ସେତିକି ହିଁ ତାଙ୍କର ଦୁଃଖ ।

ସନ୍ଧ୍ୟା କ୍ରମେ ଘନେଇ ଆସୁଛି ଦୂର ପାହାଡ଼ ଉପରୁ । ରକ୍ତରଞ୍ଜିତ ପଶ୍ଚିମାକାଶରେ କ୍ରମେ କ୍ରମେ ନିଭି ଆସୁଛି ଦିନମଣିର ଶେଷ ରେଖା । ଆକାଶରେ ଦେଖାଦେଲେଣି ଦୁଇ ଚାରୋଟି ଉଜ୍ଜ୍ୱଳ ତାରକା – ରଜନୀରାଣୀଙ୍କୁ ଅଭିନନ୍ଦନ କରିବାପାଇଁ । ରାଜକୁମାରଙ୍କର ମନ ଅଥୟ ହେଇ ଉଠୁଛି । ଆଜି ସରଳା ସହିତ କଥାବାର୍ତ୍ତା ହୋଇପାରିବ ବୋଲି କହିଛନ୍ତି ସେ ତାକୁ । ତେଣୁ ମନ ଚଞ୍ଚଳ, ଅସ୍ଥିର । ଆବେଗରେ ଦେହରେ ସ୍ୱେଦବିନ୍ଦୁ ଦେଖାଗଲାଣି । ଉଠି ଠିଆହେଲେ ଯିବାପାଇଁ । ହାତରେ ବୃନ୍ତଚ୍ୟୁତ ସଜ ଗୋଲାପଫୁଲ ଦୁଇଟି । ଆଗ୍ରହ ସହକାରେ ସରଳାର ସର୍ପିଳ ବେଣୀରେ ଖୋସି ଦେବେ । ଏହା ହିଁ ହେବ ପ୍ରଥମ ପ୍ରେମର ପ୍ରଥମ ନିବେଦନ ।

ଆଗକୁ ପାଦ ପକେଇବାକ୍ଷଣି ଆଖି ପଡ଼ିଗଲା ସାମନା ଦୂଆରରପରଦା ଉପରେ । ଚମକି ଠିଆହେଇଗଲେ ସେ । ଆଗରେ ନୀଳ ପରଦାକୁ ଗୋଟିଏ ହାତରେ ତୋଳିଧରି ଠିଆହେଇଛନ୍ତି ରାଜଶ୍ରୀ । ଦେଖୁଛନ୍ତି ରାଜକୁମାରଙ୍କର ଅନ୍ୟମନସ୍କତା, ବେଶ ପୋଷାକର ପରିବର୍ତ୍ତନ । ହାତରେ ଗୋଲାପଫୁଲ । ଏ କ’ଣ ? କେଉଁଦିନ ହେଲେତ ରାଜକୁମାରଙ୍କୁ ଏପରି ଅବସ୍ଥାରେ ଦେଖି ନାହାନ୍ତି ? ସବୁବେଳେ ବ୍ୟସ୍ତ, ଅସ୍ଥିର, ଖାଲି କାମ ଆଉ କାମ–ସତେ ଯେମିତି କାମ ତାଙ୍କର ଅନ୍ତରଙ୍ଗ ବନ୍ଧୁ । କିନ୍ତୁ ଆଜି ଦେଖୁଛନ୍ତି କ’ଣ ? ହାତରେ ଘଡ଼ି, ଅନାମିକାରେ ହୀରାର ମୁଦି, ମୁହଁ ପ୍ରସନ୍ନ – ସତେ ଯେମିତି ପୂର୍ବର କ୍ଳାନ୍ତି କଟିଯାଇଛି । ମନର କଳା– ବଉଦ ମୁହଁ ଉପରୁ ଘୁଞ୍ଚିଯାଇଛି । କିନ୍ତୁ ଆଜି ଏ ବେଶବିନ୍ୟାସ କାହାପାଇଁ ? ହାତରେ ସଦ୍ୟ ପ୍ରସ୍ଫୁଟିତ ଫୁଲ – କିନ୍ତୁ କାହାପାଇଁ ଏ ଅଭିସାର ? ତା’ ପାଇଁ ନୁହେ ତ ? ତାହାହେଲେ ତା’ର ଏତେଦିନର ସାଧନା କ’ଣ ସଫଳ ହେବାକୁ ଯାଉଛି ?

ଉଭୟେ ଉଭୟଙ୍କୁ ଚାହିଁ ରହିଛନ୍ତି । କିନ୍ତୁ ମୁହଁରୁ କାହାରି କଥା ବାହାରୁନି । ଦୁହେଁ ନିଜ ନିଜ ଭାବନାରେହିଁ ବ୍ୟସ୍ତ । (ଶେଷରେ ଶୁଖି ଆସୁଥିବା ଗଳାକୁ ସଫାକରି ରାଜକୁମାର କହିଲେ–ମୋ ପାଖରେ କ’ଣ କିଛି କାମଥିଲା ରାଜକୁମାରୀ ?

ରାଜଶ୍ରୀଙ୍କର ତନ୍ଦ୍ରା ଅପସରିଗଲା । ଚମକି ଉଠିଲେ । ସେ ଅଭିମାନିଆ ସ୍ୱରରେ କହିଲେ, ‘‘ଆପଣଙ୍କ ପାଖରେ ତ କାମ ନଥିଲା ତେବେ ଆସିଲି କାହିଁକି ?’’

ଲକ୍ଷହରା

‘‘କୁହ ତେବେ କି କାମ ଅଛି ମୋ ପାଖରେ । ମୁଁ ଟିକିଏ ବାହାରକୁ ଯିବି, ପ୍ରୟୋଜନ ଅଛି ।’’

‘‘ଆପଣ ଯଦି ଯିବାକୁ ଚାହୁଁଛନ୍ତି ମୁଁ କ’ଣ ମନା କରୁଛି ଯିବାପାଇଁ ? ଏକା ଏକା ମୋତେ ଭଲ ଲାଗିଲାନି, ସେଥିପାଇଁ ଏଠାକୁ ଟିକିଏ ଚାଲିଆସିଲି ଗପସପ କରି ମନଟାକୁ ଲାଘବ କରିବା ପାଇଁ; କିନ୍ତୁ ଦେଖୁଛି ଆସି ଭୁଲ୍‍କରିଛି ।’’

 

‘‘କାହିଁକି ? ଉଆସରେ କ’ଣ ଲୋକର ଅଭାବ ଅଛନ୍ତି ଗପସପ କରି ସମୟଟା କଟେଇଦେବାପାଇଁ ?’’

 

‘‘ଲୋକର ଅଭାବ କାହିଁକି ହେବ – ମନର ହିଁ ଅଭାବ ।’’

 

ରାଜକୁମାର ଏ ପଦକ ନଶୁଣିଲା ପରି ଯାଇ ଚୌକିଉପରେ ବସିପଡ଼ିଲେ । ରାଜଶ୍ରୀ ବି ଯାଇ ପାଖକୁ ଲାଗି ଠିଆହେଲେ ।

 

କିଛି ସମୟ ନୀରବତା ପରେ ରାଜଶ୍ରୀ ପଚାରିଲେ – ମୋ ଉପରେ କ’ଣ ରାଗିଛନ୍ତି ରାଜକୁମାର ?

 

‘‘ନା ରାଗିବି କାହିଁକି ? କିନ୍ତୁ–’’

 

‘‘କିନ୍ତୁ ମାନେ କ’ଣ ? ଏଥିରୁ ଜଣାପଡ଼ୁଛି ଆପଣ ମୋ ଉପରେ ନିଶ୍ଚୟ ରାଗିଛନ୍ତି । ଆଶାକରେ, ଯଦି ରାଗିଥାନ୍ତି ତେବେ କ୍ଷମାକରିବେ ।’’ ମନେ ମନେ ହସୁଛନ୍ତି ରାଜଶ୍ରୀ । ଝରକା ପାଖକୁ ଉଠିଯାଇ ମୁକ୍ତ ଆକାଶକୁ ଅନାଇ ରହିଲେ । ତମିସ୍ରାର ତମିସ୍ର ପରିବର୍ତ୍ତେ ସାରା ସଂସାର ବକ୍ଷରେ ଲହରୀ ଖେଳୁଛି ରୂପେଲି ଚାନ୍ଦର ରଜତ କିରଣ । ମୁହଁ ଫେରେଇଲେ ରାଜଶ୍ରୀ । ରାଜକୁମାର ଚାହିଁରହିଛନ୍ତି ହାତରେ ଧରିଥିବା ଫୁଲ ଦୁଇଟିକୁ । ରାଜଶ୍ରୀ କ’ଣ ଭାବିଲେ କେଜାଣି, ରାଜକୁମାରଙ୍କ ପାଖକୁ ଲାଗି ଠିଆ ହୋଇ ରହିଲେ ଏବଂ ଫୁଲ ଦୁଇଟିକୁ ଛଡ଼େଇ ଆଣିଲେ ତାଙ୍କ ହାତରୁ । ହସି ହସି କହିଲେ – ଫୁଲ ଦିଟାକୁ ଚାହିଁ ଏତେ କ’ଣ ଭାବୁଛନ୍ତି ରାଜକୁମାର ? କବିତା ଲେଖିବେ ନା କ’ଣ ?

 

‘‘କବି ହେବାକୁ ଯୋଗ୍ୟ ମୁଁ ନୁହେଁ ରାଜକୁମାରୀ ! ଫୁଲ ଦିଟା ଦେଇଦିଅ ମତେ । ତୁମେ ଜାଣ, ଗୋଲାପ ମୋର ଅତି ପ୍ରିୟ ।’’

 

ଘନ ବେଣି ଦୁଇଟାକୁ ଦେଖେଇ ରାଜଶ୍ରୀ କହିଲେ–‘‘ଫୁଲ ଦିଟା ଏଠି କ’ଣ ଶୋଭାପାଇବନି ? ନିଅନ୍ତୁ, ଆଉ ଏଇ ବେଣି ଦୁଇଟିରେ ଖୋସିଦିଅନ୍ତୁ ।’’ ରାଜକୁମାରଙ୍କ ହାତକୁ ଫୁଲଦିଟା ବଢ଼େଇଦେଲେ ରାଜଶ୍ରୀ । ରାଜକୁମାରଙ୍କର ଭାବନାର ଖିଅ ଛିଣ୍ଡିଗଲା । ଫୁଲଦିଟା କେତେ ଆଗ୍ରହ ସହକାରେ ତୋଳି ଆଣିଥିଲେ ସରଳାର ଘନ କୁନ୍ତଳରେ ଖୋସିଦେବା ପାଇଁ; କିନ୍ତୁ ଏ କ’ଣ ? ରାଜକୁମାରୀ ରାଜଶ୍ରୀ ତାଙ୍କୁ ପ୍ରତି ପଦକ୍ଷେପରେ ଅସୁବିଧାର ସମ୍ମୁଖୀନ କରାଉଅଛନ୍ତି । ରାଜଶ୍ରୀ ରାଜକୁମାରଙ୍କ ଆଡ଼କୁ ପିଠି କରି ବେଣି ଦୁଇଟା ଦେଖେଇ କହିଲେ, ‘‘ଦିଅନ୍ତୁ ନା ରାଜକୁମାର, ଫୁଲଦିଟା ଖୋସି ଦିଅନ୍ତୁ । ଆଉ ଭାବୁଛନ୍ତି କ’ଣ ?’’

 

‘‘ଭାବିବି କ’ଣ, ନିଅ ! ନିଜେ ଖୋସିନିଅ ।’’

 

‘‘ନା ନା, ତା ହେବନି । ଆପଣ ଖୋସିଦିଅନ୍ତୁ । ଏଇ ସାମାନ୍ୟ ଅନୁରୋଧ ଟିକକ ରଖିବେନି ମୋର ?’’ ନୂଆ ଡ଼ିଜାଇନର ବ୍ଳାଉଜ ପିନ୍ଧିଛନ୍ତି ରାଜଶ୍ରୀ । ପଛପାଖରୁ ମାତ୍ର ଅର୍ଦ୍ଧେକ ଦାମୀ କଳା ସିଲ୍‌କର ବ୍ଳାଉଜ ଘୋଡ଼େଇ ରଖିଛି । ଆଉ ବାକି ଅର୍ଦ୍ଧେକ ଗୋରା ତକ୍ ତକ୍ କେତକୀ ଫୁଲର ପାଖୁଡ଼ା ପରି ଦେଖାଯାଉଛି । ତାରି ଉପର ଦେଇ ଦୁଇଟି କଳା ବେଣି ଲମ୍ବିଯାଇଛି ପିଠି ଉପରେ । ବେକରେ ଧଳା ଦାମୀ ପଥରର ହାର ଝଟକୁଛି । ଅତି ନରମ ଉଷ୍ମ ସେ ପରଶ । ରାଜକୁମାର ଭାବବିହ୍ୱଳ ହେଇ ଫୁଲଦିଟା ଖୋସିଦେଇ ତରତର ହୋଇ ଅସ୍ଥିର ଭାବରେ ଘରୁ ଝଡ଼ପରି ବାହାରିଗଲେ । ରାଜଶ୍ରୀ ଥକ୍‌କାହେଇ ଠିଆହେଇଗଲେ କିଛିକ୍ଷଣ । ଭାବୁଥିଲେ–ରାଜକୁମାର ତାଙ୍କର କଥା ରକ୍ଷାକରିଛନ୍ତି, ରାଜକୁମାର ତାଙ୍କୁ ଭଲ ପାଉଛନ୍ତି ବୋଧହୁଏ ! କିନ୍ତୁ କାହିଁ ? ରାଜକୁମାରଙ୍କ ଅନୁପସ୍ଥିତ ହିଁ ମନରୁ ସେ ଆଶା ଦୂର କରିଦେଲା । ନିଜକୁ ଅପମାନିତ ମନେକଲେ ରାଜଶ୍ରୀ ।

 

ମନଦୁଃଖରେ ରାଜକୁମାରଙ୍କ ପଲଙ୍କ ଉପରେ ସେ ବସି ପଡ଼ିଲେ । ରାଗରେ ଏବଂ ଅଭିମାନରେ ନାକ ପୁଡ଼ା ଫୁଲିଉଠିଲା । କପାଳରେ ଦେଖାଗଲା ସ୍ୱେଦବିନ୍ଦୁ । ଆଖି ହେଲା ଛଳ ଛଳ । ମୁଣ୍ଡରେ ଖୋସାହୋଇଥିବା ଫୁଲଦିଟାକୁ ଭିଡ଼ିଆଣି ରାଗରେ ତଳେ ପକେଇଦେଲେ ଟିକି ଟିକି କରି । ଝରକା ଦେଇ ବାହାରକୁ ଚାହିଁ ରହିଲେ । ଉପେକ୍ଷା, ଅପମାନ କେତେ ସହିବେ ସେ ? ନା, ଆଉ ରହିହେବନି ଏଠି । ଏତେ ଅପମାନ ଆଉ ସହିହେବନି । କ’ଣ ବା ଅଭାବ ତାଙ୍କର ? ଅଲିଅଳ ରାଜଜେମା ସେ । ସୁନ୍ଦରୀ, ଶିକ୍ଷିତା, କୋଟିପତିଙ୍କର ଏକମାତ୍ର କନ୍ୟା । କେତେ ରାଜକୁମାର ତାଙ୍କୁ ନିଜର କରିନେବାକୁ ଚାହିଁବସିଛନ୍ତି । କିନ୍ତୁ ଏତେ ଅପମାନ ଉପେକ୍ଷା ସହି ବି ପଡ଼ିରହିଛନ୍ତି ଏଠି ସେ ଦୁଇବର୍ଷ ହେଲା । ରାଣୀମା’ଙ୍କର ସ୍ନେହସହାନୁଭୂତି, ଏଣେ ରାଜକୁମାର ମଦନମୋହନଙ୍କର ଦେବଦୁର୍ଲଭ ରୂପକାନ୍ତି ତାଙ୍କୁ ଅଟକେଇ ରଖିଚି ଏଠି । ଆଉ ନୁହେଁ । ବହୁତ ହେଲାଣି । ଚାଲିଯିବେ ସେ ଏଥର । ରାଣୀମା’ଙ୍କ ପାଖକୁ ଚିଠିଖଣ୍ଡେ ପକେଇଦେଲେ ଚଳିବ । ଏଠି ଆଉ ମୁହୂର୍ତ୍ତେ ବି ରହିବାକୁ ମନବଳୁନି । ଦେହ ଥରୁଛି ତାଙ୍କର ଅପମାନ ଏବଂ କ୍ଷୋଭରେ । ଆତ୍ମସମ୍ମାନରେ ତାଙ୍କର ଆଞ୍ଚ ଆସିଛି । ନିଜକୁ ସେ ଆଉ ଏତେ ଛୋଟ କରିପାରିବେନି । ପଲଙ୍କ ଉପରୁ ତକିଆଟିକୁ ଉଠେଇ ଆଣିଲେ ଆଉଜି ବସିବା ପାଇଁ ।

 

ତକିଆ ତଳେ ଛୋଟିଆ ଫଟୋଟିଏ, କୌଣସି ଝିଅର ଫଟୋ । ଆଶ୍ଚର୍ଯ୍ୟ ହୋଇ ଉଠେଇଆଣିଲେ ସେଟିକୁ । ଚିହ୍ନାପରି ମନେହେଉଛି । କେଉଁଠି ଦେଖିଛନ୍ତି ସେ–ଭାବିଲେ ରାଜଶ୍ରୀ-। ଓହୋ ! ମନେପଡ଼ିଗଲା–ଏଇ ଉଆସରେ ଅଛି ସେ ଝିଅଟି । ଅନେକଥର ଦେଖିଛନ୍ତି ସେ ତାକୁ-। ମାଧବିକା ଆଉ ରାଣୀମା’ଙ୍କ ମୁହଁରୁ ଅନେକଥର ଶୁଣିଛନ୍ତି ତା’ର ପ୍ରଶଂସା । ତା ସହିତ କେଉଁଦିନ ହେଲେ କଥାବାର୍ତ୍ତା କରିନାହାନ୍ତି ସେ । ଦେଖିବାକ୍ଷଣି ଘୃଣାରେ ମୁହଁ ବୁଲେଇ ନେଇଛନ୍ତି ଅନ୍ୟଦିଗକୁ । ତେବେ ରାଜକୁମାର ତା’ର ଏ ଫଟୋଟି କେଉଁଠାରୁ ଆଣିଲେ ଏବଂ କାହିଁକି-? ସନ୍ଦେହ ହେଲା । ନାରୀ ହୃଦୟ ତାଙ୍କର । ଭାବିଲେ–ରାଜକୁମାର ନିଶ୍ଚୟ ଏହାକୁ ଭଲପାଉଛନ୍ତି-। ଛି, ଛି ! ରାଜକୁମାରଙ୍କର ଏତେ ଛୋଟ ମନୋବୃତ୍ତି ! ସାମାନ୍ୟ ଗୋଟିଏ ଚାକରାଣୀକୁ ଭଲପାଉଛନ୍ତି ! ସେଇଥିପାଇଁ ତାଙ୍କର ସ୍ନେହ, ପ୍ରେମକୁ ଏତେ ଉପେକ୍ଷା କରି ଆସୁଛନ୍ତି ? ଯାହାର ଆଭିଜାତ୍ୟ ନାହିଁ, ତା ସହିତ ପୁଣି ପ୍ରେମ ପ୍ରଣୟ ! ରାଜରକ୍ତ ଦେହରେ ବହନକରି, ରାଜବଂଶରେ ଜନ୍ମଗ୍ରହଣ କରି ଛୋଟ ଇତର ଝିଅ ସହିତ ପ୍ରଣୟ ! ହସିଲେ ରାଜଶ୍ରୀ । ଜାଣିପାରିଲେ ରାଜକୁମାରଙ୍କର ତାଙ୍କ ପ୍ରତି ଏତେ ଉପେକ୍ଷା କାହିଁକି । ରାଗରେ ଓ ଅଭିମାନରେ ଥରିଉଠିଲେ ସେ-। ମନରେ ଜାଗିଲା ପ୍ରତିଶୋଧର ବହ୍ନି । ଏଇଥର ଦେଖିବେ ସେ ରାଜକୁମାରଙ୍କର ପ୍ରଣୟ କେତେଦୂର ଅଗ୍ରସର ହେବ । ରାଣୀମା’ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ହେବ-। ଉଚିତ ଶିକ୍ଷା ଦେବେ ସେ ରାଜକୁମାରଙ୍କୁ । ଏଥର ଲୁଚିଛପି ଦେଖିବେ ସମସ୍ତ ଅଭିସାର-। ଇଚ୍ଛାହେଲା–ଫଟୋଟିକି ଟିକି ଟିକି କରି ଚିରି ଦିଅନ୍ତେ । କିନ୍ତୁ ନା, ବହୁତ ସାହାଯ୍ୟ କରିବ ଏ ଫଟୋଟି ବ୍ଳାଉଜ ଭିତରେ ଲୁଚେଇ ରଖିଲେ ସେଟାକୁ । ତଳକୁ ଚାହିଁଲେ ଘରର ଚଟାଣରେ ବିଛା ଯାଇଥିବା ନୀଳରଙ୍ଗର ଗାଲିଚା ଉପରେ ଗୋଲାପଫୁଲର ପାଖୁଡ଼ାଗୁଡ଼ାକ ବୁଣିହେଇ ପଡ଼ିଛି-। ଭାବିଲେ– ଏଇ ଫୁଲଦିଟା ବୋଧହୁଏ ତାରି ପାଇଁ ନେଇ ଯାଉଥିଲେ ରାଜକୁମାର, କିନ୍ତୁ ତାଙ୍କର ବାଧ୍ୟବାଧକତାରେ ତାଙ୍କ ବେଣିରେ ଖୋସିଦେଇ ଚାଲିଗଲେ ଆଖିସାମନାରୁ । ରାଗରେ ଫୁଲର ପାଖୁଡ଼ାଗୁଡ଼ିକୁ ପାଦରେ ଦଳିଦେଲେ ରାଜଶ୍ରୀ । ତକିଆଟିକୁ ଯଥାସ୍ଥାନରେ ରଖିଦେଇ ଘରଭିତରୁ ବାହାରି ଆସିଲେ ବାହାରକୁ । ଅଧରରେ ଫୁଟିଉଠିଲା କୁଟିଳ ହସ, ସତେ ଯେମିତି ଏତେଦିନ ପରେ ତାଙ୍କ ମନୋରଥ ସାର୍ଥକ ହେବ !

 

X X X

 

‘‘ନା ନା, ରାଜକୁମାର ! ଆପଣ ରାଜପୁତ୍ର, ରାଜକୁଳର ସମ୍ମାନସ୍ପଦ, ରାଜବଂଶର ଗୌରବମଣି, ଆଉ ରାଜସମ୍ପଦର ଅଧିକାରୀ– କିନ୍ତୁ ମୁଁ –’’ ଚାହିଁଲା ସରଳାତାରକାଖଚିତ ନୀଳ ଆକାଶକୁ ଆଶାହୀନ ଚାହାଣୀ । ଚନ୍ଦ୍ରର ରୂପେଲି ଜ୍ୟୋତ୍ସ୍ନା ଝରିପଡ଼ିଛି ପୃଥିବୀ ବକ୍ଷରେ । ପାଦପାଖ କୁଣ୍ଡଟିର ପାଣି ଝିଲ୍‌ମିଲ୍ ହେଇଉଠୁଛି । କୁମୁଦିନୀ ଆକାଶକୁ ଚାହିଁ ଅଭିନନ୍ଦନ କରୁଛି ଚନ୍ଦ୍ରର ରୂପେଲି କିରଣମାଳାକୁ । ତା’ର ପ୍ରତି ଶିରାରେ ଅନୁଭବ କରୁଛି ତାରି ପରଶ । ସାଥିହରା ହରିଣୀଟିଏ ଆର୍ତ୍ତକାତର ସ୍ୱରରେ ରାବକରୁଛି । ତା’ର କରୁଣ ସ୍ୱର ପାହାଡ଼ର ନୀରବତା ଭଗ୍ନ କରୁଛି ।

 

ପାଖରେ ବସିଛନ୍ତି ମଦନମୋହନ । ପରଶ ନବାଜିଲେ ବି ମୃଦୁମନ୍ଦ ହିଲ୍ଲୋଳରେ ଉଭୟେ ଉଭୟଙ୍କର ସାନ୍ନିଧ୍ୟ ଉପଲବ୍ଧି କରିପାରୁଛନ୍ତି । ଦେହରେ ଜାଗ୍ରତ ହେଉଛି ଶିତ୍କାର । ଗୋଲାପଫୁଲର ମୃଦୁଗନ୍ଧ ଖେଳିବୁଲୁଛି ବଗିଚା ଭିତରେ । ସରଳାର ମୁହଁରେ ପୂରିରହିଛି ନିରାଶା । ରାଜକୁମାର ମଦନମୋହନଙ୍କର ଅନୁରୋଧରେ ସେ ଆସିଛି ଏଠାକୁ । ରାଜକୁମାର ଏ ଉଆସକୁ ଆସିବା ପରଠାରୁ ଆଉ ସେ ଆସିନି, ବଗିଚାଟା ଅତି ପାଖରେ ଥିଲେ ବି । ପଶ୍ଚିମପାଖ ଗୋଲାପଫୁଲରେ ବଗିଚା ଭିତରେ କୁଣ୍ଡକୁ ଲାଗି ଗୋଟିଏ ମାର୍ବଲ ପଥରରେ ତିଆରି ଚୌକି ଉପରେ ବସିଛନ୍ତି ଦୁହେଁ । ସରଳା ଭଙ୍ଗାସ୍ୱରରେ କେତେ କ’ଣ କହିଯାଉଛି । ରାଜକୁମାର ନୀରବରେ ସବୁ ଶୁଣିଯାଉଛନ୍ତି ।

 

‘‘ମୋର କ’ଣ ଅଛି ରାଜକୁମାର– ନା ବଂଶର ଆଭିଜାତ୍ୟ, ନା ସମ୍ମାନ । ନିରାଶ୍ରୟା ମୁଁ-। କାହିଁକି ଏତେ ବଡ଼ ଆଶା କରି ବସିବି ? ଆପଣଙ୍କୁ ଫେରିଯିବାକୁ ହେବ, ସବୁ ଭୁଲିଯିବାକୁ ହେବ-। ଆପଣଙ୍କର ମା ଯାହା କହୁଛନ୍ତି ତାହାହିଁ ଆପଣଙ୍କୁ ମାନିନେବାକୁ ହେବ । ରାଜଶ୍ରୀ ଆପଣଙ୍କର ଉପଯୁକ୍ତା, ପ୍ରକୃତ ସହଧର୍ମିଣୀ ହେବେ ।’’

 

‘‘ଏତେ ବୁଝେଇଲି, ଏତେକରି ଅନୁରୋଧ କଲି, ତେବେ ବି ତୁମର ସେଇ ଗୋଟିଏ କଥା ବାରମ୍ବାର ଶୁଣି ଦୁଃଖ ଲାଗୁଛି । ବୋଧହୁଏ ମୋ ଉପରୁ ଆଉରି ତୁମର ରାଗ କମିନି । ମଣିଷ ଭୁଲ୍‍ କରେ ଥରେ ବା ଦୁଇଥର । ତା’ପରେ ନିଜେ ନିଜେ, ଆପଣା ଛାଏଁ ନିଜର ଭୁଲ୍‍ଗୁଡ଼ାକୁ ସଜାଡ଼ି ବସେ । ପ୍ରଥମେ ଭୁଲ୍‍ ପରିଚୟ ଦେଇ ମୁଁ ବା ଏମିତି କେତେବଡ଼ ଭୁଲ୍‍ କରି ପକେଇଛ କହିଲ ? ଆଜିପର୍ଯ୍ୟନ୍ତ ସେଇ ଗୋଟିକ କଥା ଧରିବସି ଭୁଲ୍‍ ବୁଝୁଛ ମୋତେ । ତୁମକୁ ଭଲପାଇବାର ଫଳ କ’ଣ ଏଇୟା ?’’ କିଛି ସମୟ ନୀରବ ରହି ରାଜକୁମାର ପୁଣି କହିଲେ – ‘‘ତୁମେ ଚିଠିରେ ଲେଖିଥିଲ ନା–

 

In her first passion woman loves her lover,

In all the others all she loves is love.

 

–ସେଇ ପଦଟି ମୋର ମନରେ ଆଜିପର୍ଯ୍ୟନ୍ତ ସାଇତି ରଖିଛି

 

ମୋର ମନରେ ତୁମକୁ ପାଇବାର ଆଶା ଦେଇଛି ।’’

 

‘‘ଭୁଲ୍‍ କରିଛି ମୁଁ ରାଜକୁମାର ! ସେଇ ଦୁର୍ବଳତା ଟିକକ ଯଦି ପ୍ରକାଶ କରି ନଥାନ୍ତି ତେବେ ଆଜି ଆପଣ ଏତେଦୂର ଆଗେଇ ଆସିପାରି ନଥାନ୍ତେ । ଗଲା କଥା ଗଲାଣି । ସବୁ ଭୁଲିଯିବାକୁ ହେବ ରାଜକୁମାର ! କଳ୍ପନାର ବିଜୟବାବୁ ଯେ ବହୁତ ଦୂରରେ । ଆପଣ ତ ରାଜପୁତ୍ର, ରାଜକୁମାର । ବହୁତ ତଫାତ୍ ଦୁଇଜଣଙ୍କ ଭିତରେ ।’’

 

‘‘ପୁଣି ସେଇ ପୁରୁଣା କଥା ! ପୁରୁଣା ସ୍ମୃତିଗୁଡ଼ାକୁ ମନେପକେଇ ମତେ ଦୂରେଇଦେବ ବୋଲି ଭାବିଛ ? ତା’ କିନ୍ତୁ ଅସମ୍ଭବ । ନିଜର ମନକୁ ପଚାର ସରଳା, ନିଜର ହୃଦୟକୁ ପଚାର, ମୋ ପ୍ରତି ତୁମର କ’ଣ ଟିକିଏ ହେଲେ ମମତା ନାହିଁ ? ଆଉ ମୋର ଯଦି ତୁମ ପ୍ରତି ସ୍ନେହ ମମତା ନଥାନ୍ତା, ତେବେ ଏତେ ଖୋଜି ଖୋଜି ନପାଇ, ମୋରି ଉଆସ ଭିତରେ ତୁମକୁ ପାଇଥାଆନ୍ତି କିପରି ? ଏହା ଯେ ମୋର ସ୍ୱପ୍ନାତୀତ, କଳ୍ପନାତୀତ । ଭଗବାନଙ୍କର ଅସୀମ କରୁଣା ଆମପ୍ରତି । ଆମକୁ ଯେତେ ଦୂରେଇ ରଖିଲେ ମଧ୍ୟ, ପୁଣି ଅତି ନିକଟରେ ମିଳାଇ ଦେଉଛନ୍ତି ଅଯାଚିତ ଭାବରେ । ଆଉ ମୋଟେ ଅଳ୍ପଦିନ ରହିଲା; ମା ଆସିବେ ଉଆସକୁ । ମତେ ଭାବିବାକୁ ସମୟ ଦେଇଛନ୍ତି ଏ ବିବାହରେ ମତ ଦେବାକୁ । ଅଳ୍ପଦିନ ମୋଟେ ରହିବାକୁ ହେବ ଏଠି । ତା’ପରେ ଆମେ ଚାଲିଯିବା ବହୁତ ଦୂରକୁ । ଏ ରାଜସମ୍ପଦ, ଏ ସମ୍ମାନ ମୋର ଦରକାର ନାହିଁ । ମୋର ଯାହା ପାଇବାର କଥା ତାହା ପାଇସାରିଛି । ଆଉ ତୁମେ ମନା କରିପାରିବ ନାହିଁ ସରଳା । ଭଗବାନଙ୍କର ଇଚ୍ଛା ଏ– ନହେଲେ ତୁମ ସହିତ ପୁଣି ଥରେ କାହିଁକି ମୋତେ ସାକ୍ଷାତ କରେଇଥାଆନ୍ତେ ? ଏଥିରେ ନରହରି ବାବୁଙ୍କର ବି ପୂରା ଇଚ୍ଛା ଅଛି ।’’

 

ରାଜକୁମାର କିଛି ସମୟ କ’ଣ ଭାବି କହିଲେ, ‘‘ଏଥର ମତେ ତୁମେ ଆଉ ଠକି ପାରିବନି ସରଳା ! ଏଥର ମୋ ଆଖି ସାମନାରୁ କେଉଁଆଡ଼େ ହେଲେ ଯାଇପାରିବନି । ଯେଉଁଆଡ଼େ ଯିବ କାୟା ସଙ୍ଗେ ଛାୟାପରି ମୁଁ ତୁମ ପଛରେ ବୁଲୁଥିବି ତୁମକୁ ପାଇବା ପର୍ଯ୍ୟନ୍ତ ।’’

 

ସରଳା ମୂକ ହୋଇ ଶୁଣିଯାଉଛି ସବୁ । ନାରୀ ସେ; ନାରୀର ହୃଦୟ ନେଇ ଜନ୍ମଗ୍ରହଣ କରିଛି । ତା’ ମନରେ କ’ଣ ଦରଦ ନାହିଁ ? ଭଲପାଇବା କ’ଣ ଜାଣେନା ? ସମସ୍ତଙ୍କ ପରି ସେ କ’ଣ ଚାହେଁନା ସ୍ୱାମୀ ଆଉ ସଂସାର ? ତା’ର ହୃଦୟ କ’ଣ କହୁନି ରାଜକୁମାରଙ୍କୁ ବିବାହ କରିବା ପାଇଁ, ତେବେ କାହିଁକି, କାହିଁକି ସେ ଦୂରେଇ ରଖୁଛି ନିଜକୁ ? କାହିଁକି ସେ ମୁହଁଖୋଲି, ହୃଦୟ ଖୋଲି କହିପାରୁନି, ‘ମୁଁ ହୃଦୟଭରି ତୁମକୁ ଭଲପାଏ ରାଜକୁମାର–ତୁମେ ଭୁଲ୍‍ବୁଝନା ।’ ପୁଣି ଭାବୁଛି – ଆଜି ତା’ର ରୂପ ଅଛି, ଯୌବନ ଅଛି; ଯେତେବେଳେ ରୂପଯୌବନ ମଉଳିଯିବ ସେତେବେଳେ କ’ଣ ରାଜକୁମାର ତାକୁ ଆଉ ଭଲପାଇବେ ? ରାଜରକ୍ତ ତାଙ୍କର ପ୍ରତି ଶିରାପ୍ରଶିରାରେ ପ୍ରବାହିତ । ତାକୁ ଗୋଡ଼ରେ ଅଡ଼େଇ ଚାଲିଯିବେ ନୂତନ ଅଭିସାରରେ । ସେତେବେଳେ ସେ କାହାର ସ୍ନେହ ପ୍ରେମ ନେଇ ବଞ୍ଚିରହିବ ? ଆଖି ଆଗରୁ ତା’ର ଅପସରି ଯାଉଛି କେତେ ରଙ୍ଗର ଛାଇ । ସରଳା କାହାରିକୁ ଭଲଭାବରେ ଦେଖିପାରୁନି । ହାହୁତାଶମୟ ହୃଦୟରେ କାନ୍ଦିଉଠୁଛି ସରଳା । ମନେହେଉଛି ତା’ର ଜୀବନଟା ଯେମିତି ମୂଲ୍ୟହୀନ, ଶୂନ୍ୟ, ମହାଶୂନ୍ୟ ! ସେଇ ମହାଶୂନ୍ୟ ମଧ୍ୟରେ ତା’ର ହାହୁତାଶମୟ ଜୀବନଟା ଘୂରି ବୁଲୁଛି ଲକ୍ଷ୍ୟହୀନ ଭାବେ । କେତେବେଳେ ଯେ ଉଲ୍‌କା ପରି ସେଇ ମହାଶୂନ୍ୟ ଭିତରେ ଲୀନ ହେଇଯିବ କେହି ତା’ର ଖବର ପାଇବେନି ।

 

ସଙ୍ଗେ ସଙ୍ଗେ ସରଳା ମୁହଁ ଖୋଲିଲା । କଣ୍ଠରେ ବ୍ୟଥାର ରାଗିଣୀ ତୋଳି କହିଲା, ‘‘ରାଜକୁମାର ! ଆଜି ମୋର ଯୌବନ ଅଛି, ରୂପ ଅଛି । ଏଇ ନଶ୍ୱର ରୂପପାଇଁ ଆପଣଙ୍କର ମୋ ପ୍ରତି ଏ ବ୍ୟାକୁଳତା–ନୁହେଁ କି ? ଆପଣ ରାଜପୁତ୍ର ଆଉ ମୁଁ ଆଶ୍ରୟହୀନା ସାମାନ୍ୟ ଗୋଟିଏ ନାରୀ । ରାଜରକ୍ତ ଆପଣଙ୍କ ଦେହରେ ପ୍ରବାହିତ । ମୋର ଯୌବନରେ, ରୂପରେ ଆସକ୍ତ ହେଇ ମତେ ବିବାହ କରିବାକୁ ଏତେ ଲାଳାୟିତ । କିନ୍ତୁ ବିବାହ ପରେ ମୋର ସମସ୍ତ ରୂପ ନେଇ ଯଦି ମତେ ଅନ୍ତରରୁ ବିତାଡ଼ିତ କରନ୍ତି, ତେବେ ମୁଁ କାହାର ହେବି ? କାହାର ସ୍ନେହ ସହାନୁଭୂତି ପାଇ ବଞ୍ଚିରହିବି ? ତା’ପରେ ପୁଣି ଆପଣ ରାଜଶ୍ରୀଙ୍କୁ ବିବାହ ନ କଲେ ମା ଆପଣଙ୍କୁ ତ୍ୟାଜ୍ୟପୁତ୍ର କରିବେ । ସେ କ’ଣ ଆମର ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଦେଇ ପାରିବ ? ଆପଣଙ୍କୁ ଏଇ ମୋର ଛୋଟିଆ ଅନୁରୋଧ, ଆପଣ ମାଙ୍କ କଥା ରକ୍ଷାକରି ରାଜଶ୍ରୀଙ୍କୁ ବିବାହ କରନ୍ତୁ । ଜୀବନ ସୁଖମୟ ହେବ ଆପଣଙ୍କର । ରାଜଶ୍ରୀ ସୁନ୍ଦରୀ, ଶିକ୍ଷିତା ଓ ବୁଦ୍ଧିମତୀ । ଆପଣଙ୍କର ଉପଯୁକ୍ତ । ସହଧର୍ମିଣୀ ହେବେ ସେ ।’’

 

‘‘ଜାଣ ସରଳା, ରାଜଶ୍ରୀଙ୍କର ସମସ୍ତ ଗୁଣ ଭଲ ହୋଇପାରେ, ସେ ଅସାମାନ୍ୟ ସୁନ୍ଦରୀ, ବୁଦ୍ଧିମତୀ ହେଇପାରନ୍ତି; କିନ୍ତୁ ତୁମ ପାଖରୁ ଯାହା ଶିଖିଛି, ଯାହା ଦେଖିଛି, ତାହା ତାଙ୍କ ପାଖରେ କେବଳ ସ୍ୱପ୍ନ । ଧନଗର୍ବରେ ଗର୍ବିତା ସେ–ସ୍ନେହସହାନୁଭୂତିର ବହୁତ ଦୂରରେ । ସ୍ନେହ ନେଇପାରନ୍ତି, କିନ୍ତୁ ଦେଇଜାଣନ୍ତିନି । ତା’ ପରିବର୍ତ୍ତେ ଦିଅନ୍ତି କେବଳ ତାଚ୍ଛଲ୍ୟ । ତାଙ୍କୁ ବିବାହକଲେ ମିଳିବ ସମ୍ପଦ, ଗୌରବ; କିନ୍ତୁ ମିଳିବନି ଜୀବନର ଶ୍ରେଷ୍ଠ ଅନବଦ୍ୟ ସ୍ୱାମୀ-ସ୍ତ୍ରୀଙ୍କର ସ୍ୱର୍ଗୀୟ ପ୍ରେମ ଓ ମିଳନ ମାଧୁରୀ । ରହିବନି ହୃଦୟର ବନ୍ଧନ ଓ ଆକର୍ଷଣ ।’’

 

ସରଳା ଆଖିରେ ଅଶ୍ରୁର ବନ୍ୟା ସୃଷ୍ଟି ହେଇଛି । ପୂରିଲା ପୂରିଲା ଗାଲ ଉପର ଦେଇ ଅବିଶ୍ରାନ୍ତ ଭାବରେ ତାହା ବହିଯାଉଛି । ବେଦନାତୁର ହୃଦୟରୁ କୋହ ଉଠୁଛି ତୁହାକୁ ତୁହା–ଠିକ୍ ଝଡ଼–ପରି । ‘‘ଛି, ଛି, ସରଳା, ତୁମେ କାନ୍ଦୁଛ ! ଏଥିରେ କାନ୍ଦିବାର କ’ଣ ଅଛି ସରଳା ! ପ୍ରଥମରୁ ମୁଁ ତୁମକୁ କହିଆସୁଛି ମୁଁ ରାଜପୁତ୍ର ହୁଏ ବା ସ୍ୱର୍ଗର ଦେବତା ହୁଏ, ତୁମ ବ୍ୟତୀତ ଆଉ କାହାରିକୁ ବିବାହ କରିବିନି । ସ୍ୱର୍ଗର ଅପ୍ସରା ଆସନ୍ତୁ ବା ରାଜଶ୍ରୀଙ୍କ ପରି ଧନ–ଯୌବନସମ୍ପନ୍ନା କୋଟିପତିର କନ୍ୟା ଆସନ୍ତୁ; ତୁମଛଡ଼ା କେହି ମତେ ପାଇପାରିବେନି ଜୀବନର ସାଥୀରୂପେ । ମୁଁ କେବଳ ଚାହେଁ ତୁମେ ହିଁ ହେବ ମୋର ହୃଦୟରାଜ୍ୟର ଅଧିକାରିଣୀ, ମନର ରୂପସୀ । ତୁମର ଦୁଃଖିନୀ ଜୀବନରେ ଯଦି ସୁଖଶାନ୍ତି କାଣିଚାଏ ଦେଇପାରିବି ତେବେ ନିଜକୁ ସୁଖୀ ଓ ଭାଗ୍ୟବାନ୍ ମନେକରିବି ।’’

 

ପାଦପାଖର ପାଣିକୁଣ୍ଡଟିରେ ଢଳ ଢଳ ହେଇ କୁମୁଦିନୀ ହସୁଛି ଆକାଶର ଚାନ୍ଦକୁ ଚାହିଁ-। କି ସୂଚନା ଦେଉଛି ସେ କେବଳ ସେଇ ହିଁ ଜାଣେ । ଏକଲୟରେ ଚାହିଁରହିଛି ସରଳା ଫୁଲଟିକୁ-। ପୁଣି ଥରେ ମୁହଁ ଉଠେଇ ଚାହୁଁଛି ଚନ୍ଦ୍ରମାକୁ । ମନେ ମନେ ଭାବୁଛି– କେତେ ତଫାତ୍ ଏ ଦୁଇଜଣଙ୍କ ମଧ୍ୟରେ । ଦୂର ଗଗନର ଚାନ୍ଦ ଆଉ ମର୍ତ୍ତ୍ୟର କୁମୁଦ । ଚନ୍ଦ୍ର କେତେ ଦୂରେ କହିହେବନି-। କେହି କାହାରିକୁ ପାଇପାରୁନାହାନ୍ତି, କିନ୍ତୁ କାହାରି ଆଶା ମରିନି । ଯୁଗ ଯୁଗ ବିତିଯାଇଛି, ତଥାପି ଚାନ୍ଦର ଆଗମନକୁ ଚାହିଁ ରହେ କୁମୁଦିନୀ । କେତେ ଆଶା, ଆକାଂକ୍ଷା ନେଇ ବାୟୁ ସ୍ପର୍ଶରେ ମୁଣ୍ଡ ହଲେଇ ଚାହିଁରହେ କୁମୁଦିନୀ ଆକାଶର ଚାନ୍ଦକୁ, ତଥାପି ଆଶା ହରେଇନି । କିଛିକ୍ଷଣ ପରେ ଆକାଶକୁ ଚାହିଁ ଶୁଷ୍କ ବ୍ୟଥାତୁର କଣ୍ଠରେ କହିଲା ସରଳା–‘‘ଏଇ ଦେଖନ୍ତୁ ରାଜକୁମାର ଆକାଶର ଚନ୍ଦ୍ରମାକୁ ଆଉ ମର୍ତ୍ତ୍ୟର କୁମୁଦିନୀକୁ । କେତେ ଆଶା, କେତେ କଳ୍ପନା ତାଙ୍କର ବ୍ୟର୍ଥ ହେଉଛି-। କିନ୍ତୁ ପାଇପାରୁନାହାନ୍ତି କେହି କାହାକୁ । ମନେ ମନେ ଭାବୁଛନ୍ତି–ନିଶ୍ଚୟ ଦିନ ଆସିବ, ଯେତେବେଳେ କି ଚାନ୍ଦ ଓହ୍ଳେଇ ଆସିବ ଆକାଶରୁ ମର୍ତ୍ତ୍ୟକୁ କୁମୁଦିନୀର ପରଶ ପାଇବା ପାଇଁ-। ସେତେବେଳେ ସେମାନଙ୍କର ଯୁଗଯୁଗର ସଞ୍ଚିତ କାମନାର ସୁମଧୁର ସାହାନାଇ ବାଜିଉଠିବ-। ଯୁଗ ଯୁଗର ତପସ୍ୟା ସାଧନା ସଫଳ ହେବ । ଠିକ୍ ସେମିତି ଆମ ଦୁହିଁଙ୍କର ପ୍ରଭେଦ ରାଜକୁମାର । ଯୁଗ ଯୁଗ ଧରି ମୁଁ ଆପଣଙ୍କୁ ଅପେକ୍ଷା କରିବି, କିନ୍ତୁ ଏ ଜନ୍ମରେ ନୁହେଁ ରାଜକୁମାର-! ଏ ଜନ୍ମରେ ଅସମ୍ଭବ । କାହିଁ ଚାନ୍ଦ ଆଉ କାହିଁ କୁମୁଦିନୀ ? କାହିଁ ଆକାଶ କାହିଁ ପାତାଳ-! ସେଇ ପ୍ରଭେଦ ଆମ ଦୁଇଜଣଙ୍କ ଭିତରେ ବିରାଟ ବ୍ୟବଧାନ ସୃଷ୍ଟିକରି ଠିଆହେଇଛି ରାଜକୁମାର-। ଅସମ୍ଭବ ଆମ ଦୁହିଁଙ୍କର ମିଳନ, ଅସମ୍ଭବ ଆମ ଦୁହିଁଙ୍କର ବିବାହ ।’’

 

‘‘ଏ କ’ଣ କହୁଛ ସରଳା ! ଭୁଲିଯାଉଛ ତୁମେ କାଳିଦାସଙ୍କର ଶକୁନ୍ତଳା–ଦୁଷ୍ମନ୍ତଙ୍କ କଥା-। ସେମାନଙ୍କର ପ୍ରଣୟ କିପରି ଅଖଣ୍ଡ ଏବଂ ସ୍ୱର୍ଗୀୟ । ତା’ପରେ ଦେବଯାନୀ ଆଉ ରାଜା ଯଯାତିଙ୍କ ପ୍ରଣୟ । କେବଳ ଏତିକି ନୁହେଁ, କେତେ ରାଜା ମହାରାଜା ଏ ସଂସାରରେ ରଖିଯାଇଛନ୍ତି ନିଜ ନିଜର ସ୍ୱର୍ଗୀୟ ପ୍ରେମର ଅମୂଲ୍ୟ ଅତୁଳନୀୟ ପରାକାଷ୍ଠା, ଯାହାକି ବହୁ ପୋଥି ପୁରାଣରେ ବର୍ଣ୍ଣନା କରାଯାଇଛି । ସେ ଯୁଗ ଚାଲିଯାଇଛି । ବର୍ତ୍ତମାନ ଆଉ ଅତୀତ ମଧ୍ୟରେ ଅନେକ ତଫାତ୍; କିନ୍ତୁ ମନନ ବିଶ୍ୱାସ ନେଇ ସବୁ । ଆଜି ମା ମତେ ତ୍ୟାଜ୍ୟପୁତ୍ର କରିପାରନ୍ତି, କିନ୍ତୁ କାଲି ନିଶ୍ଚୟ କୋଳକୁ ଟାଣିନେବେ । ମାତୃହୃଦୟ ତାଙ୍କର, ଦୟାମୟୀ ମା ସେ । ନିଜର ପୁତ୍ରକୁ କେବେହେଲେ ଅବହେଳା କରିପାରିବେନି । ଅତୀତର ଘଟଣାଗୁଡ଼ିକୁ ଅତୀତରେ ହିଁ ରହିବାକୁ ଦିଅ-। ବର୍ତ୍ତମାନର କଥା ଭାବ । ବର୍ତ୍ତମାନ ପରିସ୍ଥିତିକୁ କିପରି ପାରି ହେବାକୁ ହେବ ତାହା ହିଁ ଭାବିବାକୁ ହେବ । ଆଉ ବୃଥା ଅତୀତକୁ ମନେପକେଇ ମତେ ଦୁଃଖଦିଅନି । ଦିନେହେଲେ କ’ଣ ତୁମେ ଚେଷ୍ଟା କରିଛ ମୋତେ ବୁଝିବା ପାଇଁ ? ଦିନେହେଲେ ତୁମେ କ’ଣ ହୃଦୟ ଭରି ମନଖୋଲା କଥା ପଦେ କହିଚ ? ନିଜ ମନକୁ ପଚାର ସରଳା, ନିଜଚର ହୃଦୟକୁ ପଚାର । କେତେ ଆଶା ନେଇ ମୁଁ ଧାଇଁଯାଏ ତୁମ ପାଖକୁ, କିନ୍ତୁ ଫେରିଆସେ ଭାରାକ୍ରାନ୍ତ ହୃଦୟରେ । ସେ କଥା ତୁମେ ବୁଝିବାକୁ କି ଜାଣିବାକୁ ଚେଷ୍ଟା କରିଛ କେବେ ? ଏଯେଉଁ ବର୍ଷଗୁଡ଼ିକ ତୁମେ ଲୁଚିରହିଲ, ସେତେବେଳେ ମୋର ମନର ଅବସ୍ଥା ଯାହା ତା କ’ଣ ତୁମେ ଜାଣିପାରିବ ସରଳା ? ଜାଣନ୍ତି ନରହରିବାବୁ । ତୁମର ସେଇ ଫଟୋଟି ତୁମକୁ ପାଇବାର ସାନ୍ତ୍ୱନା ଦେିଛି । କଠୋର ପରିଶ୍ରମ, ସାଧନା ଭିତରେ ତୁମରି ସ୍ମୃତି ହୃଦୟରେ ଜାଗ୍ରତ ହେଇଉଠେ । ତୁମେ ବୁଝିପାରିବନି ସରଳା ପୁରୁଷର ହୃଦୟ । ତୁମେ କେବଳ ଜାଣ ପୁରୁଷର ହୃଦୟ କଠିନ ପାଷାଣଠାରୁ ଆହୁରି କଠିନ । କିନ୍ତୁ ସେଇ କଠିନ ପଥର ହୃଦୟରେ ଯେଉଁ ଟିକକ ସ୍ନେହର ଅମୃତଧାରା ପ୍ରବାହିତ, ତା’ର ଖବର ରଖ କି ତୁମେ ? ତାହା ତୁମେ କ’ଣ ବୁଝିବାକୁ ଚେଷ୍ଟା କର ? କେବଳ ବୁଝ ନିଜକୁ ଏବଂ ନିଜର ହୃଦୟକୁ । ଆଜି ଯେ ତୁମକୁ ସାରା ଜୀବନଧରି ସଂସାର ବଂଧନରେ ବାନ୍ଧିରଖିବା ପାଇଁ ମୁଁ ଆଗେଇ ଆସିଛି, ଏହା ଭିତରେ ଦୁନିଆର ଏତେ ଟିକିଏ ସ୍ୱାର୍ଥର ଛାପ ବି ନାହିଁ । ଏହା ଭିତରେ ଅଛି ସ୍ୱର୍ଗୀୟ ପ୍ରେମ । ସେଥିପାଇଁ ଏତେ ବଡ଼ ରାଜସମ୍ପଦକୁ ପଦଦଳିତ କରି, ଭ୍ରୁକ୍ଷେପ ନ କରି ଆଗେଇ ଆସିଛି ତୁମ ପାଖକୁ । ସେ କଥା କ’ଣ ତୁମେ ବୁଝି ପାରୁନ ? ତୁମେ ତୁମ ନିଜର ଦୁଃଖଟାକୁ ଯେତିକି ବୁଝୁଛ, ତା’ ସହିତ କିଞ୍ଚିତ୍ ପରିମାଣରେ ମୋ ଦୁଃଖକୁ ଭାବିଲ ଦେଖି ! ମୁଁ କ’ଣ ଦୁଃଖୀ ନୁହେଁ ? ରାଜକୁଳରେ ଜନ୍ମଗ୍ରହଣ କରିଛି ବୋଲି ମୋର ସ୍ୱାଧୀନତା କ’ଣ ହରେଇ ବସିଛି ? ବୃଥା କଥା ଭାବି, ଦେହ ମନକୁ କଷ୍ଟଦେଇ ଏତେ ଭୁଲ୍‍ ବୁଝନି ମତେ ସରଳା । ମତେ ବୁଝିବାକୁ ଚେଷ୍ଟାକର । ସବୁବେଳେ ଗୋଟିଏ କଥା କହି ଦୂରେଇ ରଖନି ନିଜକୁ ମୋ ପାଖରୁ ।’’ ରାଜକୁମାରଙ୍କର ହୃଦୟରେ ଉଠିଛି ଅସରନ୍ତି ବ୍ୟଥାର ଢେଉ । ତାଙ୍କର କଣ୍ଠ ବାଷ୍ପାକୁଳ, ଆଖି ଛଳଛଳ ।

 

ବହୁ ସମୟ ଏଥି ଭିତରେ ବିତିଯାଇଛି । ଦୁହେଁ ନୀରବରେ ପାଷାଣ ପ୍ରତିମା ପରି ବସିରହିଛନ୍ତି । ନିଜ ନିଜ ଭାବନାରେ ବୁଡ଼ି ରହିଛନ୍ତି ଦୁହେଁ । ଚକୋର ଉଡ଼ିଗଲା ସେମାନଙ୍କ ମୁଣ୍ଡ ଉପର ଦେଇ । ତନ୍ଦ୍ରା ଭାଙ୍ଗିଗଲା । ରାଜକୁମାର ଦୀର୍ଘନିଶ୍ୱାସ ଛାଡ଼ି ଧୀର କୋମଳ ସ୍ୱରରେ ଡାକିଲେ – ‘‘ସରଳା’’ !

 

‘‘ଉଁ –’’

 

‘‘ଆସ ଯିବା ଏଥର । ଅନେକ ରାତି ହେଲାଣି । ଥଣ୍ଡା ପଡ଼ିଆସିଲାଣି । ନରହରିବାବୁ ଅପେକ୍ଷା କରିଥିବେ ତୁମକୁ ।’’ ରାଜକୁମାର ଉଠି ଠିଆହେଲେ ।

 

ସରଳାର ଇଚ୍ଛା ହେଉନଥିଲା ଉଠିବାକୁ । ମନରେ କ’ଣ ଭାବୁଥିଲା ସେଇ କେବଳ ଜାଣେ । ଆଖିର ଲୁହ ଶୁଖିଯାଇଛି । ସରଳା ପଣତ କାନିରେ ମୁହଁଟାକୁ ପୋଛିଦେଲା ଥରେ । ରାଜକୁମାର ପାଖ ଗଛରୁ ଅର୍ଦ୍ଧପ୍ରସ୍ଫୁଟିତ ଗୋଲାପ ଫୁଲଟିଏ ତୋଳିଆଣି ସରଳାର କୁଞ୍ଚିତ ବେଣିରେ ଖୋସିଦେଇ କହିଲେ, ‘‘ଏଇ ଆମର ମିଳନର ପ୍ରଥମ ସ୍ୱାକ୍ଷର ।’’ ହାତରୁ ହୀରାମୁଦିଟି ବାହାର କରି ସରଳାର ଅନାମିକାରେ ପିନ୍ଧେଇଦେଇ କହିଲେ, ‘‘ଏଇ ମୁଦିଟି ମୋର ବୁଢ଼ାବାବାଙ୍କର ।’’ ମୃତ୍ୟୁ ପୂର୍ବରୁ ସେ ଏଇ ମୁଦିଟି ମା’ଙ୍କୁ ଦେଇଯାଇଥିଲେ– ମୁଁ ଯାହାକୁ ବିବାହ କରିବି ଏଇ ମୁଦିଟି ତାଙ୍କୁ ଉପହାର ଦେବି ବୋଲି । ତୁମେ ହିଁ ମୋର ହୃଦୟର ରାଣୀ ସରଳା ! ତୁମ ଆଙ୍ଗୁଠିରେ ଶୋଭାପାଉ ଏ ମୁଦିଟି । ବୁଢ଼ାବାବାଙ୍କର ଇଚ୍ଛା ପୂର୍ଣ୍ଣହେଉ । ସ୍ୱର୍ଗରେ ଥାଇ ସେ ନିଶ୍ଚୟ ଆମକୁ ଆଶୀର୍ବାଦ କରୁଥିବେ ।’’

 

ରାଜକୁମାରଙ୍କ ସୁକୋମଳ ପାପୁଲି ଭିତରେ ସରଳାର ଛୋଟିଆ ନରମ ହାତଟି ଖାଲି ଥରୁଥିଲା । ଦେହରେ ତା’ର ଜାତହେଉଥିଲା ବେପଥୁ । ରାଜଉଆସର କୁଳଦେବତା ମଦନମୋହନଙ୍କ ମନ୍ଦିରରୁ ଶୁଣାଗଲା ରାତି ଧୂପର ଘଣ୍ଟାଧ୍ୱନି । ଧୀରେ ନିଜର ହାତକୁ ଖସେଇ ଆଣିଲା ସରଳା ରାଜକୁମାରଙ୍କ ହାତମୁଠାରୁ । ରାଜକୁମାର କହିଲେ, ‘‘ଆସ ଯିବା ସରଳା ! ବହୁତ ଡେରି ହେଇଗଲାଣି !’’ ରାଜକୁମାର ଆଗେଇଲେ ଆଗକୁ । ପଛରେ ନତମୁଖରେ ସରଳା ନୀରବରେ ଆସ୍ତେ ଆସ୍ତେ ପାଦ ପକେଇଲା ରାଜକୁମାରଙ୍କର ପଦ ଅନୁସରଣ କରି । ଆକାଶରେ ହସୁଥିଲା ଚାନ୍ଦ ଆଉ ସେଇ ବଗିଚାର ଛୋଟ କୁଣ୍ଡଟିରେ କୁମୁଦଟି ମୁଣ୍ଡ ହଲେଇ ତା’ର ହସକୁ ସତେ ଯେପରି ସ୍ୱାଗତ ଜଣାଉଥିଲା ।

 

X X X

 

ମନରେ ରାଗ ଅପମାନ ମରିନି । ଆଶା ପୂରିନି । କଳ୍ପିତ ଆଶାକୁ ନେଇ ଗଢ଼ିଥିବା ସୁନାର ସ୍ୱପ୍ନ ଭାଙ୍ଗିଯାଇଛି । ଯାହାକୁ ଜୀବନର ସାଥି ରୂପେ ପାଇବା ପାଇଁ ଧାଇଁଆସିଥିଲେ ଦୂରେଇ ଯାଉଛନ୍ତି ସେ, ଧରାଦେଉନାହାନ୍ତି, ଦେବେନି ମଧ୍ୟ । ହୃଦୟ ପଞ୍ଜୁରିରୁ ପକ୍ଷୀ ଉଡ଼ିଯାଉଛି । ନାହିଁ ପ୍ରେମ, ସ୍ନେହ, ମମତା । ହୃଦୟରେ ଯେଉଁ ସ୍ନେହ, ପ୍ରେମ ସ୍ଥାନପାଇଥିଲା, ସାମାନ୍ୟ ଟିକିଏ ପରଶ ପାଇଁ ଯେଉଁ ମନ ବ୍ୟାକୁଳ ହେଇଉଠୁଥିଲା, ଆଜି ସେ ସବୁ ମଉଳିଯାଇଛି । ସବୁ କିଛି ଗୋଟିଏ ସ୍ୱପ୍ନପରି ମନେହେଉଛି । ତା ପରିବର୍ତ୍ତେ ହୃଦୟରେ ସ୍ଥାନପାଇଛି ଘୃଣା ଓ ପ୍ରତିଶୋଧ ନେବାର ଇଚ୍ଛା ।

 

କେତେ ଦିନ ହେଲା ରାଜଶ୍ରୀ ଆଉ ରାଜକୁମାରଙ୍କ ଉଆସକୁ ଆସୁନାହାନ୍ତି । କେବେ ଯଦି ହଠାତ୍ ଦେଖାହୋଇଯାଏ ତେବେ ପୂର୍ବପରି କଥାବାର୍ତ୍ତା କରନ୍ତିନି । ମୁହଁର ରଙ୍ଗ ବଦଳିଯାଇଛି-। ପ୍ରତିଶୋଧ ବହ୍ନି ଯେପରି ଜଳିଉଠୁଛଇ । ଦେଖାଉଛନ୍ତି ବେଖାତିର ଭାବ । କଥାକଥାକେ ବେପରୁଆ ଭାବେ ଉତ୍ତର ଦେଉଛନ୍ତି । ହସୁଛନ୍ତି ତାଚ୍ଛଲ୍ୟପୂର୍ଣ୍ଣ ହସ । ରାଜକୁମାର ଭାବୁଛନ୍ତି–ରାଜଶ୍ରୀଙ୍କର ଏ କି ପରିବର୍ତ୍ତନ ? କାହିଁକି ଏତେ ଚଞ୍ଚଳ ବଦଳିଗଲେ ସେ ? ଏଇ ତାହାହେଲେ ତାଙ୍କର ପ୍ରକୃତ ରୂପ ! ଏଇଥିରେ ପୁଣି ମା’ ବାଧ୍ୟ କରୁଛନ୍ତି ତାଙ୍କୁ ବିବାହ କରିବା ପାଇଁ ! ଏତେ ବର୍ଷ ହେଲା ସରଳାର ଯେଉଁ ଫଟୋଟିକୁ ସାଇତି ରଖି ଆସିଥିଲେ ହଠାତ୍ ହରେଇ ବସିଛନ୍ତି ସେଟିକୁ । କିଏସେ ନେଲା ତେବେ ? ରାଜଶ୍ରୀ ? ଏଇ ଫଟୋଟି ହିଁ ମନେହୁଏ ତାଙ୍କର ପ୍ରକୃତ ରୂପ ଦେଖେଇ ଦେଇଛି । ନହେଲେ ଏତେ ଚଞ୍ଚଳ ନିଜର ପ୍ରକୃତ ରୂପ ଦେଖେଇ ନଥାନ୍ତେ ରାଜଶ୍ରୀ-। ମାୟାବିନୀ ପ୍ରତିଦିନ ପ୍ରଜାପତି ପରି ନୂଆ ନୂଆ ବେଶ ପରିପାଟିରେ ନିଜକୁ ସଜେଇ ତାଙ୍କ ପାଖରେ ଠିଆହେଉଥିଲେ, ହସୁଥିଲେ, କେତେ କଥା କହୁଥିଲେ, ଭଲ ପାଇବାର ଇଙ୍ଗିତ ଦେଉଥିଲେ; କିନ୍ତୁ ଏଇ ଫଟୋଟି ତାଙ୍କର ସେ ବେଶକୁ ଆଜି ବଦଳେଇଦେଇଛି । ହସୁଛନ୍ତି ମନେ ମନେ ରାଜକୁମାର ।

 

ନୀରବରେ ରାଜଶ୍ରୀ ରାଜକୁମାରଙ୍କର ଗତିବିଧି ଲକ୍ଷ୍ୟ କରୁଛନ୍ତି । ରାଜକୁମାରଙ୍କ ପାଖରେ ସରଳାକୁ ଦେଖି ରାଗରେ ଦେହ ତାଙ୍କର ଥରିଉଠୁଛି । ପ୍ରତିଶୋଧର ବହ୍ନି ଦ୍ୱିଗୁଣିତ ହେଇ ଜଳି ଉଠୁଛି । ଭାବୁଛନ୍ତି, ଆଉ ଅଳ୍ପଦିନ; ରାଣୀମା’ ଆସନ୍ତୁ । ସେମାନଙ୍କୁ ଉଚିତ ଦଣ୍ଡ ଦେବେ । ସେ ଯାହାକୁ ପ୍ରାଣଭରି ଭଲପାଇ ଆସୁଥିଲେ ତାକୁ ଆଉ ଜଣେ ନାରୀ ଯେ, ନିଜଆଡ଼କୁ ଟାଣିନେବ ଏହା ସେ ସହିବେ କେମିତି ? କେବଳ ରାଗରେ ଥରୁଛନ୍ତି । ସମୟେ ସମୟେ ଅଧୈର୍ଯ୍ୟ ହେଇପଡ଼ୁଛନ୍ତି ରାଜଶ୍ରୀ । ସହିପାରୁ ନାହାନ୍ତି ସେମାନଙ୍କର ଅବାଧ ମିଳାମିଶା । ଭାବୁଛନ୍ତି ସରଳାକୁ ଉଚିତ୍‍ ଶିକ୍ଷା ଦେବାକୁ । ଗୁଳିପରି ଚିରଦିନ ସକାଶେ ତାକୁ ଦୂରେଇ ଦେବେ । ତା’ ଉପରେ ଅତ୍ୟାଚାର ଆରମ୍ଭ କରିଦେବେ । କିନ୍ତୁ ପରକ୍ଷଣରେ ବିବେକ ଦଂଶନ କରୁଛି । ରାଣୀମା’ ଆସନ୍ତି; ସବୁ ମିଟିଯିବ । ସେଇ ଆଭିଜାତ୍ୟହୀନ ଝିଅଟାକୁ ଉଚିତ୍‍ ଶିକ୍ଷାଦେବେ । ବଡ଼ ବ୍ୟତିବ୍ୟସ୍ତ ହେଇପଡ଼ୁଛନ୍ତି ରାଜଶ୍ରୀ । ସରଳା ଓ ରାଜକୁମାରଙ୍କର ମିଳନ ଅସମ୍ଭବ । କରେଇଦେବନି ସେ । ବଡ଼ ଅସହ୍ୟ । ବଡ଼ ଦୁଃଖଦାୟକ ! ପ୍ରତିଶୋଧ ନେବେ ।

 

ସରଳା ରାତିଦିନ ଭାବୁଛି; କିନ୍ତୁ କିଛି କୂଳକିନାରା ପାଇପାରୁନି । ଗଭୀର ମଝିଦରିଆରେ ଭାସୁଛି ସେ ନିଃସହାୟ ଅବସ୍ଥାରେ । ରାଜଉଆସରୁ ଲୁଚି ପଳେଇବାକୁ ଇଚ୍ଛା ହେଉଛି; କିନ୍ତୁ ଯିବ କେମିତି ? ଉଆସର ପ୍ରତ୍ୟେକ କାନ୍ଥବାଡ଼ର ଯେ ଆଖି ଅଛି ! ଏଣେ ରାଜକୁମାରଙ୍କର ମୋହ ଟାଣିରଖିଛି ତାକୁ । ଶୁଣିବାକୁ ପାଉଛି ରାଜକୁମାରଙ୍କର କରୁଣ ନିବେଦନ, ଯେ କି ପ୍ରଥମରୁ ଅନ୍ତରଦେଇ ଭଲପାଉଛନ୍ତି ତାକୁ । କୌଣସି କାମରେ ସ୍ପୃହା ଆସୁନି । ଯେତେବେଳେ ଇଚ୍ଛା ହେଉଛି ସାମାନ୍ୟ କେତେଟା କାମ କରିଦେଉଛି । ଜୀବନଟା ଲାଗୁଛି ନୀରସ, ନିର୍ଜନ । ମନ ଧାଇଁ ଯାଉଛି ରାଜକୁମାରଙ୍କ ପଛେ ପଛେ, କିନ୍ତୁ ପର ମୁହୂର୍ତ୍ତରେ ସଂଯତ କରୁଛି ନିଜକୁ । ନିଜର କେଉଁ ଗୌରବ ସମ୍ଭାର ନେଇ ରାଜକୁମାରଙ୍କର ପ୍ରଣୟପ୍ରାର୍ଥିନୀ ହେବ ? କିଏ ଅଛି ତା’ର ? ବାପ ମା କେହି ନାହାନ୍ତି । ଆଉ ଯେଉଁମାନେ ଅଛନ୍ତି ସେମାନେ ସାତ ପରଠୁ ପର । ସେଠି ଆଉ ମୁହଁ ଦେଖେଇପାରିବ ସରଳା ? ତେବେ ନିଜର ଏ ଦହଗଞ୍ଜିଆ ଜୀବନକୁ ନେଇ କୁଆଡ଼େ ଯିବ ସେ ? ତା’ର ଆଶାଭରସା କେଉଁଠି ? ହାତରେ ରାଜକୁମାର ପିନ୍ଧେଇ ଦେଇଛନ୍ତି ହୀରାର ମୁଦି । ସେଟିକୁ ଚାହୁଁଛି ସରଳା ? ସେଇ ମୁଦିରେ ଦେଖିବାକୁ ପାଉଛ ରାଜକୁମାରଙ୍କର ସୁନ୍ଦର ମୁଖମଣ୍ଡଳ । ସତେ କ’ଣ ତାକୁ ରାଜକୁମାର ବିବାହ କରିବେ ? ଅବୁଝା ମନକୁ ଯେତେ ବୁଝେଇଲେ ବି ମାନୁନି, ବିଶ୍ୱାସ ହେଉନି । ସବୁ ତାକୁ ଲାଗୁଛି ସ୍ୱପ୍ନପରି । କାହିଁ ସେ, ଆଉ କାହାନ୍ତି ବିକ୍ରମପୁରର ରାଜକୁମାର କେତେ ତଫାତ୍ ! ଏହା କ’ଣ ସମ୍ଭବ ? ରାଜକୁମାର କହିଛନ୍ତି, ‘ଦେଖ ସରଳା, ସଂସାରରେ ଏଇ ପ୍ରେମ ହିଁ ସ୍ୱର୍ଗୀୟ, ଅତୁଳନୀୟ, ଅମାପ । ଏତେ ତୁମେ ଦୂରେଇ ରଖୁଥିଲ ନିଜକୁ, କିନ୍ତୁ ଅଜଣା ଅଶୁଣା ଭାବେ ସ୍ୱପ୍ନପରି ତୁମେ ଆଜି ମୋର ଅତି ନିକଟରେ । ଆଉ ଏଥର ତୁମେ ଦୂରେଇ ଯାଇ ପାରିବନି ।’ ଛାତିଟା ଧଡ଼ପଡ଼ ହେଇ ଥରି ଉଠୁଛି-

 

X X X

 

କେତେ ଦିନ ପରେ ଆଜି ସେ ଅଫିସ୍‌ ରୁମକୁ ଆସିଛି । କେତେ କାମ ବାକି ପଡ଼ିଛି । ଉଆସର ଦୈନନ୍ଦିନ ହିସାବ ବି ରଖୁନି । ଆଜି ଚଞ୍ଚଳ ମନରେ କାମ ସବୁ ଦେଖିନେଇଛି । ସେଇ କାମ ଭିତରେ ଦେଖିବାକୁ ପାଉଛି ରାଜକୁମାରଙ୍କୁ । କାୟା ସଙ୍ଗେ ଛାୟାପରି ସେ ତା’ର ମନର ପଛେ ପଛେ ଲାଗି ରହିଛନ୍ତି ।

 

ଅନେକ ସମୟ ଧରି ଅଫିସ୍‌ ରୁମର ପରଦା ଆଡ଼େଇ ଠିଆହେଇଛନ୍ତି ରାଜକୁମାରୀ ରାଜଶ୍ରୀ ନୀରବରେ । ଆଖିରେ ଘୃଣା, ନାକ ରାଗରେ ଫୁଲି ଫୁଲି ଉଠୁଛି । ଏଇ ସୁଯୋଗ, ଏଇ ସୁବିଧା । ନିଜ ଇଚ୍ଛାନୁସାରେ ସରଳା ଉପରେ ଅତ୍ୟାଚାର କରିବାର ଉପଯୁକ୍ତ ସମୟ । କିନ୍ତୁ ମନରେ ବିରାଟ ପ୍ରଶ୍ନବାଚୀ । ବର୍ତ୍ତମାନ ନୁହେଁ । ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ତାକୁ–ରାଣୀମା’ ଆସିବା ପର୍ଯ୍ୟନ୍ତ । ତା’ପରେ ସେ ନିଜର ସାଧ ପୂରଣ କରିବ । ହାତରେ ନମାରି ଭାତରେ ହିଁ ମାରିବ । ପୁଣି ଭାବୁଛନ୍ତି ରାଜକୁମାରୀ–ସରଳା ସାମାନ୍ୟ ବେତନଭୋଗୀ ଚାକରାଣୀ, ଅଥଚ ତାଙ୍କୁ ସମ୍ମାନ ଦେଖାଇବା ପରିବର୍ତ୍ତେ ମୁହଁ ଉଠେଇ ବି ଟିକିଏ ଚାହିଁନି ! ସାମାନ୍ୟ ଚାକରାଣୀଟାର ଏତେ ଗର୍ବ; ଏତେ ଅହଂକାର ! ଯାହାକୁ ସମ୍ମାନ ଜଣାନାହିଁ, ଯାହା ବଂଶର ଆଭିଜାତ୍ୟ ନାହିଁ, ତା’ର ପୁଣି ଏତେ ଆସ୍ପର୍ଦ୍ଧା ! ଏତେ ଗର୍ବ ! ଏତେ ସମୟ ଧରି ସେ ଠିଆ ହେଇ ରହିଛନ୍ତି ସେଠାରେ, କିନ୍ତୁ ସରଳା ମୁହଁ ଉଠେଇ ଆଡ଼ଆଖିରେ ବି ତାଙ୍କୁ ଚାହିଁନି ।

 

ରାଗରେ କମ୍ପି କମ୍ପି ଗର୍ଜିଉଠିଲେ ରାଜଶ୍ରୀ, ‘‘ଦେଖାଯାଉନି–କେତେ ସମୟ ଧରି ଏଠି ଠିଆ ହେଇ ରହିଛି ମୁଁ ? ଟିକିଏ ସୌଜନ୍ୟ ଜ୍ଞାନ ନାହିଁ ? ବେତନଭୋଗୀ ଚାକରାଣୀ–ପୁଣି ଏତେ ଗର୍ବ ! ଯାହାର ଆଶ୍ରୟ ନେଇଛ, ତାକୁ ସମ୍ମାନ କିପରି ଦିଆହୁଏ ତାହା କ’ଣ ଜାଣିନ ? ରାଣୀମା’ ଆସନ୍ତୁ, ଏହାର ଉଚିତ ପ୍ରତିଫଳ ପାଇବ । ଯାହା ବଂଶର ଠିକ୍ ନାହିଁ, ଆଭିଜାତ୍ୟ ନାହିଁ, ସେ ପୁଣି ସମ୍ମାନ ଦେଖେଇବା ଜାଣିବ କେମିତି ? ରାଣୀମା’ ଏପରି ଲୋକଗୁଡ଼ାଙ୍କୁ ଉଆସରେ ଆଶ୍ରୟ ଦେଇଛନ୍ତି କାହିଁକି କେଜାଣି ?’’ ରାଗରେ ଗରଗର ହେଇ କେତେ କ’ଣ କହିଯାଉଛନ୍ତି ରାଜଶ୍ରୀ ।

 

ଆକାଶରୁ ଖସିପଡ଼ିଲା ସରଳା । କାମରୁ ମୁହଁ ଉଠେଇ ଦେଖିଲା ରାଜଶ୍ରୀ ତାକୁ ହିଁ ଲକ୍ଷ୍ୟକରି କହିଯାଉଛନ୍ତି କେତେ କ’ଣ । ସଙ୍ଗେ ସଙ୍ଗେ ଧଡ଼ପଡ଼ ହୋଇ ଉଠି ଠିଆହେଲା ସେ । ଆଖିରେ ତା’ର ବିରାଟ ପ୍ରଶ୍ନବାଚୀ । କହୁ କହୁ ହଠାତ୍ ଅଟକିଗଲେ ରାଜଶ୍ରୀ । ଅଫିସ୍‌ ରୁମ୍‌ର ପରଦା ଠେଲି ଘର ଭିତରକୁ ପଶିଆସିଲେ ରାଜକୁମାର ମନମୋହନ । ‘‘ଓଃ ଆପଣ !’’ ସଙ୍ଗେ ସଙ୍ଗେ ରାଜଶ୍ରୀ ମୁହଁ ବଙ୍କେଇ କହିଲେ ।

 

‘‘କାହା ଉପରେ ଏତେ ରାଗ ରାଜକୁମାରୀ ? ଘଟଣାଟା କ’ଣ ?’’ –କିଛି ନଜାଣିଲାପରି ରାଜକୁମାର ପଚାରିଲେ ।

 

ରାଜଶ୍ରୀ ମୁହଁରେ କିଛି ନକହି ଆଖିରେ ହିଁ ଯେ କି ଇସାରା ଦେଇ ରାଗ ତମ୍ ତମ୍ ହେଇ ସେଠାରୁ ଚାଲିଗଲେ, ସେ କଥା ରାଜକୁମାରଙ୍କୁ ଅବିନିତ ରହିଲାନି । ରାଜଶ୍ରୀଙ୍କର ଯିବା ଦିଗରୁ ଆଖି ଫେରେଇ ରାଜକୁମାର ସରଳାକୁ ଡାକିଲେ । ଆଖିରୁ ତା’ର ଦୁଇଟୋପା ଲୁହ ଖସିଆସିଛି ଗାଲ ଉପରକୁ । ଆଗକୁ ଆଗେଇ ଆସି ରାଜକୁମାର କହିଲେ, ‘‘ଏ ତ ସାମାନ୍ୟ ସରଳା ! ଆହୁରି ଭୟଙ୍କର ଝଞ୍ଜା ଆସି ପହଞ୍ଚିବ । ଏତେ ଚଞ୍ଚଳ ଭାଙ୍ଗିପଡ଼ିଲେ ଚଳିବ ? ସାହସ ଦରକାର । ମଣିଷ ଜୀବନ ଯେ ଦୁଃଖରେ ହିଁ ଗଢ଼ା !’’

 

ସରଳା ପଣତରେ ଆଖି ପୋଛିନେଇ ତଳକୁ ମୁହଁ ପୋତି ଠିଆ ହୋଇରହିଲା ।

 

‘‘ଟିକିଏ କାମ ଥିଲା । ସେଥିପାଇଁ ଖୋଜି ଖୋଜି ଏଠି ଆସି ପହଞ୍ଚିଲି । ହଉ ବ୍ୟସ୍ତ ହୁଅନି–ପରେ କହିବି ।’’ ସରଳାର ଉତ୍ତରକୁ ଅପେକ୍ଷା ନକରି ରାଜକୁମାର ତରତର ହେଇ ଘରୁ ବାହାରିଗଲେ ।

 

X X X

 

ଅନେକ ଦିନ ପରେ ରାଣୀମା’ ଉଆସକୁ ଆସିଛନ୍ତି । ରାଜକୁମାରଙ୍କର ବିବାହତିଥି ଗଡ଼ିଯାଇଛି । ଶୀତଋତୁ ପରେ ବର୍ଷାଋତୁ ଆସିଗଲାଣି । ଏହାରି ଭିତରେ କେତେ ଅଦଳ ବଦଳ ହେଇଯାଇଛି । କାମର ଚାପରେ ଆସିପାରିନାହାନ୍ତି ସେ । ରାଜାସାହେବ ନରେନ୍ଦ୍ରକୁମାରଙ୍କୁ ନିଜର ଅସୁବିଧା ଜଣେ ଦେଇଛନ୍ତି । ବିବାହ କିନ୍ତୁ ଏଇ ବର୍ଷ କରିବାକୁ ହେବ । ଜ୍ୟେଷ୍ଠ ପୂର୍ଣ୍ଣମୀ ମୋଟେ ଦୁଇଦିନ ହେଲା ବିତିଯାଇଛି । ବିବାହତିଥି ରଥଯାତ୍ରା ପରେ । ସମୟ ଅଳ୍ପ ହେଲେ ବି ରାଜକୁମାରଙ୍କର ସେଇ ଏକା ଜିଦ୍–ବିବାହ କରିବେନି । ରାଣୀମା’ ରାଗ ଓ ଦୁଃଖରେ ଏକ ପ୍ରକାର ମ୍ରିୟମାଣ ହେଇପଡ଼ିଛନ୍ତି ।

 

ଆଜି ସେ ରାଜ୍ୟର ଜଣେ ବିଶିଷ୍ଟ ନେତ୍ରୀ । ତାଙ୍କର ପ୍ରଶଂସା ଆଜି ରାଜ୍ୟର ସମସ୍ତ ପୁରପଲ୍ଲୀରେ ପ୍ରଚାରିତ । ନିଜର ସମ୍ମାନ ବଢ଼ିଯାଇଛି–ଗୌରବ ବଢ଼ିଯାଇଛି । ଜୀବନର କର୍ମଭୂମି ବଢ଼ିଯାଇଛି । ବଂଶର ସମ୍ମାନ ବଜାୟ ରଖିବା ପାଇଁ ରାଜକୁମାରକୁ ବିବାହ କରିବାକୁ ପଡ଼ିବ ରାଜଶ୍ରୀଙ୍କୁ । ଆଖି ଆଗରେ ତାଙ୍କ ନାଚିଯାଉଛି ଅସୁମାରୀ ସମ୍ପଦ, ବହୁ ମୂଲ୍ୟବାନ୍ ଜିନିଷପତ୍ର କିନ୍ତୁ ରାଜକୁମାରଙ୍କ ଏକା ଜିଦ୍ । କ’ଣ କରିବେ ସେ ? ରାଜାସାହେବ ବିକ୍ରମକେଶରୀଙ୍କର ଉଇଲ୍ ଅନୁଯାୟୀ ତ୍ୟାଜ୍ୟପୁତ୍ର କରିବେ ସେ ପାରିବେ ? ଏକମାତ୍ର ପୁତ୍ରକୁ ନିଜ ଆଖି ସାମନାରୁ ଚିରଦିନ ପାଇଁ ଦୂରେଇ ଦେଇପାରିବେ ? ସ୍ୱାମୀଙ୍କର ମୃତ୍ୟୁପରେ ଯାହା ମୁହଁକୁ ଚାହିଁ ସ୍ୱାମୀଙ୍କର ବିରହ ଭୁଲିଯାଇଥିଲେ, ତାଙ୍କୁ ଦୂରେଇ ଦେଇ ପାରିବେ ?

 

ନୀରବରେ କଟିଯାଉଛି ସମୟ । ତାପରେ ଭାବୁଛନ୍ତି – କାହାକୁ ବିବାହ କରିବାକୁ ଠିକ୍ କରିଛନ୍ତି ରାଜକୁମାର ? କିଏ ସେଇ ନାରୀ ଯେ କି ଭୁଲେଇ ରଖିଛି ତାଙ୍କର ପୁତ୍ରକୁ ? ତାକୁ କ’ଣ ପୁତ୍ର ବଧୂରୂପରେ ସ୍ୱାଗତ କରିପାରିବେନି ସେ ? କ’ଣ କରିବେ ? କିଏ ବତେଇଦେବ ତାଙ୍କୁ ଏହାର ଉପାୟ ? କିଏ ଦେବ ସାନ୍ତ୍ୱନା ? ନରହରି ବାବୁ ? ନା ନା, ସେ ପାରିବେନି । ରାଜକୁମାରଙ୍କ ଖେଳର ସାଥୀ ସେ । ସେ କ’ଣ ତାଙ୍କର ପକ୍ଷ ସମର୍ଥନ କରିପାରିବେ ? ମନ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି । ତାହାହେଲେ ରାଜକୁମାର କ’ଣ ନିଶ୍ଚୟ ଉଆସରୁ ଚାଲିଯିବେ ? ନା ନା, ତା ହେବନି, ହେଇପାରିବନି । ରାଜକୁମାରଙ୍କୁ ଆଉ ଦୁଇଦିନ ସମୟ ଦେବାକୁ ହେବ । ଭାବୁଛନ୍ତି ସେ । ବର୍ତ୍ତମାନ ପିଲାମନ ତାଙ୍କର, ସର୍ବଦା ଚଞ୍ଚଳ, ଅସ୍ଥିର । ଆଉ ଦୁଇଦିନ ସମୟ ତାଙ୍କୁ ଦିଆଯିବ । ଭଲଭାବରେ ଭାବି ଦେଖନ୍ତୁ ସେ । ମନକୁ ସାନ୍ତ୍ୱନା ଦେଉଛନ୍ତି ରାଣୀମା’ ।

 

ଏହି ସମୟରେ ଘର ଭିତରକୁ ନିଃସଂକୋଚରେ ପଶିଆସିଲେ ରାଜଶ୍ରୀ । ରାଣୀମା’ଙ୍କର ଅସ୍ଥିରତା ଦେଖି ହସିଲେ ମନେ ମନେ । ପାଖକୁ ଆସି ରାଣୀମା’ଙ୍କ ହାତକୁ ଫଟୋଟିଏ ବଢ଼େଇଦେଲେ । ରାଣୀମା’ ଫଟୋଟିକୁ ଦେଖି କହିଲେ, ‘‘ଏ ତ ସରଳାର ଫଟୋ । ତୁମେ କେଉଁଠାରୁ ପାଇଲ ରାଜକୁମାରୀ ?’’

 

‘‘ରାଜକୁମାରଙ୍କ ତକିଆ ତଳୁ ପାଇଲି ଏଟା । ସେଥିପାଇଁ ଆପଣଙ୍କ ପାଖକୁ ଆଣିଲି ଦେଖାଇବାଲାଗି ।’’

 

ସଙ୍ଗେ ସଙ୍ଗେ ରାଣୀମା’ଙ୍କର ଆଖି ବିସ୍ମୟରେ ଉପରକୁ ଟେକିହେଇଗଲା । ମନେ ମନେ ଗୁଣୁ ଗୁଣୁ ହେଇ କହିଲେ, ‘‘ରାଜକୁମାରଙ୍କ ତକିଆତଳୁ ? କାହିଁକି ? କାହିଁକି ରାଜକୁମାର ସରଳାର ଫଟୋଟିକୁ ନିଜର ତକିଆ ତଳେ ରଖିଥିଲେ ? ତାହାହେଲେ ସରଳାକୁ କ’ଣ ରାଜକୁମାର ପ୍ରତିଶ୍ରୁତି ଦେଇଛନ୍ତି ?’’ ମନେପଡ଼ିଗଲା ତାଙ୍କର । ପ୍ରଥମେ ସରଳାକୁ ଦେଖି ସେ ଯାହା ଭାବିଥିଲେ, ତାହା ଅକ୍ଷରେ ଅକ୍ଷରେ ଫଳିବାକୁ ଯାଉଛି । ସେଥିପାଇଁ ସରଳାକୁ ପ୍ରଥମରୁ ମନାକରିଦେଇଥିଲେ ରାଜକୁମାରଙ୍କ ସହିତ ଦେଖାକରିବା ପାଇଁ; କିନ୍ତୁ ତାଙ୍କର ଆଦେଶ ଓ ଉପଦେଶ ମୂଲ୍ୟହୀନ ହୋଇପଡ଼ିଛି । ସେଦିନ ଲାଇବ୍ରେରି ହଲ୍‌ରେ ସରଳାର ଚେତା ହଜିଯାଇଥିଲା କେବଳ ରାଜକୁମାରଙ୍କୁ ଦେଖି । ସରଳା ଉପରେ ରାଣୀମା’ଙ୍କର ରାଗ ବଢ଼ି ଉଠିଲା-। ସତେ ଯେମିତି ବର୍ତ୍ତମାନ ଅବସ୍ଥାରେ ସରଳାକୁ ପାଇଲେ ଟିକି ଟିକି କରି କାଟିପକାନ୍ତେ, ତା’ର ଅସ୍ତିତ୍ୱ ଲୋପକରି ଦିଅନ୍ତେ । କ’ଣ କରିବେ ତେବେ ? କି ଉପାୟ ବର୍ତ୍ତମାନ ? ସରଳା ଉପରେ କୌଣସି ଆକ୍ରୋଶପୂର୍ଣ୍ଣ କାମ କରିହେବନି, କାରଣ ରାଜକୁମାର ଜାଣିଲେ ଉଆସରୁ ଚିରଦିନ ପାଇଁ ବିଦାୟ ନେଇଯିବେ । ତେଣୁ କଳେ ବଳେ କୌଶଳେ ରାଜକୁମାରଙ୍କ ଅଜ୍ଞାତସାରରେ ସରଳାକୁ ଉଆସ ଭିତରୁ ବାହାରକରିଦେବେ । ଧୀର ପାଣି ପଥର କାଟେ । ଏତେ ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ । ରାଣୀମା’ ରାଜଶ୍ରୀଙ୍କୁ ଦେଖିଲେ । ଆକୁଳ ନୟନରେ ଚାହିଁ ରହିଛନ୍ତି ରାଜଶ୍ରୀ । ରାଣୀମା’ଙ୍କର ଭାବଗମ୍ଭୀର ମୁହଁରମୁହଁରେ ହସ ଉକୁଟି ଉଠିଲା । ରାଜଶ୍ରୀଙ୍କ ପାଖକୁ ଆସି ତାଙ୍କର ପିଠି ଥାପୁଡ଼େଇ କହିଲେ, ‘‘ତୁମେ ନିଶ୍ଚିନ୍ତ ରୁହ ରାଜକୁମାରୀ ! ମୁଁ ତା’ର ଉଚିତ ସମାଧାନ କରିଦେଉଛି । ଦୁଃଖ କରନି । ଏଇ ଫଟୋଟି ମତେ ଦେଇ ନିଜର ବହୁତ ଉପକାର କରିଛ । ଆସ୍ତେ ଆସ୍ତେ ମୁଁ ସବୁ ଲିଭେଇଦେବି । ହଁ, ଏ କଥା ଯେପରି ଅନ୍ୟ କାହାରି କାନକୁ ନଯାଏ ।’’

 

ରାଜଶ୍ରୀ ସନ୍ତୋଷ ମନରେ ରାଣୀମା’ଙ୍କ ପାଖରୁ ବାହାରି ଆସିଲେ । ମନରେ ଅଶେଷ ଭାବନା । ସତେ କିଏ ଜାଣିଥିଲା ରାଜକୁମାର ନିଜ ବଂଶର ସମ୍ମାନକୁ ଭୁଲି ଏଇ ସାମାନ୍ୟ ଝିଅଟି ପ୍ରତି ଆକୃଷ୍ଟ ହେବେ ବୋଲି ! କଳ୍ପନାତୀତ । ଦୂରେଇ ଦେବେ ସେ ଏଇ ଝିଅଟିକୁ ସମସ୍ତଙ୍କ ଅଗୋଚରରେ । କେହି ଯେମିତି ତା’ର ପତ୍ତା ପାଇବେନି । କିନ୍ତୁ ଏସବୁ କରିବା ସମୟସାପେକ୍ଷ । ଭାବିବାକୁ ସମୟ ଚାହାନ୍ତି ସେ ।

 

X X X

 

‘‘କେତେ ଦିନ ଆଉ ଅପେକ୍ଷା କରି ରହିବି ରମ୍ଭା ! ପାରିବୁ ? ଗୋଟିଏ କାମ କରିପାରିବୁ ମୋ ପାଇଁ ?’’

 

‘‘ପାରିବିନି କାହିଁକି ଜେମାଦେଈ ! କିବା କଥାଟେ କହିବ ଯେ ଏବେ ତୁନିତାନି । କହନ୍ତୁ ନା ଆଗେ ।’’ ରମ୍ଭା ରାଜଶ୍ରୀଙ୍କର ଦେହଲଗା ପୋଇଲି । ରାଜଶ୍ରୀଙ୍କର ଶୋଇବା ଘରଟିର ଦୁଆର ଭିତରପାଖରୁ ବନ୍ଦ । ଭିତରେ ରାଜଶ୍ରୀ ଆଉ ରମ୍ଭା । ବହୁତ ଭାବିଚିନ୍ତି ଠିକ୍ କରିଛନ୍ତି ରାଜଶ୍ରୀ–ନିଜ ବାଟର କଣ୍ଟାକୁ କେମିତି ଦୂର କରିବେ । ଦୁଇଦିନ ହେଲା ସେ ରାଣୀମା’ଙ୍କୁ ଜଣେଇ ଦେଇଛନ୍ତି ରାଜକୁମାର ଆଉ ସରଳାର କଥା । ଦୁଇଦିନ କାମ କରି ଯାଉଛି । କୌଣସି ନିୟମରେ ବ୍ୟତିକ୍ରମ ଘଟିନି ଉଆସରେ । ଅଥୟ ହେଇପଡ଼ିଛନ୍ତି ରାଜଶ୍ରୀ । ରାଣୀମା’ କ’ଣ ଏହାର କୌଣସି ପ୍ରତିକାର କରିବେନି ? ନକରି ବି ପାରନ୍ତି । ଅନେକ ଥର ରାଣୀମା’ଙ୍କ ମୁହଁରୁ ଶୁଣିଛନ୍ତି ସରଳାର ପ୍ରଶଂସା । ତେବେ ରାଣୀମା’ଙ୍କୁ ଏ ସବୁ କହି ଫଟୋ ଦେଇ କିଛି ଲାଭ ହେଲାନି ? ସେ କିନ୍ତୁ ଛାଡ଼ିବେନି । ନିଶ୍ଚୟ ପ୍ରତିଶୋଧ ନେବେ ଏହାର । ରାଜକୁମାରଙ୍କୁ ଜଣାଇଦେବେ ଲୁଚାଚୋରା ପ୍ରଣୟର ପରିଣାମ କ’ଣ । ଦୂରରେ ଥାଇ ହସୁଥିବେ ସେ, ରାଜକୁମାର କିନ୍ତୁ ଦୁଃଖରେ କାନ୍ଦୁଥିବେ-। ମନେପଡ଼ିଯାଉଛି ସବୁ । ମନପେଟିରେ ସବୁ ସେ ସାଇତି ରଖିଛନ୍ତି । ଦୁଇବର୍ଷ ଧରି ରାଜକୁମାରଙ୍କର ମନନେବାକୁ, ତାଙ୍କୁ ଆପଣାର କରିବାକୁ କେତେ ଯତ୍ନ କରିଛନ୍ତି । ନିଜକୁ ନୂଆ ନୂଆ ବେଶଭୂଷାରେ ସଜେଇଛନ୍ତି । ମନରେ କେତେ ଆଶାର ସୌଧ ରଚିଛନ୍ତି । କିନ୍ତୁ ରାଜକୁମାର ତାଙ୍କୁ ସବୁ ସ୍ନେହ ସୋହାଗରୁ ବଞ୍ଚିତକରି ତା ପରିବର୍ତ୍ତେ ପ୍ରତି ମୁହୂର୍ତ୍ତରେ ଦେଇଛନ୍ତି ଅପମାନ-। ସେଇ ଅପମାନର ପ୍ରତିଶୋଧ ନେବାକୁ ସମୟ ଆସି ପହଞ୍ଚିଛି । ଆଉ ବିଳମ୍ବ କରିହେବନି । ବଡ଼ ଅସହ୍ୟ, ବଡ଼ ମର୍ମନ୍ତୁଦ ! ତେଣୁ ଅନେକ ଭାବିଚିନ୍ତି, ନିଜେ ପ୍ରତିଶୋଧ ନେବାକୁ ସ୍ଥିରକରି, ନିଜର ଦେହଲଗା ପୋଇଲିକୁ ଡାକି ଅତି ନିରୋଳାରେ ପଚାରୁଛନ୍ତି–‘‘ପାରିବୁ ରମ୍ଭା, ମୁଁ ଯାହା କହିବି କରିପାରିବୁ ତୁ ? ସରଳାକୁ ଜାଣୁ ରମ୍ଭା ?’’

 

ହସି ହସି ରମ୍ଭା କହିଲା, ‘‘ମଲା, ସରଳାଦେଈଙ୍କୁ କିଏ ନଜାଣେମ ଏ ଉଆସରେ ? ଖୁବ୍ ଭଲ ଝିଅଟିଏ ନା ଜେମାଦେଈ ! ମାଛିକୁ ମ ବୋଲି କହନ୍ତିନି ।’’

 

‘‘ମୁଁ ଭଲ ମନ୍ଦ କଥା କହୁନି ରମ୍ଭା । ମୁଁ କହୁଛି ମତେ ତୁ ସାହାଯ୍ୟ କରିପାରିବୁ କି ନାହିଁ-। ନକରିବା କଥା ବି ମୋ ପାଇଁ କରିବୁ । ହଁ କି ନାହିଁ କଲେ ମୋ ଉପାୟ ମୁଁ କରିବି-।’’ ବିରକ୍ତ ହେଇ ରାଜଶ୍ରୀ କହିଲେ, ‘‘ତୁ ଜାଣିନୁ ରମ୍ଭା ଏ ଝିଅଟିକୁ । ଯାହାକୁ ତୁ କହୁଛୁ ଭଲ ଭଲ ବୋଲି, ସେ ମୋ ହୃଦୟରେ କେତେ ଦୁଃଖ ଦେଇଛି ଜାଣିପାରିବୁନି ତୁ । ଉଆସରେ କେହି ଜାଣିନାହାନ୍ତି ଏହାର ଗୁଣଗରିମା । ରାଜକୁମାରଙ୍କୁ ନିଜ ରୂପରେ ଭୁଲାଇ ରଖିଛି ସେ । ରାଜକୁମାର ଜିଦ୍‌ଧରି ବସିଛନ୍ତି ତା ବ୍ୟତୀତ ଆଉ କାହାରିକୁ ବିବାହ କରିବେନି, ଯାହାକି ରାଜବଂଶରେ ଅସମ୍ଭବ । ସେ ମତେ ଭଲପାଉନାହାନ୍ତି । ରାଣୀମା’ କିନ୍ତୁ ମତେ ଖୁବ୍ ଭଲ ପାଉଛନ୍ତି ।’’

 

କଥାରେ ବାଧା ସୃଷ୍ଟି କରି ରମ୍ଭା କହିଲା, ‘‘ମଲା, ଏ ମଉନମୁହୀଁ ଟୋକୀଟାର ପେଟରେ ଏତିକି ବିଷ ଅଛି ବୋଲି କିଏ ଜାଣିଛି ଭଲା ! ଆମେ କେହି ତ ଏ କଥା ଜାଣିନୁ । ଛି ଛି, ଏ କି ଅଘଟଣ କଥା ଲୋ ମା ! ଏ କାନ ଶୁଣିନି କିଏ ଆଖି ଦେଖିନି ।’’

 

‘‘ସେଥିପାଇଁ ମୁଁ ତତେ କହୁଛି ରମ୍ଭା । ଏଥିରେ ଯଦି ମତେ ତୁ ସାହାଯ୍ୟ କରିବୁ, କେତେ ଉପହାର ଦେବି । ସାରା ଜୀବନ ଧରି ଶୋଇବସି ଖାଇଲେ ବି ସରିବନି । କ’ଣ କହୁଛୁ ? କରିପାରିବୁ ? ସେ ଟୋକୀଟାକୁ ମୋ ପଥରୁ ଦୂରେଇ ଦେଇ ପାରିବୁ ? ମୁଁ ଭାବୁଛି.... ତୋ ବ୍ୟତୀତ ମୋର ଆଉ କିଏ ଆପଣାର ହେଇ ଅଛି କହିଲୁ ?’’

 

‘‘କହୁନ ଜେମାଦେଈ – ସେଇ କଥା ତ ମୂଳରୁ କହିଥିଲେ ଯାଇଥାଆନ୍ତା । ସେଥିପାଇଁ ଏତେ ଲୁଚାଛପା ତୁନିତାନି କଥା କିଆଁ ? ଏଇନେ କହିଲେ ତ ରାଣୀମା’ଙ୍କୁ କହି ତାକୁ ଉଆସରୁ ବାହାରକରିଦେଲେ ଯିବ । ଉଆସର ପୋଲା ଭାତ ପେଟରେ ପଶୁଛି ବୋଲି ସିନା କିଛି ଜଣାପଡ଼ୁନି । ବାହାରକୁ ଗଲେ ସବୁ ପ୍ରେମଫ୍ରେମ ଜଣାପଡ଼ିଯିବ ଯେ ।’’

 

‘‘ନା ନା, ମୁଁ ସେ କଥା କହୁନି ରମ୍ଭା ! ରାଣୀମା’ଙ୍କୁ ଦୁଇଦିନ ହେଲା ଏକଥା କହିସାରିଲିଣି, କିନ୍ତୁ ସେ ତ କିଛି କଲେନି । ମତେ ଲାଗୁଛି ସରଳାକୁ ସେ ବି ଭଲପାଆନ୍ତି । ଯଦି କିଛି ପ୍ରତିକାର ନକରନ୍ତି ତେବେ ମୋର ସବୁ ସରିଯିବ ସିନା ! ଦୁଇବର୍ଷ ହେଲା ଏଠି କାହିଁକି ଅଛି ତୁ ତ ଜାଣୁ ରମ୍ଭା । ମୋ ମନରେ କେତେ ଦୁଃଖ ତୁ କେମିତି ଜାଣିବୁ ?’’ ରାଜଶ୍ରୀଙ୍କର ଆଖି ଛଳ ଛଳ ହେଲା । ତା’ପରେ ତୁନି ତୁନି କହିଲେ, ‘‘ମୁଁ ତତେ ଯାହା ଦେବି ସେତକ ତୁ ଯତ୍ନସହକାରେ ଅନ୍ୟ ସମସ୍ତଙ୍କ ଅଜାଣତରେ ସରଳାର କୌଣସି ଖାଇବା ଜିନିଷରେ ମିଶେଇଦେବୁ । ଏଇତକ ହେଲା ତୋର କାମ । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିପାଁ କଳି । ବଳେ ବଳେ ରାଜକୁମାର ମତେ ଭଲପାଇବେନିକି ! ମୋ ପାଇଁ ଏଇତକ କାମ କରିପାରିବୁନି ରମ୍ଭା ?’’ ରମ୍ଭା ଭାବିଥିଲା ଜେମାଦେଈ ଆଉ କ’ଣ କହିବେ ବୋଲି, କିନ୍ତୁ ସେ ଶୁଣୁଛି କ’ଣ ? ଜେମାଦେଈ କହୁଛନ୍ତି ବିଷ ଦେବାକୁ ଖାଇବା ଭାତରେ । ବିଷ ! ଚମକି ଉଠିଛି ରମ୍ଭା । ମଣିଷ ମାରିବ ସେ ଖାଇବା ଭାତରେ ବିଷ ଦେଇ ? ନା ନା, ପାରିବନି ସେ । ହେ ଭଗବାନ, ଏଇୟା ପୁଣି ଶୁଣିବାକୁ ଥିଲା ! ଏ କଥା ଶୁଣି ଛାତି ତା’ର ଥରି ଉଠୁଛି । ‘ନା ନା; ଜେମାଦେଈ ! ମୁଁ ପାରିବିନି । ବିଷ ଦେବି ଖାଇବା ଭାତରେ ! ଏହାଠାରୁ ଆଉ ଅଧିକ ପାପ କ’ଣ ଅଛି ଦୁନିଆରେ ?’’

 

ଜଳିଉଠିଛି ରାଜଶ୍ରୀଙ୍କର ଆଖି । ସଙ୍ଗେ ସଙ୍ଗେ ବେକରୁ ମୁକ୍ତାର ହାରଟିକୁ ବାହାରକରି ରମ୍ଭା ହାତରେ ଧରେଇଦେଇ କହିଲେ, ‘‘ନେ ଏ ହାରଟା, ତୋତେ ପୁରସ୍କାର ଦେଲି । କାମଟା ଶେଷକରିଦେଲେ ଆହୁରି କେତେ ପୁରସ୍କାର ଦେବି ଯାହା କି ତୁ ଜୀବନସାରା ଦେଖିନଥିବୁ ।’’

 

ରମ୍ଭା ତତ୍‌କ୍ଷଣାତ୍ ହାରଟା ନେଇ ପଲଙ୍କ ଉପରେ ରଖିଦେଇ କହିଲା, ‘‘ନା ଜେମାଦେଈ, ମୋର ଏହା ଦରକାର ନାହିଁ; କ୍ଷମା କରନ୍ତୁ ମତେ ! ମୁଁ ଏ କାମ କରିପାରିବିନି, ରକ୍ଷା କରନ୍ତୁ ।’’

 

‘‘କ’ଣ କହିଲୁ ?’’ – ଗର୍ଜି ଉଠିଲେ ରାଜଶ୍ରୀ । ତକିଆ ତଳୁ ସାଙ୍ଗେ ସାଙ୍ଗେ ପିସ୍ତଲଟିଏ ବାହାରକରି କହିଲେ, ‘‘ଜାଣୁ ଏହାର କରାମତି ? ସଙ୍ଗେ ସଙ୍ଗେ ଗୁଳିକରି ମାରିଦେବି ତତେ । ସାବଧାନ ! ଆଉ ଥରେ ନାହିଁ ବୋଲି ଉଚ୍ଚାରଣ କଲେ ତା’ର ଫଳ ହାତେ ହାତେ ପାଇବୁ !’’ ତା’ପରେ ସ୍ୱରକୁ ଅତି ନରମ କରି କହିଲେ, ‘‘ନା ନା ରମ୍ଭା ! ଏ ଉଆସରେ ତୁ ମୋର ପ୍ରକୃତ ବନ୍ଧୁ-। ତୋତେ ହିଁ ଏ କାମ କରିବାକୁ ପଡ଼ିବ ।’’

 

ଭୟରେ ଶିହରି ଉଠିଲା ରମ୍ଭା । ମୁହଁ ତା’ର ଝାଳେଇ ଗଲାଣି । ଛାର ପୋଇଲି ସେ । ମୁହଁରୁ ତା’ର ଥରିଲା କଣ୍ଠରୁ ବାହାରି ଆସିଲା, ‘‘ଜେମାଦେଈ !’’

 

‘‘ହଁ, ହଁ ରମ୍ଭା ! ତୋତେ ହିଁ ଏ କାମ କରିବାକୁ ପଡ଼ିବ । ଆଉ ତା’ କଲେ ତୋର ଭାଗ୍ୟ ବଦଳିଯିବ ।’’ ରାଜଶ୍ରୀ ରାଜକୁମାରଙ୍କ ପ୍ରେମରେ ମତୁଆଳ । ମନକୁ, ଆଖିକୁ କିଛି ଦେଖାଯାଉନି । କ’ଣ କରିବାକୁ ଯାଉଛନ୍ତି ଉତ୍ତମରୂପେ ହୃଦୟଙ୍ଗମ କରିପାରୁ ନାହାନ୍ତି । କେବଳ ଗୋଟିଏ କଥା ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିପାଁ କଳି ।’ ତାପରେ ନିଜର ଚମଡ଼ା ବାକ୍‌ସରୁ ବାହାର କଲେ ଦୁଇ ବିଡ଼ା ଶହେ ଟଙ୍କିଆ ନୋଟ୍ ଆଉ ଗୋଟିଏ ଧଳା କାଗଜରେ ବନ୍ଧା ପଟାସିୟମ୍ ସାଇନାଇଡର୍ ଛୋଟ ପୁଡ଼ିଆଟିଏ । ସେତକ ରମ୍ଭା ହାତରେ ଧରେଇଦେଇ କହିଲେ, ‘‘ଏ ଟଙ୍କାତକ ତୁ ନେ ରମ୍ଭା, ଆଉ ମୋ କାମଟା କରିଦେ । ତତେ ହିଁ କରିବାକୁ ହେବ । କେହି ଯେପରି ନଜାଣନ୍ତି । ମନରେ ଭୟ କରନା । ଯା, ଚଞ୍ଚଳ ଯାଇ କାମଟା କରିଦେ । ଆଉରି ଅନେକ ପୁରସ୍କାର ଦେବି । ଯା, ଚଞ୍ଚଳ ଯା ରମ୍ଭା । ମୁଁ ଯେ ଆଉ ବିଳମ୍ବ ସହିପାରୁନି ।’’

 

ରାଜଶ୍ରୀ ଅଥୟ ମନରେ ଘରର ଦରଜା ଖୋଲିଦେଲେ । ରମ୍ଭାକୁ ଭିଡ଼ି ଠିଆ କରେଇଦେଲେ । ରମ୍ଭା ଠିଆ ହୋଇ ଚାହିଁରହିଲା ନୋଟ୍ ବିଡ଼ାକୁ ଓ ବିଷ ପୁଡ଼ିଆଟିକୁ । ଦୁଇ ହାତରେ ଦୁଇଟିଯାକ ଜିନିଷ । ରାଜକୁମାରୀ ରାଜଶ୍ରୀ ରମ୍ଭାକୁ ଆଉ ଭାବିବାକୁ ସମୟ ନ ଦେଇ ଭିଡ଼ି ଭିଡ଼ି ବାରଣ୍ଡାରେ ଠିଆ କରାଇଦେଲେ । ଚାରିଆଡ଼କୁ ଥରେ ସତର୍କରେ ଆଖି ବୁଲେଇ ଦେଖିନେଲେ, କେହି ନାହାଁନ୍ତି ।

 

‘‘ଯା ରମ୍ଭା । ତୁ ତୋ କାମରେ ସଫଳତା ଲାଭକରି ଆସିଲେ ମୁଁ ସାନ୍ତ୍ୱନା ପାଇବି । ଯା, ଆଉ ଡେରି କରନା ।’’ ପାଗଳିନିପରି ରାଜଶ୍ରୀ ଅସ୍ଥିର ହୋଇପଡ଼ିଛନ୍ତି । କ’ଣ କରିବାକୁ ଯାଉଛନ୍ତି ବୁଝି ପାରୁ ନାହାଁନ୍ତି ।

 

ଆଖି ଆଗରୁ ରମ୍ଭା ନିଃଶବ୍ଦରେ ଚାଲିଯାଉଛି । ଅଣ୍ଟାରେ ଗୁଞ୍ଜା ହୋଇଛି ନୋଟ୍ ବିଡ଼ା ଆଉ ହାତରେ ପୁଡ଼ିଆଟି । ତା’ର ଯିବାପଥକୁ ଚାହିଁ ରହି ହୃଦୟରୁ ବାହାରି ଆସିଲା ତାତିଲା ପବନ-। ତା’ପରେ ସେ ଝଡ଼ ପରି ଘର ଭିତରକୁ ପଶିଯାଇ ଧଡ଼୍ କରି ଦରଜାଟା ବନ୍ଦ କରି, ଧଇଁସଇଁ ହୋଇ ଧକେଇବାକୁ ଲାଗିଲେ– ଠିକ୍ ଖରାବେଳର ଉଦାସିଆ ଦ୍ୱି ପହରର କୁକୁର ପରି ।

 

ରାଣୀମା’ଙ୍କ ଶୟନକକ୍ଷରେ ବସିଛି ସରଳା । ବିରାଟ ହଲ୍ । କାନ୍ଥ ବାଡ଼ ନାନା ରଙ୍ଗର କାରୁକାର୍ଯ୍ୟରେ ସୁଶୋଭିତ । ଧଳା ମାର୍ବଲ୍ ପଥରର ଚଟାଣ । ହଲ୍ ମଝିରେ ମସ୍ତ ବଡ଼ ପିଆଶାଳ କାଠର ପଲଙ୍କଟିଏ । ପଲଙ୍କର ଚାରୋଟି ଗୋଡ଼ ରୁପାରେ ଛାଉଣୀ କରାଯାଇଛି । ସୁନା ଏବଂ ରୂପାରେ ସମନ୍ୱୟରେ ପଲଙ୍କରେ କରାଯାଇଛି ବିଭିନ୍ନ କାରୁକାର୍ଯ୍ୟ । ମସ୍ତବଡ଼ ଦୁଇଟି ଦର୍ପଣ ଖଞ୍ଜାଯାଇଛି ପଲଙ୍କର ଦୁଇପାଖ ମଶାରି ବାଡରେ । ପଲଙ୍କ ଉପରେ ବସିଲେ ପରିଷ୍କାର ରୂପେ ଦେଖାଯିବ ନିଜର ପ୍ରତିଛବି । ପଲଙ୍କ ଉପରେ ଛଅ ଇଞ୍ଚ ବହଳର ଗଦି, ଆଉ ତା ଉପରେ ହାତ କାମକରା ଗୋଟିଏ ସିଲ୍ କର ଧଳା ବିଛଣା ଚଦର । ହଲ୍‍ ର ଦକ୍ଷିଣ କୋଣକୁ ଲାଗି ଗୋଟିଏ ଡ୍ରେସିଙ୍ଗ୍ ଟେବୁଲ୍ । ଛଅଫୁଟ ଲମ୍ୱା ଓ ତିନିଫୁଟ ଓସାରର ଗୋଟିଏ ବେଲଜିୟମ୍ ଦର୍ପଣ ଖଞ୍ଜାଯାଇଛି ଠିକ୍ କାନ୍ଥକୁ ଲାଗି । ମୋଟା ଗଦିଯୁକ୍ତ ଗୋଟିଏ ହାତ ନଥିବା ଚୌକି । ଚୌକିର ଧାରକୁ ଗୋଟିଏ ଟେବୁଲ୍ । ତା’ ଉପରେ ମୁଣ୍ଡ କୁଣ୍ଡାଇବାର ସମସ୍ତ ସରଞ୍ଜାମ ।

 

ପଲଙ୍କର ଗୋଟିଏ ପାଖକୁ ଲାଗି ମଖମଲ ଗଦିଯୁକ୍ତ ଦୁଇଟି ଚୌକି, ଗୋଟିଏ ଆରାମ ଚୌକି, ଆଉ ଗୋଟିଏ ଟିପୟ । ଟିପୟ ଉପରେ ରୁପାର ତାରକସି କାମକରା ଗୋଟିଏ ଫୁଲଦାନିରେ ବିଭିନ୍ନ ରଙ୍ଗର ସଜଫୁଟା ସୁବାସିତ ଫୁଲ । ଚୌକି ପାଖରୁ ତିନି ଚାରିଫୁଟ ଦୁରରେ ଧଳା ମାର୍ବଲ ପଥରର ତିଆରି ଗୋଟିଏ ଟେବୁଲ୍, ଆଉ ଗୋଟିଏ ଚୌକି । ରାଣୀମା’ଙ୍କର ପଢା ଟେବୁଲ୍ ଏଟା । ଉତ୍ତର ପାଖ କାନ୍ଥରୁ ଲାଗି ଦୁଇଟା କାଚର ଆଲମିରା, ଆଲଣା ଇତ୍ୟାଦି ।

 

ପଲଙ୍କ ଉପରେ ବସିଛନ୍ତି ରାଣୀମା’ । ପାଖ ଚୌକିରେ ସରଳା । ଆଗରେ ତା’ର ପଡ଼ିରହିଛି ଫଟୋଟି । ତାହାରି ଫଟୋ ରାଜକୁମାର ଉଠେଇଥିଲେ । ଆଖିରେ ତା’ର ଅଶ୍ରୁ । ରାଣୀମା’ କହି ଯାଉଛନ୍ତି –‘‘ତୁମେ ଏଡ଼େ ନିମକହାରମ୍ ବୋଲି ମୁଁ ଜାଣିନଥିଲି । ମୋରି ଘରେ ରହି, ମୋରି ଅନ୍ନରେ ଆଜି ପର୍ଯ୍ୟନ୍ତ ପ୍ରତିପାଳିତ ହୋଇ, ଶେଷକୁ ମୋରି ବେକରେ ଛୁରୀ ଦେବ ବୋଲି ମୁଁ ଭାବି ନଥିଲି । ସେଇଥି ପାଇଁ ରାଜକୁମାର ଉଆସକୁ ନ ଆସିବା ପୂର୍ବରୁ ମନା କରିଥିଲି ତୁମକୁ ତାଙ୍କ ସହିତ ଦେଖା କରିବା ପାଇଁ । କିନ୍ତୁ ତୁମେ ମତେ ଫାଙ୍କିଦେଇ, ଉପରେ ସରଳତାର ଆବରଣ ଘୋଡ଼ାଇ ବିଶ୍ୱାସରେ ବିଷ ଢାଳିଛି ।’’ ରାଗରେ ରାଣୀମା’ଙ୍କର ଦେହ ଥରିଉଠୁଛି । ହାତରେ ଧରିଛନ୍ତି ବିକ୍ରମ କେଶରୀଙ୍କର ଚାବୁକଟା । ‘‘ଜାଣ, ଏଇକ୍ଷଣି ଇଚ୍ଛା କଲେ ତୁମର ଏଇ ଶରୀରଟାକୁ ହଜେଇ ଦେବି ଏଇ ଶୟନକକ୍ଷରେ । କେହି ଜାଣିପାରିବେନି, ତା’ର ସୁଯୋଗ ବି ପାଇବେନି । ରୂପ–ରୂପ ଦେଖୋଉଛ ତୁମେ । ଏଇ ରୂପ ନେଇ ବାରବନିତା ସାଜିଛି ରାଜକୁମାରଙ୍କ ପାଖରେ ? ଭାବିଛ ରାଜକୁମାରଙ୍କୁ ନେଇ ଚାଲିଯିବ ଉଆସର ବାହାରକୁ ? ଯିବାପୂର୍ବରୁ ପ୍ରଥମେ ତୁମକୁ ହିଁ ସମାଧି ନେବାକୁ ହେବ ଏହାରି ଭିତରେ । ତା’ପରେ ଦେଖାଯିବ ରାଜକୁମାରଙ୍କ କଥା ।

 

ରାଣୀମା’ଙ୍କର ଗମ୍ଭୀର ସ୍ୱର ଥରି ଉଠୁଛି । ହାତର ଚାବୁକଟା ସାପର ଜିହ୍ୱା ପରି ଲହ ଲହ ହୋଇ ଧାଇଁ ଆସୁଛି ସରଳା ଆଡ଼କୁ– ଯେପରି ସରଳାର ରକ୍ତମାଂସର ଦେହଟାକୁ ଶୋଷିଯିବ ସେ । ନୀରବ, ନିସ୍ପନ୍ଦ ହୋଇ ବସିଛି ସରଳା । ମୁଣ୍ଡଟା ତା’ର ନଇଁ ଯାଇଛି ତଳକୁ – ଦେଖିପାରୁନି କିଛି । ଆଖିର ଲୁହରେ ଅନ୍ଧୁଣୀ ପାଲଟି ଯାଇଛି ସେ । ରାଣୀମା’ଙ୍କର ଭର୍ତ୍ସନା ଶୁଣିଯାଉଛି । ମନର ଦମ୍ଭ, ମନର ବଳ ଭାଙ୍ଗିଯାଇଛି । ସୁଖ ସ୍ୱପ୍ନ, ଆଶାର ସୌଧ ଧୂଳିମାଟିରେ ମିଶିଯାଇଛି । ଆଖି ଆଗରେ ଅନ୍ଧକାର –ଘନ ଅନ୍ଧକାର । କହି ଲାଗିଛନ୍ତି ରାଣୀମା’ – ‘‘ଏତେ ସାହସ ତୁମର ସତେ । ସହସ୍ର ଶଯ୍ୟାର ନାୟିକା ତୁମେ । ନା ଅଛି ତୁମର ଆଭିଜାତ୍ୟ, ଗୌରବ ନା ବଂଶର ଗରିମା । କେଉଁ ସାହସରେ ଧାଇଁ ଆସିଛି ତୁମେ ରାଜକୁମାରଙ୍କୁ ବିବାହ କରିବା ପାଇଁ ? ତୁମରି ଯୋଗୁ ହିଁ ରାଜକୁମାର ଆଜି ଏତେ ତଳକୁ ଖସିଯାଇଛନ୍ତି । ତାଙ୍କର ଅକଳଙ୍କ ଚରିତ୍ରରେ କଳଙ୍କ ଲେପିଦେଇଛି ତୁମେ । ଫଳରେ ରାଜାର ମାନ, ସମ୍ମାନ ଭୁଲିଯାଇଛନ୍ତି ସେ । ଛି, ଛି ଲଜ୍ଜା ଲାଗେନି ତୁମକୁ । ମୋରି ସାମ୍ନାରେ ପୁଣି ମୁହଁ ଦେଖେଇ ବସିଛ ? ତୁମରି ଯୋଗୁଁ ହିଁ ଆଜି ଏତେ ବଡ଼ ବଂଶରେ ଲାଗିବ କଳଙ୍କ–କାଳିମା । ପଲଙ୍କ ଉପରୁ ଓହ୍ଲାଇପଡ଼ି ହଲ୍‍ଟା ସାରା ରାଗରେ ଅସ୍ଥିର ଭାବେ ଘୂରି ବୁଲୁଛନ୍ତି ରାଣୀମା’ । ଭାବୁଛନ୍ତି, ହାତରେ ଧରିଥିବା ଚାବୁକରେ ମାରି ମାରି ମାଟିରେ ମିଶେଇ ଦେବେ, କିନ୍ତୁ ପାରୁନାହାନ୍ତି । କି ଯେ ଦୁର୍ବଳତା ତାଙ୍କର ହାତକୁ ବାରଣ କରେଇଦେଉଛି ଏତେ ବଡ଼ କାମ କରିବାକୁ । ପାଖରେ ଅଛି ପିସ୍ତଲ, ରାଜବଂଶର ବିରାଟ ତରବାରି ଆଉ ହାତରେ ଚାବୁକ । କି ପ୍ରତିକାର କରି ତାଙ୍କର ମନର ରାଗ ମେଣ୍ଟେଇବେ । କ’ଣ କରିବେ ? କିଛି ଠିକ୍ କରି ନ ପାରି ଅଥୟ ମନରେ ଘୂରି ବୁଲୁଛନ୍ତି ହଲ୍ ସାରା ।

 

କିଛି ସମୟ ନୀରବତାପରେ ରାଣୀମା’ ଗୁରୁ ଗମ୍ଭୀର ସ୍ୱରରେ କହିଲେ, ‘‘ଜୀବନକୁ ଯଦି ତୁମର ଆଶା ଅଛି, ତେବେ ତୁମେ ଏଇ ମୁହୂର୍ତ୍ତରେ ସମସ୍ତଙ୍କର ଅଜାଣତରେ ତୁମର ଯାହା କିଛି ଜିନିଷ ଅଛି ସବୁ ନେଇ ବାହାରି ପଡ଼େ । ମୁଁ ମୋର ମଟରଟା ଠିକ୍ କରି ରଖିଥିବି । ତୁମକୁ ଛାଡ଼ିଦେଇ ଆସିବ ତୁମର ଗନ୍ତବ୍ୟ ସ୍ଥାନରେ । ରାଜକୁମାରଙ୍କ ଆଶା ରଖ, ତେବେ ଜୀବନର ଲୋଭ ଆଉ ରଖିବନି । ରାଜବଂଶର ଆଇନକାନୁନ୍ ତୁମକୁ ଜଣା ନାହିଁ । ବାମନ ହୋଇ ଚାନ୍ଦକୁ ହାତ ବଢ଼େଇବାର ପ୍ରତିଫଳ କ’ଣ ତୁମେ ଜାଣନା–ଜାଣିବ ଏଥର । ସାବଧାନ । ଏ କଥା ଯେମିତି ତୃତୀୟ ବ୍ୟକ୍ତି କେହି ନ ଜାଣନ୍ତି ।’’ ସଙ୍ଗେ ସଙ୍ଗେ ରାଣୀମା’ ନିଜର ଲୁହାର ବାକ୍ସ ଖୋଲି ସେଥିରୁ ଦୁଇଟି ବିଡ଼ା ନୋଟ୍ ଆଣି ସରଳା ହାତରେ ଧରେଇଦେଇ କହିଲେ ‘‘ଏଇ ଦେଉଛି ତୁମର ସମୁଦାୟ ଟଙ୍କା ଯାହାକି ମୋ ପାଖରେ ଗଚ୍ଛିତ ଥିଲା । ହଁ, ରାତି ବାରଟାରେ ଚାଲିଆସିବ ସଦର ଦରଜା ପାଖକୁ । ମୁଁ ଅପେକ୍ଷା କରିଥିବି ସେଠାରେ । ଏ କଥା କାହାରି ଆଗରେ ପ୍ରକାଶ କରିବିନି– ନରହରିବାବୁଙ୍କୁ ବି ନୁହେଁ । ସାବଧାନ । ଏ କଥା ଯେମିତି ତୃତୀୟ ବ୍ୟକ୍ତି କେହି ନ ଜାଣନ୍ତି ।’’ ସରଳାର ହାତ ଧରି ଭିଡ଼ି ଭିଡ଼ି ଆଣି ବାହାରେ ଛାଡ଼ିଦେଲେ ରାଣୀମା’ । ମନେ ମନେ ଭାବିଲେ– ରକ୍ଷା ହୋଇଛି । ଚାଲିଯାଉ । ଯେତେ ଚଞ୍ଚଳ ଏ କଣ୍ଟା ଯିବ ସେତିକି ମଙ୍ଗଳର କଥା । ଅସ୍ଥିର ଆବେଗରେ ରାଣୀମା’ ନିଜର ଗୁରୁ ଦେହଟାକୁ ପଲଙ୍କ ଉପରେ ଲୋଟାଇ ଦେଲେ । ବଡ଼ କ୍ଳାନ୍ତ, ବଡ଼ ଅବଶ୍ୟ ଲାଗୁଛି । ମନଟା କ୍ରମଶଃ ଉଷ୍ଣ ହୋଇଉଠିଛି ।

 

ସରଳା ରାଣୀମା’ଙ୍କ ଘରୁ ବାହାରି ଆସିଛି ଅତି ଧୀରେ ଧୀରେ । କେମିତି ସେ କୋଠାର ପାହାଚଗୁଡ଼ାକ ଅତିକ୍ରମ କରି ଖସିଆସୁଛି ଜାଣିପାରୁନି । ଯନ୍ତ୍ରଚାଳିତ ପରି ପାଦଦୁଇଟା ତା’ର ପଡ଼ିଯାଉଛନ୍ତି ଆଗକୁ । ଆଖିର ଲୁହରେ ଅନ୍ଧୁଣୀ ସେ । ଆଖି, ମନ, ଦେହ ସବୁ ଯେମିତି ହୋଇଯାଇଛନ୍ତି ଅଚଞ୍ଚଳ । ହାତରେ ଧରିଥିବା ନୋଟ୍ ବିଡ଼ା କେଉଁଠି ଖସିପଡ଼ିଲାଣି ଜଣାନାହିଁ ତାକୁ । ଖାଲି ହାତଦୁଇଟିକୁ ମୁଠେଇ ଧରିଛି ସେ ଜୋରରେ । ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛି ସେ ଆଗକୁ । ଜଣା ନାହିଁ କିଛି । ବାଟ ଭୁଲିଯାଇଛି ସେ ।

 

ରାତି ଆଠଟା ହେବଣି । ଚତୁର୍ଦ୍ଦଶୀର ଜହ୍ନ ହସି ଉଠୁଛି ଆକାଶରେ । ସେଇ ହସର ପାଖୁଡ଼ା ବୁଣିହେଇ ପଡ଼ିଛି ପୃଥିବୀ ବକ୍ଷରେ । ପୂର୍ବାକାଶରୁ ଉଠିଆସିଛି ବିରାଟ କଳାହାଣ୍ଡିର ମେଘ-। ଲୁଚିଯିବ ଜହ୍ନ । ପୃଥିବୀ ବକ୍ଷ ଉପରୁ ଲୁଚିଯିବ ତା’ର ଆଲୋକ । ଘୋଟିଯିବ ଘନ ଅନ୍ଧକାର-। ଥଣ୍ଡା ପବନଟା ଖୁବ୍ ଜୋରରେ ବହିଆସୁଛି । ବର୍ଷା ହେବ ବୋଧହୁଏ । ଝଡ଼ର ସୂଚନା-। ମୁହୂର୍ତ୍ତକ ଭିତରେ ଯେମିତି ସବୁ ଓଲଟପାଲଟ ହୋଇଯିବ । ସୁ ସୁ ଦେଇ ବହି ଆସୁଛି ଥଣ୍ଡା ପବନଟା-। ଏଇଲାଗେ ପୃଥିବୀ ବକ୍ଷରେ ରଚିବ ତାଣ୍ଡବଲୀଳା । ସରଳା ଚାଲିଲା ଆଗକୁ-। ଧୀରେ ଅତି ଧୀରେ; କଅଁଳିଆ ପାଦ ଦୁଇଟି ତା’ର ପଡ଼ୁଛି ଆଗକୁ ।

 

ସରଳା ଚାଲିଯାଇଛି । ରାଣୀମା’ ପଲଙ୍କ ଉପରେ ପଡ଼ି ରହିଛନ୍ତି ନିର୍ଜୀବ ପରି । ଏଇ ସମୟରେ ମୋଟା ନୀଳରଙ୍ଗର ସିଲ୍ କର ପରଦାଟିକୁ ଆଡ଼େଇ ହଲ୍ ଭିତରକୁ ପଶିଆସିଲା ରମ୍ଭା-। ଭୟରେ ମୁହଁ ତା’ର କଳାକାଠ ପଡ଼ିଯାଇଛି । ଦେହରେ ଯେପରି ସତେ ଜୀବନ ନାହିଁ । ପାଦଶବ୍ଦ ଶୁଣି ରାଣୀମା’ ସେମିତି ଶୋଇରହି ପଚାରିଲେ ‘‘କିଏ ? ପଦ୍ମା ?’’ ‘‘ନା ମା ! ମୁଁ ରମ୍ଭା ।’’ ଭୟରେ ଥଙ୍ଗେଇ ଥଙ୍ଗେଇ କହିଲା ରମ୍ଭା । ଜିଭ ଭିତରକୁ ଭିଡ଼ିହେଇ ଯାଉଛି ତା’ର ଭୟରେ ।

 

‘‘କିଏସେ ତତେ କହିଲା ଏଠାକୁ ଆସିବାକୁ ? କ’ଣ ତୋର କାମ ଏଠି ?’’ ବିରକ୍ତ ହୋଇ ଉଠି ବସିଲେ ରାଣୀମା’ । କାନ୍ଦି କାନ୍ଦି ହୋଇ ରମ୍ଭା ବିଷର ପୁଡ଼ିଆଟା ଏବଂ ନୋଟବିଡ଼ା ଦୁଇଟି ପଲଙ୍କ ତଳେ ଥୋଇଦେଇ କହିଲା, ‘‘ମତେ ରକ୍ଷାକରନ୍ତୁ ମା ! ମୋର କିଛି ହେଲେ ଦୋଷ ନାହିଁ ।’’

 

ରାଣୀମା’ ହଠାତ୍ ପଲଙ୍କ ଉପରୁ ଉଠିଆସି ନୋଟ୍ ବିଡ଼ା ଦୁଇଟି ଉଠେଇ ପଚାରିଲେ, ‘‘କେଉଁଠୁ ପାଇଲୁ ଏତେ ଟଙ୍କା ? କିଏ ଦେଲା ତତେ–’’

 

ସୁଁ ସୁଁ ହୋଇ କାନ୍ଦି ଆଖିରୁ ଲୁହ ପୋଛୁ ପୋଛୁ କାନ୍ଦଣା ସ୍ୱରରେ କହିଗଲା ରମ୍ଭା–ରାଜଶ୍ରୀ ଯାହା ଯାହା ତାକୁ କରିବାକୁ କହିଥିଲେ । ଆଶ୍ଚର୍ଯ୍ୟ ହୋଇ ଶୁଣିଗଲେ ରାଣୀମ ରାଜଶ୍ରୀଙ୍କର କୀର୍ତ୍ତୀକଳାପ । ମନରେ ଆସିଲା ଘୋର ତିକ୍ତତା । ବଡ଼ ବଡ଼ ଆଖିକରି ରମ୍ଭାକୁ ଚାହିଁ ରାଣୀମା’ କହିଲେ, ‘‘ବସ ଏଇଠି । ମୁଁ ରାଜକୁମାରୀଙ୍କୁ ଡକେଇପଠାଉଛି ବର୍ତ୍ତମାନ ।’’ ରମ୍ଭା କାନ୍ଦି କାନ୍ଦି ବସିରହିଲା ସେଠି ।

 

ରାଜଶ୍ରୀଙ୍କର ଘରୁ ବାହାରି ଆସିବା ପରେ ବହୁତ ଭାବିଚିନ୍ତି ରମ୍ଭା ସରଳାର ଖାଇବା ପଦାର୍ଥରେ ବିଷ ଦେଇନି । ଚାକରାଣୀ ସେ । କେଉଁ ଜନ୍ମରେ କି ପାପ କରିଥିଲା ଯେ ଏ ଜନ୍ମରେ ବାପ ଭାଇ, ସ୍ୱାମୀ ସଂସାରର ମୁହଁ ଦେଖିନି । ପରର ଗୋଲାମୀ କରି ତା’ର ସାରା ଜୀବନ କଟିଲା-। ଅଧାବୁଢ଼ୀ ହେଲାଣି ଆସି । ପୁଣି ଏ ଜନ୍ମରେ ଜାଣି ଜାଣି ନିରୀହ, ନିର୍ଦ୍ଦୋଷକୁ ଖାଇବା ପଦାର୍ଥରେ ବିଷ ଦେଇ ମାରିବ ? ଯାହାକୁ ଉଆସରେ ସମସ୍ତେ ଆଦର ସହାନୁଭୂତିରେ ମଣ୍ଡି ଦେଉଛନ୍ତି, ତାକୁ ପୁଣି ବିଷ ଦେଇ ମାରିବ ସେ ? ଶାନ୍ତଶିଷ୍ଟ ଝିଅଟିଏ, ବାପ ମା ନାହାନ୍ତି, ଭାଇକୁ ମଣିଷ କରିବା ପାଇଁ ଚାକିରି କରିଛି ଏଠି । କେତେ ବୁଦ୍ଧି ତା’ର । କି ଅପରାଧ କରିଛି ସେ । ପ୍ରଥମରୁ ରାଜଶ୍ରୀଙ୍କୁ ଦେଖିଆସୁଛି ସେ । ସରଳା ରାଜଶ୍ରୀଙ୍କ ଅପେକ୍ଷା କେଉଁଥିରେ କମ୍ ? କେବାଳ ଧନସମ୍ପତ୍ତି ନାହିଁ, ରାଜାଘରେ ଜନ୍ମ ହେଇ ନାହାଁନ୍ତି । ବଂର ସରଳା ଉଆସର ଯୁବରାଣୀ ହେଲେ ଖୁବ୍ ଭଲ ହେବ । ସତୀ ତ ପୁଣି ବିଭା ହେଲା, ଶାଶୁଘର କଲା । କିଏସେ ଜାଣିଥିଲା ସତୀର ଭାଗ୍ୟ ଲେଉଟିବ ବୋଲି । ରାଜକୁମାରଙ୍କୁ ସରଳା ବିବାହ କଲେ କେଉଁ କ୍ଷତିଟାଏ ଏମିତି ହୋଇଯିବ ? ସେଦିନ ମହାଭାରତରେ ପଢ଼ୁଥିଲା ନରହତ୍ୟା ମହାପାପ । ବିନାଦୋଷରେ ନିରୀହ ଝିଅଟିକୁ ମାରି କେତେ ବଡ଼ ପାପରେ ଭାଗିନୀ ନହେବ ସେ ? ସତେ କେଡେ ବଡ଼ କଥା କହିଲେ ଜେମାଦେଈ ? ଏତେ ପଢ଼ି, ରଜାଘରେ ଜନ୍ମହେଇ, ଭଲ କଥା ଶିଖି କ’ଣ ଏଇ ବୁଦ୍ଧି । ଛି, ଛି, ସେ ଟଙ୍କା ଲୋଭରେ ଏତେ ବଡ଼ ପାପକାମ କରିପାରିବିନି । ତେବେ କ’ଣ କରିବ ସେ ? ଫେରିଗଲେ ଜେମାଦେଈ ଯେ ତାକୁ ଜୀବନରୁ ଶେଷ କରିଦେବେ ବୋଲି ଧମକେଇଛନ୍ତି । ତେବେ କ’ଣ କରିବ-? କାହାକୁ କହିବ-? ଶେଷକୁ ଭାବିଲା– ରାଣୀମା’ଙ୍କୁ କହିବି, ତେଣିକି ଯାହା ମୋ ଭାଗ୍ୟରେ ଥିବ ନିଜକୁ ପଚାରୁଛନ୍ତି ରାଣୀମା’ । ପରମୁହୂର୍ତ୍ତରେ ଭାବୁଛନ୍ତି–ସରକା

 

ତାପରେ ରାଣୀମା’ଙ୍କ ପାଖକୁ ଆସିଛି ରମ୍ଭା । ରାଣୀମା’ ପଚାରୁଛନ୍ତି, ‘‘ରାଜକୁମାରୀ କେତେବେଳେ ତୋତେ ଏ କଥା କହିଲେ ?’’

 

‘‘ଏଇ ଘଡ଼ିଏ କି ଦିଘଡ଼ି ତଳେ । ମତେ ପେଲି ପେଲି ପଠେଇଲେ । ନଗଲେ ପୁଣି ମାରିଦେବେ ବୋଲି ପିସ୍ତଲ ଦେଖେଇ କହିଲେ ।’’

 

‘‘ସତେ ?’’ ରାଣୀମା’ଙ୍କ ମନରେ ଆସିଛି ତିକ୍ତତା । ଜୀବନରେ ମସ୍ତବଡ଼ ଭୁଲ୍ କରିବାକୁ ଯାଉଥିଲେ ସେ । ରାଜଶ୍ରୀ ତାଙ୍କର ନିମନ୍ତ୍ରିତା । ଘରର ଝିଅପରି ଦୁଇବର୍ଷ ହେଲା ଏଠି ଅଛନ୍ତି । ଯାହା ସେ ନିଜେ କରିପାରି ନାହାନ୍ତି, ତାହା କରିବାକୁ ରାଜକୁମାରୀ ଏତେ ଟିକିଏ ବି ବିଚଳିତ ହୋଇନାହାନ୍ତି । ତାଙ୍କରି ଉଆସରେ ରହି ଆଜି ସେ ଏତେ ବଡ଼ କାମଟାଏ କରିବାକୁ ଯାଉଥିଲେ, ପୁଣି ଚାକରାଣୀ ସାହାଯ୍ୟରେ । ତାଙ୍କର ଏତେ ବଡ଼ ସାହସ ଦେଖି ରାଣୀମା’ ଆଶ୍ଚର୍ଯ୍ୟ ହେଲେ । ରାଜଶ୍ରୀଙ୍କର ଚରିତ୍ରକୁ ପ୍ରଥମରୁ ଜାଣି ରଖିବା ଉଚିତ୍ ଥିଲା । ଧନସମ୍ପଦ, ରାଜବଂଶର ଆଭିଜାତ୍ୟରେ ବୁଡ଼ିରହିଥିଲେ ସେ । ସେଇଥିପାଇଁ ରାଜଶ୍ରୀଙ୍କୁ ମୁହଁ ଦେଇଛନ୍ତି ସେ ନିଜେ । ବିକ୍ରମପୁରର ଯୁବରାଣୀ ହେବ ବୋଲି ଆଶା ଦେଇଛନ୍ତି । ସବୁ ନିଜର ହିଁ ଭୁଲ୍ । ସେଥିପାଇଁ ରାଜକୁମାର କହନ୍ତି, ‘ମା, ଆପଣଙ୍କ ଆଖିରେ କେବଳ ମାନ ସମ୍ମାନ, ଧନ ସମ୍ପଦଟା ହିଁ ବଡ଼ । ମଣିଷ ହୃଦୟରେ ଯେ, କୋମଳତା, ସ୍ନେହ, ପ୍ରେମ ବୋଲି କେତୋଟି ଜିନିଷ ଅଛି ତାହା ଆପଣଙ୍କୁ ଜଣାନାହିଁ । ସତ କଥା । ରାଣୀମା’ଙ୍କର ମନଟା କ’ଣ ହେଇଯାଉଛି । ଚକ ଘୂରି ବୁଲୁଛି । କେତେବେଳେ କ’ଣ ହେବ କେହି କହିପାରିବେନି । ଏଇ ଚାକରାଣୀଟି ଯଦି ଟଙ୍କା ଲୋଭରେ ଏତେ ବଡ଼ କାମଟେ କରିପକେଇଥାଆନ୍ତା, ତେବେ ଉଆସର କେଉଁ ସମ୍ମାନଟା ରହିଥାଆନ୍ତା ? ନିଜକୁ ପଚାରୁଛନ୍ତି ରାଣୀମା’ । ପରମୁହୂର୍ତ୍ତରେ ଭାବୁଛନ୍ତି–ସରକାର ବା କି ଦୋଷ ? କାହିଁକି ସେ ଆଜି ଦୋଷଦେଲେ ତାକୁ ? କାହିଁକି ଏତେ ଭର୍ତ୍ସନା କଲେ ? ବଡ଼ ନିରୀହ, ଶାନ୍ତଶିଷ୍ଟ ସରଳ ଝିଅଟି । ତିନିବର୍ଷ ହେଲା ସେ ଦେଖି ଆସୁଛନ୍ତି ତା’ର ଚରିତ୍ର, ବ୍ୟକ୍ତିତ୍ୱ । ଉଆସର ପ୍ରତ୍ୟେକେ ତା’ ପ୍ରତି ସନ୍ତୁଷ୍ଟ । ବୃଥା ମରୀଚିକା ପଛରେ ସିନା ସେ ଧାଇଁଥିଲେ । ପ୍ରକୃତରେ ରାଜଶ୍ରୀଙ୍କ ପିତାଙ୍କର ସମ୍ପତ୍ତିଟା ହିଁ ତାଙ୍କୁ ଅନ୍ଧୁଣୀ କରିଦେଇଥିଲା । ରାଜଶ୍ରୀଙ୍କ ଅପେକ୍ଷା ସରଳା ଏବେ କେଉଁ ଗୁଣରେ ଊଣା । ରାଜକୁମାରଙ୍କର ଇଚ୍ଛା ପୂର୍ଣ୍ଣ ହେଉ । ସରଳା ଏ ଉଆସର ଯୁବରାଣୀ ହେଇ ଆସନ୍ତୁ ।’ ଭାବୁ ଭାବୁ ଆନନ୍ଦରେ ଅସ୍ଥିର ହୋଇଉଠୁଛନ୍ତି ରାଣୀମା’ ।

 

ସଙ୍ଗେ ସଙ୍ଗେ ପଦ୍ମାକୁ ପଠାଇଦେଲେ ରାଜକୁମାରୀ ରାଜଶ୍ରୀ ଆଉ ରାଜକୁମାରଙ୍କୁ ଡାକିଦେବାକୁ । ଏତେ ଦିନରେ ସେ ଖୋଜି ପାଇଛନ୍ତି ସମାଧାନର ବାଟ । ବସିପାରୁନାହାନ୍ତି ସେ ନିଶ୍ଚିନ୍ତ ହୋଇ । ଅଥୟ ମନରେ ଘୂରି ବୁଲୁଛନ୍ତି ହଲ୍ ସାରା । ମୁଣ୍ଡଟା ଭୟଙ୍କର କମ୍ପିଉଠୁଛି । ରାଣୀମା’ ଦୁଇହାତରେ ମୁଣ୍ଡଟାକୁ ଚିପିଧରି ହଠାତ୍ ବସି ପଡ଼ିଲେ ପଲଙ୍କ ଉପରେ ।

 

କିଛି ସମୟ ପରେ ରାଜଶ୍ରୀ ଆସିଛନ୍ତି । ରମ୍ଭାକୁ ରାଣୀମା’ଙ୍କର ଶୟନକକ୍ଷରେ ଦେଖି ପ୍ରଥମେ ଚମକି ପଡ଼ିଥିଲେ ସେ । ରମ୍ଭାକୁ ପେଲି ପେଲି ପଠେଇବା ପରେ ତାଙ୍କ ମନରେ ସ୍ଥିରତା ନଥିଲା । ପ୍ରତି ମୂହୁର୍ତ୍ତରେ ସେ ବାରମ୍ୱାର ବାହାରକୁ ଯାଇ ତା’ର ଆସିବା ପଥକୁ ଚାହିଁ ରହୁଥିଲେ । ଘଣ୍ଟା କଣ୍ଟା ଯେତିକି ଆଗଉଥିଲା ତାଙ୍କର ହୃଦୟର ସ୍ପନ୍ଦନଟା ସେତିକି ବେଗରେ ବଢ଼ୁଥିଲା, କିନ୍ତୁ ରମ୍ଭାକୁ ଏଠି ଦେଖି ସମସ୍ତ ବିଷୟ ଏବେ ପରିଷ୍କାର ବୁଝିପାରିଲେ ପ୍ରଥମେ କିଂକର୍ତ୍ତବ୍ୟବିମୁଢ଼ା ହୋଇ ଠିଆ ହୋଇଗଲେ । ରାଗରେ ମୁହଁଟା ନାଲି ପଡ଼ିଗଲା । ଆଖିରୁ ବାହାରି ଆସିଲା ଅଗ୍ନିସ୍ଫୁଲିଙ୍ଗ ।

 

ରାଜଶ୍ରୀ ହଲକୁ ପଶି ଆସିବାକ୍ଷଣି ରମ୍ଭା ଆଉ ଚାହିଁପାରିଲାନି ତାଙ୍କୁ । ଭୟରେ ଥରିବାକୁ ଲାଗିଲା କେବଳ । ରାଣୀମା’ ସଙ୍ଗେ ସଙ୍ଗେ ପଲଙ୍କ ଉପରୁ ଉଠିଆସିଲେ । ରାଜଶ୍ରୀଙ୍କୁ ହାତ ହଲେଇ ଇଙ୍ଗିତ ଦେଲେ ଚୌକିରେ ବସିବା ପାଇଁ । ସବୁ ଜାଣିପାରିଲେ ରାଜଶ୍ରୀ । ନିର୍ଭୟରେ ବସିପଡ଼ିଲେ ଚୌକିରେ । ଭାବିଲେ ଭୟ କରିବେ କାହିଁକି ? ଅକଳନ୍ତି ସମ୍ପତ୍ତିର ଅଧିକାରିଣୀ ସେ । ଦୁଃଖ କ’ଣ ତାଙ୍କର ? ଭୁଲ୍ ସ୍ୱୀକାର କରି କାହିଁକି ନିଜକୁ ଏତେ ଛୋଟ କରିବାକୁ ଯିବେ ? ସମୟେ ସମୟେ ରାଗିଲା ଆଖିରେ ଚାହୁଁଛନ୍ତି ରମ୍ଭାକୁ । ଚୁପ୍ ଚାପ ହୋଇ ମୁହଁ ତଳକୁ ପୋତି ଠିଆ ହୋଇଛି ସେ । ଥରୁଟିଏ ବି ତାଙ୍କୁ ଚାହୁଁନି । ରାଗରେ ଅସ୍ଥିର ହୋଇପଡ଼ୁଛନ୍ତି ମନେ ମନେ । ଆଗରେ ରାଣୀମା’ ଘୂରି ବୁଲୁଛନ୍ତି, ନଚେତ୍ ବିଶ୍ୱାସ ଘାତକତାର ପ୍ରତିଫଳ ଦେଖେଇ ଦେଇଥାଆନ୍ତେ ତାକୁ ।

 

ଏଇ ସମୟରେ ରାଜକୁମାର ବି ପଶି ଆସିଛନ୍ତି ଘର ଭିତରକୁ । ଦେଖିଲେ–ତିନୋଟି ନାରୀଙ୍କର ତିନୋଟି ପ୍ରତିମୂର୍ତ୍ତି । ଘରେ ନୀରବତାର ରାଜୁତି । ପରିସ୍ଥିତିଟା କେମିତି ଖାପଛଡ଼ା ପରି ଲାଗିଲା ତାଙ୍କୁ । କିଛି ବୁଝିପାରିଲେନି । ବର୍ତ୍ତମାନ ଫେରିଥିଲେ ବାହାରୁ । ସେଇ ବେଶପୋଷାକ ପିନ୍ଧି ଆସିଛନ୍ତି ମାଙ୍କ ପାଖକୁ । କାହିଁକି ଡକେଇଛନ୍ତି ବୋଲି ମନରେ ଉତ୍କଣ୍ଠା । ଶୟନ କକ୍ଷରେ ରାଜଶ୍ରୀଙ୍କୁ ଦେଖି ଭାବିଲେ– ଏଥର ତାଙ୍କରି ସମ୍ମୁଖରେ ମା ବୋଧହୁଏ ପଚାରିବେ ତାଙ୍କୁ ବିବାଦ କରିବାକୁ । ଯଦି ବାଧ୍ୟ କରନ୍ତି, ତେବେ ଏଇ ମୁହୂର୍ତ୍ତରେ ଚାଲିଯିବେ ଉଆସରୁ ଚିରଦିନ ପାଇଁ ।

 

ରାଜକୁମାରଙ୍କୁ ଦେଖି ରାଜଶ୍ରୀଙ୍କର ମୁଖ ମଳିନ ପଡ଼ିଗଲା । ତଳକୁ ମୁହଁ ପୋତିଲେ ସେ । ହୃଦୟରେ ଶତବୃଶ୍ଚିକର ଦଂଶନ ଅନୁଭବ କଲେ । ଆଖିରେ ଲୁହର ଲହଡି ଖେଳି ବୁଲିଲା । କିନ୍ତୁ କେତେକ ମୁହୂର୍ତ୍ତ ପାଇଁ । ପରେ ନିଜେ ପ୍ରକୃତିସ୍ଥା ହୋଇଗଲେ । ଆଉ କାହିଁକି ? ଯାହା ହେଇଯାଇଛି ହେଇଯାଇଛି ଭାବି ଲାଭ ନାହିଁ । ନିଜର ଆତ୍ମମର୍ଯ୍ୟାଦାକୁ ଏତେ ଛୋଟ କରିବାକୁ ଦେବିନି । ରାଣୀମା’ ରାଜକୁମାରଙ୍କର ହାତ ଧରି ନିଜର ପଲଙ୍କ ଉପରେ ବସେଇଦେଇ ରାଜଶ୍ରୀଙ୍କୁ ଚାହିଁ ପଚାରିଲେ, ‘‘ରାଜକୁମାରୀ, ରମ୍ଭା ଆସି ଯାହାସବୁ କହୁଛି ସେ କଥା କ’ଣ ସତ ?’’

‘‘ହଁ ସତ !’’ ନିର୍ଭୀକ ଗମ୍ଭୀର ସ୍ୱରରେ କହିଲେ ରାଜଶ୍ରୀ । ‘‘ତେବେ ତୁମେ ଏପରି ଗୋଟିଏ ଭୟଙ୍କର କାମ କରିବାକୁ କାହିଁକି ଯାଉଥିଲ ରାଜକୁମାରୀ– ପୁଣି ମୋରି ଉଆସରେ । ଏଇଥିପାଇଁ ତୁମକୁ ଡାକି ଆଣି ଉଆସରେ ସ୍ୱାଧୀନତା ଦେଇଛି, ସବୁ ପ୍ରକାର ସ୍ୱତନ୍ତ୍ରତା ଶିଖେଇଛି-? ତାରି ଫଳ କ’ଣ ଏଇୟା ଆଶା କରିଥିଲି ତୁମ ନିକଟରୁ ? ଉଚ୍ଚ ଶିକ୍ଷିତା, ସୁନ୍ଦରୀ, ବୁଦ୍ଧିମତୀ, ଉଚ୍ଚକୁଳସମ୍ଭୂତା ହେଇ ଏଇ କ’ଣ ବୁଦ୍ଧି ତୁମର ? ସାମାନ୍ୟ ଚାକରାଣୀଟାକୁ ବି ସରିହେଲନି-?’’

ଆହାତ ସର୍ପିଣୀ ପରି ଫଣା ତୋଳି ରାଗିଲା ସ୍ୱରରେ କହିଲେ ରାଜଶ୍ରୀ– ‘‘ସାମାନ୍ୟ ଇତର ଚାକରାଣୀ ସାମନାରେ ବି ମୋତେ ଅପମାନ ଦେବାକୁ କୁଣ୍ଠାବୋଧ କଲେନି ଆପଣ ? ଏଇଥିପାଇଁ ମତେ ନିମନ୍ତ୍ରିତ କରି ଆଣିଥିଲେ । ଏଇ କ’ଣ ଆପଣଙ୍କର ବଂଶର ସମ୍ମାନ ?’’

‘‘ଅପମାନ ମୁଁ ଦେଉନି ରାଜକୁମାରୀ, ନିଜକୁ ନିଜେ ଅପମାନିତ କରିଛ ତୁମେ । ଏଡିକି ସ୍ୱାର୍ଥପର ତୁମେ । ସାମାନ୍ୟ ସ୍ୱାର୍ଥ ପାଇଁ, ନିଜର ନୀଚ ଲାଳସାର ଚରିତାର୍ଥ ପାଇଁ ଆଉ ଗୋଟିଏ ଜୀବନରେ ପୂର୍ଣ୍ଣଛେଦ ଟାଣିବାକୁ ଯାଉଥିଲ । ଛି, ଛି, ଛି, ମୁଁ ନିଜେ ଯାହା କରିପାରିଲିନି, ମୋରି ଉଆସରେ ରହି ଏତେ ବଡ଼ ଆସ୍ପର୍ଦ୍ଧା ନେଇ ତାହାହିଁ କାର୍ଯ୍ୟତଃ କରିବାକୁ ଚାହିଁଥିଲ ରାଜକୁମାରୀ ? ନିଜକୁ ସୁଖମୟ ଭବିଷ୍ୟତକୁ ହିଁ ଅନ୍ଧକାରାଚ୍ଛନ୍ନ କରି ଦେଇଛ । ନିଜ ଗୋଡ଼କୁ ନିଜେ ହାଣିଛ । ଏଇ ଘଟଣାଟିରେ ଯଦି ସଂପୃକ୍ତ ନଥାନ୍ତ, ତେବେ ତୁମେ ହିଁ ମୋରି ପାଖେ ପାଖେ ଚାରିଦିନ ଲାଗି ରହିପାରିଥାଆନ୍ତ । ସୁଖର ସଂସାର ଗଢ଼ିଥାଆନ୍ତ, ଅପୂର୍ଣ୍ଣ ବାସନା ପୂର୍ଣ୍ଣ କରିପାରିଥାଆନ୍ତ । କିନ୍ତୁ ଭୁଲ୍‍କରି ବସିଛ ତୁମେ । ଯାହାହେଉ, ମୋର ଆଖି ଖୋଲିଦେଇଛ ଏବେ । ସେଥିପାଇଁ ତୁମକୁ କ୍ଷମା ଦେଉଛି ରାଜକୁମାରୀ । ତୁମକୁ ଏହି ଉଆସରେ ସ୍ୱାଧୀନତା ଦେଇଛି ମୁଁ–ମୋରି ଭୁଲ୍ । ଭଗବାନ୍ କିନ୍ତୁ ମୋର ଭୁଲ୍‍ର ଉପଯୁକ୍ତ ଶିକ୍ଷା ଦେଇଛନ୍ତି । ଯାହାକୁ ଭାବିଥିଲି କାଚ ବୋଲି ସେ କିନ୍ତୁ ଶେଷରେ କାଞ୍ଚନ, ମଣି ପାଲଟିଯାଇଛି । ଆଉ ଯାହାକୁ ଭାବିଥିଲି ମଣି ବୋଲି ସେ କିନ୍ତୁ କାଚ ପାଲଟିଯାଇଛି । ଏଇ ତ ବୁଝିବାର, ଦୁନିଆରେ ଉପଯୁକ୍ତ ମଣିଷ ବାଛିବାର ଭ୍ରମ । ଏଇ ଭ୍ରମ ହିଁ ମଣିଷକୁ ପେଲି ଦିଏ ଦୁଃଖ ବୈରାଗ୍ୟ ପଥରେ । ମଣିଷ ପାଗଳ ହୁଏ, ହସେ, କାନ୍ଦେ, ଗାଏ, ନାଚେ । ସେଇ ଭ୍ରମହିଁ କରି ବସୁଥିଲି ମୁଁ, ଆଉ ସେଇ ଭ୍ରମ ମୋର ତୁଟେଇ ଦେଇଛନ୍ତି କୁଳଦେବତା ମଦନ ମୋହନଜୀ ।’’

ରାଜଶ୍ରୀ ରାଗରେ ଫୁଲି ଫୁଲି ଦାନ୍ତରେ ଦାନ୍ତ ଚିପି, ଓଠ କାମୁଡ଼ି ବସି ରହିଥିଲେ । ଶୁଣିବାକୁ ଆଉ ଧୈର୍ଯ୍ୟ ନଥିଲା ତାଙ୍କର । ଶେଷରେ ଅସ୍ଥିର ହୋଇ କହି ଉଠିଲେ, ‘‘ବହୁତ ଅପମାନ ଦେଲେଣି ମତେ । ଆଉ ନୁହେଁ । ଆଜି ମୁଁ ଚାଲିଯାଉଛି ମୋର ବାବାଙ୍କ ପାଖକୁ । ଏଠିକି ଆସି ବହୁତ ମର୍ଯ୍ୟାଦା ପାଇଲିଣି, ବହୁତ ଶିକ୍ଷା ପାଇଲିଣି । ହଉ ରାଣୀମା’ ଯାଉଛି । ଆପଣଙ୍କର ସହୃଦୟତା ପାଇଁ ଧନ୍ୟବାଦ ।’’ ଆତ୍ମଗର୍ବରେ ଛାତି ଫୁଲେଇ ମୁହଁ ଉପରକୁ ଟେକି ଉଠି ଠିଆ ହେଲେ ରାଜଶ୍ରୀ ଯିବାପାଇଁ ।

‘‘କୁଆଡ଼େ ଯାଉଛ ରାଜକୁମାରୀ ? ଆଉରି ଅନେକ କଥା ଶୁଣିବାକୁ ବାକି ଅଛି ତୁମର-। ଏତେ ଚଞ୍ଚଳ ଚାଲିଯିବ କେମିତି ?’’ ଗମ୍ଭୀର ମୁହଁରେ କୃତ୍ରିମ ହସ ଫୁଟେଇ କହିଲେ ରାଣୀମା’-

ରାଜଶ୍ରୀ ତାଙ୍କର କଥା ଅମାନ୍ୟ କରି ଆତ୍ମଗର୍ବରେ ଚାଲି ଯାଉ ଯାଉ ତାଚ୍ଛଲ୍ୟ ହସ ହସି କହିଲେ, ‘‘ଆଉରି ଅପମାନ ଦେବାକୁ ବାକି ଅଛି ? ଧନ୍ୟବାଦ ଆପଣଙ୍କୁ ଆଉ ଆପଣଙ୍କର ରାଜବଂଶକୁ ।’’ ଚାଲିଗଲେ ରାଜଶ୍ରୀ ।

 

ସଙ୍ଗେ ସଙ୍ଗେ ରାଣୀମା’ ଦୁଇ ହାତରେ ତାଳିମାରି ସଂକେତ ଦେଲେ । ଭିତରକୁ ପଶିଆସିଲା ପଦ୍ମା ।

 

‘‘ଚଞ୍ଚଳ ଯାଇ ରାମସିଂକୁ କହିଦେ, ଆଜି ରାତିରେ ରାଜଶ୍ରୀଙ୍କର ଶୋଇବା ଘର ଆଗରେ ପହରା ଦେବ ।’’ ମନକୁ ମନ କହିଲେ, ‘ଆଜି ଯେ କୌଣସିମତେ ତାଙ୍କୁ ପଠେଇ ଦେବାକୁ ହେବ ।’

 

ଏ ପର୍ଯ୍ୟନ୍ତ ରାଜକୁମାର ନୀରବରେ ବସି ରହି ଶୁଣୁଥିଲେ ସବୁ । କିଛି ବୁଝିପାରୁନଥିଲେ । ରାଣୀମା’ଙ୍କର ଶେଷ ବାକ୍ୟଟି ଶୁଣି ପଚାରିଲେ–‘‘କାହାକୁ ପଠେଇଦେବେ ମା’-?’’

 

‘‘କାହାକୁ ?’’ ରାଣୀମା’ ସମସ୍ତ ଘଟଣାଟି କହିଗଲେ ରାଜକୁମାରଙ୍କୁ । ପ୍ରଶଂସାସୂଚକ ଆଖିରେ ରାଜକୁମାର ଚାହିଁଲେ ରମ୍ଭାକୁ ।

 

ରାଣୀମା’ କହିଲେ–‘‘ରାଜକୁମାର । ଆଜି ପର୍ଯ୍ୟନ୍ତ ମୁଁ ଆତ୍ମଗର୍ବରେ ଭାସିଯାଉଥିଲି । ତାହାରି ଫଳରେ ଜୀବନରେ ବିରାଟ ଭୁଲ୍ କରି ବସୁଥିଲି । କିନ୍ତୁ ମୋର ଆଖି ଫିଟେଇ ଦେଇଛ ତୁମେ ଆଉ ଶେଷରେ ଏଇ ରମ୍ଭା । ସେ ଯଦି ରାଜଶ୍ରୀଙ୍କର କଥାନୁଯାୟୀ କାମ କରିଥାନ୍ତା ତେବେ ମୋର ସମ୍ମାନ ରହିଥାଆନ୍ତା କେଉଁଠି ? ତୁମେ ଚଞ୍ଚଳ ଯାଅ ରାଜକୁମାର, ସରଳାକୁ ମୋ ପାଖକୁ ନେଇଆସ । ଏଇ ଅଧଘଣ୍ଟାକ ପୂର୍ବରୁ ଅନେକ ଭର୍ତ୍ସନା କରିଛି ତାକୁ । ବିଚାର ନୀରବରେ ସବୁ ସହିଯାଇଛି । ସେ ହେବ ମୋର ଲକ୍ଷ୍ମୀ–ବିକ୍ରମପୁର ରାଜବଂଶର କୂଳବଧୁ, ତୁମର ଉପଯୁକ୍ତ ସହଧର୍ମିଣୀ । ଦୁନିଆ କହୁ ମୋର ଭୁଲ୍ ବୋଲି, ବନ୍ଧୁ ବାନ୍ଧବ ପ୍ରଭୃତି ଯେ କେହି କହନ୍ତୁ ମୋର ଭୁଲ୍ ବୋଲି–ମୁଁ କ’ଣ କହିବି ଜାଣ ? ମୁଁ କହିବି–ଅତଳ ସାଗର ଗର୍ଭରୁ ଖୋଜି ଖୋଜି ମୁଁ ପାଇଛି ପ୍ରକୃତ ରତ୍ନ । ସରଳା ଶୁଦ୍ଧପୁତ ଗଙ୍ଗା; ଅଳଙ୍କାର ତା’ର ଚରିତ୍ର । ତିନିବର୍ଷ ହେଲା ଦେଖିଆସୁଛି ମୁଁ-। ଭୁଲ୍ କରୁଥିଲି । ରତ୍ନକୁ ଚିହ୍ନି ବି ହରେଇବାକୁ ବସୁଥିଲି ନିଜ ଦୋଷରୁ । ତୁମେ ଯାଅ ରାଜକୁମାର-। ଚଞ୍ଚଳ ଯାଇ ତାକୁ ମୋ ପାଖକୁ ନେଇଆସ । ଯେଉଁ ଆଖିରେ ଝରେଇଥିଲି ଅଶ୍ରୁର ବନ୍ୟା, ସେଇ ଆଖିରେ ଦେଖିବି ବିଜୁଳିର ଝଟକ ।’’

 

ରାଜକୁମାର ମାଙ୍କର କଥା ଶୁଣି ଆନନ୍ଦରେ ଅଧୀର ହୋଇ ଠିଆହେଲେ ଯିବା ପାଇଁ । ରାଣୀମା’ ଚଞ୍ଚଳ ପଦକ୍ଷେପରେ ଯାଇ ନିଜର ଲୁହା ଆଲମାରିରୁ ଗୋଟିଏ ତାଡା ନୋଟ୍ ଆଉ ଗୋଟିଏ ସୁନାର ହାର ଆଣି ରମ୍ଭା ହାତରେ ଦେଇ କହିଲେ–‘‘ନେ ରମ୍ଭା–ଏଇ ତୋର ପୁରସ୍କାର । ଆଜି ଏ ରାଜବଂଶର ଯାହା ଉପକାର କଲୁ ତାହା ଅମୂଲ୍ୟ ଓ ଅବର୍ଣ୍ଣନୀୟ । ମୁଁ ଦେଖୁଛି ମୋରପରି ଯେଉଁମାନେ ଧନସମ୍ପଦ, ଆଭିଜାତ୍ୟ ପାଇଁ ଆତ୍ମଗର୍ବିଣୀ ସେମାନଙ୍କର ହୃଦୟ ଥିଲେ ବି ସେ ହୃଦୟ ନୁହେଁ । ସେଥିରେ ପୂରିରହିଛି କେବଳ ମୋହ । କିନ୍ତୁ ତୁମରିମାନଙ୍କ ହୃଦୟ ହିଁ ସ୍ନେହ କରୁଣାର ପ୍ରତିମୂର୍ତ୍ତି । ମୋତେ ଆଜି ଉଚିତ୍ ଶିକ୍ଷା ଦେଇଛୁ । ତୋର ଉପକାର ଭୁଲିପାରିବିନି ରମ୍ଭା । ହଁ ଆଉ ଗୋଟିଏ କଥା । ଅଭିରାମକୁ କହିଦେବୁ, କାଲି ଦଶଟାରେ ରାଜଶ୍ରୀଙ୍କୁ ଜନତାରେ ନେଇ ଛାଡ଼ି ଆସବାକୁ । ଦୁଇଜଣ ଦାସୀ ଆଉ ଅଭିରାମ ଏ ତିନିଜଣ ଯିବେ ତାଙ୍କ ସହିତ । ଛାଡ଼ିଦେଇ ଆସିବେ ତାଙ୍କୁ ତାଙ୍କର ବାବାଙ୍କ ପାଖରେ । ତେଣିକି ମୁଁ ନିଶ୍ଚିନ୍ତ । ପଦ୍ମାକୁ କହିଦେ– ସେ ଆଜି ରାଜକୁମାରୀଙ୍କ ପାଖରେ ରହିବ । ତୁ ଆଉ ସେଠାକୁ ଯାଆନା ।’’

 

ରମ୍ଭାର ଆଖିରୁ ଆନନ୍ଦାଶ୍ରୁ ବହିବାକୁ ଲାଗିଲା । ହାତ ବଢ଼େଇ ରାଣୀମା’ଙ୍କ ହାତରୁ ଟଙ୍କାତକ ଓ ହାରଟା ନେଇ ନୀରବରେ ବାହାରି ଆସିଲା ଘର ଭିତରୁ । ସରଳା ଯୁବରାଣୀ ହେବେ ଉଆସରେ– କି ଭାଗ୍ୟ ସତେ । ସେମାନଙ୍କର ବହୁତ ଉପକାର କରିବେ ସେ । ଭଗବାନ୍ ସେଇୟା ହିଁ କରନ୍ତୁ । ସ୍ୱର୍ଗର ଦେବତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କପାଳରେ ଲଗେଇଲା ରମ୍ଭା ।

 

ରାଜକୁମାର କେତେବେଳୁ ଚାଲିଗଲେଣି । ରାଣୀମା’ଙ୍କର ମନଟା କାହିଁକି ଏବେ ହାଲୁକା ଲାଗୁଛି । ଅସୀମ ଆନନ୍ଦରେ ଛାତି ଭିତରଟା ପୂରି ଉଠୁଛି । ସରଳା ହେବେ ଯୁବରାଣୀ, ସବୁ ନିୟତିର ଇଙ୍ଗିତ । ଆଖି ଆଗରେ ଭାସିଗଲା ସରଳାର ପ୍ରତିମୂର୍ତ୍ତି । ସୁନ୍ଦର, ଢଳ ଢଳ ପଙ୍କଜନୟନ, ଆନତ ମୁଖଶ୍ରୀ । ସରଳା ସୁନ୍ଦରୀ, ବୁଦ୍ଧିମତୀ । ଗରିବ ହେଲେ କ’ଣ ହେବ, କିଏ କହିପାରିବ ସରଳା ରାଜକନ୍ୟା ନୁହଁନ୍ତି ବୋଲି ?

 

ଚମକି ପଡ଼ୁଛନ୍ତି ରାଣୀମା’ ଅନଙ୍ଗମଞ୍ଜରୀ । ରାଜକୁମାର ଏଇକ୍ଷଣି ଆସି ପହଞ୍ଚିବେ ସରଳାକୁ ସଙ୍ଗରେ ନେଇ । ସରଳା ହେବେ ରାଜବଧୁ, ପୁତ୍ରବଧୁ–ବିକ୍ରମପୁର ରାଜବଂଶର କୁଳଲକ୍ଷ୍ମୀ । ମନେ ମନେ ହସୁଛନ୍ତି ସେ । ଖୁବ୍ ଭଲ ହେବ । ଉଆସ ତାଙ୍କର ପୂରିଉଠିବ । କେତେ କଳ୍ପନା କରିଗଲେ ଅନଙ୍ଗମଞ୍ଜରୀ । ଆଖିରୁ ବହି ଆସିଲା ଆନନ୍ଦାଶ୍ରୁ । ପିଲାଙ୍କର ଠିକ୍ ମୁଣ୍ଡପାଖକୁ ରଖାଯାଇଥିବା ବିକ୍ରମକେଶରୀଙ୍କର ତୈଳଚିତ୍ର ପାଖରେ ଠିଆହୋଇ ପଚାରିଲା ଆଖିରେ ଚାହିଁ ରହିଲେ । ଚିତ୍ରକରର ଜୀବନ୍ତ ହାତର ତୁଳୀରେ ମୁରୁକି ମୁରୁକି ହସୁଛନ୍ତି ରାଜାସାହେବ । ଜୀବନ୍ତ ହୋଇଉଠିଛନ୍ତି ସତେ । ନିଜର ପ୍ରଶ୍ନର ଉତ୍ତର ପାଇଲା ପରି ମନେକଲେ ରାଣୀମା’ । ଆଖିରୁ ତାଙ୍କର ବହିଗଲା ଘନ ଆନନ୍ଦାଶ୍ରୁ । ରାଜାସାହେବ ତେବେ ଆର୍ଶୀବାଦ କରିବେ ତାଙ୍କର ପୁତ୍ରବଧୁଙ୍କୁ ସେଇ ସ୍ୱର୍ଗ ରାଇଜରୁ । କାହାର ପାଦଶବ୍ଦ ଶୁଣି ଚମକି ପଡ଼ିଲେ ରାଣୀମା’ । ପଛକୁ ଫେରି ଚାହିଁଲେ ।

 

ଅସ୍ଥିର ଆବେଗରେ ରାଜକୁମାର ଘର ଭିତରକୁ ପଶିଆସି କହିଲେ, ‘‘ସରଳା ଉଆସରେ ନାହାନ୍ତି ସେ ।’’ ଆକାଶରୁ ଖସିପଡ଼ିଲେ ରାଣୀମା’ । ଆଖି ଦୁଇଟା ଉପରକୁ ଟେକି ହୋଇଗଲା । ଆଖି ଦୁଇଟିରୁ ଟପ୍ ଟପ୍ ହୋଇ ଗଡ଼ିଆସିଲା କେତେ ବିନ୍ଦୁ ଅଶ୍ରୁ । କୋମଳ ଥରିଲା ସ୍ୱରରେ କହିଲେ, ‘‘ଚଞ୍ଚଳ ଯାଅ ରାଜକୁମାର । ଉଆସର ସମସ୍ତଙ୍କୁ କୁହ ଖୋଜି ଆଣିବାକୁ ।’’ ତା’ପରେ ଅସ୍ଥିର ହୋଇ କହିଲେ ‘‘ନା ନା, ନିଜେ ଯିବି । ରାଜକୁମାର, ତାଙ୍କୁ କଦାପି ଫେରିଯିବାକୁ ଦେବିନି । ସେ ମୋର କୁଳବଧୁ, କୁଳଲକ୍ଷ୍ମୀ । ତୁମେ ଯାଅ ରାଜକୁମାର । ଆଉ ଡେରି କରନି ।’’ ଅସ୍ଥିର ହୋଇ ରାଣୀମା’ ଘୂରିବୁଲିଲେ ହଲସାରା ।

 

ପିଞ୍ଜରା ଭିତରୁ ଶାରୀ ଉଡ଼ିଯାଇଛି । ଆଉ କି ଫେରି ଆସିବ ? ତା ପାଇଁ ସିନା ସମସ୍ତେ ଆଜି ବ୍ୟାକୁଳ, କିନ୍ତୁ ସେ କ’ଣ ଖୋଜୁଛି ସେମାନଙ୍କୁ ?

 

ସରଳା ଆଗକୁ ମାଡ଼ିଚାଲିଛି । ବାହାରେ ଅବିଶ୍ରାନ୍ତ ଭାବରେ ବର୍ଷା ବର୍ଷିଚାଲିଛି । ଚାରିଆଡ଼େ ଅନ୍ଧକାର ଆଉ ତାରି ଭିତରେ ପ୍ରକୃତିର ଏ ରଣତାଣ୍ଡବ ନୃତ୍ୟ । ତୁହାଇ ତୁହାଇ ବର୍ଷା ମାଡ଼ିଆସୁଛି ।

 

ପବନର ଗତି ବଢ଼ିଚାଲିଛି ପୃଥିବୀ ବକ୍ଷ ଉପର ଦେଇ । ଏକାକିନୀ ଆଗେଇ ଚାଲିଛି ସରଳା ।

 

କେତେବେଳେ ଉଆସର ପଛପାଖ ଦରଜା ଖୋଲି ସରଳା ବାହାରକୁ ଆସିଛି ଜାଣିପାରିନି । ଫୁଲବଗିଚା ପାରହେଇ, ଉଆସର ବିରାଟ ପଥର ପାଚେରୀକୁ ଅତିକ୍ରମ କରି, ଲୁହାର ଗେଟ୍ ଖୋଲି, ଝରଣାର କୂଳେ କୂଳେ ପାହାଡ଼ ଉପରକୁ ଉଠିଯାଉଛି ସରଳା । ମନରେ ଭୟ ଭ୍ରାନ୍ତି କିଛି ନାହିଁ, ଦେଖିପାରୁନି କିଛି । ମୁକ ସେ, ଅଥର୍ବ ସେ, ନିର୍ଜୀବ, ଜଡ଼, ନିସ୍ପନ୍ଦ ହୋଇଯାଇଛି ତା’ର ଶରୀର । ଅନୁଭବ କରିପାରୁନି ଝଡ଼ର ରାକ୍ଷସୀଲୀଳା । ପର୍ବତ ଉପରେ ଲଗେଇଛି ତାଣ୍ଡବଲୀଳା । ଆହୁରି ଭୟଙ୍କର ମୂର୍ତ୍ତି ଧରିଛି ଏ ପର୍ବତ । ଝର ଝର ହୋଇ ଝରିଆସୁଛି ବରଷାର ଧାର । ସୁ ସୁ ହୋଇ ଗଛ ଉପରେ ଗଛକୁ ପିଟୁଛି ତୋଫାନ୍ । ପହିଲି ଆଷାଢ଼ର ବରଷା-। ପାହାଡ଼ ଉପରକୁ ଉଠିଚାଲିଛି ସରଳା । ପର୍ବତ ଉପରୁ ତଳକୁ ଗଡ଼ି ଆସୁଛି ଆଣ୍ଠୁଏ ଆଣ୍ଠୁଏ ପାଣି-। ସରଳା ସେଇ ପାଣି ଭିତରେ ଆଗେଇ ଚାଲିଛି ଆଗକୁ । ଶୁଣିପାରୁନି ରାଜକୁମାରଙ୍କର ଆର୍ତ୍ତକାତର ସ୍ୱର, ସତୀର କାତର କାନ୍ଦଣା, ନରହରିବାବୁଙ୍କର ହୃଦୟଥରା ଡାକ-। ଦୁନିଆର ସମସ୍ତ ମୋହମାୟାରୁ ବଞ୍ଚିତା ସେ । ସମସ୍ତ କାମନା, ବାସନା ହୋଇଯାଇଛନ୍ତି ଅଚଞ୍ଚଳ-। କେହି ନାହିଁ ତା’ର । ସେ ବି କାହାର ନୁହଁ । ଝଡ଼ ଆସିଛି, ଝଡ଼ ଚାଲିଯିବ । ଧରିତ୍ରୀ ପଡ଼ିରହିବ ପୂର୍ବ ଭଳି; କିନ୍ତୁ ଝଡ଼ର ପ୍ରତିଫଳ ଭୋଗ କରିବେ କେତେଗୁଡ଼ିଏ ନିରୀହ ଜୀବଜନ୍ତୁ, ମାନବ ଆଉ ବୃକ୍ଷଲତା-

 

ସରଳା ଜୀବନରେ ଆଜି ସେଇ ଝଡ଼ର ଏକ ଢେଉ ମାତ୍ର ବହିଗଲା । ଜୀବନର ସମସ୍ତ ଗତିଧାରା ଓଲଟାପାଲଟ ହୋଇଗଲା । ଭବିଷ୍ୟତ ତା’ର ଅନ୍ଧକାରଚ୍ଛନ୍ନ । ଜୀବନପଥରେ ଆଜି ସେ ଲକ୍ଷ୍ୟହରା ଏବଂ ପଥହରା ।

Image